ଅର୍ଥନୈତିକ ଭାରସାମ୍ୟରେ ଋଣ ଓ ସୁଧ

ଡ. ସତ୍ୟନାରାୟଣ ମିଶ୍ର

 

ଅର୍ଥନୀତି, ଜନତା, ରାଜନୀତି, ନିର୍ବାଚନ ଓ ଗଣତନ୍ତ୍ର ହେଉଛି ସ୍ବାଧୀନତା ପରବର୍ତ୍ତୀ ସମୟର ଏକ ଏକ ବୃହତ୍‌ ସ୍ତମ୍ଭ। କିଛି ପାଇବାର ଆଶା ହେଉଛି ପ୍ରତ୍ୟେକ ମଣିଷର ଏକ ପ୍ରବୃତ୍ତି। ଭାରତର ସ୍ବାଧୀନତା ପରେ ସ୍ବାଧୀନତା ସଂଗ୍ରାମରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ଯୋଗଦାନ କରିଥିବା ବ୍ୟକ୍ତିବିଶେଷ ସମଷ୍ଟିଗତ ଭାବରେ ଗଣତନ୍ତ୍ରର ସୁରକ୍ଷା ନିମିତ୍ତ ନିର୍ବାଚନ ଭଳି ପଦ୍ଧତିକୁ ଆଦରି ନେଲେ କିଛି ଆଶା ଓ ଆକାଂକ୍ଷାକୁ ପାଥେୟ କରି। ତଦନୁଯାୟୀ ଗଣତନ୍ତ୍ରର ରକ୍ଷା କବଚ ବା ଜନତା ସେମାନଙ୍କର ଉପଯୁକ୍ତ ପ୍ରତିନିଧିଙ୍କୁ ନିର୍ବାଚନ ମାଧ୍ୟମରେ ଗଣତନ୍ତ୍ରର ବିଶାଳ କ୍ଷେତ୍ରକୁ ପ୍ରେରଣ କଲେ। ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ସ୍ଥିତି ଓ ପରିସ୍ଥିତିକୁ ଅନୁଧ୍ୟାନ କରି ସେତେବେଳେ ନିର୍ବାଚିତ ପ୍ରତିନିଧିମାନେ ଜନତାଙ୍କ ନିକଟରେ ଉତ୍ତରଦାୟୀ ହୋଇ ରହୁଥିଲେ। ଅର୍ଥନୀତି, ଜନତା, ରାଜନୀତି, ନିର୍ବାଚନ ଓ ଗଣତନ୍ତ୍ର ବିକାଶକୁ ଆଖି ଆଗରେ ରଖି ଚତୁର୍ଦ୍ଦିଗକୁ ସଜାଗ ହୋଇ ରହୁଥିଲା। ନିର୍ବାଚନ ପ୍ରତିଶ୍ରୁତିରେ ରାଜନେତାମାନେ କେବଳ ଦେଶର ବିକାଶ ଉପରେ ଗୁରୁତ୍ୱ ଦେଉଥିଲେ, ଯାହା ଭାରତବର୍ଷର ଅର୍ଥ, ଆୟ ଓ ବ୍ୟୟ ଉପରେ ଆଧାରିତ ଥିଲା।
ସ୍ଥିତି ପରିସ୍ଥିତିର ସମୟ ସ୍ରୋତରେ ପରିବର୍ତ୍ତନର ସ୍ଲୋଗାନ ଦେଇ ଚାଲିଲେ ରାଜନୀତିର ପୁରୋଧାମାନେ ଓ ନିର୍ବାଚନରେ ଅଂଶ ଗ୍ରହଣ କରୁଥିବା ଜନତା ତାହାକୁ ପାଳନ କଲେ। ସମୟ କ୍ରମେ ଆରମ୍ଭ ହେଲା ନିଷ୍ଠା, ପବିତ୍ରତା ଓ ସାଧୁତା ପରିବର୍ତ୍ତେ ଯେନତେନ ପ୍ରକାରେଣ ଜନତାଙ୍କୁ ଆକୃଷ୍ଟ କରି ନିର୍ବାଚନରେ ବିଜୟ ଲାଭ କରିବା। ଜନତା ନିରୁପାୟ। ଭାରତରେ ଗଣତନ୍ତ୍ରରେ ରାଜନୈତିକ ମୂଲ୍ୟବୋଧ ହ୍ରାସ ପାଇବାରୁ ସଚେତନ ନାଗରିକ ଆଉ ନିର୍ବାଚନରେ ଭାଗ ନେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି, ଏପରି କି ଅନେକେ ଭୋଟ ମଧ୍ୟ ଦେଉନାହାନ୍ତି। ‘ଡାହୁକ ରାବ ଶୁଣି ନୀରବ ପିକ, ମୂଢ ସଭାରେ ଯଥା ମୂକ ଧାର୍ମିକ’। ଅଜ୍ଞ ମାନଙ୍କ ସଭାରେ ପଣ୍ଡିତ ବା ଜ୍ଞାନୀମାନଙ୍କର ଯେପରି ଗୁରୁତ୍ୱ ନ ଥାଏ, ଠିକ୍‌ ସେହିପରି ନିର୍ବାଚନରେ ସଚେତନ ନାଗରିକମାନେ ଆଉ ଅଂଶ ଗ୍ରହଣ କରିବାକୁ ପସନ୍ଦ ନାହାନ୍ତି। ସୁତରାଂ ଉକ୍ତ ସ୍ଥିତି ରାଜନୈତିକ ନେତା ଓ ଦଳକୁ ବେଶ୍‌ ସୁହାଉଛି । ସେମାନେ ଅଳ୍ପରେ ତୁଷ୍ଟିକରଣ ଯୋଜନା କରି ଭୋଟରଙ୍କୁ ଆକୃଷ୍ଟ କରି ଚାଲିଛନ୍ତି। ଦେଶରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଭିନ୍ନ ଭିନ୍ନ ତୁଷ୍ଟିକରଣ ଯୋଜନାମାନ ଘୋଷଣା କରି ଭୋଟ ଦେଉଥିବା ଜନତାଙ୍କର ପ୍ରିୟ ଭାଜନ ହେବାରେ ଲାଗିଛନ୍ତି।
ନିକଟରେ କେନ୍ଦ୍ର ବଜେଟ ୨୦୨୦-୨୧ରେ ଭାରତ ସରକାରଙ୍କର ଆୟ ବଜେଟ ଥିଲା ୨୨.୪୬ ଲକ୍ଷ କୋଟି ଟଙ୍କା ଓ ବ୍ୟୟ ହେଉଛି ୩୦.୪୨ ଲକ୍ଷ କୋଟି ଟଙ୍କା। ସେହିପରି ଭାରତ ସରକାରଙ୍କର ଆୟର ପ୍ରଥମ ମାଧ୍ୟମ ହେଉଛି ଋଣ, ଯାହା ୧ ଟଙ୍କାରୁ ୨୦ ପଇସା ଋଣ ଆସୁଥିବା ବେଳେ ଋଣକୁ ପରିଶୋଧ କରିବା ପାଇଁ କେବଳ ସୁଧ ଲାଗି ଭାରତ ସରକାରଙ୍କୁ ଦେବାକୁ ପଡୁଛି ୧ ଟଙ୍କାରୁ ୧୮ ପଇସା। ଆୟର ବୃହତ୍‌ ମାଧ୍ୟମ ହେଉଛି ଋଣ ପୁଣି ପରିଶୋଧ ପାଇଁ କେବଳ ସୁଧ (ମୂଳ ବ୍ୟତୀତ) ହେଉଛି ବୃହତ୍‌ ଅଂଶ, ୧୮ ପଇସା। ଏଥିରେ ଅର୍ଥନୀତିର ସ୍ଥିତି, ଦେଶର ସୁରକ୍ଷା, ଶିକ୍ଷା, ସ୍ବାସ୍ଥ୍ୟ ଆଦିର ବିକାଶ କେଉଁ ମାତ୍ରାରେ ହେବ ତାହା ଚିନ୍ତାର ବିଷୟ। ବଜେଟରେ ବିତ୍ତୀୟ ନିଅଣ୍ଟ ୩.୫ପ୍ରତିଶତ ଥିବା ବେଳେ ରାଜସ୍ବ ନିଅଣ୍ଟ ୨.୭ପ୍ରତିଶତ ରହିଅଛି। ତେଣୁ ଏଭଳି ସ୍ଥିତିରେ ସରକାରଙ୍କର ତୁଷ୍ଟିକରଣ ଯୋଜନା ବଳବତ୍ତର ରହିଆସୁଥିବା ବେଳେ ଅର୍ଥନୀତିର ସ୍ଥିତି ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ବର୍ତ୍ତମାନ ୬୧ଟି ତୁଷ୍ଟିକରଣ ଯୋଜନା କାର୍ଯ୍ୟକାରୀ ହେଉଅଛି। ସେହିଭଳି ଓଡ଼ିଶାରେ ଜଣେ ମଣିଷର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ତୁଷ୍ଟିକରଣ ଯୋଜନା ଆରମ୍ଭ ହୋଇଛି। ଓଡ଼ିଶାରେ ୨୦୨୦-୨୧ ବଜେଟରେ ରାଜ୍ୟର ଅଭିବୃଦ୍ଧି ହାର କମି କମି ୬.୧୨ପ୍ରତିଶତରେ ରହିବ ବୋଲି ଆକଳନ କରାଯାଉଛି। ଏକ ସର୍ବେକ୍ଷଣରୁ ଜଣାଯାଏ ଯେ ୧୯୯୯-୨୦୦୦ରେ ଓଡିଶା ସରକାରଙ୍କର ରଣ ବୋଝ ୧୮,୦୦୦ କୋଟି ଟଙ୍କା ଥିବା ବେଳେ ଚଳିତ ଆର୍ଥିକବର୍ଷ ଶେଷ ବେଳକୁ ଏହା ୧ ଲକ୍ଷ ୬ ହଜାର ୫୨୬ କୋଟି ୮୬ ଲକ୍ଷ ଟଙ୍କା ହେବ ବୋଲି ଅର୍ଥନୀତି ବିଶାରଦମାନେ ଅନୁମାନ କରୁଛନ୍ତି, ଯାହା ୨୦୧୯ ଡିସେମ୍ବର ସୁଦ୍ଧା ପ୍ରତ୍ୟେକ ଜନ୍ମିତ ବ୍ୟକ୍ତିର ଋଣ ଭାର ହେଉଛି ୧୮ ହଜାର ୪୯୭ ଟଙ୍କା। ଅର୍ଥନୀତିର ଭାରସାମ୍ୟକୁ ଦୃଷ୍ଟି ନ ଦେଇ କେବଳ ତୁଷ୍ଟିକରଣ ଯୋଜନା କଲେ ଉକ୍ତ ଋଣଭାରର ସୀମା କେଉଁଠି ପହଞ୍ଚିବ ତାହା କେବଳ ଭବିଷ୍ୟତ ହିଁ କହିବ।
ପରିତାପର ବିଷୟ ଏହା ଯେ ଉକ୍ତ ଶସ୍ତା ତୁଷ୍ଟିକରଣ ଯୋଜନା ହେତୁ ଶ୍ରମ ଓ ଶକ୍ତିର ବିନିଯୋଗ ହୋଇପାରୁ ନାହିଁ। ସମାଜରେ ବର୍ତ୍ତମାନ କର୍ମ କରିବାର ପ୍ରାବଲ୍ୟ ଲୋପ ହେବାକୁ ବସିଲାଣି। ସରକାରଙ୍କ ଅନୁକମ୍ପା ଓ ଦୟା ଅଭ୍ୟାସଗତ ହୋଇଗଲାଣି। ଗାଁରେ କିମ୍ବା ସହରରେ ଶ୍ରମ କରି ଅର୍ଥ ଉପାର୍ଜନ କରିବାର ପ୍ରୟାସ ଧୀରେ ଧୀରେ ଲୋପ ହୋଇ ଗଲାଣି। ଏହାଦ୍ୱାରା ଏକ ଦିଗରେ ଶ୍ରମ ଶକ୍ତିର ବିଲୋପ, ନିମ୍ନ ମାନସିକତା ଚତୁର୍ଦ୍ଦିଗରେ ବିରାଜମାନ କଲାଣି। ତୁଷ୍ଟିକରଣ ଯୋଜନାକୁ ଆଧାର କରି ଯୋଜନାର ଅପବ୍ୟବହାରକାରୀମାନେ ବେଶ୍‌ ଲାଭବାନ ହେଉଛନ୍ତି। ତେବେ ସରକାରଙ୍କର ଜନ କଲ୍ୟାଣ ଯୋଜନାକୁ କେବଳ ଉପଯୁକ୍ତ ହିତାଧିକାରୀଙ୍କୁ ଅର୍ପଣ କରିବା ଉଚିତ। କାରଣ ଯେତେବେଳେ ମଣିଷ ଅଳସୁଆ ହୁଏ, ସେତେବେଳେ ନକାରାତ୍ମକ ପ୍ରବୃତ୍ତିର ପ୍ରତିଷ୍ଠା ହୁଏ ଓ ସେଥିରୁ ବିଭିନ୍ନ ବ୍ୟଭିଚାର ସୃଷ୍ଟି ହୁଏ। ଏ ସମସ୍ତ ତୁଷ୍ଟିକରଣ ଯୋଜନା ଦ୍ୱାରା ସମାଜରେ ମାନବ ସମ୍ବଳର ଅଗ୍ରଗତି ହୋଇପାରୁ ନାହିଁ । ସମାଜରେ ତୁଷ୍ଟିକରଣ ଯୋଜନାରେ ଉପଭୋକ୍ତାମାନେ କର୍ମ କରିବା ପରିବର୍ତ୍ତେ କର୍ମ କାତର ହୋଇ ସରକାରଙ୍କର ଯୋଜନାକୁ ଅପେକ୍ଷା କରୁଛନ୍ତି। ତେବେ ଯୋଜନାଗୁଡିକର ଖର୍ଚ୍ଚ ହେଉଥିବା ଅର୍ଥ ଆସେ କୁଆଡୁ? ଏହାର ସରଳ ଉତ୍ତର ହେଉଛି, ଏ ସମସ୍ତ ଯୋଜନାର ଅର୍ଥ କେବଳ ଜନତା ପଇଠ କରୁଥିବା କର ବା ଖଜଣାରୁ ହିଁ ଆସିଥାଏ। ବର୍ତ୍ତମାନ ସମାଜରେ ଦୁଇ ପ୍ରକାର ଶ୍ରେଣୀ ସୃଷ୍ଟି ହେବାକୁ ବସିଲାଣି। ଗୋଟିଏ ଶ୍ରେଣୀ ଶ୍ରମ ଶକ୍ତିର ଉପଯୋଗ କରି ଅର୍ଥ ଉପାର୍ଜନ କରି ସରକାରଙ୍କୁ କର ଦେଉଛନ୍ତି ଓ ଅନ୍ୟ ଗୋଟିଏ ଶ୍ରେଣୀ ଉକ୍ତ କରକୁ ସରକାରଙ୍କ ତୁଷ୍ଟିକରଣ ଯୋଜନା ଦ୍ୱାରା ଉପଭୋଗ କରୁଛନ୍ତି। କେନ୍ଦ୍ର ସରକାରଙ୍କର ଅର୍ଥନୈତିକ ସ୍ଥିତିକୁ ବିଶ୍ଳେଷଣ କଲେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିତ୍ବାକୁ ମିଳେ, ଯେଉଁଠି ବର୍ତ୍ତମାନ ସରକାରଙ୍କୁ ସମୁଦାୟ ବଜେଟର ୧୮ ଭାଗ କେବଳ ସୁଧ ପଇଠ କରିବାକୁ ପଡୁଛି। ଋଣ ଉପରେ ଭରସା କରୁଥିବା ଅର୍ଥନୀତି ବର୍ତ୍ତମାନ ଋଣର ସୁଧ ପରିଶୋଧ କରିବା ହେଉଛି ମୁଖ୍ୟ ଚିନ୍ତାର କାରଣ। ଚାର୍ବାକଙ୍କ ଦର୍ଶନକୁ ତର୍ଜମା କଲେ ମନେହୁଏ ଯେ ‘ଯାବତ ଜୀବେତ ସୁଖ ଜୀବେତ ଋଣ କୃତ୍ୱା ଘୃତ ପିବେତ’ । ଠିକ୍‌ ସେହିପରି ଋଣ କରି ତୁଷ୍ଟିକରଣ ଯୋଜନା କରିବା ପରିବର୍ତ୍ତେ ସେଥିରେ ବଡ ବଡ କଳ କାରଖାନା, ଶିଳ୍ପ ଇତ୍ୟାଦି ପ୍ରତିଷ୍ଠା କରି ଶ୍ରମ ଓ ଶକ୍ତିର ବିନିଯୋଗ କରାଯାଇପାରନ୍ତା। ସମୟୋପଯୋଗୀ ରୋଜଗାର କ୍ଷମତାକୁ ବୃଦ୍ଧି କରାଗଲେ ମାନବ ସମ୍ବଳର ବିକାଶ ହୋଇପାରନ୍ତା। ରୋଜଗାରର ପନ୍ଥା ପାଇପାରନ୍ତେ ଯୁବକମାନେ।
ଜନହିତକର ଯୋଜନା ସର୍ବାଦୌ ସ୍ବାଗତ ଯୋଗ୍ୟ, ମାତ୍ର ଯୋଜନାରେ ଯଦି ମଣିଷ କର୍ମଠ ନ ହୋଇ କର୍ମ କାତର ହେଲା, ତା’ ହେଲେ ସମୟ ଆସିବ ସମାଜରେ ଏକ ବିଦ୍ରୋହ ଦେଖାଦେବ ଆଉ ସେହି ବିଦ୍ରୋହର ଶିକାର ହେବେ କେବଳ ଜନତା। ଯେତେବେଳେ ସରକାରଙ୍କ ନିକଟରେ ସମ୍ବଳର ଘୋର ସଙ୍କଟ ଦେଖା ଦେବ ଓ ଋଣ ବୋଝରେ ସାଧାରଣ ଜନତା ଅଣ ନିଃଶ୍ୱାସୀ ହେବେ ସେତେବେଳେ ସରକାର ବାଧ୍ୟ ହୋଇ ତୁଷ୍ଟିକରଣ ଯୋଜନାଗୁଡିକୁ ପ୍ରତ୍ୟାହାର କରିବା ପାଇଁ ବାଧ୍ୟ ହେବେ। ସେତେବେଳେ ଦୟା, କରୁଣା ଓ କର୍ମ କାତରରେ ଅଭ୍ୟସ୍ତ ହୋଇଯାଇଥିବା ଜନତା କରିବେ କ’ଣ? ତୁଷ୍ଟିକରଣ ଯୋଜନାରୁ ବଞ୍ଚିତ ଜନତା ଉଭୟେ ପ୍ରତ୍ୟକ୍ଷ ଓ ପରୋକ୍ଷ କର ଦେଇଥାନ୍ତି, ମାତ୍ର ପ୍ରକୃତ ତୁଷ୍ଟିକରଣ ଯୋଜନାର ଉପଭୋକ୍ତାମାନେ କେବଳ ପରୋକ୍ଷ କର ଦେଇଥାନ୍ତି। ଯେତେବେଳେ ଋଣ ବୋଝରେ ସମସ୍ତ ଜନତା ଆତଯାତ ହେବେ ଶେଷରେ ଋଣରୁ ରଣକ୍ଷେତ୍ର ହୋଇଯିବ ସମାଜ। ତେଣୁ ତୁଷ୍ଟିକରଣରୁ କ୍ଷାନ୍ତ ହୋଇ ସୃଷ୍ଟିକରଣ ଚିରନ୍ତନ ରୋଜଗାରର ପନ୍ଥା ଓ କର୍ମ ନିୟୋଜନ କରିପାରିଲେ ଦେଶର ଉନ୍ନତି ହେବ ନଚେତ ଋଣ ଓ ସୁଧର ଅଙ୍କ କଷା ମଧ୍ୟରେ ଆମେ ସମସ୍ତେ ହଜିଯିବା।
ଅଭିଲେଖାଧିକାରୀ,ଜାତୀୟ ଅଭିଲେଖାଗାର, ୟୁନିଟ-୪, ଭୁବନେଶ୍ବର
ମୋ-୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ଏତେ ଘୃଣା କାହିଁକି

ଆକାର ପଟେଲ ମୋ ବହି ସମ୍ପର୍କରେ ମୋର ଏକ ସାକ୍ଷାତ୍‌କାର ନିଆଯିବାବେଳେ ଏହା ସହ ସମ୍ବନ୍ଧ ନ ଥିବା ଏକ ପ୍ରଶ୍ନ ପଚରାଯାଇଥିଲା। ପ୍ରଶ୍ନଟି ଥିତ୍ଲା...

ଏଇ ଭାରତରେ

କୃଷିରେ ଆଧୁନିକ ଜ୍ଞାନକୌଶଳ ଯେତିକି ବିକଶିତ ହେବାରେ ଲାଗିଛି ଗ୍ରାମୀଣ କ୍ଷେତ୍ରରେ ଲୋକମାନେ ମଧ୍ୟ ସେମାନଙ୍କ ବ୍ୟବହାରିକ ଜ୍ଞାନ ଉପଯୋଗ କରି ଏ କ୍ଷେତ୍ରରେ ସଫଳତା...

କାଠଗଡ଼ାରେ କୁକୁଡ଼ା

ତୁଳସୀଦାସ ମିଶ୍ର ଗତ ଦଶହରା ସମୟରେ ଅଭିଯୋଗକାରୀଙ୍କୁ ସେବାର ପ୍ରତିଦାନରେ ଜଣେ ପୋଲିସ ବାବୁ କୁକୁଡ଼ା ଏବଂ ଅଣ୍ଡା ଦେବାକୁ କହିବାରୁ ତାଙ୍କ ମୁଣ୍ଡରେ ଖଣ୍ଡା...

ଏଇ ଭାରତରେ

ଗରିବମାନେ ଲକ୍‌ଡାଉନ୍‌ରେ ସବୁଠୁ ବେଶୀ ପ୍ରଭାବିତ ହୋଇଛନ୍ତି । ଏହି ସମୟରେ ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇଦେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଅନୁଷ୍କା ସେବା ମନୋଭାବର ପରିଚୟ...

ଆଜିର ଅର୍ଥନୀତି/ୟେସ୍‌ ବିପର୍ଯ୍ୟୟ

ୟେସ୍‌ ବ୍ୟାଙ୍କ ହେଉଛି ଏକ ବୃହତ୍‌ ଆଧୁନିକ ଘରୋଇ ବ୍ୟାଙ୍କ। ୨୦୦୪ରେ ରାଣା କପୁରଙ୍କ ଦ୍ୱାରା ପ୍ରତିଷ୍ଠିତ ହେବା ପରଠାରୁ ଏକ ସଫଳ ଉଦ୍ୟୋଗରେ ପରିଣତ...

କୁନି ବାହାଘର ହବ ତ

ସୁଧାକର ଦାସ ନିର୍ବାଚନ ଫଳାଫଳ ବାହାରିବ ୨୩ ତାରିଖରେ। ସ୍ପଷ୍ଟ ହେଇଯିବ କିଏ ଜିତିଲା, କିଏ ହାରିଲା। ନିଷ୍ପତ୍ତି ହେଇଯିବ କାହା ହାତକୁ ଯିବ କ୍ଷମତା...

ଆହାର ଓ ଆରୋହଣ

ସୁଧିରାଜ ରାଉତ “ ଅନେକଥର ଶୁଣିଛି ଯେଭଳି ଅନ୍ନ ସେଭଳି ମନ। ପ୍ରକୃତରେ ଏହା କ’ଣ ସତ୍ୟ?“ ବନ୍ଧୁଙ୍କ ପ୍ରଶ୍ନରେ ହସି କହିଲି – ପ୍ରକୃତରେ...

ଲାଞ୍ଚଖିଆ ସୁଧୁରିଯାଅ

ଲଳିତେନ୍ଦୁ ପଲାଉରୀ ଆମ ଦେଶର ଆଇନକାନୁନ୍‌ ବ୍ୟବସ୍ଥାରେ ରହିଛି ଲାଞ୍ଚ ନେବା ଓ ଲାଞ୍ଚ ଦେବା ଧର୍ତ୍ତବ୍ୟ ଅପରାଧ। ଏଥିପାଇଁ ୭ ବର୍ଷରୁ ଊଦ୍ଧର୍‌ବ ସମୟ...

Play 250+ Trending Games
Archives

Model This Week

Why Dharitri