ଈଶ୍ୱର ସମର୍ପିତ ଜୀବନରେ ବ୍ୟାଧି

ସାଧୁ, ସନ୍ଥ କିମ୍ବା ଈଶ୍ୱର ସମର୍ପିତ ଭକ୍ତମାନେ ଯେତେବେଳେ ଦୁଃଖ ଯନ୍ତ୍ରଣା ଓ ଦୁରାରୋଗ୍ୟ ବ୍ୟାଧିରେ ଆକ୍ରାନ୍ତ ହୁଅନ୍ତି ମନରେ ପ୍ରଶ୍ନ ଉଠେ ଈଶ୍ୱରଙ୍କ ପ୍ରତି ସମର୍ପିତ ହୋଇ ମଧ୍ୟ ଯଦି ସେସବୁଠୁ ମୁକ୍ତି ମିଳେ ନାହିଁ, ତା’ହେଲେ ଈଶ୍ୱର ଆରାଧନା କରିବା କାହିଁକି? ଈଶ୍ୱର ଦୟାମୟ ହେଲେ କିପରି? ମାତ୍ର ଆମେ ଭୁଲିଯିବା ଉଚିତ ନୁହେଁ ଯେ ରୋଗ, ବ୍ୟାଧି, ଦୁଃଖ ଯନ୍ତ୍ରଣା ଆଦି ହେଉଛି ଶରୀର ଧାରଣର ସ୍ବାଭାବିକ ପ୍ରକ୍ରିୟା। ଏଣୁ ସେସବୁକୁ ଜୀବନର ଅବିଚ୍ଛେଦ୍ୟ ଅଂଶ ଭାବରେ ଗ୍ରହଣ କରିନେବା ହେଉଛି ଠିକ୍‌ ଦୃଷ୍ଟିଭଙ୍ଗୀ। ଈଶ୍ୱର କାହାକୁ ଦୁଃଖ ଦିଅନ୍ତି ନାହିଁ, କି କାହାରି ଦୁଃଖ ହରଣ କରନ୍ତି ନାହିଁ। ସେ ନିର୍ଲିପ୍ତ। ମଣିଷ ଯାହାସବୁ ଭୋଗ କରେ ତାହା ତା’ର ନିଜର କର୍ମଫଳ। ଏଣୁ ଈଶ୍ୱରଙ୍କ ନିରପେକ୍ଷତା ଓ ନିର୍ଲିପ୍ତତାକୁ ବିଶ୍ୱାସ କରି ମଣିଷ ଯାହାସବୁ ଭୋଗେ ତାହା ଈଶ୍ୱରଙ୍କ ଇଚ୍ଛା ଭାବି ଗ୍ରହଣ କରିନେଲେ ମଣିଷ ଶାନ୍ତି ଲାଭ କରେ। ରାମକୃଷ୍ଣ ପରମହଂସ ଥିଲେ ଠିକ୍‌ ଏହି ଦୃଷ୍ଟିଭଙ୍ଗୀର ଆଧ୍ୟାତ୍ମିକ ପୁରୁଷ ଓ ସେ ତାଙ୍କ ଶ୍ରେଷ୍ଠ ଶିଷ୍ୟ ସ୍ବାମୀ ବିବେକାନନ୍ଦଙ୍କୁ ମଧ୍ୟ ସେହି ଶିକ୍ଷା ଦେଇଥିଲେ।
ରାମକୃଷ୍ଣ ଗଳାକର୍କଟ ରୋଗରେ ଆକ୍ରାନ୍ତ ହେଲେ। ୧୮୮୬ ଜୁଲାଇ ଶେଷ ଭାଗରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେଲା। ମାତ୍ର ଏହିଭଳି ପୀଡ଼ିତ ଅବସ୍ଥାରେ ମଧ୍ୟ ସେ ଅତ୍ୟନ୍ତ ପ୍ରଫୁଲ୍ଲ ରହୁଥିଲେ। ସେ କହୁଥିଲେ, “ଶରୀର ରହିଲେ ରୋଗ ରହିବ। ଏହା ପ୍ରକୃତିର ନିୟମ। ମୁଁ ଈଶ୍ୱରଙ୍କ ବହୁରୂପ ଦର୍ଶନ କରେ। (ନିଜ ଶରୀରକୁ ଇଙ୍ଗିତ କରି) ଏହି ଦେହ ବି ତାଙ୍କର ଗୋଟିଏ ରୂପ।” ମଝିରେ ମଝିରେ ସେ ନିଜ ଦେହ ଓ ସଂସାରକୁ ଭୁଲିଯାଇ ସମାଧିରେ ନିମଗ୍ନ ରହୁଥିଲେ। ବାହ୍ୟଚେତନା ଫେରିଆସିଲେ କହୁଥିଲେ “ମୋର ଟିକିଏ ବି ଯନ୍ତ୍ରଣା ନାହିଁ। ମୁଁ ସେହି ପୁରାତନ ଆତ୍ମା”। ବେଳେବେଳେ କହୁଥିଲେ ଏଥର ଏହି ଦେହ ବହୁଦିନ ରହିବ ନାହିଁ।“ ଦିନେ ତାଙ୍କର ଶିଷ୍ୟ ରାଖାଲ କହିଲେ, “ଠାକୁର! ଆପଣ ଦୟାକରି ଈଶ୍ୱରଙ୍କୁ କୁହନ୍ତୁ ଯେପରି ଆପଣଙ୍କ ଶରୀର ଅଧିକ କାଳ ରହିବ”। ରାମକୃଷ୍ଣ ଉତ୍ତର ଦେଲେ, “ଏହା ଈଶ୍ୱରଙ୍କ ଇଚ୍ଛା ଉପରେ ନିର୍ଭର କରେ।“ ଥରେ ନରେନ୍ଦ୍ର କହିଲେ, “ଆପଣଙ୍କ ଇଚ୍ଛା ଓ ଈଶ୍ୱରଙ୍କ ଇଚ୍ଛା ଏକ ଓ ଅଭିନ୍ନ।” ରାମକୃଷ୍ଣ କହିଲେ, “ମୁଁ ଈଶ୍ୱରଙ୍କୁ କହିଲେ ବି କିଛି ଲାଭ ହେବନାହିଁ କାରଣ ମୁଁ ଓ ମା’ ଏକ ହୋଇଯାଇଛୁ।” କ୍ରମେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେଲା। ମୁଖରୁ ବାକ୍ୟ ସ୍ଫୁରିଲା ନାହିଁ। ମାତ୍ର ତାଙ୍କ ଅନ୍ତିମଦିନ ଯେତେ ପାଖେଇ ଆସୁଥାଏ ସେ ସେତେ ଶାନ୍ତ ଓ ସ୍ଥିର ଚିତ୍ତରେ ରହୁଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖି ନରେନ୍ଦ୍ର କହିଲେ, “ଠାକୁର! ଆପଣ ଦୟାକରି ରୋଗମୁକ୍ତ ହେବା ନିମନ୍ତେ ଦିବ୍ୟଜନନୀଙ୍କୁ ପ୍ରାର୍ଥନା କରନ୍ତୁ। ସେ ନିଶ୍ଚୟ ଭଲ କରିଦେବେ।” ରାମକୃଷ୍ଣ ନରେନ୍ଦ୍ରଙ୍କ ମନ ବୁଝାଇବା ପାଇଁ କହିଲେ, “ହଉ ଚେଷ୍ଟା କରେ।” ନରେନ୍ଦ୍ର ସେଠୁ ଚାଲିଗଲେ ଓ କିଛି ସମୟ ପରେ ଫେରିଆସି ପଚାରିଲେ “ଠାକୁର! ମା’ କ’ଣ କହିଲେ?” ରାମକୃଷ୍ଣ କହିଲେ, “ଯେତେବେଳେ ମୁଁ ଗଳାର କ୍ଷତ ଦେଖାଇ ମା’ଙ୍କୁ କହିଲି ମୁଁ କିଛି ଖାଇପାରୁନାହିଁ, ମୋତେ ଖାଇବାକୁ ସମର୍ଥ କର”, ମା’ କହିଲେ “କାହିଁକି? ତୁ କ’ଣ ଅସଂଖ୍ୟ ମୁଖରେ ଖାଉନାହୁଁ?” ନରେନ୍ଦ୍ର ବିସ୍ମିତ ହେଲେ ଓ ଅନୁଭବ କଲେ ରାମକୃଷ୍ଣଙ୍କ ଦେହାତୀତ ଜ୍ଞାନାବସ୍ଥା ଓ ଅଦ୍ୱୈତବେଦାନ୍ତର ଚମତ୍କାର ଉପଲବ୍ଧି। କିଛିଦିନ ପରେ ତାଙ୍କ ଦେହାନ୍ତ ହେଲା। ନରେନ୍ଦ୍ର ଗୁରୁଙ୍କ ସେହି ଉପଲବ୍ଧିର ମର୍ମ ବୁଝିପାରି ନିଜ ଜୀବନର ସମସ୍ତ ଦୁଃଖ, ଯନ୍ତ୍ରଣା ଦୁର୍ଦ୍ଦଶା, ରୋଗ ଆଦିକୁ ନିର୍ବିକାର ଚିତ୍ତରେ ଈଶ୍ୱରଙ୍କ ଇଚ୍ଛା ଭାବରେ ଗ୍ରହଣ କରି ଜଗତର ମଙ୍ଗଳ ନିମନ୍ତେ କାର୍ଯ୍ୟ କରିଥିଲେ।
ସ୍ବାମୀ ବିବେକାନନ୍ଦ ପିତୃବିୟୋଗଠାରୁ ମହାସମାଧି ପର୍ଯ୍ୟନ୍ତ ପ୍ରାୟ ଦୁଇ ଦଶନ୍ଧି ଧରି ବିଭିନ୍ନ ରୋଗ ଭୋଗିଥିଲେ। ଆମେରିକାର ଚିକାଗୋ ଧର୍ମ ସମ୍ମିଳନୀରେ ଯୋଗଦେବା ପୂର୍ବରୁ ସେ କମ୍‌ ଦୁର୍ଦ୍ଦଶା ଓ ଅପମାନ ଭୋଗିନାହାନ୍ତି। ଚିକାଗୋ ଧର୍ମସଭା ପରେ ସେ ଆମେରିକାରେ ପ୍ରଖ୍ୟାତ ହେବା ପରେ ଅସଂଖ୍ୟ ସଭାରେ ଯୋଗଦେଇ ବକ୍ତୃତା ପ୍ରଦାନ କରିଛନ୍ତି। ପାଶ୍ଚାତ୍ୟରେ ହିନ୍ଦୁଧର୍ମକୁ ଠିକ୍‌ ଭାବରେ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସେ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି। ଭାରତକୁ ଫେରିବା ପରେ ୧୮୯୭ ବେଳକୁ ସେ ମଧୁମେହ ରୋଗରେ ଆକ୍ରାନ୍ତ ହୋଇସାରିଥିଲେ। ପରେ ପରେ ଅନେକ ବ୍ୟାଧିଗ୍ରସ୍ତ ହୋଇଥିଲେ। ବିଶିଷ୍ଟ ଲେଖକ ଶଙ୍କର ତା’ର ଏକ ଲମ୍ବା ତାଲିକା ପ୍ରସ୍ତୁତ କରିଛନ୍ତି। ସେହି ରୋଗଗୁଡ଼ିକ ହେଲା ଟନ୍‌ସିଲାଇଟିସ, ଶ୍ୱାସରୋଗ, ଟାଇଫଏଡ, ମ୍ୟାଲେରିଆ, ଉଦରି, ଡିସ୍‌ପେପ୍‌ସିଆ, ପଥୁରି, କିଡ୍‌ନୀ, ଆଲବୁମିନ୍ୟୁରିଆ, ଚକ୍ଷୁରୋଗ, ନିଦ୍ରାହୀନତା, ସ୍ବାୟୁରୋଗ ଓ ହୃଦ୍‌ରୋଗ। ଏତେ ଶାରୀରିକ ଯନ୍ତ୍ରଣା ଭୋଗି ମଧ୍ୟ ସେ କିପରି ଅବିଶ୍ୱାସ୍ୟ କାର୍ଯ୍ୟ କରିଗଲେ ତାହା ବିସ୍ମୟ ସୃଷ୍ଟି କରେ। ବ୍ୟାଧି ମାରାମତ୍କ ହେଲେ ମଧ୍ୟ ସେ ଥିଲେ ଅସାମାନ୍ୟ ମନୋବଳର ଅଧିକାରୀ। ସେ ଥିଲେ ନିର୍ଭୀକତାର ପ୍ରତୀକ। ଥରେ ସେ ଗୁରୁଭାଇ ଅଖଣ୍ଡାନନ୍ଦଙ୍କୁ କହିଥିଲେ “ଶରୀରଟା ତ ନିଶ୍ଚୟ ଯିବ। ତେବେ ଅଳସୁଆମିରେ ଯିବ କାହିଁକି? କଳଙ୍କି ଲାଗି ମରିବା ଅପେକ୍ଷା କ୍ଷୟ ପାଇ ପାଇ ମରିବା ଢେର ଭଲ।”
୧୮୯୬ରେ ଦ୍ୱିତୀୟ ଥର ଇଂଲଣ୍ଡ ଯାଇଥିବା ବେଳେ ସ୍ବାମିଜୀଙ୍କ ପ୍ରଥମ ହୃଦ୍‌ଘାତ ହୋଇଥିଲା। ଭାଇ ମହେନ୍ଦ୍ରନାଥ ସେତେବେଳେ ପାଖରେ ଥିଲେ। ସେ ଲେଖିଛନ୍ତି “ହଠାତ୍‌ ତାଙ୍କ ମୁଖମଣ୍ଡଳରେ ଯେପରି ତୀବ୍ର ବେଦନାର ଭାବ ଦେଖାଗଲା। କିଛି କ୍ଷଣ ପରେ ସେ ଦୀର୍ଘଶ୍ୱାସ ଛାଡ଼ି କହିଲେ ମୋର ପିତା ଏହି ରୋଗରେ ମୃତ୍ୟୁବରଣ କରିଥିଲେ। ତାଙ୍କ ଛାତିରେ ଖୁବ୍‌ ଯନ୍ତ୍ରଣା ହୋଇଥିଲା। ଏଇଟା ଆମ ବଂଶର ରୋଗ।” ଅତି ଲଘୁ ଭାବରେ ସେ ତାଙ୍କର ଏହି ଅସୁସ୍ଥତାକୁ ନେଇଥିଲେ ଓ ପରବର୍ତ୍ତୀ ସମୟରେ ପୁଣି ଅକ୍ଳାନ୍ତ ପରିଶ୍ରମ କରିଥିଲେ। ଚିକିତ୍ସକଙ୍କ ସାବଧାନବାଣୀ ସତ୍ତ୍ୱେ ସେ ୧୮୮୯ରେ ଅମରନାଥ ତୀର୍ଥ ଦର୍ଶନ କରିବାକୁ ଯାଇଥିଲେ। ପାହାଡ଼ ଚଢ଼ାଭଳି କଠିନ ପରିଶ୍ରମ କଲେ। ବେଲୁଡ଼ିମଠକୁ ଫେରିବା ବେଳକୁ ସ୍ବାମିଜୀଙ୍କ ବାମ ଆଖିରୁ ରକ୍ତ ଝରି ଲାଲ ହୋଇଯାଇଥିଲା। ପରେ ତାଙ୍କର ଡାହାଣ ଆଖିଟି ନଷ୍ଟ ହୋଇଗଲା। ତା’ ସତ୍ତ୍ୱେ ସେ ଏଭଳି ରସିକ ଥିଲେ ଯେ ନିଜକୁ ଏକ ଚକ୍ଷୁ ଶୁକ୍ରାଚାର୍ଯ୍ୟ ସହ ତୁଳନା କରି ଆନନ୍ଦ ପାଉଥିଲେ।
ପରିବ୍ରାଜକ ଜୀବନଠୁ ଆରମ୍ଭ କରି ମହାସମାଧି ପର୍ଯ୍ୟନ୍ତ ସ୍ବାମୀ ବିବେକାନନ୍ଦ ଅବର୍ଣ୍ଣନୀୟ ଦୁର୍ଦ୍ଦଶା ଓ ରୋଗ ଭୋଗିଛନ୍ତି। ତଥାପି ସେ କେବେ ଈଶ୍ୱରଙ୍କୁ ଏଥିପାଇଁ ଦୋଷ ଦେଇନାହାନ୍ତି କି ଦୁଃଖ ଓ ରୋଗରୁ ମୁକ୍ତି ପାଇବା ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିନାହାନ୍ତି। ସେ ଉପଲବ୍ଧି କରିଥିଲେ ରୋଗ ଓ ଯନ୍ତ୍ରଣା ଶରୀରର ସ୍ବାଭାବିକ ପ୍ରକ୍ରିୟା ଓ ଈଶ୍ୱରଭକ୍ତି ସହ ଏହାର କୌଣସି ସମ୍ପର୍କ ନାହିଁ। ଅଦ୍ୱୈତବେଦାନ୍ତକୁ ବ୍ୟାବହାରିକ ଜୀବନରେ ପ୍ରୟୋଗ କରି ସେ ତାଙ୍କର ସବୁ ଦୁଃଖ ଓ ଯନ୍ତ୍ରଣାକୁ ଭୁଲିଯାଉଥିଲେ। ସମ୍ପୂର୍ଣ୍ଣ ଈଶ୍ୱର ସମର୍ପିତ ହୋଇଗଲେ ଜୀବନରେ ସବୁ ଦୁଃଖ, ଯନ୍ତ୍ରଣା ଓ ବ୍ୟାଧି ଈଶ୍ୱରଙ୍କ ଇଚ୍ଛା ବୋଲି ଗ୍ରହଣ କରିହୁଏ ଓ ତଦ୍ଦ୍ବାରା ଶାନ୍ତି ଅନୁଭବ କରିହୁଏ। ଗୁରୁ ରାମକୃଷ୍ଣ ଓ ତାଙ୍କ ଶିଷ୍ୟ ସ୍ବାମୀ ବିବେକାନନ୍ଦଙ୍କ ଜୀବନ ଦର୍ଶନ ସେହି ଦୃଷ୍ଟିରୁ ଆଲୋକବର୍ତ୍ତିକା।

  • ଡ. ଛାୟାକାନ୍ତ ଷଡ଼ଙ୍ଗୀ
    ମୋ:୯୪୩୭୩୨୯୨୬୩

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?