ଦ୍ଵନ୍ଦ୍ୱରେ ଶିକ୍ଷକ

ଡ. ମନୋରଞ୍ଜନ ପ୍ରଧାନ

 

ଜଣେ ଅଭିଭାବକ ବା ଅଧ୍ୟାପକ ଭାବରେ ବିଭିନ୍ନ ସମୟରେ ଶିକ୍ଷକ ଅଭିଭାବକ ସମ୍ମିଳନୀରେ ଯୋଗଦେବା ପାଇଁ ସୁଯୋଗ ମିଳିଥାଏ। ବିଦ୍ୟାଳୟ ଓ ପରିବାର ମଧ୍ୟରେ ସମ୍ପର୍କ, ସମ୍ବନ୍ଧ ଓ ସମନ୍ବୟ ସ୍ଥାପନା ଦିଗରେ ଅଭିଭାବକ ସମ୍ମିଳନୀ ଏକ ସୁଦୃଢ଼ ସେତୁ । ଏହା ଦ୍ବାରା ଉଭୟ ଶିକ୍ଷାନୁଷ୍ଠାନ ଓ ଶିକ୍ଷାର୍ଥୀମାନଙ୍କର ଅଶେଷ ମଙ୍ଗଳ ହୁଏ। ଶିକ୍ଷକ ଶିକ୍ଷୟିତ୍ରୀ ଶିଶୁମାନଙ୍କ ସମ୍ବନ୍ଧରେ ଅନେକ ତଥ୍ୟ ଜାଣିପାରନ୍ତି। ଫଳରେ ଉପଯୁକ୍ତ ଶିକ୍ଷାଦାନ ଓ ଶିଶୁମାନଙ୍କର ଆଚରଣ ପରିମାର୍ଜିତ ସକାଶେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବିଶେଷ ସୁବିଧା ଓ ସହାୟତା ପ୍ରଦାନ କରେ। ଅପରପକ୍ଷେ ଅଭିଭାବକମାନଙ୍କ ପ୍ରତ୍ୟକ୍ଷ ସହଭାଗିତା ବିଦ୍ୟାଳୟଗୁଡ଼ିକର ସମସ୍ୟାକୁ ସହଜ ଓ ସୁଚାରୁରୂପେ ସମାଧାନ କରିବାରେ ବିଶେଷ ସହାୟତା ପ୍ରଦାନ କରେ। କିନ୍ତୁ ସମ୍ମିଳନୀଗୁଡ଼ିକରେ ଅଭିଭାବକମାନଙ୍କ ଦ୍ବାରା ଆସୁଥିବା ଅନେକ ପ୍ରସ୍ତାବ, ପରାମର୍ଶ ଓ ଅନୁରୋଧ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଦିଏ। କେତେକ ବାସ୍ତବ ଉଦାହରଣ ଏଠାରେ ଉପସ୍ଥାପନ କରୁଛି।
ପ୍ରଥମତଃ, ଶିକ୍ଷାର୍ଥୀମାନଙ୍କୁ ଆକଟ କରିବା ପାଇଁ ଅନେକ ଅଭିଭାବକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଦଣ୍ଡବିଧାନ ପାଇଁ ପ୍ରସ୍ତାବ ଦିଅନ୍ତି, ଯାହାକି ଆଇନତଃ ଗ୍ରହଣୀୟ ନୁହେଁ। ସେମାନଙ୍କ କହିବା କଥା, ଆମେ ଛାଟ ଖାଇଥିଲୁ ବୋଲି ଆଜି ଶୃଙ୍ଖଳିତ ସଭ୍ୟ ମଣିଷ ଭାବରେ ସମାଜରେ ବସବାସ କରିପାରୁଛୁ। ସାମାନ୍ୟ ତ୍ରୁଟି ବା ଅନୁଶାସନହୀନ କାର୍ଯ୍ୟ ପାଇଁ ଆମେ ଶିକ୍ଷାଦାତାଙ୍କ ଦ୍ବାରା ଦଣ୍ଡିତ ହେଉଥିଲୁ। କିନ୍ତୁ ଆଜି ଦଣ୍ଡମୁକ୍ତ ଅଞ୍ଚଳ ଯୋଗୁ ପିଲାମାନେ ଭୟମୁକ୍ତ ଓ ଭକ୍ତିଶୂନ୍ୟ ହୋଇଯାଉଛନ୍ତି। ଏପରିକି ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କ ପ୍ରତି ସାମାନ୍ୟ ସମ୍ମାନବୋଧ ନାହିଁ। ଏହା ସତ୍ୟ ଯେ, ଆଜିକାଲି ବିଦ୍ୟାଳୟଗୁଡ଼ିକରେ ଶିକ୍ଷୟିତ୍ରୀ ଶିକ୍ଷକ ମାନେ ପିଲାଙ୍କୁ ଆକଟ କରିବା ପାଇଁ ମାଡ଼ ମାରିବା ବା ଗାଳି କରିବା ତ ଦୂରର କଥା, ଆଖି ଦେଖେଇବାକୁ ମଧ୍ୟ ଡରୁଛନ୍ତି। କାରଣ ଏହା ଆଇନତଃ ଅପରାଧ ଓ ମାନବିକ ଅଧିକାରର ବିରୋଧାଭାସ। ଅପରପକ୍ଷେ, ଶିକ୍ଷାଧିକାରୀମାନେ ବାଚନିକ ଭାବେ କହନ୍ତି ପିଲାମାନେ ବହୁତ ଦୁଷ୍ଟ ହେଉଛନ୍ତି, ଆପଣମାନଙ୍କର ନିୟନ୍ତ୍ରଣ ନାହିଁ ସେମାନଙ୍କ ଉପରେ, ଇତ୍ୟାଦି। ଏ ସମ୍ପର୍କରେ ଯଦି ଶିକ୍ଷକ/ ଶିକ୍ଷୟିତ୍ରୀ ମୁହଁ ଖୋଲି କହନ୍ତି ଆକଟ କରିବୁ କେମିତି! ସାଧାରଣ ଦଣ୍ଡ (ବାଚନିକ ବା ମାନସିକ ବା ଶାରୀରିକ) ଦେବା ଆଇନତଃ ଅପରାଧ। ସେତେବେଳେ ଅଧିକାରୀମାନେ କଥା ଛଳରେ କହନ୍ତି, ତୁମକୁ ଚୋଟ ମାରିବାକୁ ମନା କରାଯାଇଛି ସିନା ଫଣାଟେକି ଫଁ କରିବାକୁ କିଏ ମନା କରିଛି? ଏ କ୍ଷେତ୍ରରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଦ୍ବନ୍ଦ୍ୱରେ। ଏଣେ ମାରିଲେ ଗୋହତ୍ୟା, ତେଣେ ମାରିଲେ ବ୍ରହ୍ମହତ୍ୟା। କାରଣ ଅନୁଶାସନ ପାଇଁ ଯଦି କୌଣସି ସାମାନ୍ୟ ପଦକ୍ଷେପ ନିଅନ୍ତି, ସବୁ ଠିକ୍‌ଠାକ୍‌ ଚାଲିଥିଲେ କିଛି ଅସୁବିଧା ନାହିଁ। ଯଦି ସାମାନ୍ୟ ସ୍ବାର୍ଥ ହାନି ହେଲା ନା ଅଭିଭାବକ ନା ଅଫିସର କେହି ପିଠିରେ ପଡ଼ିବେ ନାହିଁ। ସେତେବେଳେ ସମସ୍ତେ ଆଇନ ବିଶାରଦ ବନିଯିବେ। ବିଚରା ଶିକ୍ଷକ ଆଇନ ଫାଶରେ ଛନ୍ଦି ହେଉଥିବ।
ଦ୍ୱିତୀୟରେ, ଆମେ ପାଠ ପଢ଼ିବା ବେଳେ ବିଦ୍ୟାଳୟ ସଫେଇଠାରୁ ବଗିଚା କାମ ଭଳି ଅନେକ କାମ କରୁଥିଲୁ। ସେତେବେଳେ ଆମେ କେବେ ନିଜକୁ ମୂଲିଆ ଭାବୁନଥିଲୁ କି ଆମ ସ୍ବାଭିମାନ ନଷ୍ଟ ହେଉଛି ବୋଲି ବିଚାର ହିଁ ନଥିଲା। ବରଂ ଶ୍ରମର ମହତ୍ତ୍ୱକୁ ବୁଝିପାରୁଥିଲୁ। ମା’ବାପାମାନେ ମଧ୍ୟ ଏଭଳି କାମକୁ ପ୍ରୋତ୍ସାହନ ଦେଉଥିଲେ। ଆଜି କିନ୍ତୁ ଠିକ୍‌ ଓଲଟା। ଆଜିର ପରିସ୍ଥିତିରେ ପିଲାଙ୍କୁ ଭୁଲ୍‌ବଶତଃ ଯଦି ଏଭଳି କାମରେ ଲଗାଯାଇଥାଏ, ଗଣମାଧ୍ୟମଠାରୁ ଅଭିଭାବକ ପର୍ଯ୍ୟନ୍ତ ସବୁ ମହଲରେ ଭର୍ତ୍ସନା ଶୁଣିବାକୁ ପଡ଼େ। ବେଳେବେଳେ ଅଭିଭାବକ ସମ୍ମିଳନୀରେ ମାତାପିତାମାନେ ପିଲାମାନଙ୍କୁ ବଗିଚା କାମ ଭଳି କିଛି କାର୍ଯ୍ୟ କରିବାକୁ କହନ୍ତି। କିନ୍ତୁ ଶିକ୍ଷକ ଶିକ୍ଷୟିତ୍ରୀ ଦ୍ବନ୍ଦ୍ୱରେ। କାରଣ ସବୁ ମା’ବାପାଙ୍କ ସମାନ ବିଚାର ନ ଥାଏ।
ତୃତୀୟରେ, ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାମ୍ବିଧାନିକ କର୍ତ୍ତବ୍ୟ। ଶିକ୍ଷା ଅଧିକାର ଅଧିନିୟମ ୨୦୦୯ ଓ ଅଧୁନା ଜାତୀୟ ଶିକ୍ଷା ନୀତି ୨୦୨୦ ବିଶେଷକରି ବିଦ୍ୟାଳୟ ସ୍ତରରେ କୋମଳମତି ବାଳକ ବାଳିକାମାନଙ୍କ ନିମନ୍ତେ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରାବଧାନ ରହିଛି। ହେଲେ ଏ କ୍ଷେତ୍ରରେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଦ୍ବନ୍ଦ୍ୱରେ। କେମିତି? ପ୍ରଥମତଃ, ଆଜି ମଧ୍ୟ ଆମ ବିଦ୍ୟାଳୟଗୁଡ଼ିକରେ ଶିକ୍ଷା ଅଧିକାର ଅଧିନିୟମ ଅନୁସାରେ ଶିକ୍ଷକ-ଛାତ୍ର ଅନୁପାତ ଠିକ୍‌ ନୁହେଁ। ବିଶେଷକରି ଗ୍ରାମାଞ୍ଚଳ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ଶିକ୍ଷକ ଅଭାବର ବିକଳ ରୂପ କାହାକୁ ଅଛପା ନାହିଁ। ଏଭଳି ପରିସ୍ଥିତି ଓ ପରିପ୍ରେକ୍ଷୀରେ ବିଦ୍ୟାଳୟରେ ନିୟୋଜିତ ସୀମିତ ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବେ ନା ଅଫିସରମାନଙ୍କ ନାଲି ଆଖିରୁ ତ୍ରାହି ପାଇବା ପାଇଁ ଫାଇଲ ଚାଷ କରିବେ? କାରଣ ବିଦ୍ୟାଳୟଗୁଡ଼ିକରେ ଅଫିସ୍‌ କାମ ପାଇଁ କିରାଣି ବା ସହଯୋଗୀ କାହିଁ? ଯଦି ଶିକ୍ଷକ ଧର୍ମ ପାଳନ କରି ପିଲାଙ୍କୁ ଦେଖିବେ ଶିକ୍ଷା ଅଧିକାରୀମାନଙ୍କ କ୍ରୋଧର ଶିକାର ହେବା ଥୟ। ଆଉ ଯଦି ଅଧିକାରୀମାନଙ୍କୁ ସନ୍ତୁଷ୍ଟ କରିବେ ପିଲାମାନେ ହତାଦର, ଅନାଦର ଓ ଅବହେଳିତ ହେବେ। ଫଳରେ ମୌଳିକ ସାକ୍ଷରତା ଓ ମୌଳିକ ସଂଖ୍ୟା ଜ୍ଞାନ ଭଳି ଅଭିଯାନ ଆରମ୍ଭ କରିବାକୁ ପଡ଼ିବ। ଏ କ୍ଷେତ୍ରରେ ମଧ୍ୟ ଶିକ୍ଷକ ଦ୍ବନ୍ଦ୍ୱରେ।
ଚତୁର୍ଥରେ, କେଉଁ ପଦ୍ଧତି ବା ପ୍ରଣାଳୀ ଅବଲମ୍ବନ କରି ପାଠଦାନ କରିବେ ସେଥିପାଇଁ ମଧ୍ୟ ଶିକ୍ଷକ ଦ୍ବନ୍ଦ୍ୱରେ। କିପରି? ନିୟମ ଦୃଷ୍ଟିରୁ ଶିକ୍ଷକ ଶିକ୍ଷୟିତ୍ରୀ ନିଜ ବିଦ୍ୟାଳୟର ଉପଲବ୍ଧ ସମ୍ବଳ, ପାଠ୍ୟଖସଡ଼ା, ପାଠ୍ୟ ପୁସ୍ତକ ଏବଂ ସର୍ବୋପରି ଶିଶୁମାନଙ୍କ ଦକ୍ଷତା, ଇଚ୍ଛା ଓ ଆବଶ୍ୟକତା ଦେଖି ଶିକ୍ଷାଦାନ ଦେବା କଥା। ବିଶେଷକରି ଶିକ୍ଷାଦାନ କ୍ଷେତ୍ରରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପୂର୍ଣ୍ଣ ସ୍ବତନ୍ତ୍ରତା ଦେଲେ ଉଦ୍ୟମୀ ଶିକ୍ଷକ ଶିକ୍ଷୟିତ୍ରୀମାନେ ଆବଶ୍ୟକତା ଆଧାରରେ ଶିକ୍ଷାଦାନ କୌଶଳ ଅବଲମ୍ବନ କରି ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିପାରନ୍ତେ। କିନ୍ତୁ ବାସ୍ତବରେ ତାହା ହେଉନାହିଁ ବୋଲି ଏ ଲେଖକଙ୍କ ବ୍ୟକ୍ତିଗତ ମତ। ବିଦ୍ୟାଳୟ ସ୍ତରରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବର୍ଷସାରା ଯେତିକି ପ୍ରଶିକ୍ଷଣ ବ୍ୟବସ୍ଥା ହେଉଛି, ଶିକ୍ଷକ ଶିକ୍ଷୟିତ୍ରୀ ଦ୍ବନ୍ଦ୍ୱରେ। ନାନା ମୁନି ନାନା ମତ ଭଳି ବେଳେବେଳେ ପ୍ରଶିକ୍ଷକଗଣ ନିଜ ପାଣ୍ଡିତ୍ୟ ଓ ପ୍ରଭାବ ବିଚରା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଉପରେ ଲଦିବାକୁ ଚେଷ୍ଟା କରିଥା’ନ୍ତି। ଫଳରେ ଶିକ୍ଷାଦାତାମାନେ ବୁଝିପାରନ୍ତି ନାହିଁ ଯେ ନିଜ ବିଦ୍ୟାଳୟର ପିଲାଙ୍କ ଆବଶ୍ୟକତା ଭିତ୍ତିରେ ପାଠ ପଢ଼େଇବେ ନା ପ୍ରଶିକ୍ଷଣ ପାଇଥିବା ଆଧାରରେ ପଢ଼େଇବେ। ଏଠି ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଦ୍ବନ୍ଦ୍ୱରେ। ହେଲେ ଏସବୁ ଦ୍ବନ୍ଦ୍ୱର କୁପରିଣାମ ବିଚରା କୁନିକୁନି ପିଲାମାନଙ୍କ ଭାଗ୍ୟ ଓ ଭବିଷ୍ୟତ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ପଡୁଛି। ଏସବୁ ବିଷୟରେ ଗଭୀର ଭାବରେ ଚିନ୍ତନ କରିବା ସମୟ ଉପନୀତ।
ସହକାରୀ ପ୍ରାଧ୍ୟାପକ, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ, ଜୟପୁର, କୋରାପୁଟ
ମୋ: ୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?