ସୁପ୍ତ ଅବସ୍ଥାରେ ୩ ଦଳର ଯୁବ ସଙ୍ଗଠନ

ଭୁବନେଶ୍ୱର, ୨୫।୯ (ସୁନିତ୍‌ ମିଶ୍ର):ଆସନ୍ତା ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜ୍ୟରେ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସର ଯୁବ ସଙ୍ଗଠନ ଏକପ୍ରକାର ନିଷ୍କ୍ରିୟ ହୋଇ ରହିଛନ୍ତି, ଯଦ୍ଦ୍ବାରା ଯୁବ ନେତୃତ୍ୱକୁ ଆଗକୁ ଯିବା ଲାଗି ସେତେଟା ସୁଯୋଗ ମିଳୁ ନ ଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି। କଂଗ୍ରେସର ଯୁବ ସଭାପତି ପଦ ଲାଗି ନିର୍ବାଚନ ସରିଥିଲେ ବି ବିଧିବଦ୍ଧ ଭାବେ ତାହା ଘୋଷଣା କରାଯାଉ ନାହିଁ। ଭାଜପା ଯୁବମୋର୍ଚ୍ଚାରେ ଯୁବ ସଭାପତି ପଦ ଲାଗି ନେତା ବଛା ସରିଥିଲେ ମଧ୍ୟ ତାଙ୍କ ନେତୃତ୍ୱରେ ଗଠନ ହେବାକୁ ଥିବା କମିଟି ଏ ପର୍ଯ୍ୟନ୍ତ ହୋଇପାରୁ ନାହିଁ। ସେହିପରି ଶାସକ ଦଳର ଯୁବ ଟିମ୍‌ କେବେଠାରୁ ଗଠନ ହୋଇସାରିଛି। ହେଲେ ଶାସକ ଦଳ ଯୁବ ସଙ୍ଗଠନର କୌଣସି ସେପରି ଆଖିଦୃଶିଆ କାର୍ଯ୍ୟକ୍ରମ ଦୀର୍ଘଦିନ ହେଲା ଦେଖିବାକୁ ମିଳୁନାହିଁ। ଫଳରେ ଯେଉଁ ପରିମାଣରେ ଯୁବଗୋଷ୍ଠୀ ରାଜନୀତିରେ ସାମିଲ ହେବାକୁ ଆଗେଇ ଆସିବା କଥା ସେହି ସଂଖ୍ୟା କମୁଥିବା କୁହାଯାଉଛି।
ବିଗତ ଦିନରେ ରାଜ୍ୟରେ ଯୁବ କଂଗ୍ରେସର ସଙ୍ଗଠନ ଅନ୍ୟ ରାଜନୈତିକ ଦଳ ତୁଳନାରେ ସୁଦୃଢ଼ ଥିଲା। ଯୁବ କଂଗ୍ରେସରେ ଯୋଗଦେବା ଲାଗି ଗୋଟେ ସମୟରେ ବହୁ ଯୁବତୀ, ଯୁବକ ଆଗ୍ରହ ପ୍ରକାଶ କରି ଆଗେଇ ଆସୁଥିଲେ। କହିବାକୁ ଗଲେ କଂଗ୍ରେସର ଯୁବ ସଙ୍ଗଠନ ଯୋଗୁ ଦଳ ରାଜ୍ୟରେ ଏକପ୍ରକାର ପ୍ରଭାବ ବିସ୍ତାର କରିବାରେ ସଫଳ ହେଉଥିଲା। ହେଲେ ଏବେ ଆଉ ସେ ସମୟ ନାହିଁ। ଯୁବ କଂଗ୍ରେସ ଏକପ୍ରକାର ଦୁର୍ବଳ ହୋଇପଡ଼ିଛି। ରାଜ୍ୟରେ କିଛି ମାସ ପୂର୍ବରୁ ଯୁବ କଂଗ୍ରେସ ସଭାପତି ପଦ ଲାଗି ଭୋଟ୍‌ ହୋଇଥିଲା। ଏଥିରେ ଭୁବନେଶ୍ୱର ଜିଲା ଯୁବ କଂଗ୍ରେସ ସଭାପତି ଥିବା ରଞ୍ଜିତ ପାତ୍ର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସାଗର ଦାସଙ୍କଠାରୁ ବିଜୟୀ ହୋଇଛନ୍ତି। ସାଗର ଦାସ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସଙ୍କ ପୁଅ। ଗତ ଜୁଲାଇ ୨୫ରୁ ଯୁବ କଂଗ୍ରେସର ଓ୍ବେବସାଇଟ୍‌ରେ ଫଳାଫଳ ପ୍ରକାଶ ପାଇଥିଲା। ହେଲେ ଏ ପର୍ଯ୍ୟନ୍ତ ରଞ୍ଜିତ ସଭାପତି ହେବା ନେଇ ଇଣ୍ଡିଆନ ୟୁଥ୍‌ କଂଗ୍ରେସ(ଆଇଓ୍ବାଇସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଫଳରେ ଯୁବ କଂଗ୍ରେସର କୌଣସି କାର୍ଯ୍ୟକ୍ରମ ମଧ୍ୟ ଏ ପର୍ଯ୍ୟନ୍ତ ହୋଇପାରୁ ନାହିଁ। ଏନେଇ ରଞ୍ଜିତଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଆସନ୍ତା ଗୋଟେ ସପ୍ତାହ ଭିତରେ ଘୋଷଣା ହୋଇଯିବ। ଯୁବ କଂଗ୍ରେସ ଇନ୍‌ଚାର୍ଜ ଯିଏ ଅଛନ୍ତି ତାଙ୍କ ମା’ଙ୍କ ଦେହ ଅସୁସ୍ଥ ଥିବାରୁ ଏଥିରେ ବିଳମ୍ବ ହେଉଛି। ତେବେ ନିର୍ବାଚନକୁ କମ୍‌ ଦିନ ଥିଲେ ମଧ୍ୟ ସଭାପତି ପଦ ଘୋଷଣା ହେବା ପରେ ସେ ରାଜ୍ୟବ୍ୟାପୀ କାମ କରିବାକୁ ସମୟ ପାଇବେ ବୋଲି କହିଛନ୍ତି।
ସେହିପରି ଭାଜପାର ଏସ୍‌ସି, ଏସ୍‌ଟି, ଓବିସି, କୃଷକ ଏବଂ ମହିଳା ମୋର୍ଚ୍ଚା ନିଜ ନିଜର କମିଟି ଘୋଷଣା କରିସାରିଲେଣି। ଯୁବମୋର୍ଚ୍ଚା ସଭାପତି ଭାବେ ଗତ ଅଗଷ୍ଟ ୪ରେ ଅଭିଳାଷ ପଣ୍ଡାଙ୍କୁ ଦାୟିତ୍ୱ ମିଳିଛି। ହେଲେ ଯୁବମୋର୍ଚ୍ଚାର ଯେଉଁ ରାଜ୍ୟ କମିଟି ଗଠନ ହେବା କଥା ତାହା ଏ ପର୍ଯ୍ୟନ୍ତ ହୋଇପାରି ନାହିଁ। ରାଜ୍ୟ କମିଟି ଲାଗି ତାଲିକା ମଧ୍ୟ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇପାରିନି। ଯେଉଁଥିଲାଗି ଯୁବମୋର୍ଚ୍ଚା ତା’ର କାର୍ଯ୍ୟକ୍ରମ କରିବାରେ ଏକପ୍ରକାର ବିଫଳ ହେଉଛି। ଦଳର ଏକାଧିକ ଶୀର୍ଷ ନେତାଙ୍କ ମାତ୍ରାଧିକ ହସ୍ତକ୍ଷେପ ଏବଂ ମତଭେଦ ଯୋଗୁ କମିଟି ଗଠନ ସମ୍ଭବ ହୋଇପାରୁ ନ ଥିବା ଚର୍ଚ୍ଚା ହେଉଛି। ମନମୋହନ ସାମଲ ଭାଜପା ରାଜ୍ୟ ସଭାପତି ଭାବେ ଦାୟିତ୍ୱ ନେବା ପରେ ମଧ୍ୟ କମିଟି ଗଠନ କରିବାରେ ବିଳମ୍ବ ହୋଇଥିଲା। ସେ ଦୁଇ ଥର କମିଟି ତାଲିକା ପ୍ରସ୍ତୁତ କରି ଦିଲ୍ଲୀ ଯିବା ସତ୍ତ୍ୱେ ତାହା ଗ୍ରହଣ ହୋଇପାରୁ ନ ଥିଲା। ଏହା ପଛରେ ମଧ୍ୟ ସେମାନଙ୍କ ଦଳର ଶୀର୍ଷ ନେତାମାନଙ୍କ ଭିତରେ ଚାଲିଥିବା ମତଭେଦ ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହୋଇଥିଲା। ତେବେ ଏନେଇ ଅଭିଳାଷଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, କମିଟି ଏକ ଦଳୀୟ ପଦ୍ଧତିରେ ଗଠନ ହୋଇଥାଏ। କମିଟି ଗଠନରେ ବିଳମ୍ବ ହେଉଛି, ହେଲେ ମିଳିତ ନିଷ୍ପତ୍ତିରେ ଖୁବଶୀଘ୍ର ଏହା ଶେଷ ହୋଇଯିବ ବୋଲି ସେ କହିଛନ୍ତି।
ଶାସକ ବିଜେଡି ୨୦୧୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ବିଜୁ ଯୁବ ଜନତା ଦଳର କର୍ମୀଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରୁଥିଲା। କେନ୍ଦ୍ର ବିରୋଧରେ ଏକାଧିକବାର ଗ୍ୟାସ୍‌, ପେଟ୍ରୋଲ, ଡିଜେଲଠାରୁ ଆରମ୍ଭକରି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ପ୍ରସଙ୍ଗରେ ବିଜୁ ଯୁବ ଜନତା ଦଳ ରାସ୍ତାକୁ ଓହ୍ଲାଇବା ସହ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ କରୁଥିଲା। ପରବର୍ତ୍ତୀ ସମୟରେ ଯୁବକମାନଙ୍କୁ ଦଳର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସାମିଲ କରାଯାଉଥିବା ଲକ୍ଷ୍ୟ କରାଯାଉଥିଲା। ହେଲେ ଦଳର ସେହି ଧାରାରେ ଏକପ୍ରକାର ବ୍ରେକ୍‌ ଲାଗିଛି ବୋଲି ଶାସକ ଦଳର ବହୁ ଯୁବଗୋଷ୍ଠୀ ଏବେ କହିବା ଆରମ୍ଭ କରିଛନ୍ତି। ଦଳର ଯୁବ କମିଟି ଗଠନ ହୋଇସାରିଥିଲେ ସୁଦ୍ଧା ସେମାନଙ୍କର ସେପରି କିଛି ଆଖିଦୃଶିଆ କାର୍ଯ୍ୟକ୍ରମ ଦେଖିବାକୁ ମିଳୁନାହିଁ। ଏନେଇ ଯୁବ ବିଜେଡି ସଭାପତି ବ୍ୟମୋକେଶ ରାୟ କହିଛନ୍ତି, ପୂର୍ବରୁ ଯେଉଁ କାର୍ଯ୍ୟକ୍ରମ ହେଉଥିଲା ସେଥିରେ ଜିଲାକୁ ଗୌଣ କରାଯାଉଥିଲା। ପ୍ରଥମ ଥର ଦଳ ଓ୍ବାର୍ଡଠାରୁ ଆରମ୍ଭକରି ପଞ୍ଚାୟତ ପର୍ଯ୍ୟନ୍ତ ବିଜୁ ଯୁବ ଜନତା ଦଳକୁ ସୁଦୃଢ଼ କରିଛି। ଜିଲାରେ ନେତୃତ୍ୱ ସମାବେଶ ସଫଳ ହୋଇଥିଲା। ପୂର୍ବରୁ ଏତେ ତଳସ୍ତରରୁ କେହି ସଙ୍ଗଠନକୁ ସଜାଡ଼ି ନ ଥିଲେ। ରାଜ୍ୟସ୍ତରରେ ବଡ଼ କାର୍ଯ୍ୟକ୍ରମ କରିଦେଇ ରହିଯାଉଥିଲେ। ଦଳର ଆଭିମୁଖ୍ୟକୁ ଦେଖି କାର୍ଯ୍ୟକ୍ରମ ଚାଲିଛି। ମୁଖ୍ୟମନ୍ତ୍ରୀ ବଡ଼ କାର୍ଯ୍ୟକ୍ରମ ନ କରି ତଳସ୍ତରରେ ଛୋଟ ଛୋଟ କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଧାନସଭା ସରିଲେ ପଞ୍ଚାୟତସ୍ତରର ସଭାପତିମାନଙ୍କୁ ନେଇ ଜିଲା ସଦର ମହକୁମାରେ ବିଭିନ୍ନ କାର୍ଯ୍ୟକ୍ରମ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?