ଭୟ

ସଂସାରରେ ବୋଧହୁଏ ଏମିତି କେହି ନାହିଁ, ଯିଏ ସମ୍ପୂର୍ଣ୍ଣ ରୂପେ ଭୟଶୂନ୍ୟ ହୋଇ ଜୀବନ ଧାରଣ କରେ। କେହି ହୁଏତ ନିଜକୁ ଭୟଶୂନ୍ୟ ବୋଲି ଦାବି କରି କହିପାରେ, କିନ୍ତୁ କିଛି ନା କିଛି ଭୟ ତା’ ମନରେ ନିଶ୍ଚୟ ରହିଛି। ଧନୀ ଲୋକଟିକୁ ତା’ ଧନ ସରିଯିବାର ଅଥବା ନଷ୍ଟହେବାର ଭୟ ସର୍ବଦା ଘାରୁଥାଏ। ମାନୀ ଲୋକର ଅପମାନ ପ୍ରତି ଭୟ ଥାଏ। ଭର୍ତ୍ତୃହରି ତାଙ୍କ ବୈରାଗ୍ୟଶତକ ଗ୍ରନ୍ଥରେ ଏକ ଶ୍ଳୋକରେ ଲେଖିଛନ୍ତି ଯେ, ବିଷୟ ଭୋଗରେ ରୋଗର ଭୟ, ବିଭବ ଥିଲେ ରାଜାଙ୍କଠାରୁ ଭୟ, ମୌନତାରେ ଦୈନ୍ୟର ଭୟ, ବଳବାନ୍‌ ପାଇଁ ଶତ୍ରୁର ଭୟ, ରୂପବାନ୍‌ ପାଇଁ ଜରାର ଭୟ, ଶାସ୍ତ୍ରଜ୍ଞାନ ପାଇଁ ବିବାଦର ଭୟ, ଗୁଣୀ ଲୋକ ପାଇଁ ଖଳ(ଦୁଷ୍ଟ)ର ଭୟ ଏବଂ ଏହି ଶରୀର ପାଇଁ ଯମରାଜଙ୍କଠାରୁ ଭୟ ଥାଏ। ତେଣୁ ଏହି ସଂସାରରେ କେହି ଭୟମୁକ୍ତ ନାହାନ୍ତି। ସମସ୍ତେ କିଛି ନା କିଛି ଭୟଦ୍ୱାରା ତ୍ରସ୍ତହୋଇ ଜୀବନ ବଞ୍ଚତ୍ଥାଆନ୍ତି।

ବଣରେ ବାସ କରୁଥିବା ପ୍ରାଣୀମାନଙ୍କ ମଧ୍ୟରେ ମଧ୍ୟ ଭୟର ବାତାବରଣ ଥାଏ ପ୍ରାୟ ସବୁବେଳେ। ବଳବାନ୍‌ ହିଂସ୍ର ପ୍ରାଣୀମାନଙ୍କ ପ୍ରତି ଦୁର୍ବଳ ଏବଂ ନିରୀହ ପ୍ରାଣୀଙ୍କ ମନରେ ଭୟ ରହିବା ସ୍ବାଭାବିକ। କୁହାଯାଏ, ସତ କହୁଥିବା ଲୋକଟି ଏବଂ ସତ୍‌ପଥରେ ଚାଲୁଥିବା ଲୋକଟି କେବେ କାହାକୁ ଭୟ କରେନାହିଁ। କଥାଟି କେତେକାଂଶରେ ସତ ହେଲେ ମଧ୍ୟ ତା’ ମନରେ ଯେ ଆଦୌ ଭୟ ନାହିଁ, ଏ କଥାଟି ସତ ହୋଇ ନ ପାରେ। କାରଣ ଅତିକମ୍‌ରେ ସତ୍‌ପଥରୁ ବିଚ୍ୟୁତ ହୋଇଯିବାର ଭୟ ତ ତା’ ମନରେ ନିଶ୍ଚୟ ରହିଛି। କିନ୍ତୁ ମିଥ୍ୟାଭାଷୀର ମନରେ ଭୟ ଥାଏ ଚାରିଦିଗରୁ। ମିଥ୍ୟା ଭାଷଣ ଦ୍ୱାରା ସ୍ବାର୍ଥ ହାସଲ କରୁଥିବା ଦୃଷ୍ଟିରୁ ଯେକୌଣସି ସମୟରେ ଯେକୌଣସି ଦିଗରୁ ତା’ ପ୍ରତି ଆକ୍ରୋଶ ଅବା ଆକ୍ରମଣର ଆଶଙ୍କା ତା’ ମନକୁ ଅବିରତ ଭୟବିଜଡ଼ିତ କରି ରଖେ। ଜନମଙ୍ଗଳ ଉଦ୍ଦେଶ୍ୟରେ ସରକାରୀ ଦପ୍ତରରେ ନିଯୁକ୍ତ ଲୋକଟି କୌଣସି କାର୍ଯ୍ୟନିମିତ୍ତ ସାଧାରଣ ଜନତାଙ୍କଠାରୁ ଲାଞ୍ଚ ନିଏ। ସତ କଥାଟା ହେଲା, ସହଜରେ ହୋଇପାରିବା କାମଟି ନ ହୋଇପାରିବାର ଆଳ ଦେଖାଇ ଲୋକଙ୍କଠାରୁ ଲାଞ୍ଚ ଆଦାୟ କରେ କର୍ମଚାରୀ। ଲାଞ୍ଚ ନିଏ ସିନା, କେବେ ଧରା ପଡ଼ିଯିବାର ଭୟ ତା’ ମନକୁ ସଦା ବିବ୍ରତ କରି ରଖେ। ସେଥିପାଇଁ ସେ ଲାଞ୍ଚ ହିସାବରେ ନେଉଥିବା ଅର୍ଥକୁ ସର୍ବସମକ୍ଷରେ ଗ୍ରହଣ କରେନାହିଁ।

ପ୍ରକୃତ କଥା ହେଲା, ସତ ସହିତ ସାମାନ୍ୟ ସମ୍ପର୍କ ଥିବା ଲୋକଟି କେବେ କିଛି ଭୁଲ୍‌ କରିବା ପରେ ତା’ ମନରେ ଗୋଟିଏ ଅପରାଧବୋଧର ଭାବନା ସୃଷ୍ଟିହୁଏ ଏବଂ ତାହା ତାକୁ ଚେତାଇଦିଏ। ତେଣୁ ସେ ପୁଣି ତା’ର ପୂର୍ବ ଅବସ୍ଥାକୁ ଫେରି ଆସିବା ପାଇଁ ଚେଷ୍ଟାକରେ। କିନ୍ତୁ ବାରମ୍ବାର ଭୁଲ୍‌ କରୁଥିବା ଲୋକଟିର ମନରେ ସେପରି ହୁଏନାହିଁ। ବାରମ୍ବାର ଭୁଲ୍‌ କରି କରି ସେ ଭୁଲ୍‌ କରିବା ସହିତ ଅଭ୍ୟସ୍ତ ହୋଇଥାଏ। ତେଣୁ ଅପରାଧବୋଧର ଭାବନା ତା’ ମନରେ ପ୍ରାୟ ରହିନଥାଏ। ଏହି ହେତୁରୁ ତା’ ମନରେ ଭୟ ପ୍ରାୟ ନଥାଏ କହିଲେ ଚଳେ। ଏପରିକି ବିଭିନ୍ନ ପ୍ରକାର ଶାସ୍ତି ଓ ଭୋଗାଭୋଗ ପରେ ବି ତାର ଚୈତନ୍ୟ ଉଦୟ ହୁଏନାହିଁ ଏବଂ ତାହା ହିଁ ଆଶ୍ଚର୍ଯ୍ୟର ବିଷୟ ହୋଇ ରହେ।

ଭୟର ଆଉ ଗୋଟିଏ ସୁନ୍ଦର ରୂପ ଅଛି। ତାହା ସମ୍ଭ୍ରମ, ସମ୍ମାନ ଏବଂ ଭକ୍ତିରୂପରେ ଆମମାନଙ୍କ ମଧ୍ୟରେ ପ୍ରକାଶିତ ହୁଏ। ତାହା ସମାଦର, ଗୌରବ ଏବଂ ମର୍ଯ୍ୟାଦାର କଥା। ତାହା ହୋଇପାରେ ଭୟମିଶ୍ରିତ ଶ୍ରଦ୍ଧା, ଭକ୍ତି ଅଥବା ହର୍ଷଭୟାଦିଜନିତ ଆବେଗ ଏବଂ ଅନ୍ୟ ପ୍ରତି ସମ୍ମାନ ପ୍ରଦର୍ଶନ ନିମିତ୍ତ ବ୍ୟଗ୍ରତା। ଏମିତି ଅନେକ ରୂପରେ ତାହା ଆମ ଭିତରେ ଆମତ୍ପ୍ରକାଶ କରେ। ଅବଶ୍ୟ ସେଥିପାଇଁ ମନ ଏବଂ ହୃଦୟରେ ଶୁଚିତାର ଆବଶ୍ୟକତା ଥାଏ। ଶ୍ରୀବିଷ୍ଣୁ ଖମ୍ବ ମଧ୍ୟରୁ ନୃସିଂହ ରୂପରେ ଆବିର୍ଭୂତ ହୋଇ ହିରଣ୍ୟକଶିପୁକୁ ନିଜର ଜଙ୍ଘ ଉପରେ ରଖି ନଖ ଦ୍ୱାରା ବିଦାରଣ କରିବାର ଅପୂର୍ବ ଭୟାନକ ଦୃଶ୍ୟ ଦେଖି ମଧ୍ୟ ଭକ୍ତରାଜ ଶିଶୁ ପ୍ରହ୍ଲାଦଙ୍କଠାରେ ଭୟର କୌଣସି ସୂଚନା ନ ଥିଲା। ବରଂ ସେ ତାଙ୍କର ଆରାଧ୍ୟ ପ୍ରଭୁଙ୍କୁ ନିଜ ସମ୍ମୁଖରେ ଦେଖି ପରମ ତୃପ୍ତି ଓ ଆନନ୍ଦରେ ତାଙ୍କର ସ୍ତୁତି କରି ଚାଲିଥିଲେ। ଜଗନ୍ମାତା ମହାକାଳୀଙ୍କର ଭୟାନକ ରୂପ ଦେଖି ସାଧାରଣ ଲୋକଟିଏ ଭୟରେ ଶିହରି ଉଠୁଥିବାବେଳେ ଭକ୍ତଟିଏ ମାତାଙ୍କୁ ସମ୍ମୁଖରେ ପାଇ ତାର ଅନ୍ତରର ଭକ୍ତିନୈବେଦ୍ୟ ଅର୍ପଣ କରିଥାଏ।

ଦଶରଥପୁର, ଯାଜପୁର
ମୋ: ୮୯୧୭୨୭୨୭୭୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ଝାଡୁ ଓ କଲମ

ତାକୁ ଗୋଟେ କୋଣକୁ କିଆଁ ଫୋପାଡ଼ିଦେଲ? ସିଏ ତୁମ ଘରଦ୍ୱାର ସଫା କରିଦେଲା। ତୁମ ଘର ସଫା ରହିଲାରୁ ଲକ୍ଷ୍ମୀ ବିଜେ କଲେ। ଧନଧାନ୍ୟରେ ଘର ପୂରିଉଠିଲା।…

ଦୁଇ ବର୍ଷର ଅବିସ୍ମରଣୀୟ ବିକାଶ ଯାତ୍ରା

ଆଜି ଦିନଟି ଆଧୁନିକ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ବୋଧହୁଏ, ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟର ସଫଳତା ପାଳନ କରିବା…

ସ୍ମାର୍ଟ କୂଟନୀତି

ସମ୍ପ୍ରତି ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ହେଉଛି ଏକ ନିରାଶାର ଅଭିବ୍ୟକ୍ତି। ଏଥିରୁ ଏକ ସ୍ପଷ୍ଟ ସତର୍କ ବାର୍ତ୍ତା ମିଳେ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri