ଜଳବାୟୁ ପରିବର୍ତ୍ତନ ଓ ପ୍ରବାସନ

ଜଳବାୟୁ ପରିବର୍ତ୍ତନ ପ୍ରଭାବିତ ପ୍ରବାସନ ଏକ ନୂତନ ସମସ୍ୟା। ୧୯୭୬ ମସିହାରେ ଲେଷ୍ଟର୍‌ ବ୍ରାଉନ ପ୍ରଥମେ ପରିବେଶୀୟ ‘ଶରଣାର୍ଥୀ’ ଶବ୍ଦ ବାହାର କରିଥିଲେ। ୧୯୮୫ରେ ଏସାମ ଏଲ୍‌-ହିନାଓ୍ବି ପ୍ରକାଶ କଲେ ଏହି ଶରଣାର୍ଥୀ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ସ୍ଥାୟୀ କିମ୍ବା ଅସ୍ଥାୟୀ ଭାବରେ ନିଜ ଭିଟାମାଟି ଛାଡି ଅନ୍ୟତ୍ର ଦେଶାନ୍ତରୀ ହୁଅନ୍ତି। ଏହାପରେ ଏମାନଙ୍କୁ ଜଳବାୟୁ ପ୍ରଭାବିତ ଶରଣାର୍ଥୀ କିମ୍ବା ଜଳବାୟୁ ପ୍ରଭାବିତ ଦେଶାନ୍ତରୀ କୁହାଗଲା। ତେବେ ପ୍ରବାସନ ପାଇଁ ଆନ୍ତର୍ଜାତିକ ସଂଗଠନ ପ୍ରକାଶ କରିଛନ୍ତି ଜଳବାୟୁ ପ୍ରଭାବିତ ଦେଶାନ୍ତରୀମାନଙ୍କୁ ଶରଣାର୍ଥୀ କୁହାଯାଇପାରିବ ନାହିଁ। ଜଳବାୟୁ ପରିବର୍ତ୍ତନ ପ୍ରଭାବିତ ପ୍ରବାସନ ଆମ ଦେଶରେ ବୃଦ୍ଧି ପାଇଲାଣି। ଅର୍ଥନୀତି ଓ ଶାନ୍ତି ଅନୁଷ୍ଠାନ ଆକଳନ ଅନୁସାରେ ଚାଇନା, ବାଂଲାଦେଶ, ଭାରତ, ଭିଏଟ୍‌ନାମ, ଇଣ୍ଡୋନେସିଆ ଓ ପାକିସ୍ତାନରେ ୨୦୫୦ ବେଳକୁ ବହୁ ସଂଖ୍ୟାରେ ଜଳବାୟୁ ପ୍ରଭାବିତ ପ୍ରବାସନ ହୋଇପାରେ। ଏହାର ଅଟକଳ ଅନୁସାରେ ବିଶ୍ୱରେ ୨୦୦୮ ପରଠାରୁ ପ୍ରାୟ ୩୭୬ ନିୟୁତ ଲୋକ ଏହି କାରଣରୁ ପ୍ରବାସିତ ହେଲେଣି। ବିଶ୍ୱବ୍ୟାଙ୍କର ୨୦୨୧ ରିପୋର୍ଟ ଅନୁସାରେ ୨୦୫୦ ସୁଦ୍ଧା ୨୧୬ ନିୟୁତ ଲୋକ ଆଫ୍ରିକା ମହାଦେଶର ଅନ୍ତଃ ପ୍ରବାସନ କରିବେ।
ବନ୍ୟା ଓ ଭୂସ୍ଖଳନ ଯୋଗୁ ଲୋକେ ଅସ୍ଥାୟୀ ଭାବରେ ଅଳ୍ପ ଦୂରକୁ ପ୍ରବାସନରେ ଯିବାବେଳେ ମରୁଡ଼ି ଓ ଅଧିକ ଉତ୍ତାପ ଯୋଗୁ ଦୂରକୁ ପ୍ରବାସନରେ ଯାଆନ୍ତି। ଭାରତରେ ପ୍ରାୟ ଦୁଇ ତୃତୀୟାଂଶ ଲୋକ କୃଷି, ପଶୁପାଳନ, ମାଛଚାଷ ଓ ବନୀକରଣ ଉପରେ ଜୀବିକା ନିର୍ବାହ ପାଇଁ ନିର୍ଭର କରନ୍ତି। ଅନ୍ତଃ ବିସ୍ଥାପନ ଉପଦେଷ୍ଟା କେନ୍ଦ୍ର ଅଟକଳ ଅନୁସାରେ ୨୦୨୦ରେ ୧୪ ନିୟୁତ ଲୋକ ଜଳବାୟୁ ପ୍ରଭାବରେ ଦେଶ ମଧ୍ୟରେ ପ୍ରବାସନ କରିଥିଲେ। ଭାରତରେ ବନ୍ୟା, ମରୁଡ଼ି, ବାତ୍ୟା ଓ ଅଧିକ ଉତ୍ତାପ ଯୋଗୁ ପ୍ରଭାବିତ ଲୋକେ ପ୍ରବାସନରେ ଯାଉଛନ୍ତି। ଭାରତର ପରିବେଶ ସ୍ଥିତି ରିପୋର୍ଟ ୨୦୨୨ ଅନୁସାରେ ୨୦୨୦-୨୧ରେ ୩୦ ଲକ୍ଷରୁ ଅଧିକ ଲୋକ ଜଳବାୟୁ ପରିବର୍ତ୍ତନ ଯୋଗୁ ଦେଶାନ୍ତର ହୋଇଥିଲେ। ଏହି ରିପୋର୍ଟ ଦର୍ଶାଉଛି ଯେ ୨୦୫୦ ସୁଦ୍ଧା ଏହି ସଂଖ୍ୟା ୪୫ ନିୟୁତରେ ପହଞ୍ଚିବ।
ଜଳବାୟୁ ପ୍ରଭାବିତ ପ୍ରବାସନ ବାୟୁମଣ୍ଡଳ ଉତ୍ତାପ ବୃଦ୍ଧି, ଅନିୟମିତ ବୃଷ୍ଟିପାତ, ବାରମ୍ବାର ଦେଖାଯିବା ପ୍ରାକୃତିକ ବିପର୍ଯ୍ୟୟ ଏବଂ ସମୁଦ୍ର ଜଳପତ୍ତନ ବୃଦ୍ଧି ଜଳବାୟୁ ପରିବର୍ତ୍ତନ ପ୍ରଭାବ ଯୋଗୁ ହୋଇଥାଏ। ଏହାର ପ୍ରଭାବ ଅସହାୟ ଲୋକଙ୍କ ଉପରେ ପଡିଥାଏ ଏବଂ ସବୁଠାରୁ କ୍ଷତିଗ୍ରସ୍ତ ହୁଅନ୍ତି କୃଷକ, ସମୁଦ୍ର କୂଳିଆ ମତ୍ସ୍ୟଜୀବୀ ଓ ସହରାଞ୍ଚଳରେ ବସ୍ତିବାସିନ୍ଦା। ପାଣିପାଗ ଫସଲ ପାଇଁ ଅନୁକୂଳ ନ ହେଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ କୃଷି ଶ୍ରମିକ କାର୍ଯ୍ୟ ଅନ୍ବେଷଣରେ ଦେଶାନ୍ତର ହୁଅନ୍ତି। ସମୁଦ୍ର ଜଳ ସ୍ଥଳଭାଗ ଆଡକୁ ମାଡିଆସିଲେ ସମୁଦ୍ର କୂଳିଆ ଲୋକେ ଅନ୍ୟତ୍ର ବିସ୍ଥାପିତ ହୁଅନ୍ତି। କେତେକ ଅଞ୍ଚଳରେ ବର୍ଷା ଅଭାବରେ ଜଳସଙ୍କଟ ଦେଖାଗଲେ ଲୋକେ ପିଲା ଛୁଆ ଧରି ଅନ୍ୟତ୍ର ବସବାସ କରନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ଗ୍ରାମାଞ୍ଚଳରେ କର୍ମନିଯୁକ୍ତି ଅଭାବ ହେଲେ ଲୋକେ ବାଧ୍ୟହୋଇ କର୍ମସନ୍ଧାନରେ ସହରକୁ ପ୍ରବାସନ କରନ୍ତି। ଘରେ କେବଳ ବୁଢ଼ାବୁଢୀଙ୍କୁ ଛାଡି ସମସ୍ତେ ପ୍ରବାସରେ ରହି ବହୁ ଦୁଃଖଦୁର୍ଦ୍ଦଶା ମଧ୍ୟରେ କାଳାତିପାତ କରନ୍ତି। ଏପରି ଭାବରେ ଦେଶାନ୍ତର ହେଉଥିବା ଲୋକେ କୌଣସି ସରକାରୀ ସୁବିଧା ଲାଭ କରନ୍ତି ନାହିଁ।
ଜଳବାୟୁ ପ୍ରଭାବିତ ପ୍ରବାସନ ନିରାକରଣ ପାଇଁ ବହୁବିଧ ରଣନୀତି ଆବଶ୍ୟକ। ଏପରି ପ୍ରବାସନ ପାଇଁ ଦାୟୀ କାରଣ ଗୁଡିକୁ ଦୂରୀଭୂତ କରିବାକୁ ହେବ ଏବଂ ପ୍ରଭାବିତ ଅଞ୍ଚଳ ଚିହ୍ନଟ, ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ଆଗୁଆ ସୂଚନା ଓ ଏହାର ମୁକାବିଲା ପାଇଁ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରି ପ୍ରଭାବିତ ଲୋକଙ୍କ ଦୁଃଖ ଦୂରୀକରଣ କରିବାକୁ ହେବ। ପ୍ରଥମରେ ସବୁଜ ଗୃହ ବାଷ୍ପ ନିର୍ଗମନକୁ ହ୍ରାସ କରିବା ପାଇଁ ବିକଳ୍ପ ବ୍ୟବସ୍ଥା ହିସାବରେ ଧାରଣକ୍ଷମ କୃଷିପଦ୍ଧତି ଅବଲମ୍ବନ, ବନୀକରଣ, କାର୍ବନ କ୍ରେଡିଟ ପ୍ରଚଳନ, ବିଦ୍ୟୁତ ଯାନ ପ୍ରଚଳନ, ସୌର ଓ ପବନ ଚାଳିତ ଶକ୍ତି ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ଦ୍ୱିତୀୟରେ ସାମାଜିକ ବୈଷମ୍ୟ ଦୂରୀକରଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ହେବ ଯେପରି ଗରିବ ଲୋକେ ଅଧିକ ପ୍ରଭାବିତ ନ ହେବେ। ତୃତୀୟରେ ବିଶେଷ ଭାବରେ ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ପ୍ରଭାବିତ ଅଞ୍ଚଳଗୁଡିକ ଚିହ୍ନଟ କରି ସତନ୍ତ୍ର ଭିତ୍ତିଭୂମି ନିର୍ମାଣ, ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ ଓ ଜୀବିକା ନିର୍ବାହ ବ୍ୟବସ୍ଥା କରିବା ଆବଶ୍ୟକ। ଆବଶ୍ୟକ ସ୍ଥଳେ ସ୍ଥାୟୀ ଭାବରେ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ହେବ। ବିଭିନ୍ନ ସମୟରେ ବାହାର ଦେଶରୁ ଶରଣାର୍ଥୀ ଆମ ଦେଶକୁ ଚାଲି ଆସନ୍ତି। ସରକାର ଏମାନଙ୍କୁ ଚିହ୍ନଟ କରି ଏମାନଙ୍କର ଥଇଥାନ ବ୍ୟବସ୍ଥା ସମ୍ପୃକ୍ତ ଦେଶ ସରକାରଙ୍କ ସହାୟତାରେ କରାଯିବା ଆବଶ୍ୟକ। ଚତୁର୍ଥରେ ସମୁଦ୍ର ଜୁଆର ଜନବସତି ଆଡକୁ ଯେପରି ମାଡି ନ ଆସେ ସେଥିପ୍ରତି ଦୃଷ୍ଟିଦେବା ସହ ହେନ୍ତାଳ ବନୀକରଣ, ଝାଉଁ ବୃକ୍ଷ ରୋପଣ ଓ ସମୁଦ୍ର ନିକଟରେ ପ୍ରାଚୀର ନିର୍ମାଣ କରାଯାଇପାରେ। ପଞ୍ଚମରେ ନିୟମିତ ପ୍ରଭାବିତ ଅଞ୍ଚଳରେ ଶିକ୍ଷା ଓ କର୍ମନିଯୁକ୍ତି ପାଇଁ ସତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ କରାଯିବା ଆବଶ୍ୟକ। ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଲବ୍ଧ ଅର୍ଥ ଏଥି ନିମନ୍ତେ ବିନିଯୋଗ ହୋଇପାରେ। ପରିସଂସ୍ଥାର ସୁରକ୍ଷା ନିମନ୍ତେ ଓ ଏହାକୁ ଜଳବାୟୁ ପରିବର୍ତ୍ତନ ଜନିତ କ୍ଷତିରୁ ରକ୍ଷା କରିବା ପାଇଁ ଭୂମି ପରିଚାଳନା କୌଶଳ ଅବଲମ୍ବନ କରି ଅବକ୍ଷୟକୁ ନିୟନ୍ତ୍ରଣ କରିବା ଆବଶ୍ୟକ। ଆବଶ୍ୟକ ସ୍ଥଳେ ଆନ୍ତର୍ଜାତିକ ସହାୟତା ପାଇଁ ନିବେଦନ କରାଯାଇ ପାରେ।
ଏହି ସମସ୍ୟାର ସମାଧାନ ନିମନ୍ତେ ଜଳବାୟୁ ପରିବର୍ତ୍ତନ ପାଇଁ ରାଷ୍ଟ୍ରୀୟ କ୍ରିୟା ଯୋଜନା ବା ଏନ. ଏ. ପି. ସି. ସି. ଏବଂ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ବା ମନରେଗାରେ କିଛିଟା ବ୍ୟବସ୍ଥା ରଖାଯାଇଛି। ମନରେଗାରେ ହେନ୍ତାଳ ବନୀକରଣ, ଜୈବିକ କୃଷି ଓ ସ୍ଥାୟୀ ପରିସମ୍ପତ୍ତି ନିର୍ମାଣ ଉପରେ ସୁନ୍ଦରବନ ପରି ସର୍ବଦା ପ୍ରଭାବିତ ଅଞ୍ଚଳ ପାଇଁ ଗୁରୁତ୍ୱ ଦିଆଯାଇଛି। ଜଳବାୟୁ ପରିବର୍ତ୍ତନ ପାଇଁ ରାଷ୍ଟ୍ରୀୟ କାର୍ଯ୍ୟ ଯୋଜନା ମଧ୍ୟରେ ଜଳବାୟୁ ପରିବର୍ତ୍ତନ ପ୍ରଭାବିତ ପ୍ରବାସନ ନିରାକରଣ ପାଇଁ ସତନ୍ତ୍ର ରଣନୀତି ଉଲ୍ଲେଖ କରିବା ଆବଶ୍ୟକ। ଯେଉଁ ଅଞ୍ଚଳରେ ବିସ୍ଥାପନ ଜରୁରୀ ସେଥିପାଇଁ ପୁନର୍ବାସ ଯୋଜନା କରାଯିବା ଉଚିତ। ପ୍ରାକୃତିକ ବିପର୍ଯ୍ୟୟ ହେଉ ବା ଜଳବାୟୁ ପରିବର୍ତ୍ତନ ଜନିତ ଫସଲ ହାନି ହେଉ, ସ୍ଥାନୀୟ ଅଧିବାସୀ ଯେପରି ଦେଶାନ୍ତର ନ ହୁଅନ୍ତି ସେଥିପ୍ରତି ସତର୍କ ଦୃଷ୍ଟି ରଖି ଏହାର ସମାଧାନ ସ୍ଥାନୀୟ ଭାବରେ କରାଯିବା ଆବଶ୍ୟକ। ମନେ ରଖିବାକୁ ହେବ ଅଭାବୀ ପ୍ରବାସନ ଓ ଜଳବାୟୁ ପରିବର୍ତ୍ତନ ପ୍ରଭାବିତ ପ୍ରବାସନ ମଧ୍ୟରେ ଯଥେଷ୍ଟ ପ୍ରଭେଦ ରହିଛି ଏବଂ ଉଭୟ ପାଇଁ ଆଲଗା ରାଜନୀତି ଆବଶ୍ୟକ। ସରକାରୀ ଓ ବେସରକାରୀ ସ୍ତରରେ ଜଳବାୟୁ ସହନଶୀଳ ଯୋଜନାର ଆବଶ୍ୟକତା ଅଛି। ସହରାଞ୍ଚଳରେ ଜଳବାୟୁ ସହନଶୀଳ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ କରି ବାହାରୁ ପ୍ରବାସନରେ ଆସୁଥିବା ଲୋକଙ୍କ ଥଇଥାନ ବ୍ୟବସ୍ଥା କରାଯିବା ଆବଶ୍ୟକ।
କଳିଙ୍ଗନଗର ୭/୪୫୨, ଭୁବନେଶ୍ବର
ମୋ:୯୪୩୭୦୭୧୧୯୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?