କଟକ ସଦର, ୧୧୦ (ସୁଶାନ୍ତ କୁମାର ଜେନା): କଟକ ସଦରର ପୂର୍ବତନ ବିଧାୟକ ଚନ୍ଦ୍ରସାରଥି ବେହେରା ଶନିବାର ୪୨ ମୌଜା ଅନ୍ତର୍ଗତ ବେଣ୍ଟକାରଠାରେ ଆୟୋଜିତ ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଦଳୀୟ କର୍ମୀଙ୍କ ସହ ମିଶି ଭାବ ବିନିମୟ କରିଥିଲେ। କଲେଜ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳର ସଫଳତାକୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା କୁହାଯାଉଛି।
ଚଳିତ ଛାତ୍ର ସଂସଦ ନିର୍ବାଚନରେ ନେମାଳ ଓ କନ୍ଦରପୁର କଲେଜରେ ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥୀମାନେ ସଭାପତି ପଦ ହାସଲ କରିଥିବାରୁ ଦଳୀୟ ଶିବିରରେ ଉତ୍ସାହ ଦେଖାଦେଇଛି। ଏହି ଖଟିରେ ୪୨ ମୌଜା ଅଞ୍ଚଳର ବହୁ ପ୍ରମୁଖ ବିଜେଡି କର୍ମୀ ଉପସ୍ଥିତ ରହି ପୂର୍ବତନ ବିଧାୟକଙ୍କ ସହ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମରେ ବ୍ଲକ୍ ଉପାଧ୍ୟକ୍ଷାଙ୍କ ସ୍ୱାମୀ ବିଦ୍ୟାଧର ପାତ୍ର, ପୂର୍ବତନ ବିଧାୟକଙ୍କ ବ୍ଲକ୍ ପ୍ରତିନିଧି ବିଭୂତି ଭୂଷଣ ପରିଡ଼ା, ସ୍ୱୟଂ ସହାୟକ ଗୋଷ୍ଠୀର ପୂର୍ବତନ ସଂଯୋଜକ ଶରତ କୁମାର ରାୟ, ଅଶୋକ ମହାନ୍ତି, ମିହିର ପତି, ବୀରବର ଲେଙ୍କା, ପୂର୍ବତନ ବ୍ଲକ୍ ସଭାପତି ପ୍ରମୋଦ ମହାପାତ୍ର, ସମିତି ସଭ୍ୟା ମୀନା ସିଂ, ପ୍ରଦ୍ୟୁମ୍ନ ମହାନ୍ତି, ଅଜୟ ଦଳେଇ, ମହେଶ ବେହେରା, ମନୋଜ ଦେବତା, ରମା ଭୋଇ, ଭିକାରୀ ଚରଣ ପରିଡ଼ା ଓ ସୁନିଲ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ତେବେ, କାର୍ଯ୍ୟକ୍ରମରେ ଜଣେ ହେଲେ ବର୍ତ୍ତମାନର ସରପଞ୍ଚ ଉପସ୍ଥିତ ନଥିବା ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ୨୦୧୪ରୁ ୨୦୨୪ ମଧ୍ୟରେ ଚନ୍ଦ୍ରସାରଥି ବେହେରା ବିଧାୟକ ଥିବା ସମୟରେ ବିଭିନ୍ନ କାର୍ଯ୍ୟ ସରପଞ୍ଚମାନଙ୍କ ସୁପାରିସ ଓ ଚାପରେ କରୁଥିବା ଅଭିଯୋଗ ହେଉଥିଲା। କଟକ ସଦର ବ୍ଲକ୍ର ୨୩ଟି ଗ୍ରାମ ପଞ୍ଚାୟତରେ ବିଜେଡି କମିଟି ଗଠନ ହୋଇଥିଲେ ମଧ୍ୟ ସେଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରିନଥିବା କୁହାଯାଉଛି। ଏପରିକି ୨୦୨୪ ସାଧାରଣ ନିର୍ବାଚନରେ ମଧ୍ୟ ନିର୍ବାଚନ ପରିଚାଳନା ଦାୟିତ୍ୱ ସରପଞ୍ଚମାନଙ୍କୁ ଦିଆଯାଇଥିବା ଉଲ୍ଲେଖ ରହିଛି।
ତେବେ, ବର୍ତ୍ତମାନ ସେହି ସରପଞ୍ଚମାନେ ନିଜ ସ୍ୱାର୍ଥ ପାଇଁ ପୂର୍ବତନ ବିଧାୟକଙ୍କଠାରୁ ଦୂରେଇ ଯାଇଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ, ଦଳର ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଉପସ୍ଥିତ କର୍ମୀମାନେ ପୂର୍ବତନ ବିଧାୟକ ଚନ୍ଦ୍ରସାରଥି ବେହେରାଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

