କଟକ,୨୪।୯: କଟକର ପ୍ରସିଦ୍ଧ ଦୁର୍ଗାପୂଜା ଓ ଭସାଣି ଉତ୍ସବକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ କଟକ ଦୁର୍ଗାପୂଜା ଏବଂ ଭସାଣି ଶୋଭାଯାତ୍ରାର ସିଧା ପ୍ରସାରଣ (ଲାଇଭ୍ ଷ୍ଟ୍ରିମିଂ) କରାଯିବ। ଏ ସମ୍ପର୍କରେ କଟକ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଆନୁଷ୍ଠାନିକ ଭାବେ ସୂଚନା ଦେଇଛନ୍ତି।
ପୁରୀ ରଥଯାତ୍ରା ଏବଂ କଟକ ବାଲିଯାତ୍ରା ଭଳି ଦୁର୍ଗାପୂଜାକୁ ମଧ୍ୟ ବିଶ୍ୱବ୍ୟାପୀ ଶ୍ରଦ୍ଧାଳୁଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରଶାସନ ଏହି ପଦକ୍ଷେପ ନେଇଛି। ଏହି ସିଧା ପ୍ରସାରଣ ପାଇଁ ସୂଚନା ଓ ପ୍ରସାରଣ ବିଭାଗ ନିର୍ଦ୍ଦେଶକଙ୍କ ସହ ଆଲୋଚନା ସରିଛି ଏବଂ ସେ ଏଥିପାଇଁ ସମ୍ମତି ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମର ବୈଷୟିକ ପ୍ରସ୍ତୁତି ପାଇଁ ଗୋଟିଏ ଦିନ ସୂଚନା ଓ ପ୍ରସାରଣ ବିଭାଗର ଟେକ୍ନିକାଲ ଟିମ୍କୁ ଡାକି ଆଲୋଚନା କରାଯିବ।
ଦେଶ ଓ ବିଦେଶରେ ଥିବା ସମସ୍ତ ଶ୍ରଦ୍ଧାଳୁ ୟୁଟ୍ୟୁବ୍ (YouTube) ଏବଂ ଜିଲା ପ୍ରଶାସନର ଅଫିସିଆଲ୍ ୱେବସାଇଟ୍ରେ କଟକ ଦୁର୍ଗାପୂଜା ଓ ଭସାଣିର ସିଧା ପ୍ରସାରଣ ଦେଖିପାରିବେ। ପ୍ରଶାସନର ଏହି ନିଷ୍ପତ୍ତି ଫଳରେ ଘରେ ବସି ମଧ୍ୟ ଶ୍ରଦ୍ଧାଳୁମାନେ କଟକ ପୂଜାର ଜାକଜମକ ଓ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ଦର୍ଶନ କରିବାର ସୁଯୋଗ ପାଇପାରିବେ।

