ଦୁବାଇ,୨୩ା୬(ପି.ଟି.): କାତାରର ରାସ୍ ଲାଫାନ୍ ଶିଳ୍ପାଞ୍ଚଳ ସହରରେ ଥିବା ଏକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟି ୧୨ ଭାରତୀୟଙ୍କ ସମେତ ୧୩ ଜଣ ପ୍ରାଣ ହରାଇଛନ୍ତି। ରବିବାର ସନ୍ଧ୍ୟାରେ ଶିଳ୍ପାଞ୍ଚଳ ସହରର ବାର୍ଜାନ ଗ୍ୟାସ୍ ଯୋଗାଣ କେନ୍ଦ୍ରରେ ବିସ୍ଫୋରଣ ଘଟି ନିଆଁ ଲାଗିଯିବାରୁ ୧୩ ଜଣଙ୍କ ମୃତ୍ୟୁ ଘଟିବା ସହ ୬୬ ଜଣ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ୧୨ ଜଣ ଭାରତୀୟ ଥିବା କାତାର କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିବା ଦୋହାସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ଆହତମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥରି ରହିଛି। ମୃତଦେହ ଭାରତ ପଠାଇବା ସହ ମୃତକଙ୍କ ପରିବାର ଓ ଆହତଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଦୂତାବାସ ପ୍ରତିଶ୍ରୁତି ଦେଇଛି। ମୃତଙ୍କ ପରିବାରକୁ ଦୂତାବାସ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛି। ଆହତଙ୍କ ମଧ୍ୟରେ ଭାରତ, କାତାର, ତାଞ୍ଜାନିଆ, ପାକିସ୍ତାନ, ଗିନି, ନେପାଳ, ବାଂଲାଦେଶ, କେନିଆ ଓ ନାଇଜେରିଆ ନାଗରିକ ଥିବା ଜଣାପଡ଼ିଛି।

