ଉପଭୋକ୍ତା ସଶକ୍ତୀକରଣର ନୂତନ ଦିଶା

ନଗେନ୍ଦ୍ର ନାଥ ପଟ୍ଟନାୟକ

 

ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ନାଗରିକ ଉପଭୋକ୍ତା ଅଧିକାରକୁ ମଜଭୁତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଗତ କିଛିଦିନ ହେବ ଉପଭୋକ୍ତା ସଂରକ୍ଷଣ ଆଇନ-୨୦୧୯ ଲାଗୁ କରିଛନ୍ତି। ଗ୍ରାହକ ବା ଉପଭୋକ୍ତା ପ୍ରତି ହେଉଥିବା ଧୋକ୍କାବାଜି, ଠକେଇ ତଥା ଜାଲିଆତିକୁ ରୋକିବା ଲାଗି ପ୍ରଣିତ ଏଇ ଆଇନ ଏବେ ୩୪ ବର୍ଷର ପୁରୁଣା ଓ ଘଷରା ଆଇନର ସ୍ଥାନ ନେଇଛି। ଏହି ପ୍ରଚଳିତ ଆଇନ ଅନୁଯାୟୀ ଖାଉଟିଙ୍କ ଅଧିକାରର ସୁରକ୍ଷା ନିମନ୍ତେ ଉପଭୋକ୍ତା ଅଦାଲତ ସହିତ କେନ୍ଦ୍ରୀୟ ଉପଭୋକ୍ତା ସଂରକ୍ଷଣ ପ୍ରାଧିକରଣ ସ୍ଥାପନର ବ୍ୟବସ୍ଥା କରାଯାଇଛି। ପ୍ରୋକ୍ତ ଅଦାଲତ ଓ ପ୍ରାଧିକରଣ ଉପଭୋକ୍ତା ଅଧିକାର, ଅବାଞ୍ଛିତ ବ୍ୟବସାୟ ପ୍ରଥା ଓ ଭ୍ରମାତ୍ମକ ବିଜ୍ଞାପନ ସଂକ୍ରାନ୍ତ ମାମଲାରେ ହସ୍ତକ୍ଷେପ କରି ପଚରାଉଚରା ଓ ଯାଞ୍ଚ କରିପାରିବେ। ପରିଷଦର କାର୍ଯ୍ୟକାଳର ଅବଧି ତିନିବର୍ଷ। କେନ୍ଦ୍ରୀୟ ଖାଉଟି ବ୍ୟାପାର ମନ୍ତ୍ରୀ ଓ କେନ୍ଦ୍ରୀୟ ଖାଉଟି ବ୍ୟାପାର ରାଜ୍ୟମନ୍ତ୍ରୀ ଯଥାକ୍ରମେ ଏହାର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ରହିବେ। ଏମାନଙ୍କ ବ୍ୟତୀତ ବିଭିନ୍ନ କ୍ଷେତ୍ରରେ ୩୪ ଜଣ ଅନ୍ୟ ବ୍ୟକ୍ତି ଏହାର ସଦସ୍ୟ ରହିବାର ପ୍ରାବଧାନ ରହିଛି।
ଏଇ ନୂତନ ଆଇନ ଲାଗୁ ହେବା ସଙ୍ଗେ ସଙ୍ଗେ ଗ୍ରାହକଙ୍କ ହିତ ଦୃଷ୍ଟିରୁ କେତେକ ନୂଆ ନିୟମ ମଧ୍ୟ ଏଥିରେ ଯୋଡ଼ାଯାଇଛି, ଯାହା କି ପୁରୁଣା ଆଇନରେ ନ ଥିଲା। ଏଇ ଆଇନକୁ ଯୁଗାନ୍ତକାରୀ ଆଖ୍ୟା ଦେଇ କେନ୍ଦ୍ରୀୟ ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ପାଶ୍ୱାନ କହିଛନ୍ତି- ”ଉପଭୋକ୍ତାଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ପୂର୍ବ ପ୍ରଚଳିତ ଉପଭୋକ୍ତା ଆଇନ ସମୟସାପେକ୍ଷ ଥିଲା, ମାତ୍ର ଠକେଇ ଜାଲିଆତି ଓ ଧୋକ୍କାବାଜିରୁ ସୁରକ୍ଷା ଦେବା ଲାଗି ନୂତନ ଆଇନରେ କେତେକ ପ୍ରାବଧାନ ଖଞ୍ଜାଯାଇଛି।“ ପ୍ରଥମ ଥର ପାଇଁ ଉପଭୋକ୍ତା ମଧ୍ୟସ୍ଥତା ସେଲ୍‌ ଗଠନ କରାଯିବାର ବ୍ୟବସ୍ଥା କରାଯାଇଛି, ଯଦ୍ଦ୍ବାରା ଦୁଇପକ୍ଷଙ୍କ ଆପୋଷ ସହମତିରେ ମଧ୍ୟସ୍ଥତାର ବିକଳ୍ପ ବଛାଯାଇପାରିବ। ଦୁଇପକ୍ଷ ସହମତିରେ ମଧ୍ୟସ୍ଥତା ସମ୍ଭବ ହୋଇପାରୁଥିବାରୁ ଏଭଳି ସ୍ଥିତିରେ ଦୁଇପକ୍ଷଙ୍କୁ ଅଦାଲତଙ୍କ ରାୟ ମାନିବା ଅନିବାର୍ଯ୍ୟ। ତେବେ ଏହି ରାୟ ବିରୋଧରେ ଅପିଲ ବା ଆବେଦନ କରିବାର କୌଣସି ପ୍ରାବଧାନ ନାହିଁ। ଖାଉଟିଙ୍କ ଅଭିଯୋଗକୁ ଯେମିତି ଯଥାଶୀଘ୍ର ଫଇସଲା କରାଯାଇପାରିବ ସେଥିଲାଗି ଏଥିରେ ବିଶେଷ ବ୍ୟବସ୍ଥା ରଖାଯାଇଛି। ଉପଭୋକ୍ତା ଆୟୋଗର କାର୍ଯ୍ୟପଦ୍ଧତିକୁ ସରଳ କରାଯିବା ସହିତ ରାଜ୍ୟ ଓ ଜିଲା ଆୟୋଗକୁ ନିଜସ୍ବ ଆଦେଶକୁ ସମୀକ୍ଷା କରିବା ଲାଗି କ୍ଷମତା ଅର୍ପଣ କରାଯାଇଛି।
ଦେଶରେ ପାରମ୍ପରିକ ପଦ୍ଧତିରେ ବିକ୍ରିବଟା ବ୍ୟତୀତ ତୀବ୍ର ଗତିରେ ବୃଦ୍ଧି ପାଉଥିବା ଡିଜିଟାଲ କାରବାରକୁ ମଧ୍ୟ ପ୍ରଥମଥର ପାଇଁ ଏଥିରେ ପରିସରଭୁକ୍ତ କରାଯାଇଛି, ଯାହାଫଳରେ ଅନ୍‌ଲାଇନ କାରବାରରେ ଧ୍‌ଖାଉଟିଙ୍କ ହିତକୁ ଅଣଦେଖା କରୁଥିବା କମ୍ପାନୀଗୁଡ଼ିକ ଆଇନ ଜାଲରୁ ମୁକୁଳିପାରିବେ ନାହିଁ। ଏବେ ଇ-କମର୍ସ ଜରିଆରେ ଖରାପ ଓ ନିମ୍ନମାନର ସାମଗ୍ରୀଗୁଡିକ ବିକ୍ରି କରୁଥିବା କମ୍ପାନୀଗୁଡିକ ଖାଉଟିଙ୍କ ଅଭିଯୋଗକୁ ଆଡ଼େଇ ପାରିବେ ନାହିଁ। କୌଣସି ଉପଭୋକ୍ତାର ଅଭିଯୋଗ ଆସିବାର ୪୮ ଘଣ୍ଟା ମଧ୍ୟରେ ଇ-କମର୍ସ କମ୍ପାନୀ ତାକୁ ଗ୍ରହଣ କରିବାକୁ ବାଧ୍ୟ ରହିବେ ଆଉ ଏକ ମାସ ମଧ୍ୟରେ ଅଭିଯୋଗର ନିରାକରଣ କରିବେ। ଯଦି କୌଣସି ଇ-କମର୍ସ କମ୍ପାନୀ ଏପରି ନ କରେ ତେବେ ତା’ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆଇନରେ ବ୍ୟବସ୍ଥା ରହିଛି। ଇ-କମର୍ସ ନିୟମାନୁସାରେ ଇ-ଖୁଚୁରା ବ୍ୟବସାୟୀମାନେ ସାମଗ୍ରୀର ଦାମ, ରିଟର୍ନ (ଫେରସ୍ତ) ରିଫଣ୍ଡ (ଟଙ୍କା ଫେରସ୍ତ), ଏକଚେଞ୍ଜ (ବିନିମୟ) ୱାରେଣ୍ଟି-ଗ୍ୟାରେଣ୍ଟି, ବିତରଣ, କ୍ଷତିପୂରଣର ତରିକା, ଅଭିଯୋଗ ନିରାକରଣ ବ୍ୟବସ୍ଥା ବାବଦରେ ସବିଶେଷ ବିବରଣୀ ପ୍ରଦାନ କରିବାକୁ ପଡିବ। ଇ-କମର୍ସ କମ୍ପାନୀଗୁଡିକୁ ସାମଗ୍ରୀର ମୂଳ ଉପତ୍ତ୍ତି ଦେଶର ବିବରଣୀ ମଧ୍ୟ ଦେବାକୁ ହେବ। ଉପଭୋକ୍ତା ଅଧିକାରକୁ ନୂତନ ଦିଶା ପ୍ରଦାନ କରିଥିବା ଏହି ଆଇନ ଅନୁଯାୟୀ ଉପଭୋକ୍ତା ଏବେ ଦେଶରେ ଯେକୌଣସି ଅଦାଲତରେ ଅଭିଯୋଗ କରିପାରିବେ। ସେ କୌଣସି ସ୍ଥାନ ଓ କାହା ଜରିଆରେ ମଧ୍ୟ ଅଭିଯୋଗ କରିପାରିବେ। ଅଧିକନ୍ତୁ ଖାଉଟିଙ୍କୁ ଆଉ ସେଇ ସ୍ଥାନକୁ ଯାଇ ଅଭିଯୋଗ କରିବାକୁ ପଡିବ ନାହିଁ, ଯେଉଁଠି ସିଏ ଚିଜ ଖରିଦ କରିଛନ୍ତି। ସୁତରାଂ ଏହି ନୂତନ ଆଇନ ବଳରେ ଭର୍ଚ୍ୟୁଆଲ ବା ଡିଜିଟାଲ ଜରିଆରେ ଅଭିଯୋଗ ଦାଖଲ ସହିତ ଖିଲାପୀ କମ୍ପାନୀ ବିରୁଦ୍ଧରେ ଉପଭୋକ୍ତା ଆୟୋଗରେ ଆବେଦନ କରିବା କ୍ଷେତ୍ରରେ ମଧ୍ୟ ଅଭିଯୋଗକାରୀ ଖାଉଟି ସକ୍ଷମ ହୋଇପାରିବେ।
ଖାଦ୍ୟପେୟ ସାମଗ୍ରୀକୁ ଅପମିଶ୍ରଣ କରୁଥିବା କମ୍ପାନୀ ଓ ଭ୍ରମାତ୍ମକ ବିଜ୍ଞାପନକୁ ପ୍ରଶ୍ରୟ ଦେଉଥିବା ନିର୍ମାତା ଓ ସେଲିବ୍ରିଟି ଉପରେ ଜରିମାନା ସହିତ କଠୋର ଦଣ୍ଡାଦେଶ ଦେବାର ପ୍ରାବଧାନ ମଧ୍ୟ ଏହି ନୂତନ ଆଇନରେ ଯୋଡ଼ିହୋଇ ରହିଛି। କମ୍ପାନୀ ଯୋଉ ଉପତ୍ାଦିତ ସାମଗ୍ରୀର ପ୍ରଚାର ଓ ବିଜ୍ଞାପନା କରୁଛି ତାହା ଯଦି ପ୍ରକୃତରେ ସେଇ ଗୁଣବତ୍ତାସମ୍ପନ୍ନ ହୋଇ ନ ଥାଏ ତେବେ ସେହି ସେଲିବ୍ରିଟି ହିଁ ସେଥିପାଇଁ ଦାୟୀ ରହିବେ। ସୁତରାଂ ବିଜ୍ଞାପନରେ ଦୋହରାଯାଉଥିବା ଦାବି ଯଦି ମିଥ୍ୟା ପ୍ରମାଣିତ ହୁଏ ତେବେ ସେଇ ସେଲିବ୍ରିଟି ବିରୁଦ୍ଧରେ ନୂତନ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ। ଶରୀରକୁ ଆକର୍ଷଣୀୟ କରି ମିଥ୍ୟା ବିଜ୍ଞାପନ ପ୍ରଦର୍ଶନ କରୁଥିବା ବ୍ୟକ୍ତିଙ୍କ ଉପରେ ଏକ ଲକ୍ଷ ଟଙ୍କା ଜରିମାନ ବସାଯିବା ସହିତ ୬ ମାସ ପର୍ଯ୍ୟନ୍ତ କାରାଦଣ୍ଡରେ ଦଣ୍ଡିତ କରାଯିବାର ସ୍ବତନ୍ତ୍ର ବ୍ୟବସ୍ଥା ସନ୍ନିବେଶିତ ହୋଇଛି। ଭ୍ରମଜାଲରେ ବାନ୍ଧି ରଖୁଥିବା ବିଜ୍ଞାପନ ଉପରେ ଏବେ ସିସିପିଏକୁ ସ୍ବତନ୍ତ୍ର ଅଧିକାର ପ୍ରଦାନ କରାଯାଇଛି, ଯିଏ କି ଅଭିଯୁକ୍ତ ବ୍ୟକ୍ତିକୁ ୨.୫ ବର୍ଷ ଜେଲଦଣ୍ଡ ସାଙ୍ଗକୁ କମ୍ପାନୀ ଉପରେ ଦଶଲକ୍ଷ ଟଙ୍କା ଜରିମାନା ବାବଦ ବସାଇପାରିବେ। ଖାଲି ସେତିକି ନୁହେଁ,ବଡ଼ ତଥା ଅତ୍ୟନ୍ତ ଗମ୍ଭୀର ମାମଲାଗୁଡ଼ିକରେ ଜରିମାନାର ରାଶି ପଚାଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଗୁ ହେବ। ସିସିପିଏଙ୍କ ନିକଟରେ ଉପଭୋକ୍ତା ଅଧିକାର ଯାଞ୍ଚ କରିବା ଛଡ଼ା ବସ୍ତୁ ତଥା ସେବାକୁ ଫେରାଇ ନେବାର ଅଧିକାର ମଧ୍ୟ ରହିବ।
ବୋଲିବା ବାହୁଲ୍ୟ, ଗତବର୍ଷ ଉପଭୋକ୍ତା ସଂରକ୍ଷଣ ବିଧେୟକ-୨୦୧୯ ସଂସଦରେ ମଞ୍ଜୁରି ଲାଭ କରିଥିଲା ଆଉ ଏହି ନୂଆ ଆଇନ ଚଳିତବର୍ଷ ଜାନୁୟାରୀରେ ଓ ପୁଣି ପରେ ମାର୍ଚ୍ଚ ମାସରେ ଲାଗୁ କରାଯିବାର ସ୍ଥିର କରାଯାଇଥିଲା। କିନ୍ତୁ ମାର୍ଚ୍ଚମାସରେ ମହାମାରୀ କରୋନା ପ୍ରକୋପ ଓ ଲକ୍‌ଡାଉନ କାରଣ ଯୋଗୁଁ ତାହା ନିର୍ଦ୍ଧାରିତ ସମୟରେ ଲାଗୁ ହୋଇପାରିଲା ନାହିଁ। ତେବେ ସେ ଯାହାହେଉ,ଏବେ ଏଇ ନୂତନ ଉପଭୋକ୍ତା ଆଇନ ଲାଗୁ ହେବା ପରେ ପ୍ରଭାବିତ ଖାଉଟିଙ୍କ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶା କରାଯାଉଛି। ଏହି ନୂତନ ଆଇନ ମୁତାବକ କ୍ୟାରିବ୍ୟାଗ ଉପରେ ପଇସା ଅସୁଲ କରିବା ବେଆଇନ ବୋଲି ଧରାଯିବ ଏବଂ ସିନେମା ହଲରେ ଖାଦ୍ୟପେୟ ବସ୍ତୁ ଉପରେ ଯଥେଷ୍ଟ ଅଧିକ ପଇସା ନେବାର ଅଭିଯୋଗ ଉପରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନୂଆ ଆଇନ ଅନୁସାରେ ଉପଭୋକ୍ତା ଫୋରମରେ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ମାମଲା ଓ ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗରେ ଏକ କୋଟିରୁ ଦଶ କୋଟି ପର୍ଯ୍ୟନ୍ତ ମାମଲାର ଶୁଣାଣି ହୋଇପାରିବ।
ଯୁଗ୍ମ ସଚିବ, ଓରେରା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ସାରସ୍ବତ ସମ୍ପର୍କ: ସେଦିନ ଓ ଆଜି

ଡ. ଛାୟାକାନ୍ତ ଷଡ଼ଙ୍ଗୀ ୧୯୫୩ ମସିହା ଶେଷାର୍ଦ୍ଧ ସମୟର କଥା। ସେତେବେଳେ ବିଶିଷ୍ଟ ଲେଖକ ମନୋଜ ଦାସ ଥାଆନ୍ତି ଛାତ୍ରନେତା। ସେ ପଢ଼ୁଥାଆନ୍ତି ଫକୀର ମୋହନ...

ଶୀତତାପ ନିୟନ୍ତ୍ରଣ ଓ ପରିବେଶ ତାତି

ସହଦେବ ସାହୁ ଜୁନ୍‌ ୨୩ରେ ଖବର ବାହାରିଲା ଯେ ଏସି ମେଶିନ ତିଆରି କରୁଥିବା କମ୍ପାନୀଗୁଡ଼ିକୁ ସରକାର କହିଛନ୍ତ,ି ମେଶିନରେ ୨୪ ଡିଗ୍ରୀ ସେଲ୍‌ସିୟସ୍‌ ଡିଫଲ୍ଟ...

କେତେ ଖୁସି

ପ୍ରକାଶ ତ୍ରିପାଠୀ ପ୍ରସିଦ୍ଧ ବିଟିଲ୍ସ ରକ୍‌ ବ୍ୟାଣ୍ଡ୍‌ ଗ୍ରୁପ୍‌ର ଅନ୍ୟତମ ପ୍ରତିଷ୍ଠାତା ଜନ୍‌ ଲେନନଙ୍କ ପିଲାଦିନର ଗୋଟିଏ ଶିକ୍ଷଣୀୟ ଘଟଣାରୁ ଏହି ଆଲେଖ୍ୟଟି ଆରମ୍ଭ। ଥରେ...

ଏଇ ଭାରତରେ

ମହିଳାମାନେ କୃଷି କ୍ଷେତ୍ରରେ ସଫଳତାର ଶୀର୍ଷକୁ ଯାଇପାରିବେ। ଏହା ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶର ସାନ୍ନା ଖାଁ। ମିରଟ ନିବାସୀ ୩୧ ବର୍ଷୀୟା ସାନ୍ନା ଜୈବିକ କୃଷି...

ସରକାରୀ ବିଦ୍ୟାଳୟର ବିକଳ ଅବସ୍ଥା

ବିଚିତ୍ର ବିଶ୍ୱାଳ   ୧୯୯୬ ମସିହାରେ ମୁଁ ମାଟ୍ରିକ୍‌ ପରୀକ୍ଷା ଦେବା ବେଳକୁ ଆମ ଭିରଙ୍ଗ ଉଚ୍ଚ ବିଦ୍ୟାଳୟରେ ମୋଟ୍‌ ନଅ ଜଣ ଶିକ୍ଷକ ଥିଲେ।...

ଏଇ ଭାରତରେ

ନିଜ ପଢ଼ା ଭିତରୁ ସମୟ ବାହାର କରି ଅବହେଳିତ ପିଲାଙ୍କ ଭବିଷ୍ୟତ ଗଢୁଛନ୍ତି ଉତ୍ତରପ୍ରଦେଶର ବାଦୁନ ଜିଲାରେ ଜନ୍ମିତ ସତ୍ୟେନ୍ଦ୍ର ପାଲ। ସେ ଦିଲ୍ଲୀର ଏକ...

ଏଇ ଭାରତରେ

ପରିବେଶ ସଚେତନତାର ଝଲକ ଦେଖିବାକୁ ମିଳିଛି ଇନ୍ଦୋରସ୍ଥିତ ସେଣ୍ଟ୍‌ ରାଫାୟଲ୍ସ ହାୟର ସେକେଣ୍ଡାରୀ ସ୍କୁଲ୍‌ରେ। ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ସ୍କୁଲ୍‌ର ଛାତ୍ରୀମାନେ ‘ପ୍ଲାଷ୍ଟିକ୍‌ମୁକ୍ତ...

ଯୁବପିଢ଼ି ଓ ବିବେକାନୁସରଣ

ଜିତେନ୍ଦ୍ର କୁମାର ନାୟକ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀକୁ ଯୁବ ଦିବସ ଭାବେ ପାଳନ କରାଯାଉଛି। ଜାନୁୟାରୀ ୧୨ ଆସିଲେ ଦେଶ ଓ ବିଦେଶର ଅସଂଖ୍ୟ ସଙ୍ଗଠନ...

Advertisement
Archives

Model This Week