ମାଗଣା ସୁନା

ଡ.ସତ୍ୟନାରାୟଣ ମିଶ୍ର

ପ୍ରକୃତି ମଣିଷକୁ ଜଳ, ସ୍ଥଳ, ଆକାଶ ଓ ଭୂତଳ ଆଦି ସବୁ କିଛି ବ୍ୟବହାର କରିବା ପାଇଁ ଦେଇଛି ଓ ସେଥି ମଧ୍ୟରୁ ଉତ୍କୃଷ୍ଟ ଉପାଦାନଗୁଡ଼ିକୁ ବ୍ୟବହାର କରି ମଣିଷ ସୁଖ ଶାନ୍ତିରେ ଜୀବନ ନିର୍ବାହ କରିଥାଏ। ପ୍ରକୃତି ଯେତେଗୁଡ଼ିଏ ଉପାଦାନ ଦେଇଅଛି ତନ୍ମଧ୍ୟରୁ ଭୂତଳରେ ଥିବା ଧାତୁଗୁଡ଼ିକ ହେଉଛି ଅଧିକ ମୂଲ୍ୟବାନ, ଯାହା ମଣିଷ ଉକ୍ତ ଧାତୁଗୁଡ଼ିକୁ ଉତ୍ତୋଳନ କରି ସେଥିରୁ ପର୍ଯ୍ୟାପ୍ତ ଅର୍ଥ ରୋଜଗାର କରିଥାଏ। କିନ୍ତୁ ଉକ୍ତ ଧାତୁଗୁଡ଼ିକ ମଣିଷ ତିଆରି କରି ନ ଥାଏ ବା ଏହା ମଣିଷର ଅର୍ଜିତ ସମ୍ପତ୍ତି ନୁହେଁ, ଏହା ପ୍ରକୃତି ଦ୍ୱାରା ମାଗଣାରେ ମଣିଷକୁ ଅର୍ପଣ କରାଯାଇଥାଏ, ମାତ୍ର ଏହାର ବିନିଯୋଗ ଓ ସୁ-ବିନିଯୋଗ ମଣିଷର ପ୍ରକୃତି ବା ବିବେକ ଉପରେ ନିର୍ଭର କରିଥାଏ। ଭୂଗର୍ଭରେ ଅନେକଗୁଡ଼ିଏ ଧାତୁଙ୍କ ମଧ୍ୟରୁ ସୁନା ହେଉଛି ଏକ କଠିନ ଚମକପ୍ରଦ ତଥା ମୂଲ୍ୟବାନ ଧାତୁ, ଯାହା ଅନ୍ୟ ସମସ୍ତ ଧାତୁଗୁଡ଼ିକଠାରୁ ଭିନ୍ନ ଓ ଏହାର ଉପଯୋଗିତା ଏବଂ ଉପାଦେୟତା ଅନ୍ୟ ଧାତୁଠାରୁ ଭିନ୍ନ। ହିନ୍ଦୁ ଶାସ୍ତ୍ରରେ ମଣିଷର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସୁନାର ଆବଶ୍ୟକତା ଅଳ୍ପ ବହୁତ ରହିଥାଏ। ସ୍ବାସ୍ଥ୍ୟ ରକ୍ଷା ନିମିତ୍ତ ଔଷଧ ପ୍ରସ୍ତୁତି ନିମନ୍ତେ ସ୍ବର୍ଣ୍ଣର ଆବଶ୍ୟକତା ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରର ବିଧି ଅନୁଯାୟୀ ସୁନାକୁ ଶରୀରରେ ଧାରଣ କରି ଗ୍ରହମାନଙ୍କର ଅବସ୍ଥିତିରେ ନିଜର ସ୍ଥିତିର ପରିବର୍ତ୍ତନ ହୋଇଥାଏ ବୋଲି କେତେକଙ୍କର ବିଶ୍ୱାସ ଥାଏ। ଧର୍ମ କାର୍ଯ୍ୟରେ ସୁନା ଦାନ କରି ଅଭୀଷ୍ଟ ସିଦ୍ଧି ବା ରିଷ୍ଟ ଖଣ୍ଡନ କରି ଉଦ୍ଦେଶ୍ୟ ସାଧନ ହୋଇଥାଏ। ଏତଦ୍‌ଭିନ୍ନ ସୁନାକୁ ମୁଖ୍ୟତଃ ଅଳଙ୍କାର ନିମିତ୍ତ ବ୍ୟବହାର କରାଯାଇଥାଏ ଓ ପୂଜା ପଦ୍ଧତି ଆଦି ମାଙ୍ଗଳିକ କାର୍ଯ୍ୟରେ ମଧ୍ୟ ସୁନାର ଆବଶ୍ୟକତା ହୋଇଥାଏ। ଦେଶର ଅର୍ଥନୀତି କ୍ଷେତ୍ରରେ ସୁନା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଓ ସୁନା ବିନିମୟ ମୁଦ୍ରାର ପ୍ରତୀକ ହୋଇ ଦେଶର ଅର୍ଥନୀତିକୁ ଦୃଢୀଭୂତ କରିଥାଏ। ତେବେ ଏସବୁ ପ୍ରକୃତିର ମାଗଣା ଦାନରେ ସମ୍ଭବ ହୋଇଥାଏ, ଯାହା ମଣିଷ ହିଁ କେବଳ ଭୋଗ କରିଥାଏ।
ଖ୍ରୀଷ୍ଟପୂର୍ବ ୨୬୦୦ ବର୍ଷ ପୂର୍ବେ ମେସୋପଟାମିଆଁରେ ପ୍ରଥମେ ସୁନାର ସନ୍ଧାନ ମଣିଷ ଉପଲବ୍ଧତ୍ କରିଥିଲା ବୋଲି ଜଣାଯାଏ ଓ ଖ୍ରୀଷ୍ଟପୂର୍ବ ୭୦୦ ବର୍ଷ ପୂର୍ବେ ସୁନାର ମୁଦ୍ରାକୁ ବିନିମୟର ମୁଦ୍ରା ରୂପେ ଗ୍ରହଣ କରାଯାଇଥିଲା। ସୁନା ହେଉଛି ଭୂତଳ ଧାତୁ ମଧ୍ୟରେ ଏକ ମାତ୍ର ଧାତୁ; ଯାହାର ନିଜର ରଙ୍ଗ, ଆକର୍ଷଣ ଓ ସ୍ବଚ୍ଛତାରେ ନିଜେ ବିକଶିତ ହୋଇଥାଏ। ଅନ୍ୟ ଧାତୁଗୁଡ଼ିକର ପୂର୍ବ ରୂପାନ୍ତର ଥିବା ବେଳେ ସୁନାର ପୂର୍ବ ରୂପାନ୍ତର କିଛି ନ ଥାଏ। ଏହା ସଦାସର୍ବଦା ନିଜର ଗୁଣରେ ବିକଶିତ। ଗ୍ରୀସ୍‌ରେ ସୁନାକୁ ମୁଦ୍ରା ହିସାବରେ ବ୍ୟବହାର କରାଯାଉଥିଲା; ଯାହା ପ୍ଲାଟୋ ଓ ଆରିଷ୍ଟଟଲ ସୁନା ସମ୍ବନ୍ଧରେ ଅନେକ ତଥ୍ୟ ଉପସ୍ଥାପନ କରିଛନ୍ତି। ଭାରତରେ ଖ୍ରୀଷ୍ଟପୂର୍ବ ୧୦୦ ବର୍ଷ ପୂର୍ବେ ସୁନା ପ୍ରଥମେ ଦୃଶ୍ୟମାନ ହୋଇଥିଲା ଓ ଏହାର ବ୍ୟବହାର ବିଭିନ୍ନ ପଦ୍ଧତିରେ ବିଭିନ୍ନ ପରିପ୍ରେକ୍ଷୀରେ ହୋଇଥିଲା ବୋଲି ଅନୁମାନ କରାଯାଏ।
ସୁନା ସହ ପାଣିର ସମ୍ପର୍କ ଅତି ଘନିଷ୍ଠ ଓ ନିବିଡ଼। ସେଥିପାଇଁ ପାଣି ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ସୁନା ଅଧିକ ଗଚ୍ଛିତ ଥାଏ ଓ ସୁନା ଅଧିକ ଉପଲବ୍ଧ ହୋଇଥାଏ। ପୌରାଣିକ ଦୃଷ୍ଟିକୋଣରୁ ବିଶ୍ୱାସ କରାଯାଏ ଯେ, ସୂର୍ଯ୍ୟକିରଣ ଓ ପାଣିର ସମଷ୍ଟିରେ ସୁନାର ଉତ୍ପତ୍ତି ହୋଇଥାଏ ଓ ସୁନା ହେଉଛି ସୂର୍ଯ୍ୟଙ୍କର ସ୍ବେଦ ଓ ରୁପା ହେଉଛି ଚନ୍ଦ୍ରଙ୍କର ଚକ୍ଷୁର ଲୋତକ। ପୌରାଣିକ ଦୃଷ୍ଟିକୋଣର ପରୀକ୍ଷାମୂଳକ ସିଦ୍ଧାନ୍ତ ନ ହୋଇପାରିଲେ ମଧ୍ୟ ସୁନା ଓ ପାଣିର ସମ୍ପର୍କ ଅତି ନିବିଡ଼ ବୋଲି ପରୀକ୍ଷାଗାରରେ ସିଦ୍ଧାନ୍ତ। ତେଣୁ ବିଶ୍ୱାସ କରାଯାଏ ଯେ, ସୂର୍ଯ୍ୟ ଦେବତାଙ୍କର ପ୍ରତୀକ ହେଉଛି ସୁନା; ଯାହାକୁ ପୁରାଣ ଶାସ୍ତ୍ରରେ ହିରଣ୍ୟଗର୍ଭ ବୋଲି କୁହାଯାଏ। ଅନ୍ୟପକ୍ଷରେ ସୁନାରେ ପ୍ରକୃତିର ମାଗଣା ଉପହାର ନିହିତ ଥାଏ ଓ ଏହା ସର୍ବଜନରେ ସ୍ବୀକାର୍ଯ୍ୟ ତେଣୁ ଏହା ବର୍ତ୍ତମାନ, ଭୂତ ଓ ଭବିଷ୍ୟତ ସହ ଜଡ଼ିତ। ପୂର୍ବେ ରାଜାମାନେ ସୁନା ଦାନ କରି ନିଜର ଅଭୀଷ୍ଟ ସିଦ୍ଧି କରୁଥିଲେ ଓ ଏଥିପାଇଁ ସ୍ବର୍ଣ୍ଣ ଭଣ୍ଡାର ମଧ୍ୟ ପ୍ରସ୍ତୁତ କରୁଥିଲେ। ବର୍ତ୍ତମାନ ପୃଥିବୀରେ ପ୍ରମୁଖ ଦଶଟି ଦେଶ ନିକଟରେ ଗଚ୍ଛିତ ଥିବା ସୁନାର ପରିମାଣକୁ ଦୃଷ୍ଟି ଗୋଚର କଲେ ବର୍ତ୍ତମାନ ଯୁଗରେ ସୁନାର ଆବଶ୍ୟକତାକୁ ବେଶ୍‌ ଅନୁମାନ କରିହୋଇଥାଏ। ଉକ୍ତ କ୍ରମରେ ଇଟାଲି ନିକଟରେ ସର୍ବାଗ୍ରେ ୨,୪୫୧.୮ ଟନ ସୁନା ଥିବାବେଳେ ନେଦରଲାଣ୍ଡ ନିକଟରେ ୬୧୨.୫ ଟନ ସୁନା ରହିଅଛି। ସେହିପରି ଭାରତ ନିକଟରେ ୬୫୭.୭ ଟନ ସୁନା ମହଜୁଦ ରହିଅଛି; ଯାହା ହେଉଛି ପ୍ରକୃତିର ଦାନ। ଭାରତକୁ ବାହ୍ୟ ଆକ୍ରମଣ ତଥା ମୋଗଲ ଶାସନର ଉଦ୍ଦେଶ୍ୟ ଥିଲା ଭାରତରେ ଗଚ୍ଛିତ ଥିବା ସୁନାର ଲୋଭ ଓ ଏହାର ଅଧିକାର ସାବ୍ୟସ୍ତ। ବାବରଙ୍କର ‘ବାବର ପତ୍ରିକା’ ସୂଚନା ଦେଇଥାଏ ଯେ, ଭାରତକୁ ମୋଗଲ ଆକ୍ରମଣ କେବଳ ଭାରତରେ ଗଚ୍ଛିତ ଥିବା ସୁନା ପାଇଁ ହିଁ ହୋଇଥିଲା। ପ୍ରକୃତିର ମାଗଣା ଧାତୁ ଉପରେ ମଣିଷର ଆଧିପତ୍ୟ ସୂଚନା ଦେଇଥାଏ ଯେ ମଣିଷ କେତେ ତଳସ୍ତରକୁ ଯାଇ ନିଜର ସ୍ଥିତିକୁ ହୃଦୟଙ୍ଗମ ନ କରି ପାରି ଲୁଣ୍ଠନରେ ବ୍ୟସ୍ତ ଥାଏ। ସୁନାକୁ ଚାରୋଟି ମାଧ୍ୟମରେ ପରୀକ୍ଷା କରାଯାଏ – ଘର୍ଷଣ, ଛେଦନ, ଦହନ ଓ ଶବ୍ଦ ଘ୍ରାଣ ବା ସୁନାକୁ ଅନ୍ୟଧାତୁ ଦ୍ୱାରା ଆଘାତ କରି ଅନୁମାନ କରାଯାଏ ଓ ପରୀକ୍ଷିତ କରାଯାଏ ତାହାର ସ୍ଥିତିର ପରିଚୟ। ଠିକ୍‌ ସେହିପରି ମଣିଷର ମାନବିକ ମୂଲ୍ୟବୋଧକୁ ମଧ୍ୟ ଚାରୋଟି ସ୍ତରରେ ମପା ଯାଇପାରେ ତାହା ହେଲା ତ୍ୟାଗ, ଚରିତ୍ର, ଗୁଣ ଓ କର୍ମ। ସୁନାର ଜ୍ୟୋତି ବା ଚମକ କେବଳ ଚକ୍ଷୁକୁ ଆକର୍ଷିତ କରିଥାଏ, ମାତ୍ର ମଣିଷର ଚାରୋଟି ଗୁଣ ସଂପୂର୍ଣ୍ଣ ମଣିଷ ସମାଜକୁ ଚମକ କରିଥାଏ। ବର୍ତ୍ତମାନର ସଭ୍ୟ ସମାଜ କୌଣସି ମଣିଷର ତେଜ ବା ଗୁଣ ପରିବର୍ତ୍ତେ ବାହ୍ୟ ଶରୀରର ଆକୃତି, ପୋଷାକରୁ ମାନ୍ୟତା ପାଉଛି । ଅନ୍ତର୍ନିହିତ ଶକ୍ତିର ମାନ୍ୟତା ନାହିଁ ।
ପୋଷାକ, ଗାଡି, ଘର, ଅଳଙ୍କାର ଆଦି ଭୂଷଣ ଆଭୂଷଣ ଦ୍ୱାରା ମଣିଷ ବର୍ତ୍ତମାନ ଏକ ପ୍ରହେଳିକା ମଧ୍ୟରେ ଭାସମାନ। ସ୍ବାର୍ଥାନ୍ବେଷୀ ମଣିଷ ବର୍ତ୍ତମାନ ସ୍ବାର୍ଥ ପାଇଁ ଏତେ ବ୍ୟସ୍ତ ଯେ ନିଜର ସ୍ଥିତି ଉପସ୍ଥିତିକୁ ମଧ୍ୟ ମୂଲ୍ୟାଙ୍କନ କରିବା ପାଇଁ ନିଜେ ଅସମର୍ଥ ।
କାରଣ ମାୟାଜାଲରେ ମଣିଷ କେବଳ ସ୍ବଳ୍ପ ପରିଶ୍ରମରେ ଅଧିକ ପାଇବା ଉପଲବ୍ଧିକୁ ଶ୍ରେୟଃ ମନେକରୁଛି ଓ ମାଗଣାରେ ଉପଲବ୍ଧ ବସ୍ତୁ ପ୍ରତି ଅଧିକ ଆକର୍ଷଣ ନିହିତ ଥାଏ। କୁହାଯାଏ, ଅର୍ଥ ହେଉଛି ଅନର୍ଥର ମୂଳ କାରଣ । ତେଣୁ ବର୍ତ୍ତମାନର ଆଭିଜାତ୍ୟ ପ୍ରତିଯୋଗିତାରେ ଧାବମାନ ମଣିଷ କିଏ କେତେ ସୁନା ଗଚ୍ଛିତ କରିପାରୁଛି ସେଥିପ୍ରତି ପ୍ରବଳ ପ୍ରତିଯୋଗିତା ହୋଇଥାଏ। ସାମାଜିକ, ଭୌଗୋଳିକ, ପରିବେଶ, ଧାର୍ମିକ ତଥା ଆର୍ଥିକ ସ୍ଥିତିକୁ ତୁଳନାତ୍ମକ ଭାବେ ବିଶ୍ଳେଷଣ କଲେ ଜଣାଯାଏ ଯେ ଯେଉଁ ବ୍ୟକ୍ତି ସମୂହ ରିକ୍ସା ଚାଳକ, ଅଟୋଚାଳକ, ପରିବା ବିକ୍ରେତା, ଆବଶ୍ୟକୀୟ ଖାଦ୍ୟ ବିକ୍ରେତା ଆଦି ଛୋଟ ଛୋଟ ବିକ୍ରେତା ଯେଉଁମାନେ ପରିବାର ପୋଷଣ ନିମିତ୍ତ ସ୍ବଳ୍ପ ପୁଞ୍ଜିରେ ବ୍ୟବସାୟ କରିଥାନ୍ତି ସେମାନଙ୍କ ନିକଟରୁ ଉକ୍ତ ଆଭିଜାତ୍ୟ ପ୍ରତିଯୋଗୀମାନେ ସେମାନଙ୍କର ଦ୍ରବ୍ୟର ପ୍ରାପ୍ୟ ମୂଲ୍ୟଠାରୁ କମ ଦେବା ପାଇଁ ଝଗଡ଼ା ବା ଅନୁନୟ ବିନୟ କରିଥାନ୍ତି। ମାତ୍ର ସେହି ଆଭିଜାତ୍ୟ ପ୍ରତିଯୋଗୀ ବ୍ୟକ୍ତିମାନେ ଯେତେବେଳେ ସୁନା କ୍ରୟ ପାଇଁ ଯାଇଥାନ୍ତି, ସେତେବେଳେ ଶୀତତାପ ନିୟନ୍ତ୍ରିତ ସୁରମ୍ୟ ଅଟ୍ଟାଳିକା ଭିତରେ ସୁନାର ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ମୂଲ୍ୟ ସହ ଅନ୍ୟାନ୍ୟ ଟିକସ ପ୍ରଦାନ କରି ନିଜର ଆଭିମୁଖ୍ୟକୁ ସମର୍ପଣ କରିଥାନ୍ତି ଓ ମାଗଣା ଆକର୍ଷଣୀୟ ପ୍ରଲୋଭନ ଦ୍ୱାରା ବିମୋହିତ ହୋଇଥାନ୍ତି। ଟଙ୍କାଏ, ଦୁଇଟଙ୍କା ବା ପାଞ୍ଚ ଟଙ୍କା ଲାଭ ଅନ୍ବେଷଣରେ ଥିବା ଛୋଟ ଛୋଟ ବିକ୍ରେତାମାନେ ଜୀବନ ସଂଗ୍ରାମ ସହ ଜଡିତ ତଥା ତାହା ଲହୁଲୁହର ସମଷ୍ଟିରେ ଉତ୍ପତ୍ତି ହୋଇଥିବା ବେଳେ ମାଗଣାରେ ପ୍ରକୃତିର ଉପଲବ୍ଧ ସୁନା ପାଇଁ ମଣିଷ ଯାହାର ଆବଶ୍ୟକତା କେବଳ ଭୂଷଣ ବା ଅଭିଜାତ୍ୟରେ ସୀମିତ ଥାଏ, ସେଥିପ୍ରତି ଅହେତୁକ ଆଗ୍ରହ କରିଥାନ୍ତି। ସ୍ବୀକୃତିପ୍ରାପ୍ତ ପ୍ରଗତିଶୀଳ ପରିବର୍ତ୍ତନକୁ ସ୍ବାଗତ କରିବା ଆବଶ୍ୟକ। ମଣିଷ ମାଗଣା ପ୍ରଲୋଭନ ଦ୍ୱାରା ପ୍ରଭାବିତ ନ ହୋଇ ସୁନାକୁ ପରୀକ୍ଷା କରିବା ପାଇଁ ଯେପରି ଅନେକଗୁଡ଼ିଏ ମାଧ୍ୟମ ଓ ସତର୍କତାକୁ ମଣିଷ ଅନୁଗମନ କରିଥାଏ, ସେହିପରି ବାସ୍ତବତାର କଷଟି ପଥରରେ ମଣିଷ ମଣିଷକୁ ଚିହ୍ନି ପାରୁ, ବିଭେଦ ସୃଷ୍ଟି ନ କରି ଆଦର୍ଶ ସୃଷ୍ଟି କରୁ ଏହା ହିଁ ସୁନା ଅଳଙ୍କାର।
ଅଭିଲେଖାଧିକାରୀ, ଜାତୀୟ ଅଭିଲେଖାଗାର, ଭାରତ ସରକାର,
ମୋ -୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri