ମହାକାଳପଡ଼ା,୨୪।୧୧:କେନ୍ଦ୍ରାପଡ଼ା ଜିଲାର ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ବଉଳା କୁମ୍ଭୀରଙ୍କ ଆତଙ୍କ ଦେଖିବାକୁ ମିଳିଛି। ନଦୀନାଳରେ ମାଳମାଳ କୁମ୍ଭୀର ଘୂରି ବୁଲୁଥିବା ବେଳେ ଏବେ ଜଣେ ବୃଦ୍ଧା ମହିଳା କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି। ଗୁରୁତର ଆହତ ମହିଳାଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରରେ ୧୫ଟି ଷ୍ଟିଚ ପଡ଼ିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ମହାକାଳପଡ଼ା ବ୍ଲକ ଗହୀରମଥା ରେଞ୍ଜ ଅଫିସ ନିକଟସ୍ଥ ନରସିଂହପୁର ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନରେ ଏହି ଅଘଟଣ ଘଟିଛି। ଗ୍ରାମର ଗୀତାରାଣୀ ଜାନା (୬୭) ଓ ତାଙ୍କ ସ୍ବାମୀ ରାଜକୃଷ୍ଣ ଜାନା (୭୪) ନିଜ ଚାଷଜମିକୁ ଜଳସେଚନ କରିବା ପାଇଁ ନିକଟରେ ଘାଇ କାଟୁଥିଲେ। ଏହି ସମୟରେ ହଠାତ୍ ଏକ ବଉଳା କୁମ୍ଭୀର ଗୀତାରାଣୀଙ୍କୁ ଆକ୍ରମଣ କରିଥିଲା।
କୁମ୍ଭୀର ଆକ୍ରମଣରେ ଗୀତାରାଣୀଙ୍କ ବାମ ଜଙ୍ଘରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଯନ୍ତ୍ରଣାରେ ସେ ଚିତ୍କାର କରିବାରୁ ନିକଟରେ ଥିବା ରାଜକୃଷ୍ଣ ତୁରନ୍ତ ପହଞ୍ଚି ତାଙ୍କୁ କୁମ୍ଭୀର କବଳରୁ ଉଦ୍ଧାର କରିଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କ କ୍ଷତସ୍ଥାନରେ ୧୫ଟି ଷ୍ଟିଚ ପକାଯାଇଛି।
ଏହି ଘଟଣାକୁ ନେଇ ରାଜକୃଷ୍ଣ ଜାନା ଗହୀରମଥା ରେଞ୍ଜ ଅଧିକାରୀ ଚିତ୍ରସେନ ଜେନାଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ମେଡିକାଲ ରିପୋର୍ଟ ମିଳିବା ପରେ ନିୟମ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ରେଞ୍ଜ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ଗହୀରମଥାର ନଦୀନାଳରେ ବହୁ ସଂଖ୍ୟାରେ କୁମ୍ଭୀର ରହୁଥିବାରୁ ନଦୀ ଓ ନାଳ ମଧ୍ୟକୁ ନଯିବା ପାଇଁ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯାଉଥିବା କୁହାଯାଇଛି। ତେବେ ବାରମ୍ବାର କୁମ୍ଭୀର ଆକ୍ରମଣ ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।
Dharitri – Odisha’s No.1 Odia Daily

