ବିପ୍ଳବଙ୍କ ଭୟ

ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଇଣ୍ଡିଆନ୍‌-ପଲିଟିକାଲ ଆକ୍ସନ କମିଟି (ଆଇ-ପିଏସି)ର ଏକ ଟିମ୍‌ ନିକଟରେ ତ୍ରିପୁରା ଗସ୍ତରେ ଯାଇଥିଲା। ରାଜ୍ୟର କେତେକ ସ୍ଥାନ ବୁଲି ସେଠାକାର ଶାସନ ସଂକ୍ରାନ୍ତରେ ସାଧାରଣରେ ମତ ସଂଗ୍ରହ କରୁଥିବା ୨୨ ଜଣିଆ ଏହି ଟିମ୍‌ ଅଗରତାଲାର ଏକ ହୋଟେଲରେ ଥିବା ବେଳେ ସ୍ଥାନୀୟ ପୋଲିସ ୨୫ ତାରିଖରେ ସେମାନଙ୍କୁ ଘେରିଯାଇଥିଲା। ସେମାନେ କେଉଁ ଉଦ୍ଦେଶ୍ୟରେ ସେଠାକୁ ଆସିଛନ୍ତି ବୋଲି ପୋଲିସ ପ୍ରଶ୍ନ କରିଥିଲା। ଏଥିସହିତ କୋଭିଡ୍‌-୧୯ ପାଇଁ ସେମାନଙ୍କଠାରୁ ଆର୍‌ଟି-ପିସିଆର୍‌ ରିପୋର୍ଟ ମଧ୍ୟ ମାଗିଥିଲା। ଅବଶ୍ୟ ମହାମାରୀ ସମୟରେ ବାହାର ରାଜ୍ୟରୁ ଯାଇଥିବା ଲୋକଙ୍କୁ ଆର୍‌ଟି-ପିସିଆର୍‌ ଟେଷ୍ଟ ରିପୋର୍ଟ ମାଗିବା ଅତ୍ୟନ୍ତ ସ୍ବାଭାବିକ। ସେଥିରେ ତ୍ରିପୁରା ପୋଲିସ କୌଣସି ତ୍ରୁଟି କରିନାହିଁ। ଉକ୍ତ ଟିମ୍‌ର ଜଣେ ସଦସ୍ୟ କହିଥିଲେ ଯେ, ସେମାନେ ଅଗରତାଲା ଆସିବା ପୂର୍ବରୁ ଆର୍‌ଟି-ପିସିଆର୍‌ ଟେଷ୍ଟ କରିଥିଲେ ଓ ନେଗେଟିଭ୍‌ ରିପୋର୍ଟ ଆଣିଛନ୍ତି। ହେଲେ ପୋଲିସ ସେସବୁ ଶୁଣି ନ ଥିଲା। ଯେଉଁଭଳି ଭାବେ ଟିମ୍‌ର ସଦସ୍ୟଙ୍କ ଗସ୍ତର ଉଦ୍ଦେଶ୍ୟ ପଚରାଯାଇଥିଲା, ସେଥିରୁ ମହାମାରୀ ଚିନ୍ତା କମ୍‌ ବରଂ ରାଜନୈତିକ ଉଦ୍ଦେଶ୍ୟ ରହିଥିବା ଜଣାପଡ଼ିଯାଉଛି। ଆଇ-ପିଏସିର ସଦସ୍ୟଙ୍କୁ ଅଟକ ରଖାଯାଇଥିବା ବିଷୟ ପ୍ରଘଟ ହେବା ପରେ ପଶ୍ଚିମ ତ୍ରିପୁରାର ଆରକ୍ଷୀ ଅଧୀକ୍ଷକ କହିଛନ୍ତି ଯେ, ତାହା ଥିଲା ପୋଲିସର ଏକ ରୁଟିନ୍‌ ଚେକ୍‌ ଅପ୍‌। ଉଲ୍ଲେଖଯୋଗ୍ୟ, ପେଗାସସ୍‌ ସ୍ପାଏଓ୍ବେର ବିଷୟ ଚାରିଆଡ଼େ ଚହଳ ପକାଇବାର ଦିନକ ପରେ ଦିଲ୍ଲୀ ପୋଲିସ ଜାତୀୟ ନ୍ୟୁଜ୍‌ ପୋର୍ଟାଲ ‘ଦି ଓ୍ବେର’ କାର୍ଯ୍ୟାଳୟକୁ ଯାଇ ‘ବିନୋଦ ଦୁଆ’ ଓ ‘ସ୍ବାରା ଭାସ୍କର’ଙ୍କ ସମ୍ପର୍କରେ ପଚରାଉଚୁରା କରିଥିଲା। ପରେ ଯେତେବେଳେ ପୋଲିସର ପରିଦର୍ଶନକୁ ନେଇ ପ୍ରଶ୍ନ କରାଗଲା ସେତେବେଳେ ଦିଲ୍ଲୀ ପୋଲିସ ସଫେଇ ଦେଇଥିଲା ଯେ, ତାହା ଏକ ରୁଟିନ୍‌ ଚେକ୍‌ ଅପ୍‌ ଥିଲା।
ତ୍ରିପୁରା ପୋଲିସ ୨୬ ଜୁଲାଇ ସକାଳେ ଆଇ-ପିଏସି ଟିମ୍‌ ସଦସ୍ୟଙ୍କ ଆର୍‌ଟି-ପିସିଆର୍‌ ପରୀକ୍ଷା କରିଥିବାରୁ ଅତିବେଶିରେ ୭୨ ଘଣ୍ଟା ଯାଏ ସେମାନଙ୍କୁ ସେଠାରେ ରଖିପାରିବ। ମାତ୍ର ଯେଉଁଭଳି ଭାବେ ପୋଲିସ ସେମାନଙ୍କ ଉପରେ ନଜର ରଖିଥିବା ବିଷୟ ଗଣମାଧ୍ୟମରେ ଆଲୋଚନା ହେଉଛି, ସମାଲୋଚକଙ୍କ କହିବା ଅନୁଯାୟୀ ସ୍ଥାନୀୟ ଭାଜପା ସରକାର ଇଙ୍ଗିତରେ ଏଭଳି କାର୍ଯ୍ୟସବୁ ହେଉଛି। ୨୦୨୩ ପ୍ରାରମ୍ଭରେ ସେଠାରେ ବିଧାନସଭା ନିର୍ବାଚନ ହେବାର ଅଛି। ପଶ୍ଚିମବଙ୍ଗ ନିର୍ବାଚନରେ ତ୍ରୁଣମୂଳ କଂଗ୍ରେସକୁ ବିଜୟୀ କରାଇବାରେ ପ୍ରଶାନ୍ତଙ୍କ ରଣକୌଶଳ କାମ ଦେଖାଇଥିଲା ବୋଲି ସମସ୍ତେ ଜାଣନ୍ତି। ଏଭଳି ସ୍ଥଳେ ତ୍ରୁଣମୂଳ କଂଗ୍ରେସ ତ୍ରିପୁରାରେ ପ୍ରାର୍ଥୀ ଠିଆ କରାଇଲେ କେତେ ଆସନ ଅକ୍ତିଆର କରିପାରିବ ହୁଏତ ଉକ୍ତ ଟିମ୍‌ର ଲକ୍ଷ୍ୟ ଥାଇପାରେ। ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କ ଶାସନ ଓ ତାଙ୍କ ବକ୍ତବ୍ୟ ଅନେକ ସମୟରେ ବିବାଦୀୟ ହୋଇପଡ଼ିଛି। ପ୍ରଶାନ୍ତଙ୍କ ସହଯୋଗୀମାନେ ତ୍ରିପୁରା ବୁଲି ମତାମତ ସଂଗ୍ରହ କରିବା ଭାଜପା ସରକାରଙ୍କ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ମୁଖ୍ୟମନ୍ତ୍ରୀ ବିପ୍ଳବ ସନ୍ଦେହ କରିଥାଇପାରନ୍ତି।
ଏକ ଗଣତାନ୍ତ୍ରିକ ଦେଶରେ ଲୋକଙ୍କ ଆନ୍ତଃରାଜ୍ୟ ଯାତାୟାତ ଉପରେ ପ୍ରତିବନ୍ଧକ ଲଗାଗଲେ ବ୍ୟକ୍ତିଙ୍କ ସ୍ବାଧୀନତା ଓ ଅଧିକାର କ୍ଷୁଣ୍ଣ କରାଯାଉଛି ବୋଲି ବିଚାର କରାଯାଇଥାଏ। ଦେଶରେ ଏହି କିଛି ବର୍ଷ ହେବ ଯେଭଳି ଭାବେ ପୋଲିସ ଓ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ସରକାରୀ ବ୍ୟବସ୍ଥାରେ ତ୍ରୁଟି ଦର୍ଶାଉଥିବା ବ୍ୟକ୍ତି ଓ ସଙ୍ଗଠନ ପଛରେ ଲଗାଇ ଦିଆଯାଇଛି, ସେଥିରୁ ସେହିଭଳି ସରକାରଗୁଡ଼ିକର ଉଦ୍ଦେଶ୍ୟ ବୁଝିବା କଷ୍ଟକର ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri