ଆତ୍ମପ୍ରେମର ପ୍ରଦର୍ଶନ

ଡ. ଛାୟାକାନ୍ତ ଷଡ଼ଙ୍ଗୀ

 

ମଣିଷ ସବୁଠାରୁ ବେଶି ଭଲପାଏ ନିଜକୁ। ନିଜର ଚେହେରା, ହାବଭାବ, କର୍ମ ଅନ୍ୟମାନଙ୍କ ନିମନ୍ତେ ଗ୍ରହଣୀୟ ନ ହେଲେ ମଧ୍ୟ ସେସବୁକୁ ସେ ନକାରାତ୍ମକ ଦୃଷ୍ଟିରେ ଦେଖେନାହିଁ। ପ୍ରତ୍ୟେକ ବ୍ୟକ୍ତି ଚାହେଁ ଲୋକେ ତାକୁ ସୁନ୍ଦର କହନ୍ତୁ, ଭଲ ଲୋକ କହନ୍ତୁ ଓ ତାକୁ ଭଲପାଆନ୍ତୁ। ମଣିଷ ତା’ର ଏହି ଇଚ୍ଛାକୁ ସହଜରେ ସର୍ବସମ୍ମୁଖରେ ପ୍ରକାଶ କରିବାର ସୁଯୋଗ ପାଉ ନ ଥିଲା। ମାତ୍ର ଆଜି ମଣିଷର ଏହି ଇଚ୍ଛାକୁ ପୂରଣ କରିଛି ଫେସ୍‌ବୁକ୍‌। ଏବେ ଲୋକେ ବିଭିନ୍ନ ପଟଭୂମିରେ, ବିଭିନ୍ନ ଭଙ୍ଗୀରେ ନିଜର ଫଟୋ ଉତ୍ତୋଳନ କରି ସେଗୁଡ଼ିକୁ ଛାଡ଼ିଦେଉଛନ୍ତି ଫେସ୍‌ବୁକ୍‌ରେ ଓ ଅପେକ୍ଷା କରୁଛନ୍ତି ଜାଣିବା ପାଇଁ କେତେ ଜଣ ତାକୁ ଲାଇକ୍‌ କରୁଛନ୍ତି ଓ କେତେଜଣ ପ୍ରଶଂସାସୂଚକ ମନ୍ତବ୍ୟ ଦେଉଛନ୍ତି। ଆଜି ଫେସ୍‌ବୁକ୍‌ ହୋଇଛି ଆତ୍ମବିଜ୍ଞାପନର ଏକ ମାଧ୍ୟମ। କୌଣସି ପୁରସ୍କାର ବା ପ୍ରମାଣପତ୍ରଟିଏ ପାଇଲେ ସର୍ବସାଧାରଣଙ୍କ ଗୋଚରାର୍ଥେ ଆମେ ତାକୁ ଫେସ୍‌ବୁକ୍‌ ମାଧ୍ୟମରେ ପ୍ରସାରିତ କରୁଛୁ। ନିଜ ଡିଣ୍ଡିମ ନିଜେ ପିଟିଚାଲିଛୁ। ଫେସ୍‌ବୁକ୍‌କୁ ଆମେ ବ୍ୟବହାର କରୁଛୁ ନିଜ ପାଇଁ, ପ୍ରଶଂସା ସାଉଁଟିବା ପାଇଁ। ଆମେ କେଉଁଠିକୁ ଗଲୁ, କ’ଣ ଖାଇଲୁ, କ’ଣ ରୋଷେଇ କଲୁ ସେଗୁଡ଼ିକର ଛବି ମଧ୍ୟ ଆଜି ଫେସ୍‌ବୁକ୍‌ରେ ସ୍ଥାନ ପାଉଛି। ସତେଯେପରି ଆମର ବ୍ୟକ୍ତିଗତ ଜୀବନଚର୍ଯ୍ୟା ସମସ୍ତେ ଜାଣିବା ନିହାତି ଜରୁରୀ। ହସ୍ପିଟାଲରେ ପୁତ୍ର କିମ୍ବା କନ୍ୟାଟିଏ ଜନ୍ମ ନେଲେ ତା’ର ଚିତ୍ର ମଧ୍ୟ ଫେସ୍‌ବୁକ୍‌ରେ ପ୍ରସାରିତ ହେଉଛି। ଅନେକେ ନିଜ ପୁଅ, ଝିଅ, ନାତି ନାତୁଣୀଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କରୁଛନ୍ତି ଫେସ୍‌ବୁକ୍‌ରେ। ବନ୍ଧୁମାନେ ସୁନ୍ଦର ଶବ୍ଦରେ ଆଶୀର୍ବାଦ ଢାଳି ଦେଉଛନ୍ତି। ଆମେ ଅନ୍ୟର ମଙ୍ଗଳ କାମନା କରି ଈଶ୍ୱରଙ୍କୁ ପ୍ରାର୍ଥନା କରୁ। ମାତ୍ର ଫେସ୍‌ବୁକ୍‌ରେ କେତୋଟି ଆଶୀର୍ବାଦାତ୍ମକ ଶବ୍ଦ ଲେଖିଦେଲେ ତାହା କିପରି ଅନ୍ୟର ମଙ୍ଗଳ କରିବ ତାହା ବୁଝାପଡ଼ୁନାହିଁ। ତଥାପି କିଛି ସୁମନ୍ତବ୍ୟ ପାଇଗଲେ ଆମେ ବିଭୋର। ଅବଶ୍ୟ ଫେସ୍‌ବୁକ୍‌ର ସକାରାତ୍ମକ ବ୍ୟବହାର ମଧ୍ୟ ହେଉଛି। ଯେଉଁମାନଙ୍କ ସୃଜନଶୀଳ ପ୍ରତିଭା ଅଛି ସେମାନେ ଗଳ୍ପ, କବିତା ଲେଖି ଫେସ୍‌ବୁକ୍‌ରେ ସ୍ଥାନ ଦେଉଛନ୍ତି ଓ ବହୁସଂଖ୍ୟକ ପାଠକମାନଙ୍କ ପାଖରେ ପହଞ୍ଚତ୍ ପାରୁଛନ୍ତି। ମାତ୍ର ଏମାନଙ୍କ ସଂଖ୍ୟା ନଗଣ୍ୟ। ବେଳେବେଳେ ଏହା ବୌଦ୍ଧିକ ଆଲୋଚନାର କ୍ଷେତ୍ର ଭାବରେ ମଧ୍ୟ ବ୍ୟବହୃତ ହେଉଛି। ଏହା ସ୍ବାଗତଯୋଗ୍ୟ। ମାତ୍ର ସେହି ବୌଦ୍ଧିକ ଆଲୋଚନା ବେଳେବେଳେ ଏଭଳି ବିବାଦୀୟ ହେଉଛି ଯେ, କେହି କେହି ପରସ୍ପରକୁ ଆକ୍ଷେପ ଓ ପ୍ରତିଆକ୍ଷେପ କରି କଟୁଭାଷା ପ୍ରୟୋଗ କରୁଛନ୍ତି। ଅନେକ ସମୟରେ ସେମାନେ ଅଶ୍ଳୀଳ ଓ ଅଭଦ୍ର ଭାଷା ବ୍ୟବହାର କରି ଫେସ୍‌ବୁକ୍‌ରେ ଏକ କଳୁଷିତ ପରିବେଶ ସୃଷ୍ଟି କରୁଛନ୍ତି। ବେଳେବେଳେ ଫେସ୍‌ବୁକ୍‌ ଏକ ବାକ୍‌-ରଣକ୍ଷେତ୍ରରେ ପରିଣତ ହେଉଛି। ବୋଧହୁଏ ଯଦି ମାର୍କ ଜୁକରବର୍ଗ ଫେସ୍‌ବୁକ୍‌ ଏପରି ଅପବ୍ୟବହୃତ ହେବ ବୋଲି ଜାଣିଥା’ନ୍ତେ, ହୁଏତ ସେ ଏହାର ପ୍ରଚଳନ କରି ନ ଥାଆନ୍ତେ।
ଫେସ୍‌ବୁକ୍‌ ଆଜି ଆତ୍ମପ୍ରେମର ଏକ ପ୍ରଦର୍ଶନୀ କ୍ଷେତ୍ର। ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ମଧ୍ୟରେ ପରିଲକ୍ଷିତ ହେଉଛି ନାର୍ସିସାସ୍‌ ଲକ୍ଷଣ। ଗ୍ରୀକ୍‌ କିମ୍ବଦନ୍ତୀ ଅନୁସାରେ ନାର୍ସିସାସ ଥିଲେ ଅତ୍ୟନ୍ତ ସୁନ୍ଦର। ସେହି ତରୁଣ ଜାଣି ନ ଥିଲା ତା’ମୁହଁଟି କେତେ ସୁନ୍ଦର। ଦିନେ ସେ ଏକ ସରୋବର କୂଳରେ ବୁଲୁବୁଲୁ ଜଳରେ ତା’ର ପ୍ରତିଫଳନ ଦେଖିଲା ଓ ନିଜ ଲାବଣ୍ୟରେ ମୁଗ୍ଧ ହେଲା। ଶେଷରେ ଜଳ ମଧ୍ୟକୁ ଡେଇଁ ଜୀବନ ହାରିଲା। ନାର୍ସିସାସ୍‌କୁ ନେଇ କିମ୍ବଦନ୍ତୀର ବିଭିନ୍ନ ରୂପ ଥିଲେ ମଧ୍ୟ ନାର୍ସିସାସ୍‌କୁ ଏକ ସ୍ଥୂଳ ଆତ୍ମପ୍ରେମର ଉଦାହରଣ ଭାବରେ ଗ୍ରହଣ କରାଯାଏ। ଯେଉଁମାନେ ନିଜ ସମ୍ପର୍କରେ ଅତି ଉଚ୍ଚଧାରଣା ପୋଷଣ କରନ୍ତି ଓ ସୁଯୋଗ ପାଇବାମାତ୍ରେ ନିଜର ଗୁଣଗାନ କରନ୍ତି, ସେମାନେ ଏହି ବିକଳତାରେ ପୀଡ଼ିତ ବୋଲି ଧରି ନିଆଯାଏ। ନିଜ ରୂପର ପ୍ରେମରେ ପଡ଼ିବା ଏକ ମାନସିକ ବିକଳତା ଓ ଏହାକୁ କୁହାଯାଏ ନାରସିସିଜମ୍‌। ନିଜକୁ ଅଧିକ ଗୁରୁତ୍ୱ ଦେବା ଓ ଆତ୍ମପ୍ରଶଂସାରେ ଲିପ୍ତ ହେବା ହେଉଛି ଏହାର ଲକ୍ଷଣ। ଏବେ ଏହାକୁ କୁହାଯାଉଛି ‘ବ୍ୟକ୍ତିତ୍ୱ ଅସଂହତି’। ଏହି ତତ୍ତ୍ୱର ପ୍ରବକ୍ତା ହିଞ୍ଜ୍‌କୋ କୋହୁଝ୍‌ଙ୍କ ଭାଷାରେ ନିଜ ସମ୍ପର୍କରେ ଅତିରଞ୍ଜିତ ଧାରଣା କରିବା ହେଉଛି ଏହି ବିକଳତାର ଲକ୍ଷଣ (Grandiose।deas or actions beginning at early adulthood,।ndicated by such signs and symptoms as self।mportance and boastfulness)। ଏହି ସ୍ଥୂଳ ଆତ୍ମପ୍ରେମର ଆଉ ଏକ ବିକଟ ରୂପ ହେଉଛି ସେଲ୍‌ଫି ଅର୍ଥାତ୍‌ ନିଜ ଫଟୋ ନିଜେ ଉଠାଇବା। ଏହି ମାନସିକ ବିକଳତା ଅନେକ ମୃତ୍ୟୁର କାରଣ ହେବା ପରେ ମଧ୍ୟ ସେଲ୍‌ଫି ନେବା କମିନାହିଁ। ତରୁଣମାନଙ୍କଠାରେ ଥିବା ଦୁଃସାହସ ପ୍ରତି ଆକର୍ଷଣ ସେଲ୍‌ଫି ମଧ୍ୟଦେଇ ପ୍ରକାଶ ପାଇଛି। କେହିକେହି ଉଚ୍ଚ ଜଳପ୍ରପାତରେ, ପର୍ବତ ଶିଖରରେ, ବିପଦସଙ୍କୁଳ ସ୍ଥାନମାନଙ୍କରେ ସେଲ୍‌ଫି ଉତ୍ତୋଳନ କରି ଆତ୍ମସନ୍ତୋଷ ଲାଭ କରୁଛନ୍ତି। ମାତ୍ର ସେଲ୍‌ଫି ଉତ୍ତୋଳନ କରୁ କରୁ କେହି କେହି ଜୀବନ ହାରିଥିବା ମଧ୍ୟ ପ୍ରମାଣ ମିଳିଛି। ଅତୀତରେ ସଙ୍କଟାପନ୍ନ ପରିସ୍ଥିତିରୁ ଲୋକଙ୍କୁ ଉଦ୍ଧାର କରିବାରେ ତରୁଣମାନେ ଦୁଃସାହସିକ କାର୍ଯ୍ୟ କରୁଥିଲେ। ଆଜି ତାହା ସ୍ଥୂଳ ଆତ୍ମପ୍ରେମର ପ୍ରଦର୍ଶନ ଭାବରେ ସେଲ୍‌ଫିର ରୂପ ନେଇଛି। ଏହା ହିଁ ବିଡ଼ମ୍ବନା।
ଏହି ଆତ୍ମପ୍ରେମ ଆଜି ରାଜନୈତିକ ଲୋକମାନଙ୍କୁ ମଧ୍ୟ କବଳିତ କରିଛି। ସହରର ଛକଗୁଡ଼ିକରେ, ପାର୍କଗୁଡ଼ିକରେ ନେତାମାନଙ୍କ ଯୋଡ଼ହସ୍ତରେ ହାସ୍ୟକର ଭଙ୍ଗୀରେ ବିରାଟ ଚିତ୍ର ସ୍ଥାନ ପାଉଛି। ଏହା ମଧ୍ୟ ସେଲ୍‌ଫି ମାଦକତାର ଆଉ ଏକ ରୂପ। କେହି କେହି ରାଜନେତା ନିଜ ପ୍ରତିମୂର୍ତ୍ତି ନିର୍ମାଣ କରି ସହରର ଛକରେ ବା ପାର୍କରେ ପ୍ରତିଷ୍ଠା କରୁଛନ୍ତି। ଦିନେ ଇଜିପ୍ଟର ରାଜା ଓଜିମାଣ୍ଡିଆସ୍‌ ମଧ୍ୟ ନିର୍ମାଣ କରାଇଥିଲେ ନିଜର ଏକ ପ୍ରକାଣ୍ଡ ପ୍ରତିମୂର୍ତ୍ତି। ସେ ବିଶ୍ୱାସ କରୁଥିଲେ ତାଙ୍କ ପରାକ୍ରମ ଓ କୀର୍ତ୍ତି ଚିରକାଳ ଅନ୍ୟ ରାଜାମାନଙ୍କ ମନରେ ଈର୍ଷା ସଞ୍ଚାର କରୁଥିବ। ତାଙ୍କ ଆଗରେ ସେମାନେ କେତେ ଦୁର୍ବଳ ଓ ଦୟନୀୟ ତାହା ଭାବି ସେମାନେ ହତାଶ ଅନୁଭବ କରୁଥିବେ। ପ୍ରତିମୂର୍ତ୍ତିର ପାଦଦେଶରେ ସେ ଖୋଦିତ କରାଇଥିଲେ, ”ମୁଁ ଓଜିମାଣ୍ଡିଆସ୍‌, ରାଜାମାନଙ୍କର ରାଜା। ହେ ଶକ୍ତିଶାଳୀ ରାଜାମାନେ! ମୋର କୃତିତ୍ୱକୁ ଦେଖ ଓ ମୋ ସଙ୍ଗେ ସମାନ ପରିଗଣିତ ହେବାର ଆଶା ପରିତ୍ୟାଗ କର।“ ମାତ୍ର ମରୁଭୂମିରେ ଠିଆ ହୋଇଥିବା ସେହି ପ୍ରତିମୂର୍ତ୍ତି ଆଜି ବିଧ୍ୱଂସ। ପାଦପୀଠ ଉପରେ ଛିଡ଼ା ହୋଇ ରହିଛି ପ୍ରତିମୂର୍ତ୍ତିର ଦୁଇଟି ପ୍ରକାଣ୍ଡ ଗୋଡ଼। ଅନ୍ୟ ଅଂଶ ଧ୍ୱଂସ ହୋଇଯାଇଛି। ମରୁଭୂମିର ବାଲି ମଧ୍ୟରେ ଅର୍ଦ୍ଧ ଅନାବୃତ ହୋଇ ପଡ଼ିରହିଛି ମୂର୍ତ୍ତିର ଭଗ୍ନ ମୁହଁ। କାରିଗରର କଳାକୌଶଳ ଯୋଗୁ ସେହି ମୁହଁରେ ଏବେ ବି ପ୍ରତିଫଳିତ ହେଉଥିବା ଔଦ୍ଧତ୍ୟର ଅଭିବ୍ୟକ୍ତିକୁ ସତେଯେପରି ମହାକାଳ ଉପହାସ କରୁଛି। ତା’ ସତ୍ତ୍ୱେ ମଣିଷର ଆତ୍ମପ୍ରେମ ଓ ଆତ୍ମବିଜ୍ଞାପନର ମୋହ ଚୂର୍ଣ୍ଣ ହୋଇନାହିଁ। ଏହି ମୋହ ଓଜିମାଣ୍ଡିଆସ୍‌ ଭିତରୁ ଖସି ଆସି ବହୁ ବ୍ୟକ୍ତିବର୍ଗଙ୍କୁ ବିଶେଷକରି ରାଜନେତାମାନଙ୍କୁ ଆୟତ୍ତ କରି ରଖିଛି। ଏଣୁ ସର୍ବତ୍ର ଗଢ଼ିଉଠୁଛି ଅନେକ ପ୍ରତିମୂର୍ତ୍ତି।
ସଂପ୍ରତି ଲେଖକମାନଙ୍କ ସଂଖ୍ୟା ଅପ୍ରତ୍ୟାଶିତ ଭାବରେ ବଢ଼ିଛି। ତା’ସାଙ୍ଗକୁ ନିଜ ବହି ପ୍ରକାଶ କରିବାର ବିକଳତା ମଧ୍ୟ କମ୍‌ ନୁହେଁ। ଏହି ବିକଳତାର ସୁଯୋଗ ନେଉଛନ୍ତି ବିଭିନ୍ନ ପ୍ରକାଶନ ସଂସ୍ଥା। ଲେଖକ ବହି ପ୍ରକାଶନ ବ୍ୟୟର ସିଂହଭାଗ ନିଜେ ବହନ କରି ନିଜକୁ ପ୍ରଚାରିତ କରିବାର ଆକାଂକ୍ଷା ପୋଷଣ କରୁଛନ୍ତି। ଅଥଚ ଦିନ ଥିଲା, ପ୍ରକାଶକମାନେ ଲେଖକ ପାଖରେ ପହଞ୍ଚତ୍ ତାଙ୍କର ବହି ପ୍ରକାଶ କରିବାକୁ ଅନୁମତି ଲୋଡ଼ୁଥିଲେ। ଲେଖକକୁ ଟଙ୍କାଟିଏ ମଧ୍ୟ ଦେବାକୁ ପଡ଼ୁ ନ ଥିଲା, ବରଂ ଲେଖକ ପ୍ରକାଶକଙ୍କ ପାଖରୁ ପାଉଥିଲା ରଚକପ୍ରାପ୍ୟ (royalty)। ପୁନଶ୍ଚ ବହିଟିଏ ପ୍ରକାଶ ପାଇଲେ ଲେଖକ ନିଜେ ଭବ୍ୟ ଲୋକାର୍ପଣ ଉତ୍ସବ ଆୟୋଜନ କରୁଛନ୍ତି ଓ ନିଜକୁ ଜଣେ ଉଚ୍ଚକୋଟୀର ସାହିତି୍ୟକ ଭାବରେ ପ୍ରତିପାଦନ କରିବାର ପ୍ରୟାସ କରୁଛନ୍ତି। ଏହା ମଧ୍ୟ ଆତ୍ମପ୍ରେମର ଆଉ ଏକ ରୂପ। ହୁଏତ ଏହି ଲେଖକ ମଧ୍ୟ ଏହି ଆତ୍ମପ୍ରେମରୁ ମୁକ୍ତ ନୁହେଁ। ମାତ୍ର ଏହା ଅବଶ୍ୟ ସ୍ବୀକାର୍ଯ୍ୟ ଯେ, ଏହି ଆତ୍ମପ୍ରେମରୁ ଆମେ ଯେତେଶୀଘ୍ର ମୁକ୍ତ ହେବା ତାହା ଆମର ବ୍ୟକ୍ତିତ୍ୱର ବିକାଶ ପାଇଁ ସେତେ ମଙ୍ଗଳ।
ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ
ମୋ: ୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri