କେନ୍ଦୁଝର,୨୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ଜାତୀୟ ରାଜପଥ କଡ଼ରେ ଥିବା ପାହାଡରୁ ମାଟି ଓ ପଥର ଅତଡ଼ା ଖସି ରାସ୍ତା ଅବରୋଧ ହେବା ସହ ଯାତାୟାତ ବ୍ୟାହତ ହେଉଛି। କେନ୍ଦୁଝରରୁ ଭଦ୍ରାସାହି ଦେଇ କୋଇଡା, ରାଉରକେଲା (ସୁନ୍ଦରଗଡ଼ ଜିଲା) ଯିବା ରାସ୍ତା ବନ୍ଦ ହୋଇ ଯାଇଥିବା ବେଳେ ବହୁ ସଂଖ୍ୟାରେ ଗାଡି ଅଟକି ରହିଛି। ଲଗାଣ ବର୍ଷାରେ ରଗୁଡ଼ି ଥାନା (ଯୋଡା ବ୍ଲକ) ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥ ବାରବାଙ୍କ ଘାଟି ରାସ୍ତା କଡ଼ରେ ଥିବା ପାହାଡ଼ରୁ ମାଟି ଅତଡ଼ା ଖସି ଗୋଟିଏ ପାଖ ରାସ୍ତା ବନ୍ଦ ହୋଇଥିବା ପୋଲିସ ବିଭାଗ ସୂଚନା ଦେଇଛି। ଘଟଣା ସ୍ଥଳରେ ପୋଲିସ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ପହଞ୍ଚି ରାସ୍ତାରୁ ମାଟି ଅତଡ଼ା ସଫେଇ କାମ କରିବା ସହ ଟ୍ରାଫିକ ନିୟନ୍ତ୍ରଣ କାମରେ ଲାଗିଛନ୍ତି। କେନ୍ଦୁଝର ପୋଲିସ ଏନେଇ ସୂଚନା ଦେଇ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି। ଫଳରେ କୋଇଡା ଓ ବଡ଼ବିଲ ଖଣି ଅଞ୍ଚଳରୁ ଲୁହା ପଥର ପରିବହନ ସହିତ ଯାତ୍ରୀ ଯାତାୟାତ ବ୍ୟାହତ ହୋଇଛି।

