ନୂଆଦିଲ୍ଲୀ,୧୮।୧୦: ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା (PM-VBRY) ଅଧୀନରେ, କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ରେ ସାମିଲ ହେଉଥିବା ନୂଆ ଯୋଗ୍ୟ କର୍ମଚାରୀମାନଙ୍କୁ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି (ଇନସେଣ୍ଟିଭ) ପ୍ରଦାନ କରାଯାଏ। ଅର୍ଥାତ ସରକାର ପ୍ରଥମ ଥର ପାଇଁ ଚାକିରି ଆରମ୍ଭ କରୁଥିବା ଯୁବକଯୁବତୀମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଅର୍ଥ ଦେଇଥାନ୍ତି। ଏହି ଟଙ୍କା ସିଧାସଳଖ ଆଧାର-ଲିଙ୍କ ଥିବା ବ୍ୟାଙ୍କ ଆକାଉଣ୍ଟକୁ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (DBT) ମାଧ୍ୟମରେ ପଠାଯାଏ। ତେବେ ଏହାର ପୂର୍ଣ୍ଣ ଲାଭ ପାଇବା ପାଇଁ କିଛି ସର୍ତ୍ତ ପୂରଣ କରିବା ଆବଶ୍ୟକ।
କର୍ମଚାରୀଙ୍କ ପାଇଁ କ’ଣ ରହିଛି ସର୍ତ୍ତ?
* ଯେପରି ପୂର୍ୱରୁ କୁହାଯାଇଛି, ଏହି ଯୋଜନା ପ୍ରଥମ ଥର ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ। ଏହା ମନେ ରଖିବା ଜରୁରୀ ଯେ ଏହି ଯୋଜନା ପୂର୍ୱରୁ ସେମାନଙ୍କର କୌଣସି ପିଏଫ ଟ୍ରଷ୍ଟରେ ଯୋଗଦାନ ନ ଥିବ କିମ୍ୱା ସେମାନେ EPFO ର ସଦସ୍ୟ ହୋଇ ନ ଥିବେ।
* କର୍ମଚାରୀଜଣକ ୧ ଅଗଷ୍ଟ ୨୦୨୫ ରୁ ୩୧ ଜୁଲାଇ ୨୦୨୭ ମଧ୍ୟରେ EPFO ଅନ୍ତର୍ଭୁକ୍ତ କୌଣସି ସଂସ୍ଥାରେ ଚାକିରିରେ ଯୋଗ ଦେଇଥିବା ଆବଶ୍ୟକ।
* ଚାକିରିରେ ଯୋଗଦେବା ସମୟରେ ସେମାନଙ୍କର ମାସିକ ଦରମା ୧୦,୦୦୦ ଟଙ୍କା କିମ୍ୱା ତା’ଠାରୁ କମ ହୋଇଥିବା ଦରକାର।
* ଯୋଜନାର ଲାଭ ପାଇବା ପାଇଁ ଗୋଟିଏ ଚାକିରିରେ ଅତି କମରେ ୬ ମାସ ପର୍ଯ୍ୟନ୍ତ ରହିବା ଜରୁରୀ। ଯଦି କର୍ମଚାରୀ କୌଣସି ଋତୁକାଳୀନ ଶିଳ୍ପ (ସିଜିନାଲ ଇଣ୍ଡଷ୍ଟ୍ରି) ସହିତ ଜଡ଼ିତ ଥାଆନ୍ତି, ତେବେ ତାଙ୍କ ପାଇଁ ସେହି ସଂସ୍ଥା ସହିତ ପୂରା ୬ ମାସ ପର୍ଯ୍ୟନ୍ତ ଜଡ଼ିତ ରହିବା ଆବଶ୍ୟକ।
* କର୍ମଚାରୀଙ୍କ ପାଇଁ EPFO ପୋର୍ଟାଲରେ ଡିଜିଟାଲ ଭେରିଫିକେସନ ସମ୍ପୂର୍ଣ୍ଣ କରିବା ଜରୁରୀ।
* ଯୋଜନାର ଲାଭ ଉଠାଇବା ପାଇଁ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର କାର୍ଡ ଲିଙ୍କ ହୋଇଥିବା ଆବଶ୍ୟକ।
ସର୍ୱପ୍ରଥମେ କର୍ମଚାରୀଙ୍କୁ UMANG ଆପ୍କୁ ଯାଇ ଫେସ ଅଥେଣ୍ଟିକେସନ ମାଧ୍ୟମରେ ନିଜର ୟୁନିଭର୍ସାଲ ଆକାଉଣ୍ଟ ନମ୍ୱର (UAN) ଜେନେରେଟ ଏବଂ ଭାଲିଡେଟ କରିବାକୁ ପଡ଼ିବ। ଏହା ପରେ ଫାଇନାନ୍ସିଆଲ ଲିଟରେସି (ଆର୍ଥିକ ସାକ୍ଷରତା) ର ଏକ କୋର୍ସ ସମ୍ପୂର୍ଣ୍ଣ କରିବାକୁ ହେବ। ଏଥିପାଇଁ EPFO ପୋର୍ଟାଲରେ ଲଗଇନ କରିବାକୁ ପଡ଼ିବ। ଏହି କୋର୍ସଟିକୁ ଏପରି ଭାବରେ ପ୍ରସ୍ତୁତ କରାଯାଇଛି, ଯାହାଦ୍ୱାରା ସେମାନଙ୍କ ମଧ୍ୟରେ ସଞ୍ଚୟ, ସାମାଜିକ ସୁରକ୍ଷା ଏବଂ ସାଇବର ସୁରକ୍ଷା ବିଷୟରେ ବୁଝାମଣା ବୃଦ୍ଧି ପାଇପାରିବ।
୧୫,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ଦୁଇଟି କିସ୍ତିରେ ପ୍ରଦାନ କରାଯିବ। ୬ ମାସର ଚାକିରି ପୂରଣ କରିବା ପରେ ପ୍ରଥମ କିସ୍ତି ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ଲଗାତାର ୧୨ ମାସର ସେବା ପୂରଣ କରିବା ଏବଂ ସଫଳତାର ସହ ଫାଇନାନ୍ସିଆଲ ଲିଟରେସି କୋର୍ସ ଶେଷ କରିବା ପରେ ଦ୍ୱିତୀୟ କିସ୍ତି ଦିଆଯିବ। ତେବେ ଏହି ଟଙ୍କା ଏକ ର୍ନିଦ୍ଦିଷ୍ଟ ସମୟ ପାଇଁ ସଞ୍ଚୟ ଯୋଜନାରେ ଜମା ରଖାଯାଏ, ଯାହା ମ୍ୟାଚ୍ୟୁରିଟି (ଅବଧି ଶେଷ) ପରେ ଉଠାଯାଇପାରିବ। ଭବିଷ୍ୟତ ପାଇଁ ସଞ୍ଚୟ କରିବାର ଅଭ୍ୟାସ ଗଢ଼ିତୋଳିବା ଲକ୍ଷ୍ୟରେ ହିଁ ଏହି ନିୟମ କରାଯାଇଛି।

