ନୂଆଦିଲ୍ଲୀ, ୧୨।୨ : ଭାରତର କର୍ନାଟକରେ ହିଜାବକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏସମ୍ପର୍କରେ ପାକିସ୍ତାନ, ଆମେରିକା ସମେତ ଅନ୍ୟ କେତେକ ବିଦେଶୀ ରାଷ୍ଟ୍ର ଭାରତ ବିରୋଧୀ ମନ୍ତବ୍ୟ ପ୍ରଦାନ କରିଛନ୍ତି। ପରେ ଏହାକୁ ନେଇ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁହଁ ଖୋଲିଛି। ମନ୍ତ୍ରଣାଳୟ କହିଛି ହିଜାବକୁ ନେଇ ବିଦେଶୀ ରାଷ୍ଟ୍ରର ହସ୍ତକ୍ଷେପକୁ ସହ୍ୟ କରାଯିବ ନାହିଁ।
ବହିର୍ବ୍ୟାପାର ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗ୍ଚି କହିଛନ୍ତି ଯେ, ହିଜାବ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। ଏନେଇ କୌଣସି ବିଦେଶୀ ରାଷ୍ଟ୍ରର କୌଣସି ମନ୍ତବ୍ୟ ଦେବାର ଅଧିକାର ନାହିଁ।
ଭାରତ ପକ୍ଷରୁ ଦେଶରେ ପ୍ରଚଳିତ ଲୋକତନ୍ତ୍ର ତଥା ସାମ୍ବିଧାନିକ ଢାଞ୍ଚା ଆଧାରରେ ଏହି ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ କରାଯାଉଛି। ତେଣୁ ଭାରତର ପ୍ରଚଳିତ ବ୍ୟବସ୍ଥା ସମ୍ପର୍କରେ ଭଲଭାବେ ପରିଚିତ ଥିବା ବିଦେଶୀ ରାଷ୍ଟ୍ର କୌଣସି ମତାମତ ନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।