Advertisement

ଦିବ୍ୟ ଗଣିତ

ବହୁ ସମୟରେ ଲୋକେ ଶୂନକୁ ନେଇ ପ୍ରଶ୍ନ ଉଠାନ୍ତି। ସେମାନେ କହନ୍ତି ଯେ, ଯଦି ଆର୍ଯ୍ୟଭଟ୍ଟ ଶୂନ ଆବିଷ୍କାର କରିଥିଲେ, ତେବେ ତାଙ୍କ ପୂର୍ବରୁ ରାମାୟଣ ଓ ମହାଭାରତ ଯୁଗରେ ଲୋକେ କିଭଳି ରାବଣର ୧୦ ମୁଣ୍ଡ ଓ ଗାନ୍ଧାରୀଙ୍କର ୧୦୦ ମୁଣ୍ଡ ଥିଲା ବୋଲି ଗଣନା କରିପାରୁଥିଲେ। ଶୂନ ଆବିଷ୍କାର ହେବା ପୂର୍ବରୁ ନମ୍ବର ସିଷ୍ଟମ (ଅଙ୍କ କିମ୍ବା ଅନ୍ୟ ସଙ୍କେତ ବ୍ୟବହାର କରି ସଂଖ୍ୟାକୁ ପ୍ରତିପାଦିତ କରିବାର ପଦ୍ଧତି)କୁ ବୁଝି ନ ପାରିବା ହିଁ ଲୋକମାନଙ୍କର ଏକ ପ୍ରକାର ବୋକାମି। ଉଦାହରଣ ସ୍ବରୂପ, ରୋମାନ ସଂଖ୍ୟା ପଦ୍ଧତିରେ ୧୦କୁ x (ଏକ୍ସ) ଏବଂ ୧୦୦କୁ C (ସି) ବୋଲି ଲେଖାଯାଇପାରିବ। ପୁରାତନ ବ୍ରାହ୍ମୀଲିପିିରେ ସଂଖ୍ୟାଗୁଡ଼ିକ ଲାଗି ୧ରୁ ୯ ପର୍ଯ୍ୟନ୍ତ ସଂଖ୍ୟାର ସାଂଖିକ ସଙ୍କେତ ରହିଥିଲା। ଏହାବ୍ୟତୀତ ସେ ସମୟରେ ୧୦, ୨୦, ୩୦ ଏପରି କି ୧୦୦ ଓ ୧୦୦୦ର ସଙ୍କେତ ମଧ୍ୟ ଥିଲା। ଏଣୁ ଏସବୁ ସଙ୍କେତ ବ୍ୟବହାର କରି ତୁମେ ସହଜରେ ବିନା ଶୂନରେ ସଂଖ୍ୟାସବୁ ଲେଖିପାରିବ। କିନ୍ତୁ ବ୍ରାହ୍ମୀଲିପିର ସାଂଖିକ ସଙ୍କେତଗୁଡ଼ିକ ହେଉଛି ଜଟିଳ ଓ ମନ୍ଥର ପଦ୍ଧତି; ଯାହା କେବଳ ଲେଖିବା ପାଇଁ ଉଦ୍ଦିଷ୍ଟ, କିନ୍ତୁ ଭଲ ଭାବେ ଗଣନା ଲାଗି ସକ୍ଷମ ନ ଥିଲା।
ପ୍ରାୟ ୧୫୦୦ ବର୍ଷ ପୂର୍ବେ ଭାରତରେ ଶୂନ ଆବିଷ୍କାର ହୋଇଥିଲା। ଏହାର ଶ୍ରେୟ ଆର୍ଯ୍ୟଭଟ୍ଟ ଓ ବ୍ରହ୍ମଗୁପ୍ତଙ୍କର,ଏପରି କି ଶ୍ରୀଧରାଚାର୍ଯ୍ୟଙ୍କର ଯିଏ ଶୂନକୁ ସ୍ଥାନୀୟ ଅଙ୍କ ଭାବେ ବ୍ୟବହାର କରିଥିଲେ। ଫଳରେ ୧-୯ ସଂଖ୍ୟା ସହ ଶୂନ ଯୋଡ଼ି ଯେ କୌଣସି ସଂଖ୍ୟା ଲେଖାଯାଇପାରିଲା। ଏହି ପଦ୍ଧତି ଆରବ ଦେଇ ୟୁରୋପରେ ପହଞ୍ଚିଲା; ଯାହାକୁ କୁହାଯାଏ ହିନ୍ଦୁ ଆରବିକ୍‌ ଅଙ୍କ ପଦ୍ଧତି। ଏହି ନୂତନ ଓ ସୁବିଧାଜନକ ପଦ୍ଧତିକୁ ବ୍ୟବସାୟୀମାନେ ଭୀଷଣ ବିରୋଧ କରିଥିଲେ। ପୁରୁଣାକାଳିଆ ଗଣନ ଢାଞ୍ଚାକୁ ଏହି ପଦ୍ଧତି ପ୍ରତିପାଦିତ କରେ ବୋଲି ଗଣିିତଜ୍ଞ ଫିବୋନାସି ଦର୍ଶାଇବା ପରେ ବିରୋଧ ଥମିଥିଲା। ତ୍ରୟୋଦଶ ଶତାବ୍ଦୀରେ ଡେସିମାଲ ସିଷ୍ଟମ(ଦଶମିକ ପଦ୍ଧତି) ବ୍ୟାପକ ପ୍ରସାର ଲାଭ କରିଥିଲା। ଶୂନ ଆବିଷ୍କାରର ଅତି କମ୍‌ରେ ୧୦୦୦ ବର୍ଷ ପରେ ଏହା ଘଟିଥିଲା। ତେବେ ୟୁରୋପୀୟ ଦେଶଗୁଡ଼ିକ ସେମାନଙ୍କ ପଦ୍ଧତିକୁ ବଦଳାଇବା ଲାଗି କାହିଁକି ଅଧିକ ବର୍ଷ ଲାଗିଥିଲା? ଏହା ସେତେବେଳର ଖ୍ରୀଷ୍ଟିଆନମାନଙ୍କ ମଧ୍ୟରେ ରହିଥିବା ଦୃଢ ଦର୍ଶନ ଏବଂ ପୌରାଣିକ ବିଶ୍ୱାସ ଯୋଗୁ ହୋଇଛି।
ରୋମ୍‌ ସାମ୍ରାଜ୍ୟରେ ଖ୍ରୀଷ୍ଟଧର୍ମ ବେଶ୍‌ ଲୋକପ୍ରିୟ ହୋଇଥିଲେ ମଧ୍ୟ ଏଥିରେ ଅନେକ ଗ୍ରୀକ୍‌ ବିଚାରଧାରା ରହିଥିଲା। ଗ୍ରୀକ୍‌ର ଅଧିବାସୀମାନେ ବିଶ୍ୱ ସସୀମ ଓ ପୂର୍ବାନୁମେୟ (ଏହାର ଭବିଷ୍ୟତ କଥା କହିହେବ) ବୋଲି ବିଚାର କରୁଥିଲେ। ବିଶ୍ୱ ମଧ୍ୟ ଈଶ୍ୱରଙ୍କ ନିୟନ୍ତ୍ରିତ ବୋଲି ସେମାନଙ୍କର ବିଶ୍ୱାସ ଥିଲା। ସେମାନେ ଅସୀମ କିମ୍ବା ଶୂନ ଅବଧାରଣା ଉପରେ ବିଶ୍ୱାସ କରୁ ନ ଥିଲେ। ସେମାନଙ୍କ ବିଶ୍ୱାସ ରହିଥିଲା ଏକ ପୂର୍ବାନୁମେୟ ଓ କ୍ରିୟାବିଧିକ ବିଶ୍ୱ ଦୃଷ୍ଟିକୋଣ ଉପରେ। ସେମାନଙ୍କ ଭଳି ହିନ୍ଦୁମାନେ ବିଶ୍ୱାସ ରଖୁ ନ ଥିଲେ। ହିନ୍ଦୁମାନେ ସମ୍ପୂର୍ଣ୍ଣ ଅନିଶ୍ଚିତ ଅସୀମ ବିଶ୍ୱର ବିଶ୍ୱାସୀ ଥିଲେ। ଗ୍ରୀକମାନଙ୍କ ପୂର୍ବାନୁମେୟ ଧାରଣାର ପ୍ରମାଣ ବାଇବେଲରୁ ମିଳେ। ବାଇବେଲ କହେ, ତୁମେ ଯେମିତି ବିହନ ବୁଣିବ ସେମିତି ଅମଳ କରିବ;ଯାହା ପୂର୍ବାନୁମେୟ ଯୋଗ୍ୟ ବିଚାରକୁ ସିଦ୍ଧ କରେ। ଅନ୍ୟପକ୍ଷରେ ଗୀତା କହେ, କର୍ମ ଉପରେ ଧ୍ୟାନ ଦିଅ, ଫଳପ୍ରାପ୍ତି ଉପରେ ନୁହେଁ; ଯାହା ଏକ ଅନିଶ୍ଚିତତାକୁ ସୂଚିତ କରେ। ବୌଦ୍ଧ ଧର୍ମାବଲମ୍ବୀମାନଙ୍କ ମଧ୍ୟରେ ଶୂନ୍ୟ କିମ୍ବା ଅସ୍ତିତ୍ୱହୀନ ଧାରଣା ଦୃୃଢ ରହିଥିଲା। ହିନ୍ଦୁମାନେ ଈଶ୍ୱରଙ୍କୁ ଅନନ୍ତ କିମ୍ବା ଅସୀମ ବୋଲି କଳ୍ପନା କରୁଥିଲାବେଳେ ଖ୍ରୀଷ୍ଟିଆନମାନଙ୍କ ମତରେ ସମୟ (କାଳ)ର ଆରମ୍ଭ ଓ ଶେଷ ରହିଛି। ଜୈନ, ବୁଦ୍ଧ ଏବଂ ହିନ୍ଦୁ ସମୁଦାୟ ଈଶ୍ୱରଙ୍କୁ ଅନାଦି (ଯାହାର ଆରମ୍ଭ ନାହିଁ) ଓ ଅନନ୍ତ (ଯାହାର ଶେଷ ନାହିଁ) ବୋଲି ବିଶ୍ୱାସ କରିଥାନ୍ତି; ଯାହା ଏକ ସୀମାହୀନ ସଂଖ୍ୟା ରେଖାକୁ ପ୍ରତୀତ କରିଥାଏ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଶକ୍ତିଶାଳୀ ଗାଣିତିକ ଭାଗକ୍ରିୟା ଧାରଣା ଭାରତରୁ ବାହାରକୁ ପ୍ରସାରିତ ହୋଇଥିଲା। ବହୁ ସମୟରେ ନିୟମିତ ଜୀବନରେ ମନେକରୁ ଯେ ଆମେ ଜନ୍ମ ନେଇ ଥରେ ମାତ୍ର ବଞ୍ଚିବୁ କିମ୍ବା ଆମେ ହିଁ କେବଳ ଜଣେ ଅଛୁ। କିନ୍ତୁ ବାସ୍ତବତା ହେଉଛି, ସଂଖ୍ୟାଗୁଡ଼ିକର ଭାଜକ ଥିଲା ଭଳି ସମୟଚକ୍ରରେ ଆମ ଜୀବନ ବିଭାଜିତ, ଅର୍ଥାତ୍‌ ଆମେ ଜୀବନରେ ବାରମ୍ବାର ଜନ୍ମ ନେଇଚାଲିଛୁ। ଆମେ ଅନେକ ଜୀବନ ଜିଇଥାଉ ଓ ସେତେବେଳେ ଅନେକ ଅଭିଜ୍ଞତାକୁ ଅନୁଭବ କରିଥାଉ। ଆମେ କେବେ କି ଏକୁଟିଆ ରହି ନ ଥାଉ। ସବୁବେଳେ ଆମେ ଯେକୌଣସି ସମ୍ପର୍କ, ଗୋଷ୍ଠୀ କିମ୍ବା ଜାତିର ଅଂଶ ଭାବେ ରହିଥାଉ। ବିଭାଜ୍ୟ ସଂଖ୍ୟାକୁ ଭାଗ କଲାପରେ ଯେଭଳି ତା’ର ମୂଲ୍ୟ ଆସେ ଠିକ୍‌ ସେହିଭଳି ଆମ ବିଭାଜିତ ଜୀବନର କାର୍ଯ୍ୟ ହିଁ ଆମ ଜୀବନର ମୂଲ୍ୟ। ଏକ ସୀମାହୀନ ଜନସମୂହରେ ଜୀବନର ବିଭାଜନ ଅସୀମ ହୋଇଥିବାରୁ ଅର୍ଥାତ୍‌ ବାରମ୍ବାର ପୁନର୍ଜନ୍ମ ଲାଭ କରିଥିବାରୁ ଆମ ଜୀବନର ମୂଲ୍ୟ କିଛି ନୁହେଁ।
ସଂଖ୍ୟାଗୁଡ଼ିକ ଜୀବନ ଦର୍ଶନ ସହ ସମ୍ପର୍କିତ। ଯଦି ତୁମେ କେବଳ ଗୋଟିଏ ଜୀବନ ଜିଇବ ତା’ହେଲେ ତୁମର ଭାଜକ କେବଳ ୧ ହେବ ଏବଂ ସେହି ଜୀବନରେ ତୁମ ସଫଳତାଗୁଡ଼ିକର ମୋଟ ରାଶିକୁ ତୁମ ଜୀବନର ମୂଲ୍ୟ ବୋଲି କୁହାଯିବ। ଯଦି ପୁନର୍ଜନ୍ମ ଚକ୍ରରେ ବାରମ୍ବାର ଜନ୍ମ ନେଇ ଅସୀମ ଜୀବନ ଜିଇବ, ତେବେ ତୁମ ଜୀବନ ଅଗଣିତ ଥର ବିଭାଜିତ ହୋଇ ତୁମେ ଯାହା କରିଥିଲେ ମଧ୍ୟ ଜୀବନର ମୂଲ୍ୟ କମି ଶୂନ ହୋଇଯିବ। ଏଣୁ ଏଇ ଜନ୍ମ ମୂଲ୍ୟବାନ୍‌। ଅଧିକରୁ ଅଧିକ ଲୋକଙ୍କୁ ପ୍ରଭାବିତ କରି ଆମ ଜୀବନର ମୂଲ୍ୟ ବୃଦ୍ଧି କରିପାରିବା। ଯଦି ଆମେ ଅଗଣିତ ଲୋକଙ୍କୁ କାମରେ ପ୍ରଭାବିତ କରିପାରିବା, ତେବେ ଆମେ ଦିବ୍ୟ ତଥା ଅସୀମ ହୋଇଯିବା ଓ ପରେ ଅସୀମରେ ମିଶିଯିବା। ଅସୀମ (ଅନନ୍ତ)ରୁ ଅସୀମର ଜନ୍ମ ବୋଲି ବେଦର ଶ୍ଳୋକରେ କୁହାଯାଇଛି- ପୂର୍ଣ୍ଣମିଦ ପୂର୍ଣ୍ଣମିଦଂ.. ଯାହା ଅନନ୍ତ ବିଶ୍ୱକୁ ସୂଚିତ କରିଛି।
ତନ୍ତ୍ରରେ ଦେବୀମାତାଙ୍କୁ କଳ୍ପିତ କରାଯାଇଛି। ଏହି ଦେବୀମାନଙ୍କର ଅକ୍ଷରବର୍ଣ୍ଣ ସହ ସମ୍ପର୍କ ରହିଛି। ସଂଖ୍ୟାଗୁଡ଼ିକର ଭାଜକ ରହିଥିବା ଭଳି ଶବ୍ଦ କିମ୍ବା କଥିତ ଶବ୍ଦଗୁଡ଼ିକର ସ୍ବରବର୍ଣ୍ଣ ବିଭାଜିତ ହୋଇ ଜୀବନ୍ତ ବର୍ଣ୍ଣମାଳା ସୃଷ୍ଟି କରିଥାଏ। ଚିରନ୍ତନ ବା ଦିବ୍ୟ ଶବ୍ଦଗୁଡ଼ିକ ବାସ୍ତବରେ ଅଦୃଶ୍ୟ। ଏହି ଅଦୃଶ୍ୟ ଶବ୍ଦଗୁଡ଼ିକ ଏକ ସ୍ବର ବା ମନ୍ତ୍ର ଆକାରରେ ଶୁଣିବାକୁ ମିଳିଲେ ତାହାକୁ ଦୃଶ୍ୟ ଦୈବୀ ଶକ୍ତି ବୋଲି କୁହାଯିବ। ଶକ୍ତିରୁ ଉଦ୍ଭବ ଦେବୀ ମା’ ଶବ (ମୃତକ)କୁ ଶିବ (ଦିବ୍ୟତା)ରେ ରୂପାନ୍ତର କରିଥାନ୍ତି। ସେହିଭଳି କୌଣସି ଏକ ବର୍ଣ୍ଣକୁ ଏକ ସ୍ବର ଦେଲେ ଶବ୍ଦ ସଜୀବ ତଥା ଆନନ୍ଦଦାୟକ ତଥା ମୂଲ୍ୟବାନ ହୋଇଯାଏ। ଠିକ୍‌ ସେହିଭଳି ତୁମେ ଏକ ସଂଖ୍ୟାର ଭାଜକକୁ ବିଚାର କଲେ ତା’ର ବାସ୍ତବ ମୂଲ୍ୟ ଅନୁଭବ କରିପାରିବ। ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ ବି ରହିଛି ଏକ ପୂର୍ବପର ସମ୍ବନ୍ଧ। ଏଣୁ ଜୀବନର ଆରମ୍ଭ କିମ୍ବା ଶେଷ ନାହିଁ। ଜୀବନ କେବଳ ଅସୀମରୁ ଅସୀମ ପର୍ଯ୍ୟନ୍ତ ଲମ୍ବିଥିବା ଏକ ସଂଖ୍ୟା ରେଖା। ଏହି ଦିବ୍ୟ ଗଣିତକୁ ଉପଲବ୍ଧି କଲେ ଜୀବନର ମୂଲ୍ୟ ବୁଝିହେବ।

– ଦେବଦତ୍ତ ପଟ୍ଟନାୟକ
devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବାଟବଣା ଉଚ୍ଚଶିକ୍ଷା

ଡ. ସୁବାସ ଚନ୍ଦ୍ର ପାତ୍ର ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ତା’ର ସାମ୍ବିଧାନିକ ଦାୟିତ୍ୱ ଭୁଲି ଏବେ ଭିନ୍ନ ଭିନ୍ନ କଥାରେ ନାକ ପୂରେଇବା ଯୋଗୁ...

ମହାମାରୀରେ ବୟୋଜ୍ୟେଷ୍ଠଙ୍କ ଦାୟିତ୍ୱ

ସହଦେବ ସାହୁ ଆମକୁ ଶାସନ କରୁଥିବା ନେତାମାନେ ସମସ୍ତେ ବୟୋଜ୍ୟେଷ୍ଠ। ବୟୋଜ୍ୟେଷ୍ଠମାନେ ଧର୍ମଭୀରୁ ହୋଇଥାଆନ୍ତି। ଭୋଟରମାନଙ୍କ ଧର୍ମବିଶ୍ୱାସକୁ ଖୋରାକ ଯୋଗାଇ ପାରିଲେ ଭୋଟ ପାଇବା ସହଜ...

Dillip Cherian

ଚାହିଁ ବସିଛନ୍ତି ଅର୍ଥମନ୍ତ୍ରୀ

ଭବିଷ୍ୟତକୁ ଚାହିଁ ମୋଦି ସରକାର କିଛି ନୂଆ ଚିନ୍ତା କରିବାକୁ ସକ୍ଷମ ବୋଲି ଜଣାଇ ଦେବାକୁ ଚାହାନ୍ତି। ନିକଟରେ ଅର୍ଥ ମନ୍ତ୍ରଣାଳୟ ଆର୍ଥିକ ପରାମର୍ଶଦାତାଙ୍କ ଭୂମିକାରେ...

ଚାପମୁକ୍ତ ଶିକ୍ଷା ବ୍ୟବସ୍ଥା

ମମତା ଶୁକ୍ଳା ପିଲାଙ୍କ ଉପରୁ ପାଠବୋଝ କମାଇବାକୁ ଓ ପିଲାଙ୍କୁ ଚାପମୁକ୍ତ କରିବାକୁ ଶିକ୍ଷାପ୍ରଣାଳୀରେ ସଂସ୍କାରମୂଳକ ପ୍ରୟୋଗମାନ କରାଯାଉଛି। ଶୈକ୍ଷିକ ଅନୁଷ୍ଠାନର ପରୀକ୍ଷାକୁ ଜୀବନର ଅନ୍ତିମ...

କରୋନା ଓ ଦିବ୍ୟାଙ୍ଗ ଶିଶୁ

ନାରାୟଣ ଚନ୍ଦ୍ର ବିଶ୍ୱାଳ   କରୋନା ମହାମାରୀ ପିଲାମାନଙ୍କ ପାଇଁ ଅଧିକ ଯନ୍ତ୍ରଣାଦାୟକ ହୋଇଛି । କାରଣ ଶିଶୁମାନଙ୍କ ମାନସିକ, ଶାରୀରିକ, ବୌଦ୍ଧିକ ଓ ମନସ୍ତାତ୍ତ୍ୱିକ...

ଶିକ୍ଷା ଓ ଶିକ୍ଷଣର ମନ୍ତ୍ର: ସୃଜନଶୀଳତା

ବର୍ତ୍ତମାନର ଆହ୍ବାନ ଡିଜିଟାଲ ଇଣ୍ଡିଆ। ସହରଠୁ ଗାଁ ପର୍ଯ୍ୟନ୍ତ ଚାରିଆଡେ ସ୍ମାର୍ଟ ଫୋନ୍‌ ଆଦି ଇଲେକ୍‌ଟ୍ରୋନିକ ପଦାର୍ଥର ବହୁଳ ବ୍ୟବହାର। ଅଳ୍ପବହୁତେ ସମସ୍ତେ ହ୍ବାଟ୍‌ସଆପ, ଫେସବୁକ୍‌...

ଉତ୍ପାତ ହୁଅନାହିଁ

ରିପବ୍ଲିକ୍‌ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ଅନ୍ତରୀଣ ଜାମିନ ଆବେଦନକୁ ୯ ନଭେମ୍ବରରେ ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି। ୨୦୧୮ରେ ଇଣ୍ଟେରିୟର ଡିଜାଇନର ଅନ୍ଵୟ...

କାଳବୈଶାଖୀ ଓ ବଜ୍ରପାତ

ମୋହନ କୁମାର ଭଟ୍ଟ ପ୍ରଚଣ୍ଡ ତାତିରେ ସିଝୁଥିବା ରାଜ୍ୟବାସୀଙ୍କୁ ସାମୟିକ ଆଶ୍ୱସ୍ତି ଆଣିଦେଉଛି କାଳବୈଶାଖୀ। ହେଲେ ଏହା ଧ୍ୱଂସଲୀଳା ବି ସୃଷ୍ଟି କରୁଛି। କେବଳ ଘୂର୍ଣ୍ଣିଝଡ଼...

Advertisement
Archives

Model This Week