ଭଦ୍ରକ,୨୫।୯(ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ବୁଡାଉ ଥିବା ୨ ପ୍ରମୁଖ ନଦୀରେ ଶୁକ୍ରବାର ପୁଣି ବନ୍ୟା ଆସିଛି l ବୁଧବାର ରାତିରୁ କ୍ରମାଗତ ବର୍ଷା ଲାଗି ରହିଥିବାରୁ ୨ ନଦୀରେ ଜଳସ୍ତର ବଢ଼ି ଚାଲିଛି l ଶୁକ୍ରବାର ସକାଳେ ବୈତରଣୀ ନଦୀର ଜଳସ୍ତର ଆଖୁଆପଦା ଆନିକଟଠାରେ ବିପଦ ସଙ୍କେତ ଅତିକ୍ରମ କରିଥିବା ବେଳେ ରାଜଘାଟ ନିକଟରେ ସାଳନ୍ଦୀ ବିପଦ ସଙ୍କେତ ନିକଟତର ହୋଇଛି।
ବୈତରଣୀ ନଦୀର ଆଖୁଆପଦାଠାରେ ବିପଦ ସଙ୍କେତ ୧୮. ୩୩ମିଟର ଥିବା ବେଳେ ସକାଳ ୮ ଟାରେ ନଦୀର ଜଳସ୍ତର ୧୮.୩୫ ମିଟର ପହଞ୍ଚି ଥିବା ବେଳେ ପୂର୍ବାହ୍ନ ୧୧ ଟା ସୁଦ୍ଧା ୧୮. ୭୦ ମିଟରରେ ପହଁଞ୍ଚିଛି।
ସେହିପରି ରାଜଘାଟଠାରେ ସାଳନ୍ଦୀ ବିପଦ ସଙ୍କେତ ୧୭ ଫୁଟ ଥିବା ବେଳେ ପୂର୍ବାହ୍ନ ୧୧ ଟା ରେ ଜଳସ୍ତର ୧୬. ୩୦ ଫୁଟ ରେ ପ୍ରବାହିତ ହେଉଛି l ସେହିପରି ସାଳନ୍ଦୀ ଓ ଏହାର ଉପନଦୀ ନଳିଆରେ ଜଳସ୍ତର ଜଳସ୍ତର ବୃଦ୍ଧି ପାଇ ଭଦ୍ରକ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି l
ସହରର ବିଭିନ୍ନ କଲୋନୀ ରାସ୍ତା ଜଳମଗ୍ନ ହୋଇପଡିଛି। ସହରର ମହତାବ ନଗର, ଧରିତ୍ରୀ ନଗରରେ ରାସ୍ତାରେ ଆଣ୍ଠୁଏ ପାଣି ଲହଡି ମାରୁଛି l ସେହିପରି ସାବିତ୍ରୀ ନଗର, ଆରଡ଼ି ଛକ, ପ୍ରାଚୀ ନଗର ସବୁ ରାସ୍ତାରେ ପାଣି ଜମି ରହିଥିବାରୁ ଲୋକେ ଘରୁ ବାହାରି ପାରୁ ନାହାନ୍ତି l ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ବନ୍ୟା ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା କରାଯିବା ସହ ବିଭାଗୀୟ ଅଧିକାରୀମାନେ ସଜାଗ ରହିଛନ୍ତି।

