ଇନ୍ଦୋର,୨୪।୧୧: ଗୋଟିଏ ତୀରରେ ଦୁଇଟି ଶିକାର କରିବାର କଥା ଆପଣ ନିଶ୍ଚୟ ଶୁଣିଥିବେ। ହେଲେ ଭାରତୀୟ କ୍ରିକେଟର୍ ପ୍ରିୟାଂଶ ଆର୍ଯ୍ୟ ଗୋଟିଏ ଇନିଂସ୍ରେ ୫ଟି ରେକର୍ଡ ଭାଙ୍ଗି ଚର୍ଚ୍ଚାକୁ ଆସିଛନ୍ତି। ସୟଦ ମୁସ୍ତାକ ଅଲୀ ଟ୍ରଫି (SMAT) ୨୦୨୬ରେ ତାମିଲନାଡୁ ବିପକ୍ଷରେ ସେ ଏହି ଧୂଆଁଧାର ଇନିଂସ ଖେଳିଛନ୍ତି। ପ୍ରିୟାଂଶ ମାତ୍ର ୬୮ଟି ବଲ୍ରେ ୨୬୬ ଷ୍ଟ୍ରାଇକ ରେଟ୍ରେ ୧୮୧ ରନ ସଂଗ୍ରହ କରିଥିଲେ। ଏହି ପାଳି ସହ ସେ ଟି-୨୦ କ୍ରିକେଟ୍ରେ ଏକାଧିକ ରେକର୍ଡ ନିଜ ନାମରେ କରିଛନ୍ତି।
ପ୍ରିୟାଂଶଙ୍କ ଇନିଂସରେ ୫ ବଡ଼ ରେକର୍ଡ
୧. ଭାରତୀୟ ବ୍ୟାଟରଙ୍କ ସର୍ବାଧିକ ଟି-୨୦ ସ୍କୋର: ୧୮୧ ରନ୍ର ଏହି ଇନିଂସ ଟି-୨୦ରେ ଜଣେ ଭାରତୀୟ ବ୍ୟାଟର୍ଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର ବୋଲି ଦାବି କରାଯାଇଛି।
୨. ଭାରତୀୟ ମାଟିରେ ସର୍ବାଧିକ ସ୍କୋର: ଭାରତରେ ଖେଳାଯାଇଥିବା ଟି-୨୦ ମ୍ୟାଚ୍ରେ ଜଣେ ବ୍ୟାଟରଙ୍କ ସର୍ବାଧିକ ସ୍କୋର ଭାବେ ଏହି ଇନିଂସରେ ଦର୍ଶାଯାଇଛି।
୩. ଅଧିନାୟକ ଭାବେ ସର୍ବାଧିକ ରନ: ଅଧିନାୟକ ଭାବେ ୧୮୧ ରନ କରି ପ୍ରିୟାଂଶ ଟି-୨୦ କ୍ରିକେଟରେ ଜଣେ ଅଧିନାୟକଙ୍କ ସର୍ବାଧିକ ବ୍ୟକ୍ତିଗତ ଇନିଂସର ରେକର୍ଡ କରିଥିବା ଦାବି କରାଯାଇଛି।
୪. SMAT ଇତିହାସର ସର୍ବାଧିକ ଇନିଂସ: ତାମିଲନାଡୁ ବିପକ୍ଷରେ ଖେଳିଥିବା ୧୮୧ ରନ୍ର ଇନିଂସ ସୟଦ ମୁସ୍ତାକ ଅଲୀ ଟ୍ରଫି ଇତିହାସର ସର୍ବାଧିକ ବ୍ୟକ୍ତିଗତ ସ୍କୋର ବୋଲି କୁହାଯାଇଛି।
୬. ଗୋଟିଏ ଇନିଂସରେ ୧୯ ଛକା: ପ୍ରିୟାଂଶଙ୍କ ଏହି ପାଳିରେ ୧୯ଟି ଛକା ସାମିଲ ଥିଲା। ଏହା ଟି-୨୦ କ୍ରିକେଟ୍ର ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାର ବିଶ୍ୱ ରେକର୍ଡକୁ ସ୍ପର୍ଶ କରିଛି। ଏହା ପୂର୍ବରୁ ୨୦୨୫ରେ ଫିନ ଆଲେନ ମଧ୍ୟ ଗୋଟିଏ ଇନିଂସ୍ରେ ୧୯ଟି ଛକା ମାରିଥିଲେ।
ପ୍ରିୟାଂଶଙ୍କ ଏହି ବିସ୍ଫୋରକ ବ୍ୟାଟିଂ ତାଙ୍କୁ ଟି-୨୦ କ୍ରିକେଟ୍ରେ ଏକ ନୂଆ ପରିଚୟ ଦେଇଛି। ଗୋଟିଏ ଇନିଂସ୍ରେ ଏତେଗୁଡ଼ିଏ ରେକର୍ଡ ହାସଲ କରି ସେ କ୍ରିକେଟ୍ପ୍ରେମୀଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି।
Dharitri – Odisha’s No.1 Odia Daily

