କ୍ରିପ୍ଟୋ ମୁଦ୍ରାର ଗହନ କଥା

କିଶୋର ଜେନା

ଏଥରର ବଜେଟ ଭାଷଣରେ କେନ୍ଦ୍ର ଅର୍ଥମନ୍ତ୍ରୀ ସାଧାରଣ ଜନତାଙ୍କ ପ୍ରତ୍ୟାଶା ପୂରଣ ଦିଗରେ ସେପରି କିଛି ଦୃଷ୍ଟି ଦେଇନାହାନ୍ତି। ଏହା ସାମଗ୍ରିକ ଅଭିମତ। କିନ୍ତୁ ଦୁଇଟି ବିଷୟ ସାଧାରଣ ଲୋକଙ୍କୁ ବଜେଟ ସମ୍ପର୍କରେ ଟିକେ ଉତ୍ସୁକ କରିଛି। ଗୋଟିଏ ଘୋଷଣାରେ କୁହାଯାଇଛି କ୍ରିପ୍ଟୋ ମୁଦ୍ରାର ଯେକୌଣସି ବିନିମୟରେ ୩୦ ପ୍ରତିଶତ ହାରରେ କରଧାର୍ଯ୍ୟ ହେବ। ଅନ୍ୟଟିରେ କୁହାଯାଇଛି, ଯେବେ ଡିଜିଟାଲ ମୁଦ୍ରାର ପ୍ରଚଳନ ହୁଏ, ତାହା ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ଏବଂ ରିଜର୍ଭ ବ୍ୟାଙ୍କ ଏହି ବିଷୟଟିକୁ ବିଚାର କରୁଛି। ଏତେଦିନ ଧରି ଆମ ଦେଶର ଲୋକମାନେ କ୍ରିପ୍ଟୋ ମୁଦ୍ରାର କଥା ଶୁଣିଥିଲେ। ବେଳେବେଳେ କ୍ରିପ୍ଟୋ ବିିନିମୟର କଥା ଶୁଣିଛନ୍ତି। ମୋବାଇଲ ଫୋନରେ କ୍ରିପ୍ଟୋର ବିଜ୍ଞାପନ ଖବର ଆସିଛି। ଆଉ ମଧ୍ୟ ଶୁଣିଛନ୍ତି, କେହି କେହି କ୍ରିପ୍ଟୋ ମୁଦ୍ରାର ଫଟକା ଖେଳି ବେଶ୍‌ ଦୁଇ ପଇସା ଅର୍ଜନ କରିଛନ୍ତି। କିନ୍ତୁ ଅର୍ଥମନ୍ତ୍ରୀଙ୍କ ଘୋଷଣା ଲୋକଙ୍କୁ ବୁଝାଇ ଦେଇଛି ଯେ, ବିଷୟଟିକୁ ଆଉ ଦୂରରେ ରଖିବା ସମୀଚୀନ ନୁହେଁ।
କ୍ରିପ୍ଟୋକୁ ସଠିକ୍‌ ଭାବେ ବୁଝିବା ପାଇଁ ବର୍ତ୍ତମାନର ମୁଦ୍ରା ବ୍ୟବସ୍ଥା ଏବଂ ଏହାର ଭିିତ୍ତି ସମ୍ପର୍କରେ ଅଭିହିତ ହେବା ଆବଶ୍ୟକ। ଲୋକେ ବିନିମୟ ବ୍ୟବସ୍ଥା ଆରମ୍ଭ କରିଥିଲେ ଦ୍ରବ୍ୟର ବିନିମୟରେ ଦ୍ରବ୍ୟର ଆଦାନପ୍ରଦାନ ମାଧ୍ୟମରେ। କିନ୍ତୁ ଯେତେବେଳେ ଲୋକସଂଖା ବଢ଼ିବାକୁ ଲାଗିଲା ଏବଂ ଅନେକ ରକମ ଜିନିଷର ଆଦାନପ୍ରଦାନ ଦରକାର ପଡ଼ିଲା, ସେତେବେଳେ ଦ୍ରବ୍ୟର ବିନିମୟ ବ୍ୟବସ୍ଥା ଅଚଳ ହୋଇପଡ଼ିଲା। ସେତେବେଳେ ବିନିମୟର ମାଧ୍ୟମ ରୂପେ ବିଭିନ୍ନ ଦ୍ରବ୍ୟର ବ୍ୟବହାର ହେଲା। ଯେପରି ଶାମୁକା, ପଥର, କଉଡ଼ି, ଧାନ, ଗହମ, ଗୋରୁ, ସୁନା, ରୁପା ଇତ୍ୟାଦି ଜିନିଷର ପରୀକ୍ଷାନିରୀକ୍ଷା ହୋଇଛି ବିନିମୟର ମାଧ୍ୟମ ରୂପେ। ଏହିସବୁ ଦ୍ରବ୍ୟ ମୁଦ୍ରାରେ ଅନେକ ସୁବିଧା ଓ ଅସୁବିଧା ରହିଥିଲା। ଯେପରି ଅନେକ ଜିନିଷର ଗୁଣଗତମାନ ଅଳ୍ପ ସମୟରେ ପରିବର୍ତ୍ତିତ ହୋଇଯାଏ ଏବଂ ସଙ୍ଗେ ସଙ୍ଗେ ଏହାର ମୂଲ୍ୟମାନ ପରିବର୍ତ୍ତିତ ହୋଇଯାଏ। ଅନେକ ଦ୍ରବ୍ୟ ମୂଲ୍ୟ ବିଶେଷକରି ଗବାଦି ପଶୁଙ୍କ କ୍ଷେତ୍ରରେ ସଠିକ୍‌ ବିନିମୟ ମୂଲ୍ୟ ନିର୍ଦ୍ଧାରଣ କରିବା ସମସ୍ୟାବହୁଳ ହୋଇପଡ଼େ। ଦୁଇ ସେର ଚାଉଳ ବଦଳରେ ଗୋରୁର କେତେ ଅଂଶ ପ୍ରାପ୍ୟ ହେବ ଏବଂ ଗୋରୁର ମୂଲ୍ୟମାନ ଅପରିବର୍ତ୍ତିତ ରଖି କିପରି ସେହି ଅଂଶଟିକୁ ହସ୍ତାନ୍ତର କରାଯିବ, ଏଟା ଠିକ୍‌ କରିବା ପ୍ରାୟ ଅସମ୍ଭବ। ଏଣୁ କାଗଜ ମୁଦ୍ରାର ଉଦ୍ଭବ ହେଲା। ଅଷ୍ଟମ ଶତାବ୍ଦୀରେ ଚାଇନାରେ କାଗଜ ମୁଦ୍ରାର ପ୍ରଚଳନ ହୋଇଥିଲା ବୋଲି ଜଣାଯାଏ। ଆଜିକାର ପୃଥିବୀରେ ଆଧୁନିକ ମୁଦ୍ରାର ମୂଳ ଭିତ୍ତି ହେଉଛି ଏହି କାଗଜର ମୁଦ୍ରା। ଏହି ଆଧୁନିକ ମୁଦ୍ରା ଛିଡ଼ା ହୋଇଛି ପାରସ୍ପରିକ ଆସ୍ଥା ଉପରେ। ଆମର ସମ୍ପୂର୍ଣ୍ଣ ଆସ୍ଥା ଅଛି ଯେ, ଆମ ହାତରେ ଯେଉଁ କାଗଜର ମୁଦ୍ରା ଅଛି, ତାହାକୁ ଆପଣଙ୍କୁ ଦେଲେ ଆପଣ ବିନା ଦ୍ୱିଧାରେ ଗ୍ରହଣ କରିବେ। ଆପଣ କୌଣସି କାଗଜର ମୁଦ୍ରା ଦେଲେ ମୁଁ ମଧ୍ୟ ବିନା ଦ୍ୱିଧାରେ ତାକୁ ଗ୍ରହଣ କରିନେବି। ଆପଣଙ୍କର ବା ମୋର ଏହି କାଗଜର ମୁଦ୍ରା ବ୍ୟବହାର ଉପରେ ଆସ୍ଥା। କାରଣ ଆମେ ଜାଣୁ ଦେଶର କେନ୍ଦ୍ରୀୟ ବ୍ୟାଙ୍କର ଗ୍ୟାରେଣ୍ଟି ଅଛି ଏହି କାଗଜର ମୁଦ୍ରାଗୁଡ଼ିକ ଉପରେ। ସେହି ଗ୍ୟାରେଣ୍ଟିର ସାକ୍ଷ୍ୟ ବହନ କରିଛି କାଗଜର ନୋଟଗୁଡ଼ିକ ଉପରେ କେନ୍ଦ୍ରୀୟ ବ୍ୟାଙ୍କର ଅଧିକର୍ତ୍ତାଙ୍କ ସ୍ବାକ୍ଷର। କିନ୍ତୁ କୌଣସି କାରଣରୁ ଯଦି ମୁଁ ଓ ଆପଣଙ୍କ ପରି ଅନେକ ଜନସାଧାରଣଙ୍କର ମୁଦ୍ରା ଉପରେ ଆସ୍ଥା ତୁଟିଯାଏ, ତା’ ହେଲେ ଏହି ଆଧୁନିକ ମୁଦ୍ରା ବ୍ୟବସ୍ଥା ଅକାମୀ ହୋଇପଡ଼ିବ। ଏହି ପାରସ୍ପରିକ ଆସ୍ଥାକୁ ସମ୍ବଳ କରି କ୍ରିପ୍ଟୋର ସୃଷ୍ଟି।
କ୍ରିପ୍ଟୋ ମୁଦ୍ରାର ଉଦ୍ଭବ ପଛରେ ଅବଶ୍ୟ ଅବଦାନ ରହିଛି ଡିଜିଟାଲ ପ୍ରଯୁକ୍ତିର ଉନ୍ନତିର। ବର୍ତ୍ତମାନ ଯୁଗରେ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ଓ ଦାମ ମେଣ୍ଟାଇବାର ବ୍ୟବସ୍ଥା (ପେମେଣ୍ଟ ସିଷ୍ଟମ୍‌) ହେଉଛି ପ୍ରକୃତରେ ଏକ ବିପୁଳ ପରିମାଣର ଡିଜିଟାଲ ବୁକ୍‌କିପିଙ୍ଗ୍‌ ଏବଂ ଖତିଆନ ରକ୍ଷଣ (ଲେଜର ମେଣ୍ଟେନାନ୍ସ) ବ୍ୟବସ୍ଥା। କିପରି ଏହି ଖତିଆନର ବନ୍ଦୋବସ୍ତ ହୁଏ। ବିଭିନ୍ନ ବ୍ୟାଙ୍କରେ ଯେଉଁସବୁ ଲୋକଙ୍କର ଆକାଉଣ୍ଟ ଅଛି, ସେମାନଙ୍କର ଆକାଉଣ୍ଟର ଦେଣନେଣ ବ୍ୟାଙ୍କର ନିଜ ନିଜ ଖାତାରେ ଖତିଆନ (ଲେଜର)ରେ ନଥିଭୁକ୍ତ ହୁଏ। ସମାନ ଭାବେ କେନ୍ଦ୍ରୀୟ ବ୍ୟାଙ୍କ (ଭାରତରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନାମରେ ପରିଚିତ) ବା କେନ୍ଦ୍ରୀୟ କ୍ଲିୟରିଂ ସଂସ୍ଥା ସେହି ଦେଣନେଣକୁ ପରଖି କରି ଅନୁମୋଦନ ଦେଲେ ଏକ କେନ୍ଦ୍ରୀୟ ଖତିଆନ (ଲେଜର)ରେ ନଥିଭୁକ୍ତ ହୁଏ। ଧରାଯାଉ ସରୋଜବାବୁ ତାଙ୍କ ବ୍ୟାଙ୍କ ‘କ’ରେ ଗଚ୍ଛିତ ଟଙ୍କା ମଦନବାବୁଙ୍କୁ ସ୍ଥାନାନ୍ତର କରି କିଛି ଜିନିଷ କିଣିଲେ। ମଦନବାବୁଙ୍କ ଆକାଉଣ୍ଟ ଅଛି ‘ଖ’ ବ୍ୟାଙ୍କରେ। ତା’ ହେଲେ ‘କ’ ବ୍ୟାଙ୍କ ଏହି ଟଙ୍କା ସରୋଜବାବୁଙ୍କ ଆକାଉଣ୍ଟରୁ କାଢ଼ି କେନ୍ଦ୍ରୀୟ ବ୍ୟାଙ୍କ ଜରିଆରେ ମଦନବାବୁଙ୍କ ‘ଖ’ ବ୍ୟାଙ୍କକୁ ଦେଇ ମଦନବାବୁଙ୍କ ଆକାଉଣ୍ଟରେ ଜମା କରିଦେବେ। ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ କରିବା ପାଇଁ ଜରୁରୀ ହେଲା କେନ୍ଦ୍ରୀୟ ଖତିଆନ (ଲେଜର)ର ବିଶ୍ୱାସଯୋଗ୍ୟତା ଏବଂ କେନ୍ଦ୍ରୀୟ ବ୍ୟାଙ୍କର ଆସ୍ଥା ବଜାୟ ରଖିବା।
କ୍ରିପ୍ଟୋ ମୁଦ୍ରା କ୍ଷେତ୍ରରେ ଏହି କେନ୍ଦ୍ରୀୟ ଖତିଆନ (ଲେଜର)ର ବନ୍ଦୋବସ୍ତ ରଖିବାର ଦରକାର ନାହିଁ କେନ୍ଦ୍ରୀୟ ବ୍ୟାଙ୍କ ବା କ୍ଲିୟରିଂ ସଂସ୍ଥାର। ଏହା କାର୍ଯ୍ୟ କରେ ଏକ ବିକେନ୍ଦ୍ରୀକୃତ ଖତିଆନଭିିତ୍ତିକ ପ୍ରଯୁକ୍ତିର ମାଧ୍ୟମରେ, ଯାହାର ପୋଷାକ ହିଁ ବ୍ଲକ-ଚେନ୍‌ ପ୍ରଯୁକ୍ତି। ଏହି ବ୍ଲକ-ଚେନ୍‌ ଭିତ୍ତିକ ଖତିଆନ ପ୍ରକୃତରେ ଏକ ଡାଟା ହାଉସ୍‌, ଯାହା ଏକ ସ୍ବତନ୍ତ୍ର ନେଟ୍‌ୱର୍କରେ ରକ୍ଷିତ ହୋଇଥାଏ। ଯଦ୍ଦ୍ବାରା ସମାନ କ୍ରିପ୍ଟୋ ଏକାଧିକବାର ଖର୍ଚ୍ଚ ନ ହୁଏ, ସେଥିପାଇଁ ନେଟ୍‌ୱର୍କର ସବୁ ସଦସ୍ୟ କ୍ରିପ୍ଟୋର ଦେଣନେଣ ପର୍ଯ୍ୟବେକ୍ଷଣ କରେ ଏବଂ ଅନୁମୋଦନ କରେ। ଏଥିପାଇଁ କ୍ରିପ୍ଟୋଗ୍ରାଫିର ଜଟିଳ ପ୍ରୋଗ୍ରାମିଂର ପ୍ରୟୋଜନ ହୁଏ। ଯେତେବେଳେ ସବୁ ସଦସ୍ୟଙ୍କ ଅନୁମୋଦନ ମିଳେ, ସେତେବେଳେ ଯେକୌଣସି ଦେଣନେଣ ବ୍ଲକ-ଚେନ୍‌ରେ ଖତିଆନରେ ଲିପିବଦ୍ଧ ହୁଏ। ଏହି ଲେଜର ମାଧ୍ୟମରେ, କ୍ରିପ୍ଟୋ ମାଧ୍ୟମରେ ହୋଇଥିବା ଦେଣନେଣର ଇତିହାସ ନଥିଭୁକ୍ତ ରୁହେ। କୌଣସି ଏକକ ସଦସ୍ୟ ଏହାକୁ ଏପାଖସେପାଖ କରିପାରିବେ ନାହିଁ। ଏହି ଭାବରେ ବିଭିନ୍ନ ଆକାଉଣ୍ଟ ମାଧ୍ୟମରେ ଦେଣନେଣକୁ ସହମତ ଭିିତ୍ତିରେ ପର୍ଯ୍ୟବେକ୍ଷଣ କରିବା ଓ ଅନୁମୋଦନ କରିବାର ପ୍ରଯୁକ୍ତିର ଅଧିକାର ହିଁ ‘କ୍ରିପ୍ଟୋ’ର ଆବିର୍ଭାବର ପ୍ରତ୍ୟକ୍ଷ କାରଣ।
ନେଟ୍‌ୱର୍କରେ ଯେଉଁସବୁ ସଦସ୍ୟ ଏହି ଭାବରେ ଦେଣନେଣର ଅନୁମୋଦନରେ ଅଂଶ ଗ୍ରହଣ କରନ୍ତି, ସେମାନେ କିନ୍ତୁ ନୂଆ କ୍ରିପ୍ଟୋ ସେମାନଙ୍କ ଆକାଉଣ୍ଟରେ ଅମାନତ ହିସାବରେ ପାଆନ୍ତି। କ୍ରିପ୍ଟୋ ମୁଦ୍ରାର ଆକାଉଣ୍ଟଧାରୀମାନଙ୍କ ପାଇଁ ଦୁଇଟି ଆବଶ୍ୟକୀୟ ଚାବିକାଠି ଦରକାର। ଗୋଟିଏ ଆକାଉଣ୍ଟ ନମ୍ବର, ଆଉ ଗୋଟିଏ ବ୍ୟକ୍ତିଗତ ପାସ୍‌ୱାର୍ଡ। ଉଦାହରଣ ସ୍ବରୂପ, ସରୋଜବାବୁ ମଦନବାବୁଙ୍କୁ କ୍ରିପ୍ଟୋ ଦେଇ କିଛି ଜିନିଷ କିଣିବେ। ସେଥିପାଇଁ ସରୋଜବାବୁ ତାଙ୍କ ବ୍ୟକ୍ତିଗତ ପାସ୍‌ୱାର୍ଡ ଦେଇ ତାଙ୍କ ଆକାଉଣ୍ଟ ଯାହାର ପରିଚିତ, ଧରାଯାଉ ୨୩୨ରୁ ଏହି ଦେଣନେଣ ଆରମ୍ଭର ସଙ୍କେତ ଦେବେ। ମଦନବାବୁ ଆକାଉଣ୍ଟର ପରିଚିତି ଧରାଯାଉ ୮୫୧। ନେଟ୍‌ୱର୍କ ସଦସ୍ୟମାନେ ଏହି କମ୍ପ୍ୟୁଟର ପ୍ରୋଗ୍ରାମ ସାହାଯ୍ୟରେ ସରୋଜବାବୁଙ୍କ ଆକାଉଣ୍ଟ ଭିତରକୁ ନ ଯାଇ ଜାଣିନେବେ ଯେ ଏହି ନେଣଦେଣ ପାଇଁ ଯଥେଷ୍ଟ କ୍ରିପ୍ଟୋ ଉକ୍ତ ଆକାଉଣ୍ଟରେ ଅଛି କି ନାହିଁ। ଯଦି ଥାଏ, ତା’ହେଲେ ଏହି ନେଣଦେଣକୁ ଅନୁମୋଦନ କରିବେ। ସେତେବେଳେ ଆକାଉଣ୍ଟ ନମ୍ବର ୨୩୨ରୁ ଆକାଉଣ୍ଟ ନମ୍ବର ୮୫୧କୁ କ୍ରିପ୍ଟୋ ହସ୍ତାନ୍ତର ହେବ ଏବଂ ବ୍ଲକ୍‌-ଚେନରେ ଏକ ନୂଆ ବ୍ଲକ ସଂଯୋଜନ ହେବ।
ପ୍ରଥମେ ଯେତେବେଳେ କ୍ରିପ୍ଟୋ ମୁଦ୍ରାର କଥା ଜଣାପଡ଼ିଲା, ବିଟି କଏନ୍‌ର ଉଦ୍ଭବ ହେଲା ୨୦୦୯ରେ ସାତସିମାକାମୋତୋ ଛଦ୍ମ ନାମରେ ଦଳେ କମ୍ପ୍ୟୁଟର ପ୍ରୋଗ୍ରାମରଙ୍କ ହାତଧରି। ଏବେ ବିଟି କଏନ୍‌ ଛଡ଼ା ବଜାରରେ ଆହୁରି ପ୍ରାୟ ଦେଢ଼ ହଜାର କ୍ରିପ୍ଟୋର ନେଣଦେଣ ହେଉଥିବାର ଶୁଣାଯାଏ। ଏହାର ବ୍ୟବହାରରେ କିଛି ସୁବିଧା ଅଛି। ଏହାରି ସାହାଯ୍ୟରେ ଅନେକ ବଡ଼ ପରିମାଣର ଆନ୍ତର୍ଜାତିକ ନେଣଦେଣ ସହଜରେ ଅଳ୍ପ ସମୟରେ କରାଯାଏ। ଅନେକ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ରକ୍ଷଣାବେକ୍ଷଣ କରାଯାଏ। କିନ୍ତୁ ଏତେ ପ୍ରଚାର ମଧ୍ୟରେ ଗୋଟିଏ ବଡ଼ ପ୍ରଶ୍ନ ହେଉଛି, କ୍ରିପ୍ଟୋ କ’ଣ ମୁଦ୍ରା ହିସାବରେ ବ୍ୟବହାରର ଯୋଗ୍ୟତା ଅର୍ଜନ କରିଛି? ଉତ୍ତର ହେଉଛି ନା। ମୂଲ୍ୟମାନର ନିର୍ଦ୍ଧାରକ ହିସାବରେ ବା ମୂଲ୍ୟର ଧାରକ ହିସାବରେ ଏହାର ଉପଯୋଗିତା କମ୍‌, ଅତ୍ୟନ୍ତ ଦ୍ରୁତ ଉଠାପକା କରେ ଏହାର ମୂଲ୍ୟ। ଏହାର ବ୍ୟବହାରକାରୀଙ୍କ ସଂଖ୍ୟା କମ୍‌ ହୋଇଥିବା ଯୋଗୁ ବିନିମୟର ମାଧ୍ୟମ ରୂପେ ଏହାର ବ୍ୟବହାରର ସମ୍ଭାବନା କମ୍‌। ଏହାର ଏକ ସାର୍ବିକ ବ୍ୟବହାର ଆରମ୍ଭ କରିବାକୁ ଗଲେ ଏକ ବିଶାଳ ଅଙ୍କର ବିନିଯୋଗ ଦରକାର ଡିଜିଟାଲ ପ୍ରଯୁକ୍ତିରେ।
ତା’ହେଲେ ବିନିଯୋଗକାରୀମାନେ ଦୌଡ଼ୁଛନ୍ତି କାହିଁକି ଏହା ପଛରେ? ଏହାର ମୂଲ୍ୟର ଉଠାପକା ଦ୍ରୁତ। ଆଉ ଫଟକା ଖେଳାର ସମ୍ପୂର୍ଣ୍ଣ ସୁଯୋଗ। ଏହାଛଡ଼ା ବ୍ଲକ୍‌-ଚେନ୍‌ ସାହାଯ୍ୟରେ ନିଜର ପରିଚୟ ଗୋପନ ରଖାଯାଏ ସହଜରେ। ଏଣୁ ଶୁଣାଯାଏ ମାଦକ ବ୍ୟବସାୟୀ, ବେଆଇନ ଅସ୍ତ୍ର ବେପାରୀ, ସେମାନଙ୍କ କଳାଟଙ୍କାର ବିନିଯୋଗ ପାଇଁ କ୍ରିପ୍ଟୋକୁ ବାଛି ନେଇଛନ୍ତି। ଏହାଠାରୁ ବଡ଼ ମୁଣ୍ଡବିନ୍ଧାର ଗୋଟିଏ କାରଣ ରହିଛି। ଯେହେତୁ କ୍ରିପ୍ଟୋ ଉପରେ କେନ୍ଦ୍ରୀୟ ବ୍ୟାଙ୍କର ନିୟନ୍ତ୍ରଣ ନାହିଁ, ତେଣୁ କ୍ରିପ୍ଟୋଭିିକ ମୁଦ୍ରା ବ୍ୟବସ୍ଥା ଦେଶର ଅର୍ଥନୈତିକ ବ୍ୟବସ୍ଥା ଓ ମୁଦ୍ରାନୀତିକୁ ଶିଥିଳ କରିବେ। ଠିକ୍‌ ଏହା ହିଁ ବଜେଟ ପେସ୍‌ର ୧୦ଦିନ ପରେ ରିଜର୍ଭ ବ୍ୟାଙ୍କ ଗଭର୍ନର କହିଛନ୍ତି, କ୍ରିପ୍ଟୋ କରେନ୍ସିକୁ ଦେଶର ଆର୍ଥିକ ସ୍ଥିତିଶୀଳତା ପାଇଁ ବିପଦ ବୋଲି ସେ ଚିହ୍ନିତ କରିଛନ୍ତି।
ଉତ୍କଳମଣି ମାର୍ଗ, ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ
ମୋ: ୯୪୩୭୩୮୪୮୬୭


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?