ଖଣ୍ଡିକିଆ ସିଗାରେଟ୍‌

ଭାରତରେ ଧୂମପାନକାରୀଙ୍କ ସର୍ବନିମ୍ନ ଆଇନଗତ ବୟସ ୨୧ ବର୍ଷ କରିବା ଲାଗି କେନ୍ଦ୍ର ସରକାର ଏକ ବିଲ୍‌ ପ୍ରସ୍ତୁତ କରୁଛନ୍ତି। ଏବେ ଏହା ୧୮ ବର୍ଷ ରହିଛି। ସିଗାରେଟ୍‌ ଓ ତମାଖୁ ସାମଗ୍ରୀ (ବିଜ୍ଞାପନ ନିଷିଦ୍ଧ, ବ୍ୟବସାୟ, ବାଣିଜ୍ୟ, ଯୋଗାଣ, ବଣ୍ଟନ ନିୟନ୍ତ୍ରଣ) ସଂଶୋଧନ ଆଇନ, ୨୦୨୦ର ଚିଠା ବିଲ୍‌ରେ ବୟସସୀମା ବୃଦ୍ଧିକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଜୋର୍‌ ଦେଇଛି। ହେଲେ ଏହି ଆଇନ ଆସିବା ଦ୍ୱାରା କମ୍‌ ବୟସର ପିଲାମାନେ ଯେ ଧୂମପାନ କରିବେ ନାହିଁ ଭାବିବା ଭୁଲ୍‌। ଭାରତରେ ସିଗାରେଟ୍‌ ପ୍ୟାକେଟ ବଦଳରେ ଖଣ୍ଡିକିଆ ସିଗାରେଟ୍‌ ଅଧିକ ବିକ୍ରି ହୋଇଥାଏ। କମ୍‌ ବୟସର ପିଲା ପକେଟରେ କମ୍‌ ଅର୍ଥ ଥିବାରୁ ସେ ଖଣ୍ଡିକିଆ କିଣିବାକୁ ପସନ୍ଦ କରିଥାଏ। କାରଣ ପୂରା ପ୍ୟାକେଟ କିଣିବା ପାଇଁ ଅର୍ଥ ଅଭାବ ପଡ଼ିଥାଏ। ଯଦି ଏଠାରେ ଖଣ୍ଡିକିଆ ସିଗାରେଟ୍‌ ବିକ୍ରି ଉପରେ ରୋକ ଲଗାଯାଇପାରନ୍ତା, ତାହାହେଲେ ଅନେକାଂଶରେ କମ୍‌ ବୟସର ଧୂମପାନକାରୀଙ୍କ ସଂଖ୍ୟା କମିଯାଆନ୍ତା। ‘ଧୂମପାନ ସ୍ବାସ୍ଥ୍ୟ ପାଇଁ ହାନିକାରକ’। ଏଥିସହିତ ସିଗାରେଟ୍‌ ପ୍ୟାକେଟ ଉପରେ ଯେଉଁ ଚିତ୍ର ଥାଏ, ତାହାକୁ ଦେଖିଲେ ଅନେକ ଡରିଯାଇ ଟାଣିବାକୁ ଭୟ କରିଥାନ୍ତି। କିନ୍ତୁ ଯେତେବେଳେ ଲୁଜ୍‌ ବା ଖୋଲାରେ ତାହା ଉପଲବ୍ଧ ହୋଇଯାଏ, ଯୁବପିଢ଼ିକୁ ସେହି ଭୟ ଗ୍ରାସ କରେନାହିଁ। ଦେଖିବାକୁ ଗଲେ ଭାରତର ପଡ଼ୋଶୀ ଦେଶଗୁଡ଼ିକରେ କେବଳ ବନ୍ଦ ପ୍ୟାକେଟ ବିକ୍ରି ହୋଇଥାଏ। ଭାରତରେ ପ୍ରଥମ ରାଜ୍ୟ ଭାବେ ମହାରାଷ୍ଟ୍ର ସେପ୍ଟେମ୍ବର ୨୦୨୦ରେ ଲୁଜ୍‌ ସିଗାରେଟ୍‌ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲା। ଯେବେ ଏଭଳି ନିଷ୍ପତ୍ତି ନିଆଗଲା, ତା’ ପରଠାରୁ ସେହି ରାଜ୍ୟରେ କମ୍‌ ବୟସର ପିଲାଙ୍କ ଧୂମପାନ ଅଭ୍ୟାସ କମିଯାଇଥିବା ସର୍ଭେରୁ ଜଣାପଡ଼ିଛି।
ସାଧାରଣତଃ ଦେଖାଯାଏ ଯେ, ୧୬ରୁ ୧୭ ବର୍ଷ ବୟସର କିଶୋର ଧୂମପାନ ଭଳି ଖରାପ ଅଭ୍ୟାସରେ ପଡ଼ିଯାଇଥାଆନ୍ତି। ଏହା ସ୍କୁଲ ଛାଡ଼ିବା ଓ କଲେଜ ଯିବାର ସମୟ। ନିଜକୁ ବଡ଼ ହୋଇଗଲେଣି ମନେକରି କୁସଙ୍ଗରେ ପଡ଼ି ଅନେକେ ସିଗାରେଟ୍‌ ଟାଣିବାକୁ ଚାହିଁଥାନ୍ତି। କିନ୍ତୁ ଯଦି ସମ୍ପୂର୍ଣ୍ଣ ପ୍ୟାକେଟ କିଣିବା ଆଇନସିଦ୍ଧ ହୋଇଯାଆନ୍ତା, ତାହାହେଲେ ଅଧିକାଂଶ ପଛଘୁଞ୍ଚା ଦେଇପାରନ୍ତି ବୋଲି ଅନ୍ୟ ଦେଶରେ ହୋଇଥିବା ବିଭିନ୍ନ ସମୟର ସର୍ଭେରୁ ଜଣାପଡ଼ିଛି। ଖଣ୍ଡିକିଆ ସିଗାରେଟ୍‌ କିଣିବା ବେଳେ ଜଣେ ଯୁବକ ଉକ୍ତ ସାମଗ୍ରୀ ଉପରେ କେତେ ଟିକସ ଦେଲେ ତାହାକୁ ମଧ୍ୟ ଅନୁଭବ କରିପାରି ନ ଥାଆନ୍ତି। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ସିଗାରେଟ୍‌ ଉପରେ ୧୦ ପ୍ରତିଶତ ଅଧିକ ଟିକସ ବସାଯାଇଥିବାରୁ ଧୂମପାନକାରୀଙ୍କ ସଂଖ୍ୟା ପ୍ରାୟ ୮ ପ୍ରତିଶତ କମିଯାଇଛି। ଅର୍ଥାତ୍‌ ଅର୍ଥକଷ୍ଟ ସେମାନଙ୍କ ଆଗ୍ରହକୁ ଚାପି ଦେଇଥାଏ।
ଭାରତରେ ଯେତେବେଳେ ଆଇନ କରାଯାଏ, ତାହା ଉପରେ ଅଧିକ ତର୍ଜମା ହେଉ ନ ଥିବାରୁ ଅନେକ ସମୟରେ ଅବାସ୍ତବ ସ୍ଥିତି ଉପୁଜୁଛି। ଆଇନ ପ୍ରଣୟନକାରୀ ସର୍ବଦା ନିର୍ଦ୍ଦିଷ୍ଟ ବିଷୟ ଉପରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଓ ଅଂଶଗ୍ରହଣକାରୀଙ୍କଠାରୁ ପର୍ଯ୍ୟାପ୍ତ ମତାମତ ଲୋଡ଼ି ନିଷ୍ପତ୍ତି ନେଲେ ପ୍ରକୃତ ସମସ୍ୟାକୁ ସମାଧାନ କରାଯାଇପାରନ୍ତା। ମାଦକଦ୍ରବ୍ୟରୁ ଅତ୍ୟଧିକ ଟିକସ ପାଉଥିବାରୁ ତାହାର ବିକ୍ରିକୁ ସରକାର ବନ୍ଦ କରୁନାହାନ୍ତି। ଯଦିବା ବନ୍ଦ କରିଦିଆଯାଏ, ତଥାପି ଲୋକେ ଚୋରାରେ ପଡ଼ୋଶୀ ଦେଶରୁ ଚଢ଼ାଦରରେ କିଣି ପିଇବେ ବା ଟାଣିବେ। ଉଦାହରଣ ସ୍ବରୂପ ଗୁଜରାଟରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇ ଡ୍ରାଏ ଷ୍ଟେଟ୍‌ ଘୋଷଣା କରାଯାଇଥିଲେ ହେଁ ସେଠାରେ ଅନେକେ ସହଜରେ ମଦ ପାଇପାରୁଛନ୍ତି। ତେଣୁ ଆଇନ କରିବା ପୂର୍ବରୁ ସମାଜର ସମ୍ପୃକ୍ତ ବର୍ଗଙ୍କ ମତାମତ ଲୋଡ଼ାଯିବା ଦରକାର। କେନ୍ଦ୍ର ସରକାର ନୂତନ ଚିଠା ଆଇନରେ ପ୍ୟାକେଟ ଖୋଲା ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା ଆବଶ୍ୟକ ପଡ଼ିଲାଣି। କେବଳ ବୟସ ବଢ଼ାଇ ଦେଲେ ସମସ୍ୟାର ସମାଧାନ ଆସିପାରିବ ନାହିଁ। ଅନେକ ସମୟରେ ସ୍କୁଲ ଛାତ୍ରୀଛାତ୍ରଙ୍କୁ ଦେଖିଲେ ସେମାନଙ୍କ ବୟସ ଜାଣିବା କଷ୍ଟକର ହୋଇଥାଏ। ଅନେକ ପୁଅପିଲାଙ୍କ ଅତିଶୀଘ୍ର ନିଶଦାଢ଼ି ହେଉଥିବାରୁ ଘସେମାନଙ୍କ ବୟସ ଜାଣିବାର ଏକମାତ୍ର ପ୍ରମାଣପତ୍ର ହେଉଛି ଜନ୍ମଗତ ସାର୍ଟିଫିକେଟ। ସେଥିପାଇଁ ସରକାର ଆଣିବାକୁ ଯାଉଥିବା ଆଇନକୁ ମାନି ଚଳିଲେ ଯିଏ ସିଗାରେଟ୍‌ କିଣିବ, ସେ ଦୋକାନୀକୁ ତା’ର ଜନ୍ମ ସାର୍ଟିଫିକେଟ ଦେଖାଇବାକୁ ପଡ଼ିବ। ଏହା ସହିତ ଦୋକାନୀ ମଧ୍ୟ ସେହି ସାର୍ଟିଫିକେଟ ପଢ଼ିବାର ଯୋଗ୍ୟତା ରଖିଥିବା ଦରକାର।
ଆଇନ କଡ଼ାକଡ଼ି କରିଦିଆଯାଇ ଜରିମାନା ସହ ଜେଲଦଣ୍ଡ କ୍ଷମତାକୁ କଠୋର କରିଦେଲେ କେବଳ ପୋଲିସ ଲାଭବାନ୍‌ ହେବ। ଭାରତର ଡେମୋଗ୍ରାଫି ବା ଜନସଂଖ୍ୟା ତତ୍ତ୍ୱ ଦେଖିଲେ ସବୁ ଲୋକଙ୍କ ଉପରେ ସରକାରୀ କର୍ତ୍ତୃପକ୍ଷ ନଜର ରଖିବା ସମ୍ଭବ ନୁହେଁ। ସିଗାରେଟ୍‌ କଥା ଦେଖିଲେ ତୃଣମୂଳ ସ୍ତରରେ ଯେଉଁ ଖୁଚୁରା ବେପାରୀ ସିଧାସଳଖ ଲୋକଙ୍କୁ ତା’ ସାମଗ୍ରୀ ବିକ୍ରି କରିଥାଏ, ସେ ଯଦି ନିଜ ଚରିତ୍ରକୁ ଲୁଜ୍‌ କରି ଖଣ୍ଡିକିଆ ଧୂମପାନ କାଠି ବଢ଼ାଇଦିଏ, ତାହା ହେଲେ ଜଗିବ କିଏ। ଏମିତି ଦେଖାଯାଇଛି, ଗାଁରେ ଦୋକାନୀ ବଡ଼ବାପା ବୋଲି ଡାକ ଶୁଣୁଥିଲେ ମଧ୍ୟ ନିଜ ଲାଭକୁ ଦେଖି ପୁତୁରା ହାତରେ ସିଗାରେଟ୍‌ ଧରାଇ ଦେଇଥାଏ।
ଭାରତରେ ଏହିଭଳି ଅନେକ ଆଇନ ପ୍ରଣୟନ କରାଯାଇଛି, ଯାହାର ତୃଣମୂଳ ସ୍ତରରେ ସଫଳ କାର୍ଯ୍ୟକାରିତାକୁ କେହି ଦୃଷ୍ଟି ଦେଉନାହାନ୍ତି। ଫଳସ୍ବରୂପ, ଖୁବ୍‌ଶୀଘ୍ର ଏଭଳି ଏକ ସମୟ ଆସିବ, ଯେତେବେଳେ ସାଧାରଣ ନାଗରିକର ପ୍ରତ୍ୟେକ କାମ କୌଣସି ଗୋଟିଏ ଆଇନକୁ ଭଙ୍ଗ କରୁଥିବ। ଏହାଦ୍ୱାରା ଅଜାଣତରେ ପ୍ରତ୍ୟେକ ନାଗରିକ ଆଇନ ବିରୋଧୀ ହୋଇଯାଉଛନ୍ତି। ସେଥିପାଇଁ ବ୍ୟକ୍ତିଗତ ଜୀବନରେ କିଏ କେଉଁଭଳି ବଞ୍ଚିବାକୁ ଚାହୁଁଛି, ତାହା ଉପରେ ସରକାରୀ ଅଙ୍କୁଶ ରହିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri