ଅନ୍ୟ ଦେଶ ସହିତ ଭାରତର ଘରୋଇ କମ୍ପାନୀଗୁଡ଼ିକର ତୁଳନା କରାଯାଇପାରିବ ନାହିଁ। ଉଦାହରଣ ଦେଖିବାକୁ ଗଲେ ଅନେକ ଅଛି। ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଏବଂ ପରିଚାଳିତ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ସଦ୍ୟ ଦୃଷ୍ଟାନ୍ତ। ୫ ସେପ୍ଟେମ୍ବର ୨୦୨୬ରେ ବର୍ଷା ପାଣି ଯେଉଁଭଳି ଭାବେ ଟର୍ମିନାଲ ଭିତରେ ପଶିଥିଲା ତା’ର ଛବି ସମସ୍ତେ ଦେଖିଥିବେ। ଅବଶ୍ୟ ସେହି ଘଟଣାକୁ ସ୍ବାଭାବିକ ଭାବେ ସରକାର ଖଣ୍ଡନ କରୁଛନ୍ତି। ହଉ ହେଲା ସେଥିରେ ସରକାରଙ୍କୁ ମାନିଯିବା। ଘର ପାଖକୁ ଆସିଲେ ଭୁବନେଶ୍ୱର ରେଳ ଷ୍ଟେଶନର ନିର୍ମାଣ କାର୍ଯ୍ୟ ଘରୋଇ କମ୍ପାନୀ ଦ୍ୱାରା କରାଯାଇ ଯେତିକି ସମୟ ଲାଗିଲାଣି ଓ ତା’ ମଧ୍ୟକୁ ପ୍ରବେଶ ଓ ପ୍ରସ୍ଥାନ କରିବାକୁ ଯାତ୍ରୀଙ୍କ ପାଇଁ ଯେଭଳି କଷ୍ଟକର ହେଉଛି, ତାହା ପ୍ରତ୍ୟେକ ଦିନ ଯାତ୍ରୀ ଜାଣିଛନ୍ତି। ଅନ୍ୟ ଏକ ଉଦାହରଣ ଦେଖିବାକୁ ଗଲେ ପୂର୍ବରୁ ଭାରତର ଆମ୍ବାସାଡର, ଫିଏଟ୍-ପ୍ରିମିୟର ପଦ୍ମିନୀ ଏବଂ ଷ୍ଟାଣ୍ଡାର୍ଡ ହେରାଲ୍ଡ ଗାଡ଼ି ସାଧାରଣ ନାଗରିକଙ୍କ ଦ୍ୱାରା କିଣାଯାଇ ପାରୁଥିଲା। ସେହି ସମୟରେ ସବୁ ଅନ୍ୟ ଦେଶର ଗାଡ଼ିରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ସିଟ୍ବେଲ୍ଟ ଦେବାର ସାଧାରଣ ବ୍ୟବସ୍ଥା ବହୁ ପୂର୍ବରୁ ପ୍ରଚଳିତ ହୋଇସାରିଥିଲା। ନବେ ଦଶନ୍ଧି ପର୍ଯ୍ୟନ୍ତ ଭାରତର ଘରୋଇ ଯାନରେ ସିଟ୍ବେଲ୍ଟର ମଧ୍ୟ ବ୍ୟବସ୍ଥା ନ ଥିଲା। ଏହିଭଳି ଅନେକ ଛୋଟବଡ଼ ଉଦାହରଣ ରହିଛି ଯାହାସବୁ ଉଲ୍ଲେଖ କରିବା ପାଇଁ ସ୍ଥାନ ନାହିଁ। କହିବାର ଉଦ୍ଦେଶ୍ୟ ହେଲା ଘରୋଇକରଣ କରିଦେଲେ ଭାରତର ସମସ୍ୟାର ସମାଧାନ ହୁଏ ନାହିଁ କିମ୍ବା ଉଚ୍ଚମାନର କାର୍ଯ୍ୟ ମଧ୍ୟ ହୁଏ ନାହିଁ। ଘରୋଇ କମ୍ପାନୀଗୁଡ଼ିକ ସରକାରୀ ବ୍ୟବସ୍ଥାଠାରୁ ଅଧିକ କିମ୍ବା ଉଚ୍ଚକୋଟୀର ଭିତ୍ତିଭୂମି, ସେବା ଓ ସୁରକ୍ଷା ଯୋଗାଇପାରିବେ ବୋଲି ପ୍ରମାଣ କ୍ୱଚିତ ମିଳେ। ପ୍ରାୟ ୧ ଦଶନ୍ଧି ଧରି ଆଦାନୀ କମ୍ପାନୀକୁ ବିମାନବନ୍ଦରଠାରୁ ଆରମ୍ଭ କରି ପାଣି ବନ୍ଦର ଯାଏ ବିକ୍ରି କରିଦିଆଗଲାଣି। ତୁଳନାତ୍ମକ ଭାବେ ଆଦାନୀ ପରିଚାଳିତ ଏବଂ ଏୟାରପୋର୍ଟ ଅଥରିଟି ଦ୍ୱାରା ପରିଚାଳିତ ବିମାନବନ୍ଦରରେ କୌଣସି ପ୍ରକାର ସେବା କିମ୍ବା ସୁରକ୍ଷାରେ ତଫାତ୍ ଦେଖିବାକୁ ଯାତ୍ରୀ ପାଉନାହାନ୍ତି।
ଗତ ସପ୍ତାହରେ କେନ୍ଦ୍ର ସରକାର ଘରୋଇ ସଂସ୍ଥାଗୁଡ଼ିକ ପାଇଁ ପାରମ୍ପରିକ ମିଶାଇଲ ବା କ୍ଷେପଣାସ୍ତ୍ର ଉତ୍ପାଦନର ଦ୍ୱାର ଉନ୍ମୁକ୍ତ କରିବା ବିଷୟ ଘୋଷଣା କରିଥିଲେ। ଘରୋଇ ସଂସ୍ଥାଗୁଡ଼ିକ ଏ ଦିଗରେ କାର୍ଯ୍ୟ କଲେ ପ୍ରତିରକ୍ଷା ଉତ୍ପାଦନ ବୃଦ୍ଧି ପାଇବ ଓ ଆମଦାନୀ ଉପରେ ନିର୍ଭରଶୀଳତା କମିବ ବୋଲି ସରକାରୀ ଭାବେ କୁହାଯାଇଥିଲା। ପ୍ରତିରକ୍ଷା ନିଷ୍ପତ୍ତିର ଗୋଟେ ସପ୍ତାହ ପରେ ମହାକାଶ ବିଜ୍ଞାନ କ୍ଷେତ୍ରରେ ନିଜର ଏକ ସ୍ବାତନ୍ତ୍ର୍ୟ ବଜାୟ ରଖିଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଘରୋଇକରଣ ନେଇ ପ୍ରଶ୍ନ ଉଠିଲାଣି। ଉଲ୍ଲେଖଯୋଗ୍ୟ ୧୯୬୯ରେ ଇସ୍ରୋ ପ୍ରତିଷ୍ଠା ହୋଇଥିଲା। ନିକଟରେ ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ର (ଇନ୍-ସ୍ପେସ୍)ର ଅଧ୍ୟକ୍ଷ ପବନ ଗୋଏଙ୍କା ମନ୍ତବ୍ୟ ଦେଇଥିଲେ ଯେ, ଏଣିକି ଇସ୍ରୋ କୌଣସି ରକେଟ ପ୍ରସ୍ତୁତ କିମ୍ବା ଉତ୍ପାଦନ କରିବ ନାହିଁ। ଏହା ସମ୍ପୂର୍ଣ୍ଣ ରୂପେ ଘରୋଇ କ୍ଷେତ୍ର କିମ୍ବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍ୟୁ) ଦ୍ୱାରା କରାଯିବ।
ଅବଶ୍ୟ ୬ ସେପ୍ଟେମ୍ବର ବିଳମ୍ବିତ ସନ୍ଧ୍ୟାରେ ପବନ ଗୋଏଙ୍କା ପ୍ରଥମ ବିବୃତିକୁ ନରମ କରିବାକୁ ଯାଇ ପୁନର୍ବାର ଗଣମାଧ୍ୟମକୁ କହିଛନ୍ତି ଯେ, ଇସ୍ରୋର କୌଣସି କ୍ଷତି ହେବ ନାହିଁ ଏବଂ ତାହା ଭାରତର ମୁଖ୍ୟ ମହାକାଶ କ୍ଷେତ୍ରରେ ମୂଳଦୁଆ ଭାବେ ବଞ୍ଚତ୍ରହିବ। ଏହିଭଳି ଗୁଡ଼ି ଉଡ଼ାଇବା ଏବଂ ଜନସାଧାରଣଙ୍କ ମତିଗତିକୁ ନିୟନ୍ତ୍ରଣାଧୀନ କରିବା ହେଉଛି ଆଜିର ସରକାରର ଏକ ପୁରୁଣା ଢାଞ୍ଚା।
ତେବେ ଘରୋଇକରଣ ନେଇ ଘୋଷଣା କରିବା ପାଇଁ ଗୋଏଙ୍କାଙ୍କର ଅଧିକାର ଅଛି ବୋଲି କେହି ବିଶ୍ୱାସ କରିବେ ନାହିଁ। ଏତେବଡ଼ ଗୁରୁତ୍ୱପୂର୍ଣ୍ଣ ଘୋଷଣା ପଦାରେ କହିବାକୁ ତାଙ୍କୁ ନିଶ୍ଚିତ ଭାବେ ନିର୍ଦ୍ଦେଶ ମିଳିଥିବ। ସେପ୍ଟେମ୍ବର ୪ରେ ଇସ୍ରୋର ୯ଟି କର୍ମଚାରୀ ସଙ୍ଗଠନ ଏହାର ଉତ୍ପାଦନ ଏବଂ କାର୍ଯ୍ୟାନ୍ବୟନ ଘରୋଇ ସଂସ୍ଥାକୁୁ ହସ୍ତାନ୍ତର କରିବା ପ୍ରସ୍ତାବ ଉପରେ ଆନୁଷ୍ଠାନିକ ସ୍ପଷ୍ଟୀକରଣ ମାଗି ସଂସ୍ଥାର ଅଧ୍ୟକ୍ଷ ଭି. ନାରାୟଣନ୍ଙ୍କୁ ଚିଠି ଲେଖିଛନ୍ତି। ପତ୍ରରେ ସେମାନେ ସଂସ୍ଥାର ଭବିଷ୍ୟତର ଭୂମିକା ଏବଂ ଏଥିରେ କାର୍ଯ୍ୟରତ କର୍ମଚାରୀ ଓ ଆଗାମୀ ନିଯୁକ୍ତି ଉପରେ ଏହାର ପ୍ରଭାବ ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି। ଇସ୍ରୋର ଉତ୍ପାଦନ ଏବଂ କାର୍ଯ୍ୟାନ୍ବୟନ ଘରୋଇ ସଙ୍ଗଠନକୁୁ ଦିଆଯିବା ନେଇ ଯେଉଁ ‘କେଁ’ ଉପୁଜିଛି ତାହା ନିଶ୍ଚିତ ଭାବେ ସରକାରୀ ସଂସ୍ଥାକୁ ଦୁର୍ବଳ କରିଦେବ। ବିନା ଆଲୋଚନାରେ ଏଭଳି ନୀତିକୁ ଗ୍ରହଣ କରାଯିବା ଠିକ୍ ନୁହେଁ ବୋଲି କର୍ମଚାରୀ ସଙ୍ଗଠନଗୁଡ଼ିକ ଯେଉଁ କଥା ଉଠାଇଛନ୍ତି, ତାହା ଉପରେ ସଘନ ତର୍ଜମା ହେବା ଦରକାର। ଘରୋଇକରଣ ହେଲେ ଇସ୍ରୋ କେବଳ ଏକ ଗବେଷଣା ଏବଂ ବିକାଶ (ଆର୍ ଆଣ୍ଡ୍ ଡି) ବ୍ୟବସ୍ଥା ହୋଇ ରହିବ ଏବଂ ଦେଶର ରକେଟ ନିର୍ମାଣ ଏବଂ ଏହାର ପ୍ରକ୍ଷେପଣ ଭିତ୍ତିଭୂମିର ପରିଚାଳନା ସରକାରଙ୍କ ହାତରୁ ଚାଲିଯିବ। ଏହାର ଅର୍ଥ ଏହା ମଧ୍ୟ ହେଉଛି ଯେ, ଇସ୍ରୋର ଗବେଷଣାରୁ ଯେତିକି ତଥ୍ୟ ମିଳିବ ପ୍ରତିରକ୍ଷା ଭଳି ମହାକାଶ କ୍ଷେତ୍ରରେ କରଦାତାଙ୍କ ଅର୍ଥରେ ହେଉଥିବା ଗବେଷଣା ଓ ବିକାଶର ଲାଭ ଘରୋଇ ସଙ୍ଗଠନଗୁଡ଼ିକୁ ଦେଇଦିଆଯିବ ଏବଂ ସେହି କମ୍ପାନୀମାନେ ରକେଟ ତିଆରି କରିବାକୁ କେତେ ଅର୍ଥ ପାଇବେ ତାହା କାହାରି ପ୍ରଶ୍ନ ବଳୟରେ ରହିବ ନାହିଁ। ସାଧାରଣତଃ ଗବେଷଣା ଓ ବିକାଶ ପାଇଁ ବିପୁଳ ଅର୍ଥ ଦରକାର ହୁଏ। ଥରେ ଗୋଟିଏ ବ୍ଲୁପ୍ରିଣ୍ଟ୍ ବା ଓ୍ବାର୍କିଂ ମଡେଲ ପ୍ରସ୍ତୁତ ହେବା ପରେ ତାହାକୁ ନିର୍ମାଣ କରିବା ସହଜ ଓ ସୀମିତ ଖର୍ଚ୍ଚରେ ହୋଇଥାଏ। ଯଦି କରଦାତା ଗବେଷଣା ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରିବେ, ସେଥିରୁ କେବଳ ଲାଭ ଉଠାଇବା ପାଇଁ ଘରୋଇ କମ୍ପାନୀକୁ ନିର୍ମାଣ କାର୍ଯ୍ୟ ଧରାଇଦେବା ହେଉଛି ଏକ ଦେଶବିରୋଧୀ ପଦକ୍ଷେପ। ଆମେରିକାରେ ଗବେଷଣାଠାରୁ ପରୀକ୍ଷା ପର୍ଯ୍ୟନ୍ତ ଯାହା ଘରୋଇ କମ୍ପାନୀ କରନ୍ତି ତାହାର ଲାଭ ସେହି କମ୍ପାନୀ ନିଅନ୍ତି। ଆମେରିକା ସରକାରଙ୍କ ‘ନାସା’ଠାରୁ ତଥ୍ୟ ଓ ଗବେଷଣା ନେଇ ଏଲନ ମସ୍କ ‘ସ୍ପେସ୍ ଏକ୍ସ’ କିମ୍ବା ଜେଫ୍ ବେଜୋସଙ୍କ ‘ବ୍ଲୁ ଅରିଜନ୍’ ରକେଟ ତିଆରି କରୁନାହାନ୍ତି। ସେଠାରେ ଘରୋଇ କମ୍ପାନୀମାନେ ନିଜ ଅର୍ଥରେ ଗବେଷଣା କରିବାକୁ ବାଧ୍ୟ ହୋଇଥାନ୍ତି। ସେଥିପାଇଁ ସେମାନଙ୍କୁ ଟିକସ ରିହାତି ମିଳେ, କିନ୍ତୁ ପ୍ରବଳ ମାତ୍ରାରେ କରଦାତାଙ୍କ ଅର୍ଥ ଦିଆଯାଏ ନାହିଁ।
ଇସ୍ରୋ କଥା ଦେଖିଲେ ସମ୍ଭବତଃ ଏହାର ଘରୋଇକରଣ ଛାଇ ପଡ଼ିବାର ଅନୁମାନ କରି ୧୦୦ରୁ ଅଧିକ ବୈଜ୍ଞାନିକ ଓ ଇଞ୍ଜିନିୟର ନିକଟରେ ଇସ୍ତଫା ଦେଇଛନ୍ତି। ଏପରିକି ସେମାନଙ୍କ ଇସ୍ତଫାକୁ ଆଉ ଗ୍ରହଣ କରାଯିବ ନାହିଁ ବୋଲି ସରକାରୀ ଭାବେ ନିଷ୍ପତ୍ତି ନିଆଯାଇଥିଲା। ଏହି ବିଷୟ ଜାତୀୟ ସ୍ତରରେ ବହୁମାତ୍ରାରେ ଚର୍ଚ୍ଚା ହେଉଛି। ବର୍ତ୍ତମାନ ଇସ୍ରୋ ସମ୍ପର୍କିତ ଘୋଷଣାରୁ ବୁଝାପଡୁଛି ଯେ ଇସ୍ତଫା ଦେଇଥିବା ବୈଜ୍ଞାନିକ ଦେଶ ପାଇଁ ନିଜର ଜ୍ଞାନ ବ୍ୟବହାର କରି ଯେଉଁ କାର୍ଯ୍ୟ କରୁଥିଲେ ସେହି ପ୍ରଜ୍ଞାକୁ ବିନାମୂଲ୍ୟରେ, କେବଳ ସରକାରୀ ଦରମାରେ, ଘରୋଇ କମ୍ପାନୀକୁ ମାଗଣାରେ ଦେଇଦେବାକୁ ଅନିଚ୍ଛୁକ। କାହିଁକି ବା ଦେବେ। ଯଦି ଦେବାକୁ ବାଧ୍ୟ, ତେବେ ଘରୋଇ କମ୍ପାନୀରେ ମିଶି ଅନ୍ତର୍ଜାତୀୟ ମୂଲ୍ୟରେ ତାଙ୍କର ଜ୍ଞାନ ଓ କୌଶଳ ବିକ୍ରି କରିବା ଉଚିତ ହେବ ବୋଲି ସେମାନଙ୍କ ଚିନ୍ତା ବାସ୍ତବ ମନେହେଉଛି।

