କରୋନା, କାମଦାମ କରନା

ଡଃ. କୁଳାଙ୍ଗାର

କରୋନାର ଦୁଃଖକଥା ତ ଏବେ ନିତିନିତି ସବୁସ୍ଥାନରେ ଆଲୋଚନା ହେଉଛି, କିନ୍ତୁ ଏହା ମଧ୍ୟରେ ସୁଖକଥାଟି ଲୁଚିଯାଇଛି। ଅବଶ୍ୟ ସୁଖୀ ଲୋକଙ୍କ ସଂଖ୍ୟା କମ୍‌, ଦୁଃଖୀ ଲୋକଙ୍କ ସଂଖ୍ୟା ଅଧିକ। ତେବେ ସେମାନଙ୍କ ସୁଖରୁ କିଛି ପରିବେଷଣ କଲେ ଦୁଃଖୀମାନଙ୍କର ଦୁଃଖ କିଛି ପରିମାଣରେ ଲାଘବ ହୋଇପାରେ।
ପ୍ରତିଦିନ ସକାଳୁ କିଛିଲୋକ ଦୁଃଖୀ ହୁଅନ୍ତିି, ଯେବେ ଜଣାପଡ଼େ କି ସେମାନଙ୍କୁ କରୋନା ହୋଇଛି। ଅପରାହ୍ନରେ କିଛି ଲୋକ ଖୁସି ହୁଅନ୍ତିି, ଯେବେ ଜଣା ପଡ଼େ ସେମାନେ ନୀରୋଗ ହୋଇଛନ୍ତିି।
ସ୍କୁଲ୍‌ରେ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ହୋଇଥିବାରୁ ପିଲାମାନେ ଘରେ।
ଉପର ଶ୍ରେଣୀର ଛାତ୍ରୀ ଜଣେ ତଳ ଶ୍ରେଣୀର ଛାତ୍ରୀକୁ କହିଲା- ଏ କରୋନା ରୋଗଟା ଯଦି ଏବେ ନ ଆସି ବର୍ଷେ ଆଗରୁ ଆସି ଥାଆନ୍ତା, ଆଜି ମୁଁ ମାଆ ହୋଇ କୋଳରେ ଛୁଆକୁ ଖେଳାଉ ଥାଆନ୍ତି।
ଅନ୍ୟ ଛାତ୍ରୀଟି କହିଲା- ଏ ମା… କେମିତି ମ?
ଏବେ ସେଇ ଛାତ୍ରୀଟି ଉତ୍ତର ଦେଲା- ଗତବର୍ଷ ପରୀକ୍ଷା ପୂର୍ବରୁ ମୋର ବାହାଘର ଠିକ୍‌ ହୋଇଥିଲା। କିନ୍ତୁ ମୁଁ ପରୀକ୍ଷାରେ ଫେଲ୍‌ ହୋଇଯିବାରୁ ମୋ ବାହାଘର ଭାଙ୍ଗିଗଲା। ଏ କରୋନା ରୋଗଟା ଯଦି ସେତେବେଳେ ଆସିଥାଆନ୍ତା, ତମମାନଙ୍କ ପରି ମୁଁ ବି ବିନା ପରୀକ୍ଷାରେ ହାରାହାରି ମାର୍କ ରଖି ପାସ୍‌ କରି ଯାଇଥାଆନ୍ତି। ଫଳରେ ମୋ ବାହାଘର ଆଉ ଭାଙ୍ଗି ନ ଥା’ନ୍ତା।
ସ୍କୁଲ୍‌ଗୁଡ଼ିକ ବହୁଦିନ ଧରି ବନ୍ଦ ରହିବାରୁ ଛାତ୍ରୀଛାତ୍ରମାନେ ଲମ୍ବା ଛୁଟି କାଟୁଛନ୍ତି। ଶିକ୍ଷକମାନେ ଘରେ ଘରେ ବହି ଓ ଡାଲି, ଚାଉଳ ଆଦି ଯୋଗାଇ ଦେଇଛନ୍ତି। ପାଠ ଡରୁଆ ଛାତ୍ରୀଛାତ୍ରଙ୍କ ପାଇଁ ତ ପାଳକ। ସେମାନେ ଟିଭି ଦେଖି ଦେଖି ନିଜକୁ ସ୍ଥାୟୀ ମୋଟୁ ପତ୍‌ଲୁରେ ପରିଣତ କରି ସାରିଲେଣି।
ଅବଶ୍ୟ ସବୁ ଛାତ୍ରୀଛାତ୍ରମାନେ ପାଠକୁ ଡରନ୍ତିି ନାହିଁ। କାରଣ ଏବେ ବିଦ୍ୟାଳୟ ସବୁ ଦଣ୍ଡମୁକ୍ତ ଅଞ୍ଚଳ ପାଲଟି ସାରିଛି। ତେବେ ଦଣ୍ଡରୁ ମନେପଡ଼ିଲା ଗୋଟେ ବଢ଼ିଆ କଥା। ଶୁଣନ୍ତୁ! ପିଲାଙ୍କୁ ପିଟିବାକୁ ବାରଣ କରାଯାଇଥିଲେ ମଧ୍ୟ, କିଛି ଶିକ୍ଷକ ନିଜର ନିଜତ୍ୱକୁ ଛାଡ଼ି ନ ପାରି ଆଉ କିଛି ଅଭିଭାବକଙ୍କଠାରୁ ହଁ ପିଟନ୍ତୁ ଆମର ଆପତ୍ତି ନାହିଁ ବୋଲି ବରପ୍ରାପ୍ତ ହୋଇ ପିଲାଙ୍କୁ ପିଟୁଥିଲେ। କିନ୍ତୁ ଏଇ କରୋନା ଯୋଗୁ ହିଁ ଆମର ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଦଣ୍ଡମୁକ୍ତ ହୋଇପାରିଲା। ବିକଳ୍ପ ବ୍ୟବସ୍ଥା ସ୍ବରୂପ, ଛାତ୍ରୀଛାତ୍ରଙ୍କୁ ଅନ୍‌ଲାଇନ୍‌ରେ ପାଠପଢ଼ା ହେଉଛି। ଏଥିରେ ଶିକ୍ଷକ ଚାହିଁଲେ ମଧ୍ୟ ପିଲାଙ୍କୁ ବାଡ଼େଇ ପାରୁନାହାନ୍ତି।
ଅନ୍‌ଲାଇନ୍‌ରେ ଶିକ୍ଷକ ବିଷୟ ପରେ ବିଷୟ ସାରି ଖୁସି ହେଉଛନ୍ତି ଆଉ ପିଲାମାନେ ବିଷୟ ପରେ ବିଷୟ ଭୁଲି ଖୁସି ହେଉଛନ୍ତି। ଶିକ୍ଷକଙ୍କୁ ଠକିବାରେ ବହୁ ପିଲା ସକ୍ଷମ ହେଉଛନ୍ତି। କେଉଁଠି ଦାଢ଼ିଚୁଟି ବଢ଼ି ଯାଉଥିବାରୁ ପିଲା ଶିକ୍ଷକଙ୍କୁ ଚିହ୍ନି ପାରୁନି ତ ପୁଣି କେଉଁଠି ଘରେ ବସିବସି ଖାଇପିଇ ମୋଟା ହୋଇ ଯାଇଥିବାରୁ ପିଲାକୁ ଶିକ୍ଷକ ଚିହ୍ନି ପାରୁନାହାନ୍ତିି।
ସେମିତି ଗୋଟେ ଅନ୍‌ଲାଇନ୍‌ରେ ଗୋଟିଏ କ୍ଲାସର ଶେଷରେ ଶିକ୍ଷୟିତ୍ରୀ ପଚାରିଲେ- ପିଲାମାନେ କାହାର ଯଦି କିଛି ବି ଅବୁଝା ରହିଯାଇଛି ତେବେ ବିନା ଭୟରେ ପଚାର। ପିଲାଟିଏ ପଚାରିଲା- ମିସ୍‌… ଆଡିଶନ୍‌ ପଢ଼େଇଲା ବେଳେ ଆପଣ ଲେଫ୍ଟକୁ ଅନେଇ ବଡ଼ବଡ଼ ଆଖି କରି ଯାହାକୁ ରାଗୁଥିଲେ ସିଏ ଆପଣଙ୍କ ଛୁଆ ନା ଡଗି ନା ହଜବ୍ୟାଣ୍ଡ୍‌?
ଅନେକ ହଜବ୍ୟାଣ୍ଡ୍‌ ଯେଉଁମାନେ ପୂର୍ବରୁ ଧେଡ଼ିଆ ଥିଲେ, ଏଇ କରୋନା କାଳରେ ଘରେ ବସି ବସି ସ୍ବାସ୍ଥ୍ୟବାନ ପାଲଟି ଯାଇଛନ୍ତି। ଆଗରୁ ଆଦୌ ରୋଷେଇ ଶିଖି ନ ଥିବା ଅନେକ ସ୍ବାମୀ ଏବେ ବହୁ ରୋଷେଇ ଶିଖି ସାରିଲେଣି। ଏକରେ ଉପଲବ୍ଧତାରେ ବିଭ୍ରାଟ ଓ ଦୁଇରେ ଅଧିକାଂଶ ସମୟ ଘରଣୀଙ୍କ ପାଖରେ ରହୁଥିବାରୁ ଅନେକ ମଦୁଆ ମରଦ ଶତପ୍ରତିଶତ ମଦ ଛାଡ଼ି ଦେଇଛନ୍ତିି।
କେବଳ ମଦ ନୁହେଁ, ବହୁଲୋକ ବହୁକଥା ଛାଡ଼ିଛନ୍ତିି। ଦଳେ ପ୍ରଧାନମନ୍ତ୍ରୀଙ୍କ ପରି ଦାଢ଼ି ଛାଡ଼ିଛନ୍ତି। ଦଳେ ସ୍ତ୍ରୀ ଓ ପିଲାଛୁଆ ଛାଡ଼ିଛନ୍ତିି(ଗାଆଁରେ)। ଦଳେ ଫୁଲ୍‌ ପିନ୍ଧା ଛାଡ଼ିଛନ୍ତି, ମାନେ ଦିନରାତି ଲୁଙ୍ଗି, ଗାମୁଛା ଅବା ହାଫ୍‌ପ୍ୟାଣ୍ଟରେ କାମ ଚଳଉଛନ୍ତି। ବହୁ ଲୋକ ବାଧ୍ୟବାଧକତାରେ ଆଉ ବହୁଲୋକ ପରିସ୍ଥିତିର ଫାଇଦା ଉଠେଇବାକୁ ଯାଇ କାମ କରିବା ଛାଡ଼ି ଦେଇଛନ୍ତିି।
ବହୁ ବେସରକାରୀ କାର୍ଯ୍ୟସ୍ଥଳୀ ବନ୍ଦ ପଡ଼ିଥିବାରୁ ଅନେକ ଲୋକ ବାଧ୍ୟ ହୋଇ କାମ ଛାଡ଼ିଛନ୍ତିି। ରୋଜଗାର ଠପ୍‌ ତେଣୁ ଘରେ ବସିଛନ୍ତି।
ସରକାରୀ କାର୍ଯ୍ୟାଳୟ କିନ୍ତୁ ବନ୍ଦ ହୋଇନି। ସ୍ବାସ୍ଥ୍ୟ ଓ ଗୃହ ପରି ବିଭାଗରେ ଚତୁର୍ଗୁଣ କାର୍ଯ୍ୟ ବଢ଼ିଯାଇଛି। ସେମାନଙ୍କଠାରୁ ଲୋକଙ୍କର ଆଶା ବହୁତ। ଲୋକେ ଚାହାନ୍ତିି ଏହି ବିଭାଗର କର୍ମଚାରୀମାନେ ମେଶିନ୍‌ ପାଲଟି ଯାଆନ୍ତୁ ଆଉ ଲୋକମାନଙ୍କର ଇଚ୍ଛାନୁଯାୟୀ ଚବିଶ ଘଣ୍ଟା କ’ଣ ସମୟ ପାଇଲେ ଆହୁରି ଖଟନ୍ତୁ। ନଚେତ ନିଅନ୍ତୁ, ଗାଳି ନିନ୍ଦା ଅପମାନ ଖାଆନ୍ତୁ। ଏମାନଙ୍କ ବ୍ୟତୀତ ପଞ୍ଚାୟତ ଓ ବ୍ଲକ୍‌ ପରି କିଛି କାର୍ଯ୍ୟାଳୟ ଲଗାତର ଓଭରଟାଇମ୍‌ କରୁଛନ୍ତି।
ବାକି ବହୁ କାର୍ଯ୍ୟାଳୟରେ ବହୁ କଟକଣା ହୋଇଛି। ଆଜି ଅର୍ଡର ବାହାରିଲା ଏତିକି ଶତକଡ଼ା ଆସ ତ କାଲି ନିୟମ ଏତିକି ଆସ। ବୃଦ୍ଧ ଓ ରୋଗୀମାନେ ନ ଆସିଲେ ଚଳିବ। ଯିଏ କୋଉ କାମକୁ ନୁହଁ, ସିଏ ଆସୁ କି ନ ଆସୁ ତାକୁ କିଏ ବା ଖୋଜୁଛି!
ଜାଣିବା ଭିତରେ ଏମିତି ଲମ୍ବାଛୁଟି କେବେ କୌଣସି କର୍ମଚାରୀଙ୍କୁ ମିଳି ନ ଥିଲା। ଏବେ ତ ଘରେ ରହିବାର ଅଭ୍ୟାସରେ ଏମିତି ପଡ଼ିଗଲାଣି ଯେ ବହୁ ଲୋକଙ୍କୁ ଆଉ ସେ ଚଉକିରେ ବସିବା ପାଇଁ ଜାଗା ହେଉନାହିଁ! ଘରେ ଶୋଇ ଶୋଇ ବସିବାର ଅଭ୍ୟାସ ନ ଥିବାରୁ ଚଉକିଗୁଡ଼ିକୁ ବାରମ୍ବାର ଖାଲି କରିବାକୁ ପଡୁଛି।
ମୋଟାମୋଟି କାର୍ଯ୍ୟାଳୟରେ କରୋନା ଅଘୋଷିତ ମାର୍ଚ୍ଚମାସର ପରିସ୍ଥିତି ସୃଷ୍ଟି କରିଛି। ଯେମିତି ସେ ମାସରେ କୌଣସି କାର୍ଯ୍ୟ ପାଇଁ ଗଲେ ବାବୁମାନେ କହିଥାନ୍ତି- ମାର୍ଚ୍ଚମାସ, ପଛରେ ଆସ, ଏବେ କହୁଛନ୍ତିି କରୋନା ସରିଲେ ଆସିବ। ଏମିତି ବି କିଛି କର୍ମଚାରୀ ମଧ୍ୟ ଅଛନ୍ତି, ଯାହାଙ୍କର ଜୋତା କି ଚପଲ ଚିହ୍ନ ମାସମାସ ଧରି କାର୍ଯ୍ୟାଳୟରେ ପଡ଼ିନାହିଁ। ଘରୁ କାମ କରିବାର ନିୟମ ମଧ୍ୟ ତାଙ୍କୁ ଲାଗୁ ହୁଏ ନାହିଁ, କାରଣ ସେମାନଙ୍କର ଯୋଗ୍ୟତା ହେଲା ତାଙ୍କୁ କମ୍ପୁଟର ଚାଳନା ଆସିନାହିଁ। ସିଏ କାମକୁ, କାର୍ଯ୍ୟାଳୟ ଗମନକୁ ବର୍ଜନ କରିଛନ୍ତିି, କିନ୍ତୁ ପୂର୍ବପରି ମାସିକ ଦରମା ଅର୍ଜନ କରିଛନ୍ତିି। ତେବେ କୁହନ୍ତୁ ତ ସେମାନେ ସୁଖୀ କି ନାଇଁ? ଅବଶ୍ୟ ଏହାର ସକାରାତ୍ମକ ଦିଗ ମଧ୍ୟ ରହିଛି। କାମ ପାଇଁ ଦୁର୍ନୀତିର ଅଭିଯୋଗ ତ ବହୁ ପୁରୁଣା। ଏବେ କିନ୍ତୁ ସେଥିରୁ ମୁକ୍ତି। ଯିଏ କାମ ନ କରୁଛି, ଦୁର୍ନୀତି କରନ୍ତା ବା କାହୁଁ? ତେବେ ଆଜି ହେଉ କି କାଲି, ଏ କରୋନା ଦିନେ ଚାଲିଯିବ କିନ୍ତୁ ହାୟ ଆମ କର୍ମଚାରୀଙ୍କଠାରେ କାମ କରିବାର ସ୍ପୃହା କ’ଣ ସ୍ବତଃ ପୁନଃ ସୃଷ୍ଟି ହୋଇପାରିବ?
ମାର୍ଫତ- ଗାନ୍ଧୀ ପଣ୍ଡା, କଳାଘର-ଲେମ୍ବୋ, ଡା-ଅଲରା, ନରସିଂହପୁର, କଟକ
ମୋ- ୮୮୯୫୮୨୫୮୬୩


Enter your email to get our daily news in your inbox.

All Right Reserved By Dharitri.Com

୩୦ ସୁଦ୍ଧା ୩୦

ଆଲେଖ୍ୟର ଶୀର୍ଷକଟି ପାଠକଙ୍କ ମନରେ ବିସ୍ମୟ ସୃଷ୍ଟିର କାରଣ ହେବା ସ୍ବାଭାବିକ। ଏବେ କିନ୍ତୁ ବିଶ୍ୱ ସ୍ତରରେ ପରିବେଶ ସଚେତନ ନାଗରିକ ଏବଂ ସଂରକ୍ଷଣବାଦୀଙ୍କ ମହଲରେ...

ମହିମାଗାଦିର ମହାମେଳା

ଡ. ଉଦ୍ଧବ ଚରଣ ନାୟକ ମହିମାଗାଦି ହେଉଛି ଓଡ଼ିଶାର ନିଜସ୍ବ ଧର୍ମ ମହିମାଧର୍ମର ପୁଣ୍ୟପୀଠ। ଏହି ଧର୍ମର ପ୍ରାଣପ୍ରତିଷ୍ଠାତା ମହିମା ଗୋସେଇଁ ଦୀର୍ଘ ୧୪ବର୍ଷକାଳ ପଦବ୍ରଜରେ...

ବାସ୍ତବ ପ୍ରଭୁପୂଜା

ବରଦା ପ୍ରସନ୍ନ ଦାସ ପରମାତ୍ମାଙ୍କ ଶାସନର ସମ୍ବିଧାନ ହେଉଛି ବେଦ। ଭୋଗବିଳାସର ବସ୍ତୁଗୁଡ଼ିକୁ ଶ୍ରେଷ୍ଠ ସମ୍ପଦ ମଧ୍ୟରେ ଗଣାଯାଏ ନାହିଁ। ବାସ୍ତବିକ ମନୁଷ୍ୟର ଶ୍ରେଷ୍ଠ ସମ୍ପଦ...

ଦିବ୍ୟସ୍ପର୍ଶ

ନିମାଇଁ ଚରଣ ଲେଙ୍କା ପୁରୀ ବଡ଼ଦାଣ୍ଡରେ ଡହ ଡ଼ହ ଖରାରେ ପିଲାଟିଏ ନିର୍ମାଲ୍ୟ ଓ ସଳିତା ବିକୁଥାଏ। ଲୋକେ ମୂଲଚାଲ କରୁଥାନ୍ତି। ଜଣେ ସହୃଦୟ ବ୍ୟକ୍ତିଙ୍କର...

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ପାରମ୍ପରିକ କୃଷିର କ୍ଷତି ଏଡ଼ାଇବା ପାଇଁ ଅରବିନ୍ଦ ଧକଡ଼ ବିନା ମାଟିରେ ଷ୍ଟ୍ରବେରି ଚାଷ କରି ପ୍ରଚୁର ଲାଭ କରୁଛନ୍ତି।...

ଆସ ଛବି ତୋଳିବା

ଅକ୍ଷୟ କୁମାର ମିଶ୍ର   ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ସମଗ୍ର ଦେଶରେ ଅମୃତ ମହୋତ୍ସବ ନାମରେ ବିଭିନ୍ନ କାର୍ଯ୍ୟକ୍ରମ ଯେ ହାତକୁ...

ଏଇ ଭାରତରେ

ମଧ୍ୟପ୍ରଦେଶର ନରସିଂହପୁର ଜିଲା ଅନ୍ତର୍ଗତ ଖମାରିଆ ସରକାରୀ ସ୍କୁଲ୍‌ରେ ଉପଲବ୍ଧ ସୁବିଧା କୌଣସି ଆଗୁଆ ବେସରକାରୀ ସ୍କୁଲ୍‌ଠାରୁ କମ୍‌ ନୁହେର୍ଁ। ଏକ ଛୋଟ ଗାଁରେ ଥିବା...

ଭଲ ଖବର ପାଉନାହୁଁ

ଆକାର ପଟେଲ ଭାରତରେ ଭଲ ଖବର ପାଇବା ସହଜ ନୁହେଁ ଏବଂ ଅନେକ ଦିନରୁ ଏହା ପାଇବା ବି ସହଜ ହୋଇନାହିଁ। ନିକଟରେ ଭାରତର ଅର୍ଥ...

Advertisement
Archives

Model This Week