ଈଶ୍ୱର ସମର୍ପିତ ଜୀବନରେ ବ୍ୟାଧି

ସାଧୁ, ସନ୍ଥ କିମ୍ବା ଈଶ୍ୱର ସମର୍ପିତ ଭକ୍ତମାନେ ଯେତେବେଳେ ଦୁଃଖ ଯନ୍ତ୍ରଣା ଓ ଦୁରାରୋଗ୍ୟ ବ୍ୟାଧିରେ ଆକ୍ରାନ୍ତ ହୁଅନ୍ତି ମନରେ ପ୍ରଶ୍ନ ଉଠେ ଈଶ୍ୱରଙ୍କ ପ୍ରତି ସମର୍ପିତ ହୋଇ ମଧ୍ୟ ଯଦି ସେସବୁଠୁ ମୁକ୍ତି ମିଳେ ନାହିଁ, ତା’ହେଲେ ଈଶ୍ୱର ଆରାଧନା କରିବା କାହିଁକି? ଈଶ୍ୱର ଦୟାମୟ ହେଲେ କିପରି? ମାତ୍ର ଆମେ ଭୁଲିଯିବା ଉଚିତ ନୁହେଁ ଯେ ରୋଗ, ବ୍ୟାଧି, ଦୁଃଖ ଯନ୍ତ୍ରଣା ଆଦି ହେଉଛି ଶରୀର ଧାରଣର ସ୍ବାଭାବିକ ପ୍ରକ୍ରିୟା। ଏଣୁ ସେସବୁକୁ ଜୀବନର ଅବିଚ୍ଛେଦ୍ୟ ଅଂଶ ଭାବରେ ଗ୍ରହଣ କରିନେବା ହେଉଛି ଠିକ୍‌ ଦୃଷ୍ଟିଭଙ୍ଗୀ। ଈଶ୍ୱର କାହାକୁ ଦୁଃଖ ଦିଅନ୍ତି ନାହିଁ, କି କାହାରି ଦୁଃଖ ହରଣ କରନ୍ତି ନାହିଁ। ସେ ନିର୍ଲିପ୍ତ। ମଣିଷ ଯାହାସବୁ ଭୋଗ କରେ ତାହା ତା’ର ନିଜର କର୍ମଫଳ। ଏଣୁ ଈଶ୍ୱରଙ୍କ ନିରପେକ୍ଷତା ଓ ନିର୍ଲିପ୍ତତାକୁ ବିଶ୍ୱାସ କରି ମଣିଷ ଯାହାସବୁ ଭୋଗେ ତାହା ଈଶ୍ୱରଙ୍କ ଇଚ୍ଛା ଭାବି ଗ୍ରହଣ କରିନେଲେ ମଣିଷ ଶାନ୍ତି ଲାଭ କରେ। ରାମକୃଷ୍ଣ ପରମହଂସ ଥିଲେ ଠିକ୍‌ ଏହି ଦୃଷ୍ଟିଭଙ୍ଗୀର ଆଧ୍ୟାତ୍ମିକ ପୁରୁଷ ଓ ସେ ତାଙ୍କ ଶ୍ରେଷ୍ଠ ଶିଷ୍ୟ ସ୍ବାମୀ ବିବେକାନନ୍ଦଙ୍କୁ ମଧ୍ୟ ସେହି ଶିକ୍ଷା ଦେଇଥିଲେ।
ରାମକୃଷ୍ଣ ଗଳାକର୍କଟ ରୋଗରେ ଆକ୍ରାନ୍ତ ହେଲେ। ୧୮୮୬ ଜୁଲାଇ ଶେଷ ଭାଗରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେଲା। ମାତ୍ର ଏହିଭଳି ପୀଡ଼ିତ ଅବସ୍ଥାରେ ମଧ୍ୟ ସେ ଅତ୍ୟନ୍ତ ପ୍ରଫୁଲ୍ଲ ରହୁଥିଲେ। ସେ କହୁଥିଲେ, “ଶରୀର ରହିଲେ ରୋଗ ରହିବ। ଏହା ପ୍ରକୃତିର ନିୟମ। ମୁଁ ଈଶ୍ୱରଙ୍କ ବହୁରୂପ ଦର୍ଶନ କରେ। (ନିଜ ଶରୀରକୁ ଇଙ୍ଗିତ କରି) ଏହି ଦେହ ବି ତାଙ୍କର ଗୋଟିଏ ରୂପ।” ମଝିରେ ମଝିରେ ସେ ନିଜ ଦେହ ଓ ସଂସାରକୁ ଭୁଲିଯାଇ ସମାଧିରେ ନିମଗ୍ନ ରହୁଥିଲେ। ବାହ୍ୟଚେତନା ଫେରିଆସିଲେ କହୁଥିଲେ “ମୋର ଟିକିଏ ବି ଯନ୍ତ୍ରଣା ନାହିଁ। ମୁଁ ସେହି ପୁରାତନ ଆତ୍ମା”। ବେଳେବେଳେ କହୁଥିଲେ ଏଥର ଏହି ଦେହ ବହୁଦିନ ରହିବ ନାହିଁ।“ ଦିନେ ତାଙ୍କର ଶିଷ୍ୟ ରାଖାଲ କହିଲେ, “ଠାକୁର! ଆପଣ ଦୟାକରି ଈଶ୍ୱରଙ୍କୁ କୁହନ୍ତୁ ଯେପରି ଆପଣଙ୍କ ଶରୀର ଅଧିକ କାଳ ରହିବ”। ରାମକୃଷ୍ଣ ଉତ୍ତର ଦେଲେ, “ଏହା ଈଶ୍ୱରଙ୍କ ଇଚ୍ଛା ଉପରେ ନିର୍ଭର କରେ।“ ଥରେ ନରେନ୍ଦ୍ର କହିଲେ, “ଆପଣଙ୍କ ଇଚ୍ଛା ଓ ଈଶ୍ୱରଙ୍କ ଇଚ୍ଛା ଏକ ଓ ଅଭିନ୍ନ।” ରାମକୃଷ୍ଣ କହିଲେ, “ମୁଁ ଈଶ୍ୱରଙ୍କୁ କହିଲେ ବି କିଛି ଲାଭ ହେବନାହିଁ କାରଣ ମୁଁ ଓ ମା’ ଏକ ହୋଇଯାଇଛୁ।” କ୍ରମେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେଲା। ମୁଖରୁ ବାକ୍ୟ ସ୍ଫୁରିଲା ନାହିଁ। ମାତ୍ର ତାଙ୍କ ଅନ୍ତିମଦିନ ଯେତେ ପାଖେଇ ଆସୁଥାଏ ସେ ସେତେ ଶାନ୍ତ ଓ ସ୍ଥିର ଚିତ୍ତରେ ରହୁଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖି ନରେନ୍ଦ୍ର କହିଲେ, “ଠାକୁର! ଆପଣ ଦୟାକରି ରୋଗମୁକ୍ତ ହେବା ନିମନ୍ତେ ଦିବ୍ୟଜନନୀଙ୍କୁ ପ୍ରାର୍ଥନା କରନ୍ତୁ। ସେ ନିଶ୍ଚୟ ଭଲ କରିଦେବେ।” ରାମକୃଷ୍ଣ ନରେନ୍ଦ୍ରଙ୍କ ମନ ବୁଝାଇବା ପାଇଁ କହିଲେ, “ହଉ ଚେଷ୍ଟା କରେ।” ନରେନ୍ଦ୍ର ସେଠୁ ଚାଲିଗଲେ ଓ କିଛି ସମୟ ପରେ ଫେରିଆସି ପଚାରିଲେ “ଠାକୁର! ମା’ କ’ଣ କହିଲେ?” ରାମକୃଷ୍ଣ କହିଲେ, “ଯେତେବେଳେ ମୁଁ ଗଳାର କ୍ଷତ ଦେଖାଇ ମା’ଙ୍କୁ କହିଲି ମୁଁ କିଛି ଖାଇପାରୁନାହିଁ, ମୋତେ ଖାଇବାକୁ ସମର୍ଥ କର”, ମା’ କହିଲେ “କାହିଁକି? ତୁ କ’ଣ ଅସଂଖ୍ୟ ମୁଖରେ ଖାଉନାହୁଁ?” ନରେନ୍ଦ୍ର ବିସ୍ମିତ ହେଲେ ଓ ଅନୁଭବ କଲେ ରାମକୃଷ୍ଣଙ୍କ ଦେହାତୀତ ଜ୍ଞାନାବସ୍ଥା ଓ ଅଦ୍ୱୈତବେଦାନ୍ତର ଚମତ୍କାର ଉପଲବ୍ଧି। କିଛିଦିନ ପରେ ତାଙ୍କ ଦେହାନ୍ତ ହେଲା। ନରେନ୍ଦ୍ର ଗୁରୁଙ୍କ ସେହି ଉପଲବ୍ଧିର ମର୍ମ ବୁଝିପାରି ନିଜ ଜୀବନର ସମସ୍ତ ଦୁଃଖ, ଯନ୍ତ୍ରଣା ଦୁର୍ଦ୍ଦଶା, ରୋଗ ଆଦିକୁ ନିର୍ବିକାର ଚିତ୍ତରେ ଈଶ୍ୱରଙ୍କ ଇଚ୍ଛା ଭାବରେ ଗ୍ରହଣ କରି ଜଗତର ମଙ୍ଗଳ ନିମନ୍ତେ କାର୍ଯ୍ୟ କରିଥିଲେ।
ସ୍ବାମୀ ବିବେକାନନ୍ଦ ପିତୃବିୟୋଗଠାରୁ ମହାସମାଧି ପର୍ଯ୍ୟନ୍ତ ପ୍ରାୟ ଦୁଇ ଦଶନ୍ଧି ଧରି ବିଭିନ୍ନ ରୋଗ ଭୋଗିଥିଲେ। ଆମେରିକାର ଚିକାଗୋ ଧର୍ମ ସମ୍ମିଳନୀରେ ଯୋଗଦେବା ପୂର୍ବରୁ ସେ କମ୍‌ ଦୁର୍ଦ୍ଦଶା ଓ ଅପମାନ ଭୋଗିନାହାନ୍ତି। ଚିକାଗୋ ଧର୍ମସଭା ପରେ ସେ ଆମେରିକାରେ ପ୍ରଖ୍ୟାତ ହେବା ପରେ ଅସଂଖ୍ୟ ସଭାରେ ଯୋଗଦେଇ ବକ୍ତୃତା ପ୍ରଦାନ କରିଛନ୍ତି। ପାଶ୍ଚାତ୍ୟରେ ହିନ୍ଦୁଧର୍ମକୁ ଠିକ୍‌ ଭାବରେ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସେ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି। ଭାରତକୁ ଫେରିବା ପରେ ୧୮୯୭ ବେଳକୁ ସେ ମଧୁମେହ ରୋଗରେ ଆକ୍ରାନ୍ତ ହୋଇସାରିଥିଲେ। ପରେ ପରେ ଅନେକ ବ୍ୟାଧିଗ୍ରସ୍ତ ହୋଇଥିଲେ। ବିଶିଷ୍ଟ ଲେଖକ ଶଙ୍କର ତା’ର ଏକ ଲମ୍ବା ତାଲିକା ପ୍ରସ୍ତୁତ କରିଛନ୍ତି। ସେହି ରୋଗଗୁଡ଼ିକ ହେଲା ଟନ୍‌ସିଲାଇଟିସ, ଶ୍ୱାସରୋଗ, ଟାଇଫଏଡ, ମ୍ୟାଲେରିଆ, ଉଦରି, ଡିସ୍‌ପେପ୍‌ସିଆ, ପଥୁରି, କିଡ୍‌ନୀ, ଆଲବୁମିନ୍ୟୁରିଆ, ଚକ୍ଷୁରୋଗ, ନିଦ୍ରାହୀନତା, ସ୍ବାୟୁରୋଗ ଓ ହୃଦ୍‌ରୋଗ। ଏତେ ଶାରୀରିକ ଯନ୍ତ୍ରଣା ଭୋଗି ମଧ୍ୟ ସେ କିପରି ଅବିଶ୍ୱାସ୍ୟ କାର୍ଯ୍ୟ କରିଗଲେ ତାହା ବିସ୍ମୟ ସୃଷ୍ଟି କରେ। ବ୍ୟାଧି ମାରାମତ୍କ ହେଲେ ମଧ୍ୟ ସେ ଥିଲେ ଅସାମାନ୍ୟ ମନୋବଳର ଅଧିକାରୀ। ସେ ଥିଲେ ନିର୍ଭୀକତାର ପ୍ରତୀକ। ଥରେ ସେ ଗୁରୁଭାଇ ଅଖଣ୍ଡାନନ୍ଦଙ୍କୁ କହିଥିଲେ “ଶରୀରଟା ତ ନିଶ୍ଚୟ ଯିବ। ତେବେ ଅଳସୁଆମିରେ ଯିବ କାହିଁକି? କଳଙ୍କି ଲାଗି ମରିବା ଅପେକ୍ଷା କ୍ଷୟ ପାଇ ପାଇ ମରିବା ଢେର ଭଲ।”
୧୮୯୬ରେ ଦ୍ୱିତୀୟ ଥର ଇଂଲଣ୍ଡ ଯାଇଥିବା ବେଳେ ସ୍ବାମିଜୀଙ୍କ ପ୍ରଥମ ହୃଦ୍‌ଘାତ ହୋଇଥିଲା। ଭାଇ ମହେନ୍ଦ୍ରନାଥ ସେତେବେଳେ ପାଖରେ ଥିଲେ। ସେ ଲେଖିଛନ୍ତି “ହଠାତ୍‌ ତାଙ୍କ ମୁଖମଣ୍ଡଳରେ ଯେପରି ତୀବ୍ର ବେଦନାର ଭାବ ଦେଖାଗଲା। କିଛି କ୍ଷଣ ପରେ ସେ ଦୀର୍ଘଶ୍ୱାସ ଛାଡ଼ି କହିଲେ ମୋର ପିତା ଏହି ରୋଗରେ ମୃତ୍ୟୁବରଣ କରିଥିଲେ। ତାଙ୍କ ଛାତିରେ ଖୁବ୍‌ ଯନ୍ତ୍ରଣା ହୋଇଥିଲା। ଏଇଟା ଆମ ବଂଶର ରୋଗ।” ଅତି ଲଘୁ ଭାବରେ ସେ ତାଙ୍କର ଏହି ଅସୁସ୍ଥତାକୁ ନେଇଥିଲେ ଓ ପରବର୍ତ୍ତୀ ସମୟରେ ପୁଣି ଅକ୍ଳାନ୍ତ ପରିଶ୍ରମ କରିଥିଲେ। ଚିକିତ୍ସକଙ୍କ ସାବଧାନବାଣୀ ସତ୍ତ୍ୱେ ସେ ୧୮୮୯ରେ ଅମରନାଥ ତୀର୍ଥ ଦର୍ଶନ କରିବାକୁ ଯାଇଥିଲେ। ପାହାଡ଼ ଚଢ଼ାଭଳି କଠିନ ପରିଶ୍ରମ କଲେ। ବେଲୁଡ଼ିମଠକୁ ଫେରିବା ବେଳକୁ ସ୍ବାମିଜୀଙ୍କ ବାମ ଆଖିରୁ ରକ୍ତ ଝରି ଲାଲ ହୋଇଯାଇଥିଲା। ପରେ ତାଙ୍କର ଡାହାଣ ଆଖିଟି ନଷ୍ଟ ହୋଇଗଲା। ତା’ ସତ୍ତ୍ୱେ ସେ ଏଭଳି ରସିକ ଥିଲେ ଯେ ନିଜକୁ ଏକ ଚକ୍ଷୁ ଶୁକ୍ରାଚାର୍ଯ୍ୟ ସହ ତୁଳନା କରି ଆନନ୍ଦ ପାଉଥିଲେ।
ପରିବ୍ରାଜକ ଜୀବନଠୁ ଆରମ୍ଭ କରି ମହାସମାଧି ପର୍ଯ୍ୟନ୍ତ ସ୍ବାମୀ ବିବେକାନନ୍ଦ ଅବର୍ଣ୍ଣନୀୟ ଦୁର୍ଦ୍ଦଶା ଓ ରୋଗ ଭୋଗିଛନ୍ତି। ତଥାପି ସେ କେବେ ଈଶ୍ୱରଙ୍କୁ ଏଥିପାଇଁ ଦୋଷ ଦେଇନାହାନ୍ତି କି ଦୁଃଖ ଓ ରୋଗରୁ ମୁକ୍ତି ପାଇବା ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିନାହାନ୍ତି। ସେ ଉପଲବ୍ଧି କରିଥିଲେ ରୋଗ ଓ ଯନ୍ତ୍ରଣା ଶରୀରର ସ୍ବାଭାବିକ ପ୍ରକ୍ରିୟା ଓ ଈଶ୍ୱରଭକ୍ତି ସହ ଏହାର କୌଣସି ସମ୍ପର୍କ ନାହିଁ। ଅଦ୍ୱୈତବେଦାନ୍ତକୁ ବ୍ୟାବହାରିକ ଜୀବନରେ ପ୍ରୟୋଗ କରି ସେ ତାଙ୍କର ସବୁ ଦୁଃଖ ଓ ଯନ୍ତ୍ରଣାକୁ ଭୁଲିଯାଉଥିଲେ। ସମ୍ପୂର୍ଣ୍ଣ ଈଶ୍ୱର ସମର୍ପିତ ହୋଇଗଲେ ଜୀବନରେ ସବୁ ଦୁଃଖ, ଯନ୍ତ୍ରଣା ଓ ବ୍ୟାଧି ଈଶ୍ୱରଙ୍କ ଇଚ୍ଛା ବୋଲି ଗ୍ରହଣ କରିହୁଏ ଓ ତଦ୍ଦ୍ବାରା ଶାନ୍ତି ଅନୁଭବ କରିହୁଏ। ଗୁରୁ ରାମକୃଷ୍ଣ ଓ ତାଙ୍କ ଶିଷ୍ୟ ସ୍ବାମୀ ବିବେକାନନ୍ଦଙ୍କ ଜୀବନ ଦର୍ଶନ ସେହି ଦୃଷ୍ଟିରୁ ଆଲୋକବର୍ତ୍ତିକା।

  • ଡ. ଛାୟାକାନ୍ତ ଷଡ଼ଙ୍ଗୀ
    ମୋ:୯୪୩୭୩୨୯୨୬୩

Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା…

ଏଇ ଭାରତରେ

ଏକତା ନହର ରହୁଛନ୍ତି ନଏଡାର ଏକ ଆପାର୍ଟମେଣ୍ଟରେ। ପେସାରେ ସେ ଜଣେ ଚିତ୍ରଶିଳ୍ପୀ। ଏବେ ତାଙ୍କୁ ବୟସ ୩୫। ବିଲୁପ୍ତିର ଦ୍ୱାର ଦେଶରେ ଥିବା କେତେକ ପ୍ରଜାତିର…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri