Posted inଫୁରସତ

ନାରୀ ଶକ୍ତି: ସେ ଘର ସମ୍ଭାଳିପାରେ, ଦେଶ ବି…

ସଂସ୍କୃତରେ ଏକ ଶ୍ଲୋକ ଅଛି-‘ନ ସ୍ତ୍ରୀରତ୍ନସମଂ ରତ୍ନମ’। ନାରୀ ରତ୍ନପରି ଆଉ କୌଣସି ରତ୍ନ ନାହିଁ । ସେ ଏମିତି ଏକ ରତ୍ନ ଯାହାର ଚମକରେ ସାରା ବିଶ୍ୱ ଝଲସିଯାଏ । ତା’ର ଶକ୍ତି, ସାମର୍ଥ୍ୟର କୌଣସି ସୀମା ନାହିଁ। ସେ ଘର ସମ୍ଭାଳିପାରେ, ଦେଶ ବି । କୌଣସି କାମ ତା’ ପାଇଁ ଅସମ୍ଭବ ନୁହେଁ । ଆଉ ଏହାକୁ ସେ ପ୍ରମାଣିତ କରିଆସିଛି ସବୁ ସମୟରେ…

ଦବଙ୍ଗ ଲେଡି ବାଉନ୍ସର ପ୍ରତିମା: ଜିମ୍‌ ଓ୍ବାର୍କ ଆଉଟ୍‌ରୁ ଆରମ୍ଭ ହୁଏ ତାଙ୍କ ସକାଳ। କାରଣ ଷ୍ଟ୍ରଙ୍ଗ୍‌ ଆଉ ଫିଟ୍‌ ରହିଲେ ହିଁ ତ ସେ ଗହଳି ଓ ଝଗଡ଼ାକୁ କାବୁ କରିପାରିବେ। ଅସାମାଜିକଙ୍କୁ ଉତ୍ତମ ମଧ୍ୟମ ଦେଇପାରିବେ। ଯେଉଁ କାମକୁ ଦିନେ କେବଳ ପୁରୁଷ କରୁଥିଲେ ସେହି କାମ ସେ କରୁଛନ୍ତି। ତେଣୁ ପୁରୁଷଙ୍କ ପରି ବଳବାନ ହେବାକୁ ପଡ଼ିବ। ଏଇ ଷ୍ଟ୍ରଙ୍ଗ୍‌ ମହିଳା ଜଣକ ହେଉଛନ୍ତି ଓଡ଼ିଶାର ପ୍ରଥମ ଲେଡି ବାଉନ୍ସର। ନାଁ ତାଙ୍କର ପ୍ରତିମା ରଥ। ନାନା ପ୍ରତିବନ୍ଧକ, କଟକଣାକୁ ଆଡ଼େଇ ସେ ଏହି କାମକୁ ବାଛିଛନ୍ତି। ଆଉ କରିଚାଲିଛନ୍ତି ସଂଘର୍ଷ। ପ୍ରତିମା କୁହନ୍ତି,‘ବ୍ରାହ୍ମଣ ଘରର ଝିଅ ମୁଁ। ତା’ ସାଙ୍ଗକୁ ଆମେ ତିନି ଭଉଣୀ ଥିଲୁ। ତେଣୁ ମା’ ବାପା ୧୯ ବର୍ଷ ବୟସରେ ବାହା କରାଇ ଦେଇଥିଲେ। ଜଗତ୍‌ସିଂହପୁର ମୋ ଶାଶୁଘର। ସ୍ବାମୀ କଟକରେ ଚାକିରି କରନ୍ତି। ତେଣୁ ଆମେ ରହୁଥିଲୁ କଟକରେ। ମୋର ଦୁଇ ପୁଅ ହେଲେ। ଶାଶୁ, ଶ୍ୱଶୁର, ସ୍ବାମୀ, ପିଲାଙ୍କ କଥା ବୁଝୁ ବୁଝୁ ନିଜକୁ ଟିକେ ସମୟ ଦେଇ ପାରୁ ନ ଥିଲି। ଆଉ ମୋର ଓଜନ ବଢିବାକୁ ଲାଗିଲା। ପିଲାମାନେ ବଡ଼ ହେବା ପରେ ଭାବିଲି ଜିମ୍‌ ଯିବି। ହେଲେ ପରିବାରର କେହି ବି ରାଜି ହୋଇ ନ ଥିଲେ। ତଥାପି ଜିଦି କରି ଜିମ୍‌ ଗଲି। ନିଜକୁ ଫିଟ୍‌ କରୁ କରୁ ଜିମିଂ ମୋ ନିଶା ପାଲଟିଗଲା। ତା’ପରେ ମୁଁ ଟ୍ରେନର୍‌ ପାଲଟିଲି। ୫ ବର୍ଷ ଟ୍ରେନର୍‌ ଭାବେ କାମ କଲି। ଘରର ସବୁ କାମ ସାରି ମୁଁ ଜିମ୍‌ ଯାଉଥିଲି। ତଥାପି ଘରେ ଅସନ୍ତୁଷ୍ଟ ରହୁଥିଲେ। ଖାଲି ଘରେ ନୁହେଁ ଜିମ୍‌ରେ ବି ଅନେକ ଲୋକ ଅନେକ କଥା କହୁଥିଲେ। କେହି କେହି ମତେ ବୁଢ଼ୀ ହୋଇ ଜିମ୍‌ ଆସୁଛି ବୋଲି କହୁଥିଲେ। ଆଉ ଘରେ କହୁଥିଲେ ଏ ବୟସରେ ଜିମ୍‌ ଯାଉଛୁ ଇଞ୍ଜ୍ୟୁରି ହେଲେ କ’ଣ କରିବା। ଏସବୁ ଶୁଣିବା ପରେ ମନେ ମନେ ସ୍ଥିର କଲି ନିଜକୁ ପ୍ରମାଣିତ କରି ଦେଖେଇବି। ତେଣୁ ୩୮ ବର୍ଷ ବୟସରେ ମୁଁ ଓ୍ବେଟ ଲିଫ୍ଟିଙ୍ଗ୍‌ ଆରମ୍ଭ କଲି। ଖୁବ୍‌ ପରିଶ୍ରମ କଲି। ଆଉ ଟ୍ରେନର୍‌ ଭାବେ ଯାହା ରୋଜଗାର କରୁଥିଲି, ତା’ସହ ଅନ୍ୟ କିଛି ଲୋକଙ୍କଠାରୁ ଆର୍ଥିକ ସହାୟତା ମାଗି ମୁଁ ୩୯ ବର୍ଷ ବୟସରେ ଜାତୀୟ ସ୍ତରୀୟ ଓ୍ବେଟ୍‌ ଲିଫ୍ଟିଙ୍ଗ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କଲି। ଆଉ ଗୋଲ୍ଡ ମେଡାଲ ବି ପାଇଲି। ଏହି ସଫଳତା ପରେ ମୋତେ ଜିମ୍‌ରେ ବୁଢ଼ୀ କହୁଥିବା ଲୋକଙ୍କ ମୁହଁ ବନ୍ଦ ହେଇଗଲା। ହେଲେ ସ୍ବାମୀଙ୍କୁ ଯେତେବେଳେ ମୋ ମେଡାଲ ଦେଖେଇଲି ସେ କହିଲେ- ମେଡାଲ ପାଇଲୁ ଭଲ କଥା। ହେଲେ ଏଥିପାଇଁ ଯେତିକି ଖର୍ଚ୍ଚ କରିଥିଲୁ, ସେତିକି କ’ଣ ପାଇଲୁ? କ’ଣ ଲାଭ ଅଛି ଏସବୁରେ। ବହୁତ ଦୁଃଖ ଲାଗିଲା। ଏତେ ପରିଶ୍ରମ କରି ପାଇଥିବା ସଫଳତା ପାଇଁ କେହି ଖୁସି ନ ଥିଲେ। ମନ କଷ୍ଟ ହେଲା। ନା ଶାଶୁଘର ନା ବାପଘର କାହାରି ସପୋର୍ଟ ନ ଥିଲା ମୋ ପାଇଁ। ଏମିତିରେ ହଠାତ୍‌ ଭୁବନେଶ୍ୱରର ଏକ ଜିମ୍‌ରୁ କଲ୍‌ ଆସିଲା ଟ୍ରେନର୍‌ ଭାବେ ଯୋଗ ଦେବାକୁ। ଘରେ ଏ ସମ୍ପର୍କରେ ଜଣେଇଲି। ଶାଶୁ, ଶ୍ୱଶୁର ସ୍ବାମୀ କେହି ସପୋର୍ଟ କରି ନ ଥିଲେ। ସାନ ପୁଅ ଯିଏ ଯୁକ୍ତ ୩ ପଢୁଥିଲା ମନ ଦୁଃଖ କରିଥିଲା। ୨୩ ବର୍ଷର ବଡ଼ ପୁଅ ବି ସେତେଟା ଖୁସି ନ ଥିଲା। ତଥାପି ସମସ୍ତଙ୍କୁ ଛାଡି ନିଜ ସ୍ବପ୍ନକୁ ପୂରଣ କରିବା ଓ ସ୍ବାବଲମ୍ବୀ ହେବା ଲାଗି ଘରୁ ପାଦ କାଢ଼ି ଭୁବନେଶ୍ୱର ଆସିଲି। ପୂର୍ବରୁ ସଞ୍ଚତ୍ତ ଟଙ୍କାରେ ଭୁବନେଶ୍ୱରରେ ଘରଭଡ଼ା ନେଲି। ଦୁଇଜଣଙ୍କ ପାର୍ଟନର୍‌ଶିପ୍‌ରେ ହେଇଥିବା ସେଇ ଜିମ୍‌ରେ ଜଏନ୍‌ କଲି। ତେବେ ସେଇ ଦୁଇ ପାର୍ଟନରଙ୍କ ଭିତରୁ ଜଣେ ପାର୍ଟନର୍‌ ଜାଣି ନ ଥିଲେ ମୁଁ ଜଏନ୍‌ କରିଛି ବୋଲି। ତେଣୁ ତିନି ଦିନ ପରେ ସେ ଜିମ୍‌ରୁ ମତେ ବାହାର କରିଦେଲେ। ମୋ ମୁଣ୍ଡ ଖରାପ ହୋଇଗଲା। ଚାରିଆଡ଼ ଅନ୍ଧାର ଦେଖାଗଲା। ଗୁଗଲ ସର୍ଚ୍ଚ କଲି, ବହୁତ ବୁଲିଲି କାଳେ ଅନ୍ୟ କେଉଁ ଜିମ୍‌ରେ ଚାକିରି ମିଳିବ ବୋଲି। ଶେଷରେ ବୁଦ୍ଧ ପାର୍କ ପାଖ ଏଡି ଫିଟ୍‌ନେସ୍‌ରେ ଟ୍ରେନର୍‌ ଭାବେ ଯୋଗ ଦେଲି। ସେଠି ଗୋଟେ ମାସ କାମ କରିବା ପରେ ସେମାନେ ମୋତେ କହିଲେ, ମ୍ୟାଡମ ଆପଣ ନର୍ମାଲ ପିଲାଙ୍କୁ ପର୍ସନାଲ ଟ୍ରେନିଂ ଦେବା ପରି ତାଲିମ ଦେଉଛନ୍ତି। ଏତେ ଭଲ ଭାବେ ତାଲିମ ଦେଲେ କେହି ପର୍ସନାଲ ଟ୍ରେନିଂ ନେବେନି। ଜିମ୍‌ର ଲସ୍‌ ହେବ। ଆଉ ମାସକ ପରେ ମୋତେ ବାହାର କରିଦେଲେ। ଭାଗ୍ୟକୁ ମୋତେ ବାହାର କରିବାର କିଛି ସମୟ ପରେ ଆଙ୍ଗନ ସୁପର ଆକ୍ସେସ୍‌ କ୍ଲବରେ ବାଉନ୍ସର ରହିବା ଲାଗି ଫୋନ୍‌ ଆସିଲା। ଆଉ ବାଉନ୍ସରଭାବେ କାମ କରିବାକୁ ମୁଁ ରାଜି ହୋଇଗଲି। ସେବେଠାରୁ ପଟିଆ, ପାଣ୍ଟାଲୁନ ପାଖ ଆଙ୍ଗନ କ୍ଲବରେ ବାଉନ୍ସରଭାବେ କାମ କରୁଛି। ୟା’ ଭିତରେ ବର୍ଷେ ହୋଇଗଲାଣି। ରାତିରେ କ୍ଲବରେ ବିଭିନ୍ନ ପ୍ରକାରର ଲୋକ, ଏମିତିକି ନିଶାସକ୍ତ ଲୋକଙ୍କ ଭିତରେ କାମ କରିବାକୁ ହୁଏ। ଝଗଡ଼ା ହେଲେ କିମ୍ବା ଝିଅଙ୍କ ପ୍ରତି କେହି ଦୁର୍ବ୍ୟବହାର କଲେ ସେସବୁକୁ ଅଟକାଇ ଥାଏ। ବିଭିନ୍ନ ପ୍ରକାରର ଲୋକଙ୍କ ଭିତରେ କାମ କରୁଥିଲେ ହେଁ ଆଜି ପର୍ଯ୍ୟନ୍ତ ମୋତେ କେହି ଖରାପ ବ୍ୟବହାର କରିନାହାନ୍ତି। ସମସ୍ତେ ସମ୍ମାନ ଦେଇଛନ୍ତି। ମୋତେ ‘ଦିଦି’ ବୋଲି ଡାକନ୍ତି। ଝିଅମାନେ ତ ବହୁତ ଭଲ ପାଆନ୍ତି। ସେମାନଙ୍କର କିଛି ବି ଅସୁବିଧା ହେଲେ ମୋତେ ଡାକନ୍ତି। କୁହନ୍ତି ଦିଦି ତମେ ଅଛ ବୋଲି ଆମେ ନିଶ୍ଚିନ୍ତରେ କ୍ଲବ ଆସି ଡ୍ୟାନ୍ସ କରି ପାରୁଛୁ। ପୁଅମାନେ ବି ମୋତେ ସମ୍ମାନ କରନ୍ତି। ମୋର ବଳିଷ୍ଠ ଚେହେରାକୁ ଦେଖି କେହି କିଛି କହିବାକୁ ସାହସ କରନ୍ତି ନାହିଁ। ଏବେ ମୋ ଦୁଇ ପୁଅ ମୋତେ ବହୁତ ସପୋର୍ଟ କରୁଛନ୍ତି। ସେମାନେ ଦେଖୁଛନ୍ତି ତାଙ୍କ ମା’ ସଂଘର୍ଷ କରି ନିଜେ ରୋଜଗାର କରି ଚଳୁଛି। ଆଗକୁ ବଢୁଛି। ବାଉନ୍ସର ଭାବେ କାମ କରିବା ବାଦ୍‌ ମୁଁ ପ୍ରତିଦିନ ୨ଟାରେ କଟକ ଯାଇଥାଏ ପର୍ସନାଲ ଟ୍ରେନିଂ ଦେବାକୁ। ସେଠୁ ଫେରି ଭୁବନେଶ୍ୱରର ଜଣଙ୍କ ଘରକୁ ବି ଯାଏ ଟ୍ରେନିଂ ଦେବାକୁ। ଏହାପରେ ସନ୍ଧ୍ୟା ୭ଟାରୁ ଆରମ୍ଭ ହୁଏ ଆଙ୍ଗନ କ୍ଲବରେ ମୋର ବାଉନ୍ସର ଜବ୍‌। ଶୁକ୍ର, ଶନି ଓ ରବିବାର ରାତି ପ୍ରାୟ ୩ଟା ପର୍ଯ୍ୟନ୍ତ ଡ୍ୟୁଟି ରହେ। ରାତି ଅଧରେ ଘରକୁ ଫେରେ। ହେଲେ କେହି କେବେ ମୋତେ ହଇରାଣ କରିବାକୁ ସାହସ କରିନାହାନ୍ତି। ଏହା ବାଦ ମୁଁ ଲେଡି ବାଉନ୍ସରଙ୍କର ଗୋଟେ ଗ୍ରୁପ୍‌ ବି କରିଛି। ଯେଉଁଥିରେ ୫ ଜଣ ଅଛନ୍ତି। ତେବେ ସେମାନେ ସମ୍ପୂର୍ଣ୍ଣଭାବେ ବାଉନ୍ସର ନୁହନ୍ତି। ଅନେକେ ସିକ୍ୟୁରିଟି ଗାର୍ଡ ଅଛନ୍ତି। କିଛି ଇଭେଣ୍ଟରେ ଲେଡି ବାଉନ୍ସରର ଆବଶ୍ୟକତା ଥିଲେ ତାଙ୍କୁ ମୁଁ ଡାକେ। ଓଡ଼ିଶାରେ ଲେଡି ବାଉନ୍ସର ବହୁତ କମ୍‌। କହିବାକୁ ଗଲେ ମୋତେ ଛାଡ଼ିଦେଲେ କେହି ପ୍ରକୃତ ବାଉନ୍ସର ନୁହନ୍ତି। କାରଣ ଆଜିବି ଆମ ସମାଜରେ ଝିଅମାନେ ଏହି ପେସାକୁ ଆପଣେଇବାକୁ ପସନ୍ଦ କରୁନାହାନ୍ତି। ଭୁବନେଶ୍ୱରରେ ଲେଡି ବାଉନ୍ସର ଅଛନ୍ତି ବୋଲି ବି ଅନେକେ ଜାଣିନାହାନ୍ତି। ତେଣୁ ବହୁତ କମ୍‌ କାମ ମିଳୁଛି। ସଂଘର୍ଷ ଜାରି ରଖିଛି। ଝିଅଙ୍କୁ ଏହି ଲାଇନ୍‌କୁ ଆଣିବା ଲାଗି ପ୍ରୋତ୍ସାହନ ବି ଦେଉଛି।

ଟାଓ୍ବାର କୁଇନ୍‌ ସୀତା: ଓଡ଼ିଶା ବିୁଦ୍ୟତ୍‌ ସଞ୍ଚାର ନିଗମ ଲିଃର ଇମର୍ଜେନ୍ସି ବିଭାଗରେ ସେ ଚାକିରି କରନ୍ତି। ତେଣୁ ସବୁବେଳେ ଥାଆନ୍ତି ଡ୍ୟୁଟିରେ। କେବେ ଟାଇଁ ଟାଇଁ ଖରାରେ ଫିଲ୍ଡ କାମ କରନ୍ତି ତ ଆଉ କେବେ ଜୀବନକୁ ବାଜି ଲଗାଇ ପୁରୁଷଙ୍କ ପରି ଟ୍ରାନ୍ସମିସନ୍‌ ଟାଓ୍ବାର ଉପରେ ଚଢି କାମ କରନ୍ତି। ନ ଥାଏ ତିଳେ ମାତ୍ର ଡର। ସେଥିପାଇଁ ତ ସେ ପରିଚିତ ‘ଟ୍ରାନ୍ସମିସନ୍‌ ଟାଓ୍ବାର କୁଇନ୍‌’ ଭାବେ। ସେ ହେଉଛନ୍ତି ଖୋର୍ଦ୍ଧ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ଗ୍ରାମର ସୀତା ବେହେରା। ସୀତା କୁହନ୍ତି, ‘ଆମେ କୈବର୍ତ୍ତ ପରିବାରର। ଆମେ ତିନି ଭଉଣୀ ଓ ଜଣେ ଭାଇ। ଘରର ଆର୍ଥିକ ଅବସ୍ଥା ବିଶେଷ ସ୍ବଚ୍ଛଳ ନ ଥିଲା। ତେଣୁ ପାଠପଢ଼ାରେ ବହୁତ ବାଧା ଆସିଥିଲା। ତଥାପି ଗାଁ ସ୍କୁଲରେ ଭାଇର ବହି ପଢି ଦଶମ ଓ ଯୁକ୍ତ ଦୁଇ ସାରିଲି। ଏହାପରେ ଅନେକ ଅଭାବ ସତ୍ତ୍ୱେ ବ୍ରହ୍ମପୁର ଶିଳ୍ପ ତାଲିମ ଅନୁଷ୍ଠାନରେ ଇଲେକ୍ଟ୍ରିସିଆନ ବିଭାଗରେ ନାମ ଲେଖାଇଲି। ବଡ଼ ଭାଇ ଥିଲେ ମୋ ଆଦର୍ଶ। ବଡ଼ ଭାଇ ବି ଏହି ବିଭାଗରେ ପଢୁଥିଲେ। ସେ ବିଭିନ୍ନ ବୈଦ୍ୟୁତିକ ଉପକରଣ ମରାମତି ସହ ବିଭିନ୍ନ ଯନ୍ତ୍ରାଂଶକୁ ନେଇ ନୂଆ କିଛି କରିବାକୁ ଚେଷ୍ଟା କରୁଥିଲେ। ତାଙ୍କଠାରୁ ପ୍ରେରଣା ପାଇ ମୁଁ ଆଇଟିଆଇରେ ନାମ ଲେଖାଇଲି। ଆଉ ଆମ ଗାଁର ମୁଁ ପ୍ରଥମ ଆଇଟିଆଇ ପଢୁଥିବା ଝିଅ ପାଲଟିଲି। ତେଣୁ ଗାଁ ଲୋକେ ବହୁତ ଟାହିଟାପରା କଲେ। ସମସ୍ତେ କହିଲେ ଝିଅ ହେଇ ଆଇଟିଆଇ କରୁଛି। ସେ କ’ଣ ପାରିବ। ଆଇଟିଆଇ ବ୍ୟାଗ ପକେଇ ଆଇଟିଆଇ କଲେଜ୍‌ର ପ୍ୟାଣ୍ଟ, ଶାର୍ଟ ୟୁନିଫର୍ମ ପିନ୍ଧି ଗାଁକୁ ଆସିଲେ ମୋତେ ଚିଡେଇକି ସମସ୍ତେ ‘ଆଇଟିଆଇ’ ଆସିଲା ବୋଲି କହୁଥିଲେ। ସେମାନଙ୍କ ମୁ୍‌ଣ୍ଡରେ ଥିଲା ଆଇଟିଆଇ କଲେ ଖୁଣ୍ଟରେ ଚଢି ତାର ଜଏଣ୍ଟ କରିବ, ଇଲେକ୍ଟ୍ରି ବିଲ୍‌ କଲେକ୍ଟ କରିବ, ନ ହେଲେ ଇଲେକ୍ଟ୍ରି ଜିନିଷ ମରାମତି ଦୋକାନ କରିବ। ଆଉ ଏସବୁ ତ ପୁଅଙ୍କ କାମ। ଝିଅ ହୋଇ କ’ଣ ଏସବୁ କରିବ। ତଥାପି ମୋ ପାଦ ଅଟକି ନ ଥିଲା। ପଢା ସରିବା ପରେ ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାର ନିଗମ ଲିଃରେ ୨୪ ବର୍ଷ ବୟସରେ ନିଯୁକ୍ତି ମିଳିଲା। ପ୍ରଥମ ପୋଷ୍ଟିଂ ୧୩୨/୩୩ କେଭି ଗ୍ରୀଡ୍‌ ସବଷ୍ଟେଶନ ବାଲୁଗାଁରେ ହେଲା। ଚାକିରି ପରେ ଆମ ଗାଁର ମୁଁ ଟେକ୍ନିସିଆନ୍‌ ଚାକିରି କରିଥିବା ପ୍ରଥମ ଝିଅ ହେଲି। ଏହାପରେ ଯେଉଁମାନେ ମୋତେ ଆଇଟିଆଇ ଡାକୁଥିଲେ ସେମାନେ ‘ଓପିଟିସିଏଲ୍‌’ ଡାକିବା ଆରମ୍ଭ କରିଦେଲେ। ଆଉ ଟ୍ରାନ୍ସମିଶନ ଟାଓ୍ବାର ଚଢି କାମ କରିବା ପରେ ତ ସମସ୍ତେ ଆଶ୍ଚର୍ଯ୍ୟ ହେଲେ। ମୁଁ ସାଧାରଣତଃ ୧୩୨/୩୩ କେଭି ଫିଡରର ଆଇସୋଲେଟର୍‌ (ଯାହାର ଉଚ୍ଚତା ୩୦ରୁ ଊର୍ଦ୍ଧ୍ୱ ହୋଇଥାଏ) ଉପରେ ଚଢି ତାକୁ ଲୁବ୍ରିକେଟ୍‌ କରେ, ଅଏଲିଂ କରେ, ଗ୍ରିସିଂ କରେ, ପେଟ୍ରୋଲିୟମ୍‌ ଜେଲି ଲଗାଏ ତା’ସହ ନଟ ବୋଲ୍ଟ ଟାଇଟ୍‌ କରେ। ଆଉ ଟ୍ରାନ୍ସଫର୍ମର ଉପରେ ଚଢି ଜମ୍ପରିଂ ବି କରେ। ପ୍ରଥମେ ପ୍ରଥମେ ଯେଉଁ ଗାଁ ଲୋକ ଟାହିଟାପରା କରୁଥିଲେ, ଝିଅ ହୋଇ ପୁରୁଷଙ୍କ ପରି କାମ କରୁଥିବା ଦେଖି ମୋତେ ବହୁତ ପ୍ରଶଂସା କଲେ। ପରେ ୨୨୦/୧୩୨/୩୩ କେଭି ଗ୍ରୀଡ ସବ୍‌ଷ୍ଟେଶନ ନରେନ୍ଦ୍ରପୁରକୁ ବଦଳି ହେଲା। ଏବେ ୨୨୦/୧୩୨/୩୩ କେଭି ଗ୍ରୀଡ୍‌ ସବ୍‌ଷ୍ଟେଶନ୍‌ ସମଘରା, ପୁରୀରେ ଅଛି। ମୋତେ ଏବେ ୨୭ ବର୍ଷ ବୟସ ଓ ବିବାହିତା। ତା’ସହ ମୁଁ ମା’ ବି ହୋଇସାରିଲିଣି। ସ୍ବାମୀ ମଧ୍ୟ ଓଡ଼ିଶା ବିଦ୍ୟୁତ୍‌ ସଞ୍ଚାର ନିଗମ୍‌ ଲିଃରେ କାମ କରନ୍ତି। ସେ ଜାଣନ୍ତି ମୋ କାମ କେତେ କଷ୍ଟ। ତେଣୁ ମୋତେ ବହୁତ ସପୋର୍ଟ କରନ୍ତି। ପ୍ରତିଦିନ ମୁଁ ଘରର ସବୁ ଦାୟିତ୍ୱ ତୁଲାଇବା ସହ କୁନି ଝିଅର କଥା ବୁଝିବା ପରେ ଠିକ୍‌ ସମୟରେ ଯାଇ ପହଞ୍ଚେ ମୋ କର୍ମକ୍ଷେତ୍ରରେ। ଟାଇଁ ଟାଇଁ ଖରାରେ ଫିଲ୍ଡ କାମ କରି ନିଜ ଗ୍ରୀଡ୍‌ରୁ ୬ କି.ମି. ଦୂରରେ ଥିବା ଘରକୁ ଦ୍ୱିପ୍ରହରରେ କିଛି ସମୟ ପାଇଁ ଆସେ ୬ ମାସର ଝିଅକୁ ଖୁଆଇବା ଲାଗି। ଖୁଆଇ ସାରିବା ପରେ ପୁଣି ଫେରେ କର୍ମସ୍ଥଳକୁ। ମା’ର କର୍ତ୍ତବ୍ୟ ସହ ସମାଜ ପାଇଁ ଥିବା କର୍ତ୍ତବ୍ୟକୁ ସୁଚାରୁରୂପେ ତୁଲାଇବା ଲାଗି ମୁଁ ସବୁବେଳେ ଚେଷ୍ଟା କରେ। ଲୋକେ ଯେମିତି ନିରନ୍ତର ବିଦ୍ୟୁତ୍‌ ସେବା ପାଇପାରିବେ ଚେଷ୍ଟା କରେ। ମୋ କାମକୁ ନେଇ ଅଫିସ୍‌ର ସିନିୟର୍‌ମାନେ ବହୁତ ପ୍ରଶଂସା କରନ୍ତି। ମୋ ଶାଶୁଘର,ବାପଘର ଲୋକ ବି ପ୍ରଶଂସା କରିବା ସହ ବହୁତ ସପୋର୍ଟ କରନ୍ତି।

୭୫ ବର୍ଷରେ ରାନ୍ଧନ୍ତି ଭୋଜି: ପରିବାର ଉପରେ ବିପଦ ଆସିଲେ ନାରୀ ନିଜକୁ ପରିବାରର ଢାଲ ରୂପେ ସଜାଇପାରେ। ଦରକାର ପଡିଲେ ଘର ଏରୁଣ୍ଡି ଡେଇଁ କଠିନରୁ କଠିନ କାମ କରେ। ନାନା କଷ୍ଟ ସହି ସମସ୍ତଙ୍କ ମୁହଁରେ ହସ ଫୁଟାଏ। ଏଇ ଯେମିତି ସମ୍ବଲପୁର ସହର ଝାଡୁଆପଡ଼ାର ୭୫ ବର୍ଷୀୟା ସନ୍ତୋଷିନୀ ମିଶ୍ର। ବିବାହର କିଛି ବର୍ଷ ପରେ ସ୍ବାମୀ ହୃଦ୍‌ରୋଗରେ ଆକ୍ରାନ୍ତ ହେଲେ। ପିଲାମାନେ ବହୁତ ଛୋଟ ଥିଲେ। ସ୍ବାମୀଙ୍କ ଚିକିତ୍ସା, ପିଲାଙ୍କ ପାଠପଢ଼ା ସହ ଘରର ସବୁ ଦାୟିତ୍ୱ ତାଙ୍କ ଉପରେ ଲଦି ହୋଇଗଲା। ସେଥିପାଇଁ ସେ ହାତରେ ଚଟୁ ଧରିଲେ। ଆଉ ପୁରୁଷଙ୍କ ପରି ଭୋଜି ରୋଷେୟା ପାଲଟିଗଲେ। ସେବେଠାରୁ ଆଜିଯାଏ ସେ ଏହି କାମ କରି ଆସୁଛନ୍ତି। ଏବେ ତାଙ୍କୁ ୭୫ ବର୍ଷ ବୟସ। ତଥାପି ସେ ହାତରେ ଚଟୁ ଧରି ହଜାର ହଜାର ଲୋକଙ୍କ ପାଇଁ ଭୋଜି ରାନ୍ଧନ୍ତି। ଯାହା ରୋଜଗାର ହୁଏ ନିଜ ପରିବାର ଚଳାଇବା ସହ ତାଙ୍କ ପାଖରେ କାମ କରୁଥିବା ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପରିବାର ବି ଚଳେ। ସେଥିପାଇଁ ସେ ‘ସନ୍ତୋଷିନୀ ନାନୀ’ ଭାବେ ବେଶ୍‌ ଜଣାଶୁଣା। ସନ୍ତୋଷିନୀ କୁହନ୍ତି, ‘ଦୀର୍ଘ ୩୫ ବର୍ଷ ହେବ ରୋଷେୟା କାମ କରିଆସୁଛି। ସ୍ବାମୀ ପାନ ଦୋକାନ କରି ପରିବାର ଚଳାଉଥିଲେ। ତେବେ ସେ ହୃଦ୍‌ରୋଗରେ ପୀଡିତ ହେବା ପରଠାରୁ କୌଣସି କାମ କରିବାକୁ ସକ୍ଷମ ହେଲେ ନାହିଁ। ଘର ଚଳାଇବା ଓ ସ୍ବାମୀଙ୍କ ଚିକିତ୍ସା ଖର୍ଚ୍ଚ ପାଇଁ ମୁଁ ହାତରେ ଚଟୁ ଧରିଲି। ଆଉ ରୋଷେୟା ପାଲଟିଲି। ପ୍ରଥମେ କିଛି ଘରର ଛୋଟମୋଟ କାର୍ଯ୍ୟକ୍ରମରେ ରୋଷେଇ କଲି। ଆଗରୁ ଯୌଥ ପରିବାର ଥିବାରୁ ଗୋଟେ ପରିବାରରେ ୨୦-୨୫ ଜଣ ସଦସ୍ୟ ରହୁଥିଲେ। ବାହାଘରେ ତ କୁଣିଆ ୪-୫ ଦିନ ରହୁଥିଲେ। ଆଉ ତାଙ୍କ ପାଇଁ ଘରର ସ୍ତ୍ରୀ ଲୋକ ହିଁ ରୋଷେଇ କରୁଥିଲେ। ଏମିତିରେ ଅଧିକ ଲୋକଙ୍କ ପାଇଁ ରୋଷେଇ କରିବାର ଅଭ୍ୟାସ ମୋର ଥିଲା। ତେଣୁ ଭୋଜିରେ ରୋଷେଇ କରିବା ଆରମ୍ଭ କଲି। ଲୋକେ ମୋ ହାତରନ୍ଧାକୁ ପସନ୍ଦ କଲେ। ଆଉ ବିଭିନ୍ନ ସ୍ଥାନରୁ ଭୋଜି ରାନ୍ଧିବା ଲାଗି ଡାକରା ଆସିବାକୁ ଲାଗିଲା। ପରେ ମୁଁ ବଡ଼ ବଡ଼ ଭୋଜି ରାନ୍ଧିବା ଆରମ୍ଭ କଲି। ପାଖରେ ରେଜା, ମିସ୍ତ୍ରି ରଖିଲି। ବିବାହ, ବ୍ରତଠାରୁ ଆରମ୍ଭ କରି ଗଙ୍ଗାଭୋଜି ଆଦିରେ ରାନ୍ଧିଲୁ। ଲୋକମାନଙ୍କ ରୁଚି ଓ ଇଚ୍ଛା ଅନୁସାରେ ଆମେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରୁ। ୫ହଜାର ଲୋକଙ୍କ ପାଇଁ ଆମେ ଖାଦ୍ୟ ପ୍ରସ୍ତୁତ କରିପାରୁ। ଏବେ ମୋ ଟିମ୍‌ରେ ୫୦ଜଣ ମହିଳା ଓ ପୁରୁଷ ବାଢିବା ଲାଗି ଅଛନ୍ତି। ପରିବା କାଟିବା ଓ ଅନ୍ୟାନ୍ୟ କାମ ଲାଗି ବି ୫୦ ଜଣ ଅଛନ୍ତି। ସେମାନେ ସମସ୍ତେ ମୋ ପିଲା ଭଳି। ତାଙ୍କ ସୁବିଧା ଅସୁବିଧା ମୁଁ ବୁଝେ। ସେମାନେ କିଭଳି ସବୁ ସମୟରେ ଦି’ ପଇସା ରୋଜଗାର କରିପାରିବେ ସେଥିପାଇଁ ମୁଁ ଚେଷ୍ଟା କରିଥାଏ। ଏଇ ରୋଷେଇ କରି ପୁଅ ଦୁଇଜଣଙ୍କୁ ପଢାଇଲି, ବାହାଘର ବି କରେଇଲି। ସ୍ବାମୀଙ୍କ ଚିକିତ୍ସା ବି କରୁଥିଲି। ତେବେ ୧୦ ବର୍ଷ ତଳେ ସେ ଆରପାରିକି ଚାଲିଯାଇଛନ୍ତି। ଦୁଇ ପୁଅ ବ୍ୟବସାୟ କରୁଛନ୍ତି। ମୋର ୩ ନାତିନାତୁଣୀ ଅଛନ୍ତି। ସଂସାର ଭଲରେ ଚାଲିଛି। ପୁଅ ବୋହୂ ସମସ୍ତେ ଭଲ। ତଥାପି ସ୍ବାବଲମ୍ବୀ ରହିବାର ଇଚ୍ଛାରେ ଆଜି ବି ମୁଁ ରୋଷେୟା କାମ କରୁଛି। କାହିଁକି ନା କାହା ପାଖରେ ହାତ ପାତିବାକୁ ମୋତେ ଭଲ ଲାଗେ ନାହିଁ । ତେଣୁ ହାତରେ ବଳ ଥିବା ଯାଏ ଏହି କାମରେ ନିୟୋଜିତ ରହିଥିବି।’

ନାରୀ ସୁକୁମାରୀ କୋମଳ, ସେ କ’ଣ ପୁରୁଷ ସମ ହୋଇପାରିବ? ଏଇ ଧାରଣା ଯେ ସମ୍ପୂର୍ଣ୍ଣ ଭୁଲ୍‌। ନାରୀର ଶକ୍ତି, ସାମର୍ଥ୍ୟ ଯେ ଅସୀମ। ତାହା ଏମିତି କେତେଜଣ ଦୃଢ଼ମନା ନାରୀ ପ୍ରମାଣିତ କରିଆସିଛନ୍ତି ସବୁ ସମୟରେ।

-ଶିବାନୀ ମହାନ୍ତି
ସହାୟତା-ଶୁଭାଶିଷ ପାଢି(ସମ୍ବଲପୁର)


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?