ନ୍ୟାୟପାଳିକାକୁ କରାୟତ୍ତ କରିବାର ଷଡ଼ଯନ୍ତ୍ର

କେଦାର ମିଶ୍ର

ଗତ ୬ ଜାନୁୟାରୀରେ ଭାରତର ଆଇନ ମନ୍ତ୍ରୀ କିରଣ ରିଜିଜୁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ଦାବି କରିଛନ୍ତି ଯେ, ଦେଶର ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ପାଇଁ ବିଚାରପତି ନିଯୁକ୍ତି ପାଇଁ ରହିଥିବା କଲେଜିୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କୁ ସାମିଲ କରାଯାଉ। ଗତ କିଛି ମାସ ଧରି ମୋଦି ସରକାର ସୁପ୍ରିମକୋର୍ଟ ଉପରେ ଚାପ ପ୍ରୟୋଗ କରିବାର ଯେଉଁ ପ୍ରକ୍ରିୟା ଜାରି ରଖିଛନ୍ତି, ଏହି ଚିଠି ସେହି ପ୍ରକ୍ରିୟାର ଏକ ଅଂଶବିଶେଷ ମାତ୍ର। ମୋଦି ସରକାର ଚାହାନ୍ତି ସୁପ୍ରିମକୋର୍ଟ ତାଙ୍କ ଚାପରେ ପ୍ରଭାବିତ ହୋଇ ରୁହନ୍ତୁ। କଲେଜିୟମ ବ୍ୟବସ୍ଥାକୁ ସମାଲୋଚନା କରିବା ଆଳରେ ସରକାର ଓ ସରକାରୀ ଦଳ ସୁପ୍ରିମକୋର୍ଟଙ୍କୁ ବିଭିନ୍ନ ବାଗରେ ନିନ୍ଦିତ କରିଚାଲିଛନ୍ତି। ସ୍ବାଧୀନ ଭାରତର ଇତିହାସରେ କୌଣସି ସରକାର ନ୍ୟାୟପାଳିକା ଉପରେ ଏ ପ୍ରକାର ଆକ୍ରମଣ କରିବାର ସାହସ କେବେ କରି ନ ଥିଲେ। ଏପରିକି ଜରୁରିକାଳୀନ ପରିସ୍ଥିତି ସମୟରେ ମଧ୍ୟ ଇନ୍ଦିରା ଗାନ୍ଧୀ ସରକାର ସୁପ୍ରିମକୋର୍ଟ ବିରୋଧରେ ବକ୍ତବ୍ୟ ରଖିବାର ସାହସ କରି ନ ଥିଲେ।
ତେବେ ମୋଦି ସରକାର ହଠାତ୍‌ କଲେଜିୟମ ବ୍ୟବସ୍ଥାକୁ ନେଇ ଅକସ୍ମାତ୍‌ ଏତେ ଚିନ୍ତିତ ହେବାର କାରଣ କ’ଣ? ଅକ୍ଟୋବର ୨୦୧୫ରେ ଯେତେବେଳେ ସୁପ୍ରିମକୋର୍ଟ ଭାରତୀୟ ସଂସଦରେ ଗୃହୀତ ଜାତୀୟ ନ୍ୟାୟପାଳିକା ନିଯୁକ୍ତି କମିଶନ ଆଇନକୁ ଅସାମ୍ବିଧାନିକ ଘୋଷଣା କଲେ, ତାକୁ ନେଇ ସେତେବେଳେ ଭାଜପା ସରକାର ଆପାତତଃ ଚୁପ ରହିଥିଲେ। ତତ୍କାଳୀନ ଆଇନମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ରାୟକୁ ସୋସିଆଲ ମିଡିଆରେ ସମାଲୋଚନା କରିଥିଲେ ମଧ୍ୟ ଏହି ରାୟର ସମୀକ୍ଷା ପାଇଁ ଅପିଲ କରି ନ ଥିଲେ କିମ୍ବା ସଂସଦରେ ଏହାର ପୁନଃ ଆଲୋଚନା ହୋଇ ନ ଥିଲା। ହଠାତ ସାତ ବର୍ଷ ପରେ ମୋଦି ସରକାର ସୁପ୍ରିମକୋର୍ଟଙ୍କୁ ନେଇ ଏତେ ଅସୁରକ୍ଷିତ ହେବାର କାରଣ କ’ଣ ? କଲେଜିୟମ ବ୍ୟବସ୍ଥା ବିରୋଧରେ ଏବେ ସରକାର, ଉପ ରାଷ୍ଟ୍ରପତି ଏବଂ ଭାଜପା ସିଧା ସିଧା ଆକ୍ରମଣ କରିବାର ଉଦ୍ଦେଶ୍ୟ କ’ଣ?
ଏବେ ଭାଜପା ତରଫରୁ ଗୋଟେ ପ୍ରଶ୍ନ ସବୁଠି ରଖାଯାଉଛି, ବିଚାରପତିମାନେ ନିଜେ ବିଚାରପତି ନିଯୁକ୍ତ କରିବେ କେମିତି? ଏହାର ଉତ୍ତରରେ କୁହାଯାଇପାରିବ ଯେ ନ୍ୟାୟପାଳିକା ସମ୍ପର୍କରେ ବିଚାରପତିମାନଙ୍କର ଯେଉଁ ଅଭିଜ୍ଞତା ଓ ଅନୁଭବ ରହିଛି, ସେହି ଆଧାରରେ ଓ ନ୍ୟାୟପାଳିକା ଏକ ସ୍ବାଧୀନ ବ୍ୟବସ୍ଥା ଭାବରେ ବିଚାରପତି ନିଯୁକ୍ତି ପାଇଁ ଯୋଗ୍ୟତାର ଅଧିକାରୀ। ସମ୍ବିଧାନର ଧାରା ୧୨୪ ଅତି ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛି ଯେ, ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ବିଚାରପତିଙ୍କୁ ନିଯୁକ୍ତି ଦେବେ। ମୂଳରୁ ସୁପ୍ରିମକୋର୍ଟ ଏକ ସ୍ବାଧୀନ ଅନୁଷ୍ଠାନ ଭାବରେ ନ୍ୟାୟପାଳିକାର ନିଯୁକ୍ତି ପ୍ରକ୍ରିୟା ପାଇଁ ଅଧିକାରପ୍ରାପ୍ତ। ଏଥିରେ ମାତ୍ରାଧିକ ସରକାରୀ ହସ୍ତକ୍ଷେପକୁ ଆଡେଇବାକୁ ଯାଇ ୧୯୯୩ରେ ସୁପ୍ରିମକୋର୍ଟଙ୍କର ଏକ ଖଣ୍ଡପୀଠ ବିଚାରପତିଙ୍କ ବଦଳି ଓ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ କଲେଜିୟମ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଥିଲେ। ୨୦୧୫ରେ କଲେଜିୟମ ବ୍ୟବସ୍ଥାକୁ ବଦଳାଇ ଯେତେବେଳେ ଏକ ଜୁଡିସିଆଲ ନିଯୁକ୍ତି କମିଶନ କଥା ଉଠିଲା, ତାକୁ ବ୍ୟାପକ ପରୀକ୍ଷା ନିରୀକ୍ଷା ପରେ ସୁପ୍ରିମକୋର୍ଟ ଅସାମ୍ବିଧାନିକ ବୋଲି ରଦ୍ଦ କରି ଦେଇଥିଲେ।
ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ଏବଂ ସରକାର ସମର୍ଥିତ ମିଡିଆ ଜରିଆରେ ପ୍ରଚାର କରାଯାଉଛି ଯେ, କଲେଜିୟମ ବ୍ୟବସ୍ଥା ବଦଳାଇ ଏକ ସରକାରୀ ନିୟନ୍ତ୍ରିତ ବ୍ୟବସ୍ଥା ଅଣାଯାଉ। ଯଦିଓ ଆଜିର କଲେଜିୟମ ବ୍ୟବସ୍ଥାରେ ସରକାରଙ୍କର ପ୍ରଭାବ କିଛି କମ୍‌ ନୁହେଁ, ତଥାପି ସରକାର ନିଯୁକ୍ତି ଓ ବଦଳି ପ୍ରକ୍ରିୟାରେ ନିଜର ପୂର୍ଣ୍ଣ ନିୟନ୍ତ୍ରଣ ଚାହୁଁଛନ୍ତି। ଆଜିର ବ୍ୟବସ୍ଥାରେ ହାଇକୋର୍ଟ ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ ହାଇକୋର୍ଟର କଲେଜିୟମ ବିଚାରପତି ପ୍ରାର୍ଥୀଙ୍କ ନାମକୁ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ପଠାଇଥାନ୍ତି। ସେଠୁ ଅନୁମୋଦନ ପାଇଲା ପରେ ସୁପ୍ରିମକୋର୍ଟ କଲେଜିୟମ ଏହି ନାମକୁ ପୁଣିଥରେ କେନ୍ଦ୍ର ସରକାରଙ୍କ ପାଖକୁ ପଠାନ୍ତି। ସରକାର ହଁ କଲା ପରେ ଯାଇ ବିଚାରପତିଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦିଅନ୍ତି। ଏବେ ଦେଖାଯାଉଛି ଏତେସବୁ ବ୍ୟବସ୍ଥା ସତ୍ତ୍ୱେ ମଧ୍ୟ କେନ୍ଦ୍ର ସରକାର ନିଯୁକ୍ତି ପ୍ରକ୍ରିୟାକୁ ବର୍ଷ ବର୍ଷ ଧରି ଝୁଲେଇ ରଖୁଛନ୍ତି। ଏହାସହିତ ବିଚାରପତିିମାନଙ୍କୁ ବରଖାସ୍ତ କରିବାର କ୍ଷମତା ଆଜି ମଧ୍ୟ ସଂସଦ ହାତରେ ରହିଛି। ଏତେ ସବୁ ସରକାରୀ ନିୟନ୍ତ୍ରଣ ସତ୍ତ୍ୱେ ମଧ୍ୟ ମୋଦି ସରକାର ସୁପ୍ରିମ କୋର୍ଟ ଓ ହାଇକୋର୍ଟଙ୍କୁ ନିଜ ହାତମୁଠାରେ ନଚାଇବାକୁ ସ୍ପଷ୍ଟ ଭାବରେ ଚାହୁଁଛନ୍ତି।
କେଉଁ ଦକ୍ଷତା, କ୍ଷମତା ଏବଂ ଅଭିଜ୍ଞତା ବଳରେ ଜଣେ ସରକାରୀ ପ୍ରତିନିଧି କଲେଜିୟମରେ ରହିବେ? ଏଭଳି ଦାବି ଆଇନମନ୍ତ୍ରୀଙ୍କର ବେଆଇନ ନୁହେଁ କି? ସମ୍ବିଧାନର ଧାରା ୫୦ ଅତି ସ୍ପଷ୍ଟ ଭାବରେ ସରକାର ଓ ନ୍ୟାୟପାଳିକାର ଅଧିକାରକୁ ଅଲଗା ରଖିବାକୁ କହିଛି। ତା’ ସତ୍ତ୍ୱେ ବିଚାରପତିଙ୍କ ନିଯୁକ୍ତି ଓ ବଦଳିରେ ହସ୍ତକ୍ଷେପ କରିବା ପାଇଁ ଦାବି କରିବାର ଅର୍ଥ ହେଉଛି, ସମ୍ବିଧାନ ଓ ଅଦାଲତର ଅବମାନନା। ଏ ସରକାର ସ୍ପଷ୍ଟତଃ ସମ୍ବିଧାନ ବିରୋଧରେ କାମ କରୁଛନ୍ତି।
ସରକାରୀ ଦଳ ଓ ତାଙ୍କର କର୍ମକର୍ତ୍ତାମାନେ ନିର୍ବୋଧ ଭାବରେ ପଚାରୁଛନ୍ତି – ବିଚାରପତିମାନେ ନିଜେ ବିଚାରପତି ନିଯୁକ୍ତ କରିବେ କେମିତି? ସେମାନେ ଜାଣନ୍ତି ନାଇଁ ଯେ ଏ ଦେଶର ଅଦାଲତଗୁଡ଼ିକରେ ସବୁଠୁ ଅଧିକ ମାମଲା କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ବିରୋଧରେ ରହିଥାଏ। ସେହି ଦୃଷ୍ଟିରୁ ସବୁଠୁ ବଡ଼ ମାମଲାବାଜ ହାତକୁ ବିଚାରପତି ନିଯୁକ୍ତି ଓ ବଦଳି କ୍ଷମତା ଦିଆଯିବ କେମିତି? ନ୍ୟାୟାଳୟକୁ ଅକ୍ତିଆର କରି ଦେଶରେ ଗଣତନ୍ତ୍ର ଓ ସମ୍ବିଧାନର ଶାସନ ଧ୍ୱଂସ କରିବାକୁ ଏହା ଭାଜପାର ଏକ ପରୋକ୍ଷ ଷଡ଼ଯନ୍ତ୍ର ବୋଲି କହିବା ହୁଏତ ଭୁଲ୍‌ ହେବନି।
kedarsikha@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?