ଶିକ୍ଷାନୁଷ୍ଠାନ ରାଗିଂ ଓ ଭାରତୀୟ ପିଙ୍ଗଳ କୋଡ୍‌

ସୌର ଚନ୍ଦ୍ର ମହାପାତ୍ର

ଓଡ଼ିଶାର ଶିକ୍ଷାନୁଷ୍ଠାନରେ ରାଗିଂ ଚାଲିଛି। ଏହାର ବଡ଼ ଉଦାହରଣ ହେଉଛି ଭୁବନେଶ୍ୱର ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା। ଭାରତର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆଣ୍ଟି ରାଗିଂ ସ୍କ୍ବାଡ ଥିବା ସତ୍ତ୍ୱେ ରାଗିଂ ବଢ଼ି ଚାଲିଛି। ୨୦୨୦-୨୧ ଓ ୨୦୨୧-୨୨ରେ କେବଳ ଓଡ଼ିଶାର ବିଭିନ୍ନ ଶିକ୍ଷା ପ୍ରତିଷ୍ଠାନରେ ୬୦ଟି ରାଗିଂ ଘଟିଛି। ଉତ୍ତର ପ୍ରଦେଶରେ ୧୪୧, ବିହାରରେ ୬୮ ଓ ଓଡ଼ିଶାରେ ୬୦ଟି ଘଟିଥିବାବେଳେ ମଧ୍ୟପ୍ରଦେଶରେ ୫୦ଟି ଘଟିଛି। ୨୦୦୯ରୁ ରାଗିଂ ନିୟନ୍ତ୍ରଣ ପାଇଁ ୟୁଜିସି ରେଗୁଲେଶନ ଥିବା ସତ୍ତ୍ୱେ ଓଡ଼ିଶା ଦେଶର ରାଗିଂ ଟପ୍‌ ପାଞ୍ଚରେ ପହଞ୍ଚତ୍ଛି। ୨୦୦୯ରୁ ୨୦୨୨ ଭିତରେ ୬୦୨ଟି ରାଗିଂ ଘଟଣାରେ ମାମଲା ଦାଏର ହୋଇଛି। ଏହା ବ୍ୟତୀତ କାମ୍ପସରେ ନିର୍ଯାତନା ଓ ସେକ୍ସୁଆଲ ହାରାସ୍‌ମେଣ୍ଟ ଅଭିଯୋଗ ମଧ୍ୟ ରହୁଥିବା ସତ୍ତ୍ୱେ ଅନେକ ସମୟରେ ଅଭିଯୋଗ ବିଧିବଦ୍ଧ ଭାବେ ଦାଏର ହୋଇପାରୁନାହିଁ।
ରାଗିଂ ପାଇଁ ଅସମୟରେ ଚାଲିଗଲା ଆଉ ଏକ ଅମୂଲ୍ୟ ଜୀବନ। ଅନ୍ୟକୁ କଷ୍ଟ ଦେଇ ଖୁସି ଅନୁଭବ କରିବାର କୁତ୍ସିତ ମାନସିକତା ତଥା ରାଗିଂ ଆଉ ଜଣେ ଅଭିଭାବକଙ୍କ କୋଳଶୂନ୍ୟ କରିଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ ରାଗିଂ ରୋକିବାକୁ ୟୁଜିସି, ଏଆଇସିଟିଇ ଓ ଏନ୍‌ଏମ୍‌ସି ଭଳି ଜାତୀୟ ସ୍ତରର ପ୍ରତିଷ୍ଠାନ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏ ନେଇ ବାରମ୍ବାର ନିର୍ଦ୍ଦେଶନାମା ଓ ମାର୍ଗଦର୍ଶିକା ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଜାରି ହୋଇଛି। ଶିକ୍ଷାନୁଷ୍ଠାନରେ ରାଗିଂ କିପରି ରୋକାଯିବ, ଆଣ୍ଟି ରାଗିଂ ସେଲ୍‌ କିପରି ଗଠନ ହେବ, କେଉଁ କେଉଁ ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯିବ ଏ ନେଇ ୟୁଜିସି ପକ୍ଷରୁ ବିଭିନ୍ନ ସମୟରେ ମାର୍ଗଦର୍ଶିକା ପ୍ରକାଶ ପାଇଛି। ନିକଟରେ ମଧ୍ୟ ୟୁଜିସି ସମସ୍ତ ରାଜ୍ୟର ପ୍ରମୁଖ ଶାସନ ସଚିବଙ୍କୁ ଚିଠି ଲେଖି ରାଗିଂ ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ରାଜ୍ୟକୁ ରାଗିଂ ମୁକ୍ତ ଶିକ୍ଷାନୁଷ୍ଠାନ ଭାବେ ଗଠନ ପାଇଁ ଚିଠିରେ ଉଲ୍ଲେଖ କରିଥିଲେ। ହେଲେ ପରିତାପର ବିଷୟ ହେଉଛି ରାଜ୍ୟରେ ରାଗିଂ ରୋକାଯିବା ପରିବର୍ତ୍ତେ ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି। ଏଥିପାଇଁ ମେଧାବୀ ଛାତ୍ରୀଛାତ୍ରଙ୍କ ଜୀବନ ମଧ୍ୟ ଯାଉଛି। ଏପରି ସମ୍ବେଦନଶୀଳ ପ୍ରସଙ୍ଗ ପ୍ରତି ଶିକ୍ଷାନୁଷ୍ଠାଗୁଡ଼ିକ ବିଶେଷ ଧ୍ୟାନ ଦେବା ଆବଶ୍ୟକ ବୋଲି ଜନୈକ ପୂର୍ବତନ ୱାର୍ଡେନଙ୍କ କହିବାନୁଯାୟୀ ରାଗିଂ ସେଲ୍‌ଗୁଡ଼ିକ ସ୍ପାଏ (ଗୋଇନ୍ଦା) ଭଳି କାର୍ଯ୍ୟ କରିବା ଦରକାର। ହଷ୍ଟେଲ ଓ କାମ୍ପସ ପରିସରରେ ସିନିୟର ଓ ଜୁନିୟର ଛାତ୍ରୀଛାତ୍ରଙ୍କ ମଧ୍ୟରେ ସମ୍ପର୍କ କିପରି ରହୁଛି ତାହା ତଦାରଖ କରିବା ଦରକାର। ଖାଲି ସେଲ୍‌ ଗଠନ କରିଦେଲେ ରାଗିଂକୁ ରୋକିବା ସମ୍ଭବ ହେବନି। ଏଥିପାଇଁ ନବାଗତ ଓ ବରିଷ୍ଠ ଛାତ୍ରୀଛାତ୍ରଙ୍କ ସହିତ ନିୟମିତ କାଉନ୍‌ସେଲିଂ କରାଯିବା ଦରକାର। ଛୋଟ ଛୋଟ ଅଭିଯୋଗ ହେଲେ ମଧ୍ୟ ତାକୁ ଅଣଦେଖା ନ କରି ରାଗିଂ କରୁଥିବା ପିଲାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।
ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୨୯୪, ୩୨୩, ୩୨୪, ୩୨୫, ୩୨୬, ୩୩୯, ୩୪୦, ୩୪୧, ୩୪୨ ଓ ୫୦୬ରେ ଛାତ୍ରୀଛାତ୍ର ରାଗିଂ ବିରୋଧରେ ଅଭିଯୋଗ କରିପାରିବେ। ଏଥିସହିତ ଅଲ୍‌ ଇଣ୍ଡିଆ କାଉନ୍‌ସିଲ ଫର ଟେକ୍ନିକାଲ ଏଜୁକେଶନ ଓ ମେଡିକାଲ କାଉନ୍‌ସିଲ ଅଫ୍‌ ଇଣ୍ଡିଆ ମଧ୍ୟ ରାଗିଂ ରୋକିବାକୁ ନିଜର ସ୍ବତନ୍ତ୍ର ନୀତି କରିଛନ୍ତି। ବିଭିନ୍ନ ରାଜ୍ୟ ମଧ୍ୟ ରାଗିଂ ରୋକିବାକୁ ସ୍ବତନ୍ତ୍ର ଆଇନ ପ୍ରଣୟନ କରିଛନ୍ତି। ସେମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କର୍ନାଟକ, ଉତ୍ତରପ୍ରଦେଶ, ଚଣ୍ଡିଗଡ଼, ତ୍ରିପୁରା, ତାମିଲନାଡୁ, ଆସାମ, କେରଳ, ପଶ୍ଚିମବଙ୍ଗ, ଗୋଆ ଓ ଜମ୍ମୁ-କଶ୍ମୀର ଅନ୍ୟତମ। ଅନ୍ୟ ରାଜ୍ୟଗୁଡ଼ିକ କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ରାଗିଂ ବିରୋଧରେ ପଦକ୍ଷେପ ନେଉଛନ୍ତି। ବାର୍ଷିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀଛାତ୍ରଟିଏ ଅନେକ ସ୍ବପ୍ନ ନେଇ ଉପର ଶ୍ରେଣୀରେ ନାମ ଲେଖାଇଥାଏ। ମାତ୍ର ରାଗିଂ ସେହି ମେଧାବୀ ଛାତ୍ରୀ ବା ଛାତ୍ରଟିର ସ୍ବପ୍ନକୁ ଧୂଳିସାତ୍‌ କରିଦେଉଛି। ରାଗିଂ କବଳରେ ପଡ଼ି ଅନେକ ନିରୀହ ଛାତ୍ରୀଛାତ୍ରଙ୍କ ଜୀବନ ଯାଉଛି। ରାଗିଂ ସମ୍ପର୍କରେ ନୂଆ ନୂଆ କୌଶଳ ଆପଣେଇ ଛାତ୍ରୀଛାତ୍ର ନିଜ ସହପାଠୀ ବା କନିଷ୍ଠ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ଜୀବନ ନେଉଛନ୍ତି। ଏହି ଦୁଃଖଦ ଘଟଣା ଆମକୁ ଗୋଟିଏ କଥା ଶିକ୍ଷା ଦେଉଛି ଯେ, ରାଗିଂ ସାମୟିକ ବିକୃତିର ଫଳ। ଲାଜକୁଳା ସ୍ବଭାବର ପିଲାମାନଙ୍କୁ ଆଧୁନିକତାର ପାଠ ପଢ଼ାଇବାକୁ ଯାଇ ଉପର ଶ୍ରେଣୀର ଛାତ୍ରୀଛାତ୍ରମାନେ ରାଗିଂ ନାମରେ ଯେଉଁ ଅମାନବୀୟ, ଅଶ୍ଳୀଳ ଓ ଶରୀର ପ୍ରତି କ୍ଷତିକାରକ କାର୍ଯ୍ୟ କରିଥାନ୍ତି, ତାହା କେବଳ ଶିକ୍ଷାନୁଷ୍ଠାନର ପବିତ୍ରତାକୁ ନଷ୍ଟ କରେ ନାହିଁ, ବରଂ ଛାତ୍ରୀଛାତ୍ରଙ୍କୁ ଅନେକ କ୍ଷେତ୍ରରେ ଜୀବନ ଦେବାକୁ ପଡ଼ିଥାଏ। ରାଗିଂ କବଳରୁ ବର୍ତ୍ତି ଯାଇଥିବା ଅନେକ ଛାତ୍ରୀଛାତ୍ର ସାରା ଜୀବନ ମାନସିକ କ୍ଷତିର ଶିକାର ହୋଇ ବଞ୍ଚତ୍ଥାନ୍ତି। ଅନେକ କ୍ଷେତ୍ରରେ ରାଗିଂ ପାଇଁ ଛାତ୍ରୀଛାତ୍ର ପାଠପଢ଼ା ଛାଡ଼ିଥିବା ଘଟଣା ଦେଖାଯାଇଛି।
ସେହିପରି କେତେକ ଛାତ୍ର ସଂଗଠନର କହିବାନୁଯାୟୀ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ବରିଷ୍ଠ ଓ କନିଷ୍ଠ ଛାତ୍ରୀଛାତ୍ରଙ୍କ ହଷ୍ଟେଲ ଗୋଟିଏ ବିଲ୍ଡିଂ କିମ୍ବା ହତାରେ ହେବା ଉଚିତ ନୁହେଁ, ବରିଷ୍ଠମାନଙ୍କୁ କନିଷ୍ଠ ଛାତ୍ରୀଛାତ୍ରଙ୍କ ହଷ୍ଟେଲରେ କଟକଣା ଲଗାଯିବା ଦରକାର। ତେବେ ଆଣ୍ଟି ରାଗିଂ ସେଲ୍‌ ଠିକ୍‌ ଭାବେ କାର୍ଯ୍ୟ କରିବା ଓ ପିଲାଙ୍କୁ କାଉନ୍‌ସେଲିଂ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ସୂଚନାଯୋଗ୍ୟ ୨୦୦୮ରେ ରାଗିଂ ସମ୍ପର୍କିତ ମାମଲାରେ ଓଡ଼ିଶା ଦେଶର ଚତୁର୍ଥ ସର୍ବାଧିକ ରାଜ୍ୟ ଭାବେ ସ୍ଥାନ ପାଇଥିଲା। ୨୦୧୩ରୁ ୨୦୧୭ ଯାଏ ରାଜ୍ୟରେ ୨୦୭ଟି ରାଗିଂ ମାମଲା ଦାଏର ହୋଇଥିଲା। ଆଜି ସମଗ୍ର ଭାରତରେ ତୃତୀୟ ସ୍ଥାନରେ ରହିଛି ଓ ବିଗତ ଦୁଇ ବର୍ଷରେ ୬୦ଟି ଘଟଣା ଘଟିଛି। ୨୦୧୮ରେ ଓଡ଼ିଶାରେ ରାଗିଂ ରୋକିବାକୁ ଶିକ୍ଷା ବିଭାଗ ବିଶେଷ ଗୁରୁତ୍ୱ ଦେଇଥିଲା। ଆଣ୍ଟି ରାଗିଂ ସେଲ୍‌ଗୁଡ଼ିକର ସୁଦୃଢ଼ୀକରଣ ଓ ରାଗିଂ ସହ ସଂଶ୍ଲିଷ୍ଟ ଛାତ୍ରୀଛାତ୍ରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ବ୍ୟବସ୍ଥାରେ ଢିଲା ଯୋଗୁ ପୁଣି ରାଗିଂ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଆଣ୍ଟି ରାଗିଂ ସେଲ୍‌ ବାବଦରେ ଛାତ୍ରୀଛାତ୍ର ଅବଗତ ନ ଥିବାବେଳେ ଏହା କେବଳ ପୋଷ୍ଟରରେ ସୀମିତ ରହିଥିବା ପିଲାମାନେ ଅଭିଯୋଗ କରିଛନ୍ତି। ତେବେ ଏ ଦିଗରେ ସଚେତନତା ସୃଷ୍ଟି ସହ ରାଗିଂରେ ସଂଶ୍ଲିଷ୍ଟ ପିଲାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଗଲେ ଶିକ୍ଷାନୁଷ୍ଠାନ କାମ୍ପସରୁ ରାଗିଂ ରୋକାଯାଇ ପାରନ୍ତା। ଛାତ୍ର ଜୀବନର ପବିତ୍ରତାକୁ ଗୁରୁତ୍ୱ ଦେଇ ନିଜର ସ୍ବପ୍ନ, ଆଶା, ଅଭିଳାଷକୁ ପୂରଣ କରିବା ସହିତ ମାଆବାପାଙ୍କ ଆଶା, ଆକାଂକ୍ଷାକୁ ସଫଳ କରି ନିଜର ସୁନ୍ଦର ଭବିଷ୍ୟତ ଗଢ଼ିବାକୁ ଛାତ୍ରୀଛାତ୍ରମାନେ ନିଜ ଜୀବନର ବ୍ରତ କରନ୍ତୁ।
ବରିଷ୍ଠ ଆଇନଜୀବୀ, ଓଡ଼ିଶା ହାଇକୋର୍ଟ, କଟକ, ମୋ:୯୪୩୭୦୦୪୪୬୬


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?