ଭିଡ଼ ବିପଦ

ଭାରତର ମହାନଗରୀରେ ଟ୍ରାଫିକ୍‌ ଜାମ୍‌ ଓ ଲୋକଙ୍କ ଭିଡ଼ ଅସମ୍ଭାଳ ସ୍ତରରେ ପହଞ୍ଚିଥିବା ବିଷୟରେ ସର୍ବଦା ଆମେ ଦେଖିବାକୁ ପାଉଥିଲୁ। ଏବେ ଓଡ଼ିଶା ଭଳି ରାଜ୍ୟରେ ମଧ୍ୟ ଜନ ଓ ଯାନ ଭିଡ଼ ଅନେକ ସ୍ଥାନରେ ଅସମ୍ଭାଳ ସ୍ଥିତି ସୃଷ୍ଟି କଲାଣି। କୋଭିଡ୍‌-୧୯ ଯୋଗୁ ବିଗତ ଦୁଇବର୍ଷ ଧରି ଲୋକଙ୍କ ଯାତାୟାତ କମିଯାଇଥିଲା। କରୋନାର ପ୍ରାଦୁର୍ଭାବ କମିବା ପରେ ଏବେ ଯାନିଯାତ୍ରା, ମହୋତ୍ସବଗୁଡ଼ିକରେ ଅଧିକ ଉତ୍ସାହ ଦେଖାଦେଇଥିବାରୁ ଭିଡ଼ ବୃଦ୍ଧି ପାଉଛି। ଏପରି କି ଗାଁଗଣ୍ଡାରେ ଥିବା ପୂଜାସ୍ଥଳୀଗୁଡ଼ିକ ଲୋକାରଣ୍ୟ ହୋଇପଡ଼ୁଛି। ପର୍ଯ୍ୟଟନସ୍ଥଳୀ ହେଉ ବା ଧର୍ମପୀଠକୁ ଶ୍ରଦ୍ଧାଳୁଙ୍କ ଯାତାୟାତ ରହିଲେ ତାହା ରାଜ୍ୟ ରାଜକୋଷକୁ ସମୃଦ୍ଧ କରିଥାଏ। କିନ୍ତୁ ତାହାକୁ ବ୍ୟବସ୍ଥିତ କରାଯିବା ଦାୟିତ୍ୱ ପୋଲିସ ଓ ପ୍ରଶାସନର ରହିବା ନିତାନ୍ତ ଆବଶ୍ୟକ। ଉତ୍ସବ ବା ମହୋତ୍ସବ ପୂର୍ବରୁ ଲୋକଙ୍କ ଭିଡ଼ କିଭଳି ହେବ ଓ ତାହାକୁ କେଉଁ ପ୍ରକାରରେ ପରିଚାଳନା କରିହେବ, ସେହି ଦିଗରେ ଗୋଇନ୍ଦା ସବିଶେଷ ତଥ୍ୟ ସଂଗ୍ରହ କରିଥାଏ। ସମ୍ଭବତଃ ସେହି ବ୍ୟବସ୍ଥା ବାରମ୍ବାର ବିଫଳ ହେଉଥିବାରୁ ଅନେକ ସ୍ଥାନରେ ଅଘଟଣ କରୁଛି। ୧୪ ଜାନୁୟାରୀ ୨୦୨୩ରେ କଟକ ଜିଲା ବଡ଼ମ୍ବା ଥାନା ଅନ୍ତର୍ଗତ ସିଂହନାଥ ମନ୍ଦିର ଦର୍ଶନ ପାଇଁ ଯାଉଥିବା ପ୍ରାୟ ଦୁଇ ଲକ୍ଷ ଶ୍ରଦ୍ଧାଳୁଙ୍କ ମଧ୍ୟରୁ ଜଣେ ମହିଳାଙ୍କ ଦଳାଚକଟାରେ ମୃତ୍ୟୁ ଓ ଅନେକ ଆହତ ହେବା ଘଟଣା ସଦ୍ୟ ଦୃଷ୍ଟାନ୍ତ ଭାବେ ଉଭା ହୋଇଛି। ଏହାର ଦିନକ ପରେ ଅର୍ଥାତ୍‌ ୧୫ ଜାନୁୟାରୀରେ ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣ କରାଯାଇ ନ ପାରିବାରୁ ୨ ଜଣ ବେହୋସ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ବିଷୟ ପଦାକୁ ଆସିଛି। ସେଠାରେ ବାରିକେଡ୍‌ ବ୍ୟବସ୍ଥା କରାଯାଇ ଯେତେ ପଦକ୍ଷେପ ନିଆଗଲେ ମଧ୍ୟ ତାହା ବ୍ୟବସ୍ଥିତ ହୋଇପାରୁ ନାହିଁ। ଅନେକ ଶ୍ରଦ୍ଧାଳୁଙ୍କ କହିବା ଅନୁଯାୟୀ ବରଂ ଅତ୍ୟଧିକ ପ୍ରଶାସନିକ ହସ୍ତକ୍ଷେପ, ବାରିକେଡ୍‌ ଆଦି ବ୍ୟବସ୍ଥା ଏବଂ ଅଧିକ ପୋଲିସ ନିୟୋଜନ ହୋଇ ପରିସ୍ଥିତି ବିଗିଡ଼ିଲା ଭଳି ମନେହେଉଛି। ପୂର୍ବରୁ ଶ୍ରଦ୍ଧାଳୁଙ୍କ ଭିଡ଼ ବେଶି ଥିଲେ ମଧ୍ୟ କାହିଁ କେଜାଣି ଦର୍ଶନ ସୁରୁଖୁରୁରେ ହେଉଥିଲା। ଶ୍ରୀମନ୍ଦିରର ସବୁ ଦିଗକୁ ପ୍ରଶାସନ ନିୟନ୍ତ୍ରଣ କରୁଥିବା ବେଳେ ଏହାସବୁ ଶୃଙ୍ଖଳିତ ଭାବେ ହେଉଛି କି ନାହିଁ, ତାହା ସୁନିଶ୍ଚିତ କରାଯିବା ଦରକାର।
ଅନ୍ୟପକ୍ଷେ ସିଂହନାଥ ପୀଠରେ ମକର ମେଳା ସମୟରେ ଅନେକ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। କୋଭିଡ୍‌-୧୯ ଯୋଗୁ ଏହି ପୀଠକୁ ଦୁଇ ବର୍ଷ ଧରି ଲୋକଙ୍କ ଗମନାଗମନ ନ ଥିବାରୁ ଚଳିତବର୍ଷ ଅତ୍ୟଧିକ ଶ୍ରଦ୍ଧାଳୁ ଏକ ସମୟରେ ‘ଟି’ ସେତୁରେ ପଶିଯାଇଥିଲେ। ଉଲ୍ଲେଖଯୋଗ୍ୟ, ୨୦ ଡିସେମ୍ବର ୨୦୨୧ରେ କଟକ ଜିଲା ବାଙ୍କୀ ବୈଦେଶ୍ୱରରୁ ବଡ଼ମ୍ବା ଗୋପୀନାଥପୁରକୁ ଏବଂ ମହାନଦୀ ମଧ୍ୟରେ ଥିବା ସିଂହନାଥ ଦେବ ପୀଠକୁ ସଂଯୋଗ କରୁଥିବା ‘ଟି’ ବ୍ରିଜ୍‌ ଉଦ୍‌ଘାଟିତ ହୋଇଥିଲା। ପୂର୍ବରୁ ଶ୍ରଦ୍ଧାଳୁମାନେ ନଦୀ ମଧ୍ୟ ଦେଇ ଚଲା ବାଟରେ ମନ୍ଦିରକୁ ଯିବାଆସିବା କରୁଥିଲେ। ତେବେ ‘ଟି’ ସେତୁ ନିର୍ମାଣ ପରେ ଗମନାଗମନ କରିବା ସହଜ ହୋଇଥିଲା। ହେଲେ ଏକସମୟରେ ଅତ୍ୟଧିକ ଶ୍ରଦ୍ଧାଳୁ ତାହାକୁ ବ୍ୟବହାର କରିବାରୁ ଦଳାଚକଟା ହେଲା। ମହିଳା ଓ ପିଲାମାନେ ଏହାଦ୍ୱାରା ବେଶି ପ୍ରଭାବିତ ହୋଇଥିବା ଦୃଶ୍ୟ ଗଣମାଧ୍ୟମରୁ ଦେଖିବାକୁ ମିଳିଛି।
ଗତବର୍ଷ ଅକ୍ଟୋବର ୩୦ରେ ଗୁଜରାଟର ମୋର୍ବି ଝୁଲା ପୋଲ ଦୁର୍ଘଟଣାରେ ୧୩୫ ଜଣଙ୍କ ମୃତ୍ୟୁ କଥା ଅନେକଙ୍କ ମନେଥିବ। ସ୍ଥାନୀୟ ପ୍ରଶାସନ ଏତେ ଲୋକଙ୍କୁ ଏକସଙ୍ଗେ ବ୍ରିଜ୍‌ ଉପରେ ଯିବାଲାଗି ଅନୁମତି ଦେବା ଭଳି ଦାୟିତ୍ୱହୀନତା ଯୋଗୁ ବଡ଼ ଅଘଟଣ ଘଟି ଯାଇଥିଲା। ସେହିଭଳି ଭାବେ ‘ଟି’ ବ୍ରିଜ୍‌ ଉପରେ ଭିଡ଼ ନିୟନ୍ତ୍ରଣ କରୁଥିବା ପୋଲିସ ଓ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଥିବାରୁ ଏପରି ଦୁର୍ଘଟଣା ଘଟିଲା ବୋଲି କୁହାଯାଉଛି। ଦେଖିବାକୁ ଗଲେ ଆଜିର ସମୟରେ ‘ଭିଡ଼ ନିୟନ୍ତ୍ରଣ’ ଶବ୍ଦ ପଛୁଆ ଚିନ୍ତାଧାରା ହୋଇଗଲାଣି। ଏବର ଆବଶ୍ୟକତା ହେଉଛି ‘ଭିଡ଼ ପରିଚାଳନା’। ପୋଲିସକୁ ପୂର୍ବଭଳି ଭିଡ଼ ନିୟନ୍ତ୍ରଣ କରିବା ସକାଶେ ପ୍ରଶିକ୍ଷଣ ଦିଆଯାଉଛି। ବାସ୍ତବରେ ସୁରକ୍ଷାବାହିନୀକୁ ଭିଡ଼ ପରିଚାଳନା ଲାଗି ଲୋକଙ୍କ ନିରାପତ୍ତାକୁ କିଭଳି ପ୍ରାଧାନ୍ୟ ଦିଆଯିବା ଉଚିତ, ତାହା ଉପରେ ଗୁରୁତ୍ୱ ଦେବା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଲାଣି। ଯଦି ‘ଟି’ ବ୍ରିଜ୍‌କୁ ଦେଖାଯାଏ ପୋଲିସ ଓ ଗୋଇନ୍ଦା ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀ ପ୍ରଥମେ ସେଥିରେ ସମୁଦାୟ କେତେ ଲୋକ ଧରିବାର କ୍ଷମତା ରହିଛି ଓ ମେଳାର ପ୍ରାରମ୍ଭିକ ପର୍ଯ୍ୟାୟରେ କେତେ ଶ୍ରଦ୍ଧାଳୁ ତାହା ଭିତରକୁ ପ୍ରବେଶ କରିଛନ୍ତି, ତାହାର ଆକଳନ କରିବା କଥା। ସେଥିପ୍ରତି ଦୃଷ୍ଟି ଦିଆ ନ ଯାଇ ଭିଡ଼ ନିୟନ୍ତ୍ରଣ ପାଇଁ ସୁରକ୍ଷା କର୍ମଚାରୀ ‘ଅନ୍ଧାରରେ ବାଡ଼ି ବୁଲାଇବା’ ଭଳି ପଦକ୍ଷେପ ନେବାରୁ ଅତ୍ୟଧିକ ଲୋକ ଯେତେବେଳେ ହୋଇଗଲେ ସେତେବେଳେ ସେମାନଙ୍କ ଅକଲ ଗୁଡୁମ୍‌ ହୋଇଗଲା। ଅନ୍ୟପକ୍ଷେ ଲୋକେ ମଧ୍ୟ ନିଜ ନିରାପତ୍ତାକୁ ନେଇ ସଚେତନ ରହିବା ଦରକାର। ଅତ୍ୟଧିକ ଭିଡ଼ ସ୍ଥାନକୁ ଯାଉଥିବା ବେଳେ ଚାରିଆଡ଼କୁ ନଜର ନ ରଖିଲେ ଅଘଟଣରେ ଫସିଯିବାର ଆଶଙ୍କା ରହିଛି। ଏଭଳି ପ୍ରଚ୍ଛଦପଟରେ ବିପର୍ଯ୍ୟୟ ପରିଚାଳନା ବୈଜ୍ଞାନିକମାନଙ୍କ ସହିତ ପ୍ରଶାସନ ସମନ୍ୱୟ ରକ୍ଷା କରି ପଦକ୍ଷେପ ନେଇପାରିଲେ ହୁଏତ ଭିଡ଼ଜନିତ ଦୁର୍ଘଟଣାକୁ ଅନେକାଂଶରେ ରୋକାଯାଇପାରନ୍ତା।

 


Enter your email to get our daily news in your inbox.

All Right Reserved By Dharitri.Com

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

ଜଳବାୟୁ ଆଇନ ପାଇଁ ଆହ୍ବାନ

ଗତବର୍ଷ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆଇନଗତ ମତ ବା ରାୟ ପ୍ରକାଶ କରିଥିଲେ, ଯାହା ୨୦୧୫ ପ୍ୟାରିସ ଚୁକ୍ତି…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri