ଅତିଷ୍ଠ କଲାଣି ମହଙ୍ଗା ମାଡ଼

ଇବ୍ରାର ଖଁା

ଡିଜେଲ, ପେଟ୍ରୋଲ ଓ ଇନ୍ଧନ ଗ୍ୟାସ୍‌ର ଅହେତୁକ ମୂଲ୍ୟବୃଦ୍ଧି ସାଧାରଣ ଜନତାଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ସମସ୍ତ ପ୍ରକାରର ଖାଇବା ତେଲ, ଡାଲି, ଚିନିଠାରୁ ଆରମ୍ଭ କରି ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଯେପରି ହୁ ହୁ ହୋଇ ବଢ଼ି ଚାଲିଛି ତାହା ସବୁ ବର୍ଗର ଲୋକଙ୍କ ପାଇଁ ଚିନ୍ତାର କାରଣ ହେଲାଣି। ଆଳୁ, ପିଆଜଠାରୁ ଆରମ୍ଭ କରି ପ୍ରତ୍ୟେକ ପନିପରିବା ମୂଲ୍ୟରେ କିଲୋ ପ୍ରତି ୨୦ରୁ ୩୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟବୃଦ୍ଧି ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ବିଶେଷ କରି ଗରିବମାନଙ୍କ ରୋଷେଇ ଉପରେ ଯେପରି ପ୍ରହାର କରି ଚାଲିଛି ତାହା ସହିବାର ସବୁ ସୀମାକୁ ଅତିକ୍ରମ କଲାଣି। ଚାଷୀଙ୍କ ଚାଷ ଉପକରଣ ସହ ସାର, ବିହନ, କୀଟନାଶକଠାରୁ ଆରମ୍ଭ କରି ଜୀବନ ରକ୍ଷାକାରୀ ଔଷଧ ପର୍ଯ୍ୟନ୍ତ ସବୁର ମୂଲ୍ୟବୃଦ୍ଧି ଘଟି ଜନଗଣଙ୍କୁ ହନ୍ତସନ୍ତ କରି ଦେଉଥିଲେ ମଧ୍ୟ ଦରଦାମ ନିୟନ୍ତ୍ରଣ କରିବା ଦିଗରେ ନା କେନ୍ଦ୍ର ସରକାର ନା ରାଜ୍ୟ ସରକାର କେହି ବି ଚେଷ୍ଟାରତ ଥିବା ପରି ମନେହେଉନି।
କରୋନା ମହାମାରୀ ପ୍ରାଦୁର୍ଭାବରେ ଦେଶର ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇ ବେକାର ହୋଇଯାଇଥିବା ବେଳେ ଅନିୟନ୍ତ୍ରିତ ଦରବୃଦ୍ଧି ସାମାଜିକ ଜନଜୀବନକୁ ଯେପରି ଅସ୍ତବ୍ୟସ୍ତ କରୁଛି ସେଥିରେ ରୋକ୍‌ ଲଗାଇବା ପରିବର୍ତ୍ତେ ପେଟ୍ରୋଲ, ଡିଜେଲ ଓ ରୋଷେଇ ଗ୍ୟାସ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଅଧିକ ଟିକସ ବସାଇ ସାଧାରଣ ଜନତାଙ୍କୁ ଯେଉଁଭଳି ଲୁଟିବାରେ ଲାଗିଛନ୍ତି ତାହା ଜନ ଆକ୍ରୋଶକୁ ବଢ଼ାଇବାରେ ସହାୟକ ହେବ, ଏଥିରେ ସନ୍ଦେହ ନାହିଁ। ‘ଏକ ଦେଶ ଏକ ଟିକସ’ର ଦ୍ୱାହି ଦେଇ ସମଗ୍ର ଦେଶରେ ଜିଏସ୍‌ଟି ଲାଗୁ କରାଯାଇଥିଲେ ମଧ୍ୟ ପେଟ୍ରୋଲଜାତ ଦ୍ରବ୍ୟକୁ ଜିଏସ୍‌ଟି ପରିସରଭୁକ୍ତ ନ କରିବା ଏହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଏକ ସୁଚିନ୍ତିତ ଚକ୍ରାନ୍ତ କହିଲେ ଅତ୍ୟୁକ୍ତି ହେବ ନାହିଁ। ମହାମାରୀର କରାଳ ଗ୍ରାସରେ ଦେଶର ଅର୍ଥନୀତି ରସାତଳଗାମୀ ହେବା ସହ ଜନଗଣଙ୍କ ଆୟର ପନ୍ଥା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଫଳରେ ସାଧାରଣ ଜନତା ଏବେ କପର୍ଦକଶୂନ୍ୟ ହୋଇ କ୍ରୟଶକ୍ତି ହରାଇ ବସିଥିବାରୁ ପାରିବାରିକ ଜୀବନରେ ହତାଶା ଓ ଅସହାୟତା କ୍ରମେ ବୃଦ୍ଧି ପାଇବାରେ ଲାଗିଛି। ପରିସ୍ଥିତିର ଗମ୍ଭୀରତାକୁ ହୃଦୟଙ୍ଗମ କରି କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପାଖାପାଖି ଅଶୀ କୋଟି ଲୋକଙ୍କୁ ମାସିକ ପାଞ୍ଚ କିଲୋ ଚାଉଳ କିମ୍ବା ଗହମ ମାଗଣାରେ ଯୋଗାଇ ଦେଉଛନ୍ତି। ଅବଶ୍ୟ ମହାମାରୀ ପୂର୍ବରୁ କେନ୍ଦ୍ର ସରକାର ବହୁ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ପେଟ୍ରୋଲ, ଡିଜେଲ ଓ ରୋଷେଇ ଗ୍ୟାସ୍‌ ଉପରେ ଅଧିକ ଟିକସ ବସାଇ ଜନଗଣଙ୍କ ପକେଟରୁ ଲୁଟି ନେଉଥିବାରୁ ସମାଜରେ ବାସ୍ତବ ବିକାଶର ଚିତ୍ର ପରିଦୃଷ୍ଟ ହେଉନି। ଉଜ୍ୱଳା ଯୋଜନାରେ ଦେଶରେ ପ୍ରାୟ ଆଠକୋଟି ଲୋକଙ୍କୁ ମାଗଣାରେ ଗ୍ୟାସ୍‌ ସିଲିଣ୍ଡର ଯୋଗାଇ ଦିଆଯାଇଥିଲେ ମଧ୍ୟ ଗ୍ୟାସ୍‌ ସିଲିଣ୍ଡର ଭରିବା ପାଇଁ ପାଖାପାଖି ହଜାରେ ଟଙ୍କା ଦେୟ ଦେବାକୁ ପଡୁଥିବାରୁ ପ୍ରାୟ ତିନି କୋଟିରୁ ଊର୍ଦ୍ଧ୍ୱ ହିତାଧିକାରୀ ଆର୍ଥିକ ଅନଟନ କାରଣରୁ ସିଲିଣ୍ଡରରେ ପୁନଃ ଗ୍ୟାସ୍‌ ଭରି ନ ପାରି ପୁଣି ସେହି କାଠଚୁଲିକୁ ଆପଣେଇ ନେଇଛନ୍ତି।
ବର୍ତ୍ତମାନ ପେଟ୍ରୋଲ ମୂଲ୍ୟ ୧୦୦ ଟଙ୍କାକୁ ଅତିକ୍ରମ କରିଯାଇଥିବାରୁ ଅଧିକାଂଶ ଲୋକ ବାଇକ ଚଳାଇବାକୁ ଏବେ ଆଉ ସହଜ ମଣୁନାହାନ୍ତି। ଲିଟରେ ଡିଜେଲର ମୂଲ୍ୟ ଏବେ ଶହେ ଟଙ୍କାକୁ ପାର କରିଯାଇଥିବାରୁ ମାଲ ପରିବହନ କ୍ଷେତ୍ରରେ ତା’ର ସିଧା ପ୍ରଭାବ ପଡୁଛି। ତେଣୁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଗୁଡ଼ିକର ମୂଲ୍ୟରେ ଅଧିକ ବୃଦ୍ଧି ଘଟି ଜନଗଣଙ୍କ ଆର୍ଥିକ ଅବସ୍ଥାକୁ ପୂରାପୂରି ଦୋହଲାଇ ଦେଉଛି। ସବ୍‌ସିଡି ଯୁକ୍ତ ଗ୍ୟାସ ସିଲିଣ୍ଡରକୁ ସରକାର ସବ୍‌ସିଡି ମୁକ୍ତ କରିଦେଇ ରୋଷେଇ ଗ୍ୟାସ୍‌ ମୂଲ୍ୟରେ ଯେପରି ବାରମ୍ବାର ବୃଦ୍ଧି କରି ଚାଲିଛନ୍ତି ସେଥିରେ ଅତିଷ୍ଠ ହୋଇ ଅଧିକାଂଶ ପରିବାର ପୁଣି ସେହି ପୁରୁଣା କାଠଚୁଲାକୁ ଆପଣେଇବା ପାଇଁ ବାଧ୍ୟ ହେବେ, ଏଥିରେ ସନ୍ଦେହ ନାହିଁ।
ମହଙ୍ଗାର ଚାବୁକ ମାଡ଼ରେ ଲୋକେ ହନ୍ତସନ୍ତ ହେଉଥିବା ବେଳେ ସରକାରଙ୍କ ଯୁକ୍ତି ହେଲା ଦେଶରେ ଭିତ୍ତିଭୂମିର ବିକାଶ ସହ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ପାଇଁ ଅର୍ଥର ଆବଶ୍ୟକତା ଥିବାରୁ ପେଟ୍ରୋଲ ଜାତ ଦ୍ରବ୍ୟରୁ ଆଦାୟ ଟିକସ ଅର୍ଥ ସେହିସବୁ କ୍ଷେତ୍ରରେ ବିନିଯୋଗ କରାଯାଉଛି। ସମଗ୍ର ଦେଶବାସୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଟିକାକରଣ କରିବାକୁ ପଡୁଥିବାରୁ ଜନସାଧାରଣ କିଛି ତ୍ୟାଗ ସ୍ବୀକାରକରି ଦେଶର ପ୍ରଗତି ପାଇଁ ସହଯୋଗ କରିବାକୁ ପଡ଼ିବ। ସରକାରଙ୍କ ଏଭଳି ସଫେଇର କିଛି ମାନେ ଥିବାପରି ମନେହୁଏନି। କାରଣ ଜନସାଧାରଣଙ୍କ ଟିକସ ପଇସାରେ ଯଦି ସରକାର ସବୁ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି ତେବେ ସର୍ବସାଧାରଣଙ୍କୁ ସବୁ କିଛି ମାଗଣାରେ ଦେଉଛନ୍ତି ବୋଲି କହିବାର ତାତ୍ପର୍ଯ୍ୟ କ’ଣ? ଜନମଙ୍ଗଳ ରାଷ୍ଟ୍ରରେ ନାଗରିକଙ୍କ ଧନ ଜୀବନର ସୁରକ୍ଷା ଦାୟିତ୍ୱ ହେଉଛି ସରକାରଙ୍କର। ଟିକସ୍‌ଦାତାଙ୍କର ମଧ୍ୟ ପୂର୍ଣ୍ଣ ଅଧିକାର ରହିଛି ସରକାରଙ୍କଠାରୁ ସର୍ବନିମ୍ନ ସୁବିଧା ପାଇବା; ଯାହା କି ସରକାର ଯୋଗାଇବା ପାଇଁ ବାଧ୍ୟ। ଏଥିରେ ଅନୁଗ୍ରହର ପ୍ରଶ୍ନ ଉଠୁଛି କେଉଁଠି? କର୍ପୋରେଟ୍‌ ଜଗତର କୋଟିପତି ଉଦ୍ୟୋଗପତି ହୁଅନ୍ତୁ ଅଥବା ସେଲିବ୍ରିଟିମାନେ ଗୋଟିଏ ଲିଟର ପେଟ୍ରୋଲ କ୍ରୟ ପାଇଁ ଯେତିକି ଟିକସ ଦିଅନ୍ତି ଜଣେ ସାଧାରଣ ଗରିବ ଲୋକ ତାହା କ୍ରୟ କରିବାକୁ ସେତିକି ଟିକସ ବହନ କରିଥାଏ। ସେହିପରି ରୋଷେଇ ଗ୍ୟାସ କିଣାରେ ଉଭୟେ ସମାନ ପରିମାଣର ଅର୍ଥ ପୈଠ କରିଥାନ୍ତି। ଉଦ୍ୟୋଗପତି କିମ୍ବା ସେଲିବ୍ରିଟି ମାନଙ୍କ ଉପରେ ବର୍ଦ୍ଧିତ ମୂଲ୍ୟ ବୃଦ୍ଧିର କୌଣସି ପ୍ରଭାବ ପଡୁ ନ ଥିବା ବେଳେ ସାଧାରଣ ଗରିବ ଖଟିଖିଆ ମଧ୍ୟବିତ୍ତ ପରିବାର ଏଥିରେ ପେଷି ହୋଇ ସର୍ବସ୍ବାନ୍ତ ହେବା ନିଶ୍ଚିତ, ଏହା ଯେ କେହି ସ୍ବୀକାର କରିବେ। ପରିସଂଖ୍ୟାନ ଅନୁଯାୟୀ କରୋନା କାଳରେ କୋଟି କୋଟି ଜନସାଧାରଣ ଆଜୀବିକା ହରାଇ ଆର୍ଥିକ ଅନଟନ କାରଣରୁ ତଳିତଳାନ୍ତ ହୋଇ ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲି ଯାଇଥିବା ବେଳେ କର୍ପୋରେଟ ଜଗତର ଉଦ୍ୟୋଗପତିମାନଙ୍କ ଆୟର ଉତ୍ସ ଦଶଗୁଣକୁ ବୃଦ୍ଧି ପାଇଛି।
ଜନଗଣଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ସମ୍ବେଦନଶୀଳ ହୋଇ ପେଟ୍ରୋଲ ଜାତ ଦ୍ରବ୍ୟକୁ ଅବିଳମ୍ବେ ଜିଏସ୍‌ଟି ପରିସରଭୁକ୍ତ କରିବା ସହ ରାଜକୋଷର ଅଭିବୃଦ୍ଧି ପାଇଁ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ଉପରେ ବିଚାର କରିବା ଆବଶ୍ୟକ। ଦେଶର ଅର୍ଥନୀତିକୁ ଗତିଶୀଳ କରିବାକୁ ହେଲେ ଜନଗଣଙ୍କ କ୍ରୟଶକ୍ତିକୁ ବଢ଼ାଇବାକୁ ପଡ଼ିବ। ତେଣୁ ସାଧାରଣ ଜନତାଙ୍କ ହାତରେ କିଛି ଆର୍ଥିକ ସହାୟତା ପ୍ରଦାନ କରି ବଜାରରେ ଚାହିଦା ବୃଦ୍ଧି ପାଇଁ ଉଦ୍ୟମ ହେବା ଆବଶ୍ୟକ। ଚାହିଦା ବୃଦ୍ଧି ପାଇଲେ ଉତ୍ପାଦନ ବଢ଼ିବା ସହିତ ଆର୍ଥିକ ଅଭିବୃଦ୍ଧି ଗତିଶୀଳ ହେବ। ଉତ୍ପାଦନ ବୃଦ୍ଧି ପାଇଁ କଳକାରଖାନା ଚଳଚଞ୍ଚଳ ହେଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ତାହାହେଲେ ଯାଇ ଦେଶର ଅର୍ଥନୈତିକ ଓ ସାମାଜିକ ବିକାଶ ସମ୍ଭବ ହୋଇପାରିବ, ଏଥିରେ ସନ୍ଦେହ ନାହିଁ।
ବରଦାପଡ଼ା, ବିଶ୍ୱାଳପଡ଼ା, ରେଞ୍ଚ, ଖୋର୍ଦ୍ଧା
ମୋ: ୯୩୩୭୬୦୧୭୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri