ଖାଦ୍ୟ ସୈନିକ

ଭାରତ ସରକାରଙ୍କ ଦ୍ୱାରା ପ୍ରଣୀତ ତିନୋଟି କୃଷି ଆଇନକୁ ଘୋର ବିରୋଧ କରି କୃଷକମାନେ ରାଜଧାନୀ ଦିଲ୍ଲୀକୁ ଏକରକମ ଘେରାଉ କରି ରଖିଛନ୍ତି। ଡିସେମ୍ବର ୮ରେ ସେମାନଙ୍କ ଦ୍ୱାରା ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ୧୦ ଶ୍ରମିକ ସଙ୍ଗଠନ ଓ ୧୮ ରାଜନୈତିକ ଦଳ ସମର୍ଥନ କରିଛନ୍ତି। ଏଥିସହିତ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ, ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟରେସ, ଏପରିକି ବ୍ରିଟେନର ବିଭିନ୍ନ ଦଳର ସାଂସଦଙ୍କ ସମେତ ବମ୍ବେ ସିନେମା ଜଗତର ସୁନାମଧନ୍ୟ ତାରକା କୃଷକଙ୍କୁ ସମର୍ଥନ କରିଛନ୍ତି। ବିପୁଳ ପରିମାଣରେ ମିଳୁଥିବା ସମର୍ଥନ ଯୋଗୁ ଏହି କୃଷକଙ୍କୁ ‘ଖାଦ୍ୟ ସୈନିକ’ ଆଖ୍ୟା ଦିଆଗଲାଣି। ଏହି ଆନ୍ଦୋଳନ କୌଣସି ରାଜନେତାଙ୍କ ନେତୃତ୍ୱରେ ହେଉନାହିଁ। ପଞ୍ଜାବ, ହରିୟାଣା ସହ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କୃଷକମାନେ ସ୍ବତଃସ୍ଫୂର୍ତ୍ତ ଭାବେ ଏଥିରେ ଝାସ ଦେଇଛନ୍ତି। ସେମାନେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ, ଦାବି ହାସଲ ନ ହେଲେ ପଛଘୁଞ୍ଚା ଦେବେ ନାହିଁ। କୃଷକଙ୍କ ଦାବି କେବଳ ଗୋଟିଏ ବିନ୍ଦୁରେ ରହିଛି, ତାହା ହେଉଛି ତିନୋଟି ଆଇନର ସମ୍ପୂର୍ଣ୍ଣ ପ୍ରତ୍ୟାହାର। ଏଥିସହିତ ଚାଷକୁ କର୍ପୋରେଟ୍‌ ହାତକୁ ଟେକିଦେବା ସକାଶେ ଯେଉଁ ଫନ୍ଦିଫିକର ହୋଇଛି, ତାହାକୁ ସେମାନେ ବୁଝିପାରିଥିବାରୁ ଦାବି ସହ ସାଲିସ କରିବେ ନାହିଁ ବୋଲି କହୁଛନ୍ତି।
ଭାରତୀୟ ଚାଷୀଙ୍କ ଆନ୍ଦୋଳନ ଯେଉଁଭଳି ଅନ୍ତର୍ଜାତୀୟ ଦୃଷ୍ଟି ଆକର୍ଷଣ କରିଛି, ସମ୍ଭବତଃ ପୂର୍ବରୁ କୌଣସି ଘଟଣାରେ ଏପରି ପ୍ରତିକ୍ରିୟା ପ୍ରକାଶ ପାଇ ନ ଥିଲା। ଅପରପକ୍ଷେ କୌଣସି ଗଣତାନ୍ତ୍ରିକ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ଅନ୍ୟ ଦେଶଗୁଡ଼ିକ ହସ୍ତକ୍ଷେପ କରିବା ଉଚିତ ନୁହେଁ ବୋଲି ବିଶ୍ୱାସ କରାଯାଏ। କିନ୍ତୁ ହସ୍ତକ୍ଷେପ କରିବାର ବାଟ ଦେଖାଇଦେଲେ ଯେକେହି ପ୍ରବେଶ କରିଯିବା ସହଜ ହୋଇଥାଏ। କାନାଡ଼ା ପ୍ରଧାନମନ୍ତ୍ରୀ ଟ୍ରୁଡୋ କୃଷକ ଆନ୍ଦୋଳନକୁ ସମର୍ଥନ କରିଥିବାରୁ ଭାରତ ପକ୍ଷରୁ ଏହାର ଦୃଢ଼ ବିରୋଧ କରାଯାଇଛି। ଅନ୍ୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବା ପୂର୍ବରୁ ଭାରତୀୟ ନେତୃତ୍ୱ ନିଜର ଭୁଲକୁ ତର୍ଜମା କରିବା ଦରକାର। ମନେ ପକାଇ ଦିଆଯାଇପାରେ ଯେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାକୁ ଯାଇ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ସହ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ହ୍ୟୁଷ୍ଟନ୍‌ରେ ଯୋଗଦେଇଥିଲେ। ସେଠାରେ ବାସ କରୁଥିବା ଭାରତୀୟ-ଆମେରିକୀୟଙ୍କୁ ଉଦ୍‌ବୋଧନ ଦେଇ ଟ୍ରମ୍ପ୍‌ଙ୍କ ସପକ୍ଷରେ ଭୋଟ ଦେବାକୁ ମୋଦି ପ୍ରବର୍ତ୍ତାଇ ଥିଲେ। ଏବର ସ୍ଥିତି ଦେଖିଲେ, ଯେହେତୁ ଜୋ ବାଇଡେନ୍‌ ବିଜୟ ଲାଭ କଲେ ମୋଦିଙ୍କ ଅଙ୍କସବୁ ଗଡ଼ବଡ଼ ହୋଇଯାଇଛି। ଆମେରିକା ନିର୍ବାଚନକୁ ପ୍ରଭାବିତ କରିବା ନିମନ୍ତେ ମୋଦି ଯେଉଁ ଭୂମିକା ଗ୍ରହଣ କରିଥିଲେ ସେହି ବିଷୟକୁ ବିଶ୍ୱ ସମୁଦାୟ ପାଖରୁ ଦେଖିଥିଲା। ଟ୍ରମ୍ପ୍‌ ହାରିଯିବା ପରେ ମୋଦିଙ୍କ ତ୍ରୁଟି ପଦାରେ ପଡ଼ିଗଲା। ଏବେ କାନାଡ଼ା ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କୁ ଭାରତ ପକ୍ଷରୁ ସମାଲୋଚନା କରାଯାଉଛି। ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବା ଲାଗି ସେ କିଏ ବୋଲି ପ୍ରଶ୍ନ ହେଉଛି। କିନ୍ତୁ ଏଠାକାର ନେତୃତ୍ୱ ଭୁଲିଯିବା ଉଚିତ ନୁହେଁ ଯେ, ଏହି ସାହାଣମେଲା ଲାଗି ଭାରତ କାହିଁକି ସୁଯୋଗ ସୃଷ୍ଟି କରୁଥିଲା। କାନାଡ଼ା ପ୍ରଧାନମନ୍ତ୍ରୀ ଭାରତର କୃଷକ ଆନ୍ଦୋଳନକୁ ସମର୍ଥନ କରିବା ଦିଗରେ ତାଙ୍କ ସ୍ବାର୍ଥ ନିହିତ ଅଛି। କାନାଡ଼ା ହାଉସ୍‌ ଅଫ୍‌ କମନ୍‌ର ୮ଟି ଆସନରେ ଶିଖ୍‌ମାନେ ପ୍ରାଧାନ୍ୟଲାଭ କରୁଛନ୍ତି। ଏଥିସହିତ ୧୫ଟି ଅନ୍ୟାନ୍ୟ ଆସନରେ ଶିଖ୍‌ମାନେ ଉଲ୍ଲେଖନୀୟ ସଂଖ୍ୟାଲଘୁ ଗୋଷ୍ଠୀ ଭାବେ ରହିଥିବାରୁ ସେମାନେ ନିର୍ବାଚନ ସମୀକରଣକୁ ବଦଳାଇ ଦେବାର କ୍ଷମତା ରଖିଛନ୍ତି। ସେଥିପାଇଁ ନିଜର ଭୋଟ୍‌ ସଂଖ୍ୟା ବଢ଼ାଇବା ନିମନ୍ତେ ଭାରତରେ ଥିବା ଶିଖ୍‌ ପରିବାର ପ୍ରତି ଟ୍ରୁଡୋଙ୍କ ଦରଦ ରହୁଛି।
କୃଷକ ଆନ୍ଦୋଳନକୁ କାନାଡ଼ା ସମର୍ଥନ କରିଥିବାରୁ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କୂଟନୈତିକ ସ୍ତରରେ ପ୍ରତିଶୋଧ ନେବାକୁ ଚେଷ୍ଟା କରିଛନ୍ତି। ଏହାର ପ୍ରଥମ ପଦକ୍ଷେପ ସ୍ବରୂପ ଡିସେମ୍ବର ୭ରେ କୋଭିଡ୍‌-୧୯କୁ ପ୍ରତିହତ କରିବା ପାଇଁ ସାଧାରଣ କୌଶଳ ଅବଲମ୍ବନ କରିବା ସକାଶେ କାନାଡ଼ା ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରୀ ସମ୍ମିଳନୀରେ ଜୟଶଙ୍କର ଯୋଗ ଦେଇନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ବ୍ରାଜିଲ ଓ ସିଙ୍ଗାପୁର ଏହି ଗୋଷ୍ଠୀରେ ସଦସ୍ୟ ଅଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ମଞ୍ଚରୁ ଦୂରେଇ ରହିବା ଭାରତର ବହିର୍ବ୍ୟାପାର ନୀତିର ଅପରିପକ୍ୱତା ବୋଲି କୁହାଯାଇପାରେ। ବିଶ୍ୱ ମଞ୍ଚରେ ଯେଉଁଭଳି ଭାବେ ଭାରତ ବିରୋଧୀ ମନ୍ତବ୍ୟ ପ୍ରକାଶ ପାଉଛି, ସେଥିରେ ବହିର୍ବ୍ୟାପାର ନୀତିକୁ ବିଶ୍ଳେଷଣ କରୁଥିବା ବିଶେଷଜ୍ଞମାନେ ନୈରାଶ୍ୟ ପ୍ରକଟ କରୁଛନ୍ତି। ସେମାନଙ୍କ କହିବା ଅନୁଯାୟୀ ଏସବୁ ଭାରତର ନିଜ ଦୋଷ ଯୋଗୁ ଘଟୁଛି। ଆମେରିକା ରାଜନୀତିରେ ଏକ ବିରାଟକାୟ ପରିବର୍ତ୍ତନ ଘଟିଥିବା ହେତୁ ଟ୍ରମ୍ପ୍‌ଙ୍କୁ ସମର୍ଥନ କରୁଥିବା ସବୁ ନେତା ଏବେ ଅଠାକାଠିରେ ପଡ଼ିଯାଇଛନ୍ତି। ଜୋ ବାଇଡେନ୍‌ଙ୍କ ପ୍ରଶାସନ ୨୦ ଜାନୁୟାରୀ ୨୦୨୧ରେ ଦାୟିତ୍ୱ ଗ୍ରହଣ କରିବ। ତା’ପରେ ଆମେରିକାର ବୈଦେଶିକ ନୀତିରେ ଆମୂଳଚୂଳ ପରିବର୍ତ୍ତନ ହେବାର ସମ୍ଭାବନାକୁ ଦେଖି ଜାତିସଂଘ ଭଳି ଅନ୍ୟମାନେ ଦୁଇପାଦ ଆଗକୁ ଯିବାକୁ ଚିନ୍ତା କଲେଣି। ହୁଏତ ସେମାନଙ୍କ ଆକଳନ ସତ୍ୟ ହୋଇପାରେ। ଗୋଟିଏପଟେ ପାକିସ୍ତାନର ଉଗ୍ରବାଦ ମନୋଭାବ ଏବଂ ଅନ୍ୟପଟେ ଚାଇନାର ସିଧାସଳଖ ଭାରତ ବିରୋଧୀ ପଦକ୍ଷେପ ଆସନ୍ତା ଦିନଗୁଡ଼ିକରେ ପରିସ୍ଥିତି ଜଟିଳ କରିପାରେ। କାରଣ ଭାରତକୁ ଘେରିରହିଥିବା ବିରୋଧୀ ଦେଶଗୁଡ଼ିକ ଯଦି କୌଣସି ଅସୁବିଧା ସୃଷ୍ଟି କରନ୍ତି, ତେବେ ଆମେରିକା ନୀରବ ରହି ଅନ୍ୟଆଡ଼େ ଦୃଷ୍ଟି ପକାଇବାକୁ ଚିନ୍ତା କରିପାରେ। ଏହା ହେଉଛି ଭାରତର ତ୍ରୁଟିପୂର୍ଣ୍ଣ ବୈଦେଶିକ ନୀତିର ଫଳ ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?