ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଆସନ୍ତା ୭ଦିନ ପର୍ଯ୍ୟନ୍ତ ଦିନ ଓ ରାତି ତାପମାତ୍ରାରେ ସେଭଳି କିଛି ବିଶେଷ ପରିବର୍ତ୍ତନ ନାହିଁ। ତେଣୁ ଦଶହରାରେ ପାଗ ପ୍ରାୟତଃ ଭଲ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସ୍ପଷ୍ଟ କରିଛି। ଅନ୍ୟପକ୍ଷରେ ରାଜ୍ୟରେ ଏବେ ଟ୍ରଫ୍ ଲାଇନ୍ ସକ୍ରିୟ ରହିବା ସହ ଉପରି ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଶନିବାର ରାଜ୍ୟର କିଛି କିଛି ଅଞ୍ଚଳରେ ବର୍ଷା ହୋଇଥିବାବେଳେ ରବିବାର ମଧ୍ୟ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ। ବିଶେଷକରି କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ଆଶଙ୍କା ଥିବାରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଶନିବାର ରାଜ୍ୟର ୯ଟି ସ୍ଥାନରେ ୩୪ ଡିଗ୍ରୀ ଓ ଏହାଠାରୁ ଅଧିକ ତାପମାତ୍ରା ରହିଥିଲା। ପୁରୀରେ ସର୍ବାଧିକ ତାପମାତ୍ରା ୩୪.୮ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ବାଲେଶ୍ୱର ୩୪.୫, ଝାରସୁଗୁଡା ଓ ତାଳଚେର ୩୪.୪, ବରଗଡ଼ ଓ ପାରଳାଖେମୁଣ୍ଡି ୩୪.୨, ଢେଙ୍କାନାଳ ୩୪.୧ ଏବଂ ସୁନ୍ଦରଗଡ଼ ଓ ସୋନପୁରରେ ତାପମାତ୍ରା ୩୪ ଡିଗ୍ରୀ ଛୁଇଁଥିଲା।

