ନ୍ୟାୟପାଳିକାକୁ କରାୟତ୍ତ କରିବାର ଷଡ଼ଯନ୍ତ୍ର

କେଦାର ମିଶ୍ର

ଗତ ୬ ଜାନୁୟାରୀରେ ଭାରତର ଆଇନ ମନ୍ତ୍ରୀ କିରଣ ରିଜିଜୁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ଦାବି କରିଛନ୍ତି ଯେ, ଦେଶର ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ପାଇଁ ବିଚାରପତି ନିଯୁକ୍ତି ପାଇଁ ରହିଥିବା କଲେଜିୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କୁ ସାମିଲ କରାଯାଉ। ଗତ କିଛି ମାସ ଧରି ମୋଦି ସରକାର ସୁପ୍ରିମକୋର୍ଟ ଉପରେ ଚାପ ପ୍ରୟୋଗ କରିବାର ଯେଉଁ ପ୍ରକ୍ରିୟା ଜାରି ରଖିଛନ୍ତି, ଏହି ଚିଠି ସେହି ପ୍ରକ୍ରିୟାର ଏକ ଅଂଶବିଶେଷ ମାତ୍ର। ମୋଦି ସରକାର ଚାହାନ୍ତି ସୁପ୍ରିମକୋର୍ଟ ତାଙ୍କ ଚାପରେ ପ୍ରଭାବିତ ହୋଇ ରୁହନ୍ତୁ। କଲେଜିୟମ ବ୍ୟବସ୍ଥାକୁ ସମାଲୋଚନା କରିବା ଆଳରେ ସରକାର ଓ ସରକାରୀ ଦଳ ସୁପ୍ରିମକୋର୍ଟଙ୍କୁ ବିଭିନ୍ନ ବାଗରେ ନିନ୍ଦିତ କରିଚାଲିଛନ୍ତି। ସ୍ବାଧୀନ ଭାରତର ଇତିହାସରେ କୌଣସି ସରକାର ନ୍ୟାୟପାଳିକା ଉପରେ ଏ ପ୍ରକାର ଆକ୍ରମଣ କରିବାର ସାହସ କେବେ କରି ନ ଥିଲେ। ଏପରିକି ଜରୁରିକାଳୀନ ପରିସ୍ଥିତି ସମୟରେ ମଧ୍ୟ ଇନ୍ଦିରା ଗାନ୍ଧୀ ସରକାର ସୁପ୍ରିମକୋର୍ଟ ବିରୋଧରେ ବକ୍ତବ୍ୟ ରଖିବାର ସାହସ କରି ନ ଥିଲେ।
ତେବେ ମୋଦି ସରକାର ହଠାତ୍‌ କଲେଜିୟମ ବ୍ୟବସ୍ଥାକୁ ନେଇ ଅକସ୍ମାତ୍‌ ଏତେ ଚିନ୍ତିତ ହେବାର କାରଣ କ’ଣ? ଅକ୍ଟୋବର ୨୦୧୫ରେ ଯେତେବେଳେ ସୁପ୍ରିମକୋର୍ଟ ଭାରତୀୟ ସଂସଦରେ ଗୃହୀତ ଜାତୀୟ ନ୍ୟାୟପାଳିକା ନିଯୁକ୍ତି କମିଶନ ଆଇନକୁ ଅସାମ୍ବିଧାନିକ ଘୋଷଣା କଲେ, ତାକୁ ନେଇ ସେତେବେଳେ ଭାଜପା ସରକାର ଆପାତତଃ ଚୁପ ରହିଥିଲେ। ତତ୍କାଳୀନ ଆଇନମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ରାୟକୁ ସୋସିଆଲ ମିଡିଆରେ ସମାଲୋଚନା କରିଥିଲେ ମଧ୍ୟ ଏହି ରାୟର ସମୀକ୍ଷା ପାଇଁ ଅପିଲ କରି ନ ଥିଲେ କିମ୍ବା ସଂସଦରେ ଏହାର ପୁନଃ ଆଲୋଚନା ହୋଇ ନ ଥିଲା। ହଠାତ ସାତ ବର୍ଷ ପରେ ମୋଦି ସରକାର ସୁପ୍ରିମକୋର୍ଟଙ୍କୁ ନେଇ ଏତେ ଅସୁରକ୍ଷିତ ହେବାର କାରଣ କ’ଣ ? କଲେଜିୟମ ବ୍ୟବସ୍ଥା ବିରୋଧରେ ଏବେ ସରକାର, ଉପ ରାଷ୍ଟ୍ରପତି ଏବଂ ଭାଜପା ସିଧା ସିଧା ଆକ୍ରମଣ କରିବାର ଉଦ୍ଦେଶ୍ୟ କ’ଣ?
ଏବେ ଭାଜପା ତରଫରୁ ଗୋଟେ ପ୍ରଶ୍ନ ସବୁଠି ରଖାଯାଉଛି, ବିଚାରପତିମାନେ ନିଜେ ବିଚାରପତି ନିଯୁକ୍ତ କରିବେ କେମିତି? ଏହାର ଉତ୍ତରରେ କୁହାଯାଇପାରିବ ଯେ ନ୍ୟାୟପାଳିକା ସମ୍ପର୍କରେ ବିଚାରପତିମାନଙ୍କର ଯେଉଁ ଅଭିଜ୍ଞତା ଓ ଅନୁଭବ ରହିଛି, ସେହି ଆଧାରରେ ଓ ନ୍ୟାୟପାଳିକା ଏକ ସ୍ବାଧୀନ ବ୍ୟବସ୍ଥା ଭାବରେ ବିଚାରପତି ନିଯୁକ୍ତି ପାଇଁ ଯୋଗ୍ୟତାର ଅଧିକାରୀ। ସମ୍ବିଧାନର ଧାରା ୧୨୪ ଅତି ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛି ଯେ, ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ବିଚାରପତିଙ୍କୁ ନିଯୁକ୍ତି ଦେବେ। ମୂଳରୁ ସୁପ୍ରିମକୋର୍ଟ ଏକ ସ୍ବାଧୀନ ଅନୁଷ୍ଠାନ ଭାବରେ ନ୍ୟାୟପାଳିକାର ନିଯୁକ୍ତି ପ୍ରକ୍ରିୟା ପାଇଁ ଅଧିକାରପ୍ରାପ୍ତ। ଏଥିରେ ମାତ୍ରାଧିକ ସରକାରୀ ହସ୍ତକ୍ଷେପକୁ ଆଡେଇବାକୁ ଯାଇ ୧୯୯୩ରେ ସୁପ୍ରିମକୋର୍ଟଙ୍କର ଏକ ଖଣ୍ଡପୀଠ ବିଚାରପତିଙ୍କ ବଦଳି ଓ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ କଲେଜିୟମ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଥିଲେ। ୨୦୧୫ରେ କଲେଜିୟମ ବ୍ୟବସ୍ଥାକୁ ବଦଳାଇ ଯେତେବେଳେ ଏକ ଜୁଡିସିଆଲ ନିଯୁକ୍ତି କମିଶନ କଥା ଉଠିଲା, ତାକୁ ବ୍ୟାପକ ପରୀକ୍ଷା ନିରୀକ୍ଷା ପରେ ସୁପ୍ରିମକୋର୍ଟ ଅସାମ୍ବିଧାନିକ ବୋଲି ରଦ୍ଦ କରି ଦେଇଥିଲେ।
ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ଏବଂ ସରକାର ସମର୍ଥିତ ମିଡିଆ ଜରିଆରେ ପ୍ରଚାର କରାଯାଉଛି ଯେ, କଲେଜିୟମ ବ୍ୟବସ୍ଥା ବଦଳାଇ ଏକ ସରକାରୀ ନିୟନ୍ତ୍ରିତ ବ୍ୟବସ୍ଥା ଅଣାଯାଉ। ଯଦିଓ ଆଜିର କଲେଜିୟମ ବ୍ୟବସ୍ଥାରେ ସରକାରଙ୍କର ପ୍ରଭାବ କିଛି କମ୍‌ ନୁହେଁ, ତଥାପି ସରକାର ନିଯୁକ୍ତି ଓ ବଦଳି ପ୍ରକ୍ରିୟାରେ ନିଜର ପୂର୍ଣ୍ଣ ନିୟନ୍ତ୍ରଣ ଚାହୁଁଛନ୍ତି। ଆଜିର ବ୍ୟବସ୍ଥାରେ ହାଇକୋର୍ଟ ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ ହାଇକୋର୍ଟର କଲେଜିୟମ ବିଚାରପତି ପ୍ରାର୍ଥୀଙ୍କ ନାମକୁ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ପଠାଇଥାନ୍ତି। ସେଠୁ ଅନୁମୋଦନ ପାଇଲା ପରେ ସୁପ୍ରିମକୋର୍ଟ କଲେଜିୟମ ଏହି ନାମକୁ ପୁଣିଥରେ କେନ୍ଦ୍ର ସରକାରଙ୍କ ପାଖକୁ ପଠାନ୍ତି। ସରକାର ହଁ କଲା ପରେ ଯାଇ ବିଚାରପତିଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦିଅନ୍ତି। ଏବେ ଦେଖାଯାଉଛି ଏତେସବୁ ବ୍ୟବସ୍ଥା ସତ୍ତ୍ୱେ ମଧ୍ୟ କେନ୍ଦ୍ର ସରକାର ନିଯୁକ୍ତି ପ୍ରକ୍ରିୟାକୁ ବର୍ଷ ବର୍ଷ ଧରି ଝୁଲେଇ ରଖୁଛନ୍ତି। ଏହାସହିତ ବିଚାରପତିିମାନଙ୍କୁ ବରଖାସ୍ତ କରିବାର କ୍ଷମତା ଆଜି ମଧ୍ୟ ସଂସଦ ହାତରେ ରହିଛି। ଏତେ ସବୁ ସରକାରୀ ନିୟନ୍ତ୍ରଣ ସତ୍ତ୍ୱେ ମଧ୍ୟ ମୋଦି ସରକାର ସୁପ୍ରିମ କୋର୍ଟ ଓ ହାଇକୋର୍ଟଙ୍କୁ ନିଜ ହାତମୁଠାରେ ନଚାଇବାକୁ ସ୍ପଷ୍ଟ ଭାବରେ ଚାହୁଁଛନ୍ତି।
କେଉଁ ଦକ୍ଷତା, କ୍ଷମତା ଏବଂ ଅଭିଜ୍ଞତା ବଳରେ ଜଣେ ସରକାରୀ ପ୍ରତିନିଧି କଲେଜିୟମରେ ରହିବେ? ଏଭଳି ଦାବି ଆଇନମନ୍ତ୍ରୀଙ୍କର ବେଆଇନ ନୁହେଁ କି? ସମ୍ବିଧାନର ଧାରା ୫୦ ଅତି ସ୍ପଷ୍ଟ ଭାବରେ ସରକାର ଓ ନ୍ୟାୟପାଳିକାର ଅଧିକାରକୁ ଅଲଗା ରଖିବାକୁ କହିଛି। ତା’ ସତ୍ତ୍ୱେ ବିଚାରପତିଙ୍କ ନିଯୁକ୍ତି ଓ ବଦଳିରେ ହସ୍ତକ୍ଷେପ କରିବା ପାଇଁ ଦାବି କରିବାର ଅର୍ଥ ହେଉଛି, ସମ୍ବିଧାନ ଓ ଅଦାଲତର ଅବମାନନା। ଏ ସରକାର ସ୍ପଷ୍ଟତଃ ସମ୍ବିଧାନ ବିରୋଧରେ କାମ କରୁଛନ୍ତି।
ସରକାରୀ ଦଳ ଓ ତାଙ୍କର କର୍ମକର୍ତ୍ତାମାନେ ନିର୍ବୋଧ ଭାବରେ ପଚାରୁଛନ୍ତି – ବିଚାରପତିମାନେ ନିଜେ ବିଚାରପତି ନିଯୁକ୍ତ କରିବେ କେମିତି? ସେମାନେ ଜାଣନ୍ତି ନାଇଁ ଯେ ଏ ଦେଶର ଅଦାଲତଗୁଡ଼ିକରେ ସବୁଠୁ ଅଧିକ ମାମଲା କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ବିରୋଧରେ ରହିଥାଏ। ସେହି ଦୃଷ୍ଟିରୁ ସବୁଠୁ ବଡ଼ ମାମଲାବାଜ ହାତକୁ ବିଚାରପତି ନିଯୁକ୍ତି ଓ ବଦଳି କ୍ଷମତା ଦିଆଯିବ କେମିତି? ନ୍ୟାୟାଳୟକୁ ଅକ୍ତିଆର କରି ଦେଶରେ ଗଣତନ୍ତ୍ର ଓ ସମ୍ବିଧାନର ଶାସନ ଧ୍ୱଂସ କରିବାକୁ ଏହା ଭାଜପାର ଏକ ପରୋକ୍ଷ ଷଡ଼ଯନ୍ତ୍ର ବୋଲି କହିବା ହୁଏତ ଭୁଲ୍‌ ହେବନି।
kedarsikha@gmail.com


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri