Posted inଫୁରସତ

ନିଜ ଧର୍ମକୁ ନିଜେ ରକ୍ଷାକରରେ ଭାଇ

ଗଣେଶ ପୂଜାରେ ଗଣେଶଙ୍କ ମେଢ଼ ସାମ୍ନାରେ ଅନୁଷ୍ଠିତ ‘ଡାନ୍ସ ଆଣ୍ଡ ଡାନ୍ସ୍‌’ ପ୍ରତିଯୋଗିତାରେ ‘ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ’ ଗୀତରେ ନାଚି ପ୍ରଥମ ହୋଇ ଚାଖଣ୍ଡେ ଲମ୍ବର ଏକ ସିଲ୍‌ କପ୍‌ ଧରି ଘରକୁ ଫେରିଥିବା ନଅବର୍ଷ ପୁଅର ସଫଳତାକୁ ଦେଖି ସେଦିନ ପିତା ଅଜୟ ବାବୁ ବେଶ୍‌ ଆହ୍ଲାଦିତ ହୋଇ କହୁଥିଲେ- ‘ଆଜ୍ଞା, ମୋ ପୁଅକୁ ଟିକେ ଆଶୀର୍ବାଦ କରନ୍ତୁ l ସେ କେମିତି ଆଉ ଟିକେ ଭଲ କି ନାଚୁ।’

କେବଳ ଅଜୟ ବାବୁ ନୁହନ୍ତି, ଆମ ସମାଜରେ ଥିବା ଅଜୟ ବାବୁଙ୍କ ପରି ପିତାମାତାମାନେ ଏମିତି ନିଜ ପିଲାମାନଙ୍କର ଏପରି ସଫଳତାରେ କୁରୁଳି ଉଠନ୍ତି। ଉଠିବା ବି ସ୍ବାଭାବିକ l କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ଏପରି ବ୍ୟବସ୍ଥାରେ ନିଜ ପୁତ୍ର କନ୍ୟାମାନେ ସଂସ୍କାରଠାରୁ ଦୁଇ ପାହାଚ ପଛକୁ ହଟି ଯାଉଛନ୍ତି, ଯାହା ଭବିଷ୍ୟତରେ ନିଜ ପାଇଁ ତଥା ନିଜ ଧର୍ମ ପାଇଁ ହାନିକାରକ ସାବ୍ୟସ୍ତ ହେବାର ସମ୍ଭାବନା ସୃଷ୍ଟି କଲାଣି l ନୃତ୍ୟ ଏକ ପ୍ରତିଭା l ଏହା ଏକ କଳା l କିନ୍ତୁ ଏହି କଳାକୁ ଦେବତାଙ୍କ ମୂର୍ତ୍ତି ସମ୍ମୁଖରେ ଗୋଟିଏ ଶସ୍ତା ଏବଂ ଦ୍ୱିଅର୍ଥବୋଧକ ଗୀତରେ ପ୍ରଦର୍ଶନ କରିବା ଯେ କେଉଁ ସମୃଦ୍ଧ ପରମ୍ପରାକୁ ପରିପୁଷ୍ଟ କରୁଛି ତାହା ଜଣାପଡୁନି l ଗଣେଶଙ୍କ ସହିତ ଗୋରୀର ଦୁଆରେ ମଦ ବୋତଲ ଭାଙ୍ଗିବାର କି ସମ୍ପର୍କ ଅଛି କେଜାଣି!
ଏବେ ଏବେ ଯାଇଛି ଏ ସନର ଦୁର୍ଗା, ଲକ୍ଷ୍ମୀ, କାଳୀ, କାର୍ତ୍ତିକେଶ୍ୱର ଆଦିଙ୍କ ପୂଜା l ଅନେକ ଜାଗାରେ ମା’ଙ୍କ ସମ୍ମୁଖରେ ପରିବେଷଣ ହେଲା ମେଲୋଡ଼ି l ଯେଉଁ ମା’ଙ୍କୁ ଧୂପ ଦୀପ ନୈବେଦ୍ୟ ଆଦି ଷୋଡ଼ଶ ଉପଚାରରେ ପୂଜା କରାଯାଇ ଭକ୍ତି ନୈବେଦ୍ୟ ଅର୍ପଣ କରାଯାଇଥିବ, ସେଇ ମା’ଙ୍କ ସମ୍ମୁଖରେ ସରକାରଙ୍କ କଟକଣାକୁ ବେଖାତିର କରି ଅର୍ଦ୍ଧନଗ୍ନ ତରୁଣୀମାନେ ବିଭିନ୍ନ ଅଶ୍ଳୀଳ ଇଙ୍ଗିତ ଦେଖାଇ ଶସ୍ତା ଆଲବମ୍‌ ଗୀତରେ ନାଚିଲେ। ଦର୍ଶକମାନଙ୍କୁ ମତୁଆଲା କରିବା ପାଇଁ କଳାକାରମାନେ ବିଭିନ୍ନ ଗରମା ଗରମ ଅଶ୍ଳୀଳ ଗୀତଗୁଡ଼ିକୁ ପରିବେଷଣ କରିବାରେ ଲାଗିପଡ଼ିଲେ l ଆପଣ ଦର୍ଶକମାନେ ବି ଜୋରରେ କରତାଳି ଏବଂ ପାଟିରେ ହୁଇସିଲ୍‌ ମାରି ସେମାନଙ୍କୁ ଉତ୍ସାହିତ କଲେ l ଥରେ ଟିକେ ଭାବିଲେ ସେଠି ମା’ ଆଉ ରହିଥିବେ ତ? ଯେଉଁ ମା’ଙ୍କୁ ଜୀବନ୍ତ ବୋଲି ଭାବି ଅତ୍ୟନ୍ତ ନିଷ୍ଠାପର ଭାବେ ପୂଜାର୍ଚ୍ଚନା କରିଥାଉ, ସେଇ ମା’ଙ୍କୁ ଏପରି ନାଚ ସମୟରେ ଆମେ ତାଙ୍କୁ ଜୀବନ୍ତ ବୋଲି ଭାବିଥାଉ ନା ନାହିଁ? ନା କେବଳ ପୂଜା ସମୟରେ ମା’ଙ୍କ ଉପସ୍ଥିତିକୁ ଅନୁଭବ କରିବୁ ବାକି ଲଙ୍ଗଳା ନାଚ କରିବା ବେଳେ ମା’ଙ୍କ ଉପସ୍ଥିତି କଥା ଭୁଲିଯିବୁ- ଇୟେ କେମିତିକା ଦ୍ୱୈତ ଭାବନା ଏ ମଣିଷର? ଆୟୋଜକ, କଳାକାର ତଥା ଶ୍ରୋତାମାନେ ଟିକେ ଗଭୀରେଇ ଚିନ୍ତା କଲେ, ନିଜ ମାତାପିତା କିମ୍ବା ଗୁରୁଙ୍କୁ ଚୌକିରେ ବସାଇ ତାଙ୍କୁ ପୂଜାପୂଜି କରିବା ପରେ ସେମାନଙ୍କ ସମ୍ମୁଖରେ ଏମିତିଆ ଗୀତ ବଜାଇ ତୁମେ ନାଚିପାରିବ କି? ଯଦି ନୁହେଁ, ତେବେ ଦେବତାଙ୍କ ସମ୍ମୁଖରେ ସେଭଳି ଫାର୍ସ କାହିଁକି କରୁଛନ୍ତି?

ଅନୁରୂପ ଘଟଣା ଘଟେ ଭସାଣିବେଳେ। ମା’ଙ୍କୁ ବିଦାୟ ଦେବାର ପର୍ବ ହେଉଛି ଭସାଣି ଉତ୍ସବ l ଯେଉଁ ମା’ଙ୍କୁ ଆମେ ଲମ୍ବ ଲମ୍ବ ହୋଇ ମୁଣ୍ଡିଆ ମାରି ଆଶିଷ ମାଗୁଥିଲୁ, ସେଇ ମା’ ଯେଉଁ ସମୟରେ ଆମଠୁଁ ବିଦାୟ ନେଇ ଯାଉଛନ୍ତି, ସେଇ ସମୟଟା ଆମ ପାଇଁ ଦୁଃଖଦ ସମୟ ନା ଖୁସିର ମୁହୂର୍ତ୍ତ! ଡିଜେ ବଜାଇ, ପୁଣି ସେଇ ଶସ୍ତା ଗୀତର ଆସରରେ ନିଶା ପାନ ପୂର୍ବକ ମଦମତ୍ତ ଯୁବକମାନଙ୍କର ଅବାଗିଆ ନାଚକୁ ଦେଖିଲେ ମନେହୁଏ ସତେ ଯେପରି ମା’ଙ୍କ ବିଦାୟ ଏକ ସୁଖକର ମୁହୂର୍ତ୍ତ।
ଅଷ୍ଟ ପ୍ରହରୀରେ ପବିତ୍ର ହରିନାମକୁ ଆଧୁନିକ ଗୀତର ତାଳରେ ଗାଇବା, ବୋଲବମ୍‌ ସମୟରେ ଗଣେଶ ଫାଦର… ପାର କରେଗା, କାର୍ତ୍ତିକ ଡାଡି… ପାର କରେଗା, ପାର୍ବତୀ ହଜ୍‌ବେଣ୍ଡ… ପାର କରେଗା, ମେଢ଼ ସାମ୍ନାରେ ବା ଭସାଣି ସମୟରେ ଦ୍ୱିଅର୍ଥବୋଧକ ଗୀତରେ ଲୁଗାପଟା ଖୋଲି ନାଚିବା ଆଦି ନାନାବିଧ ଅପସଂସ୍କୃତି ଏବଂ ମନ୍ଦ ଅଭ୍ୟାସ ଆମ ସନାତନ ଧର୍ମର ପବିତ୍ରତା ଏବଂ ଗୂଢ଼ ଗରିମାକୁ ନଷ୍ଟ କରିଦେବାକୁ ବସିଲାଣି l ଜୈନ ଏବଂ ବୌଦ୍ଧଧର୍ମର ପୂଜା ପାର୍ବଣରେ କେହି କେବେ ମଦ୍ୟପାନ କରି ନାଚୁଥିବାର କିଏ ଦେଖିଚ କି? ମୁସ୍‌ଲିମ ଭାଇମାନଙ୍କ ରୋଜା ଆଦି ପବିତ୍ର ଉତ୍ସବରେ ଡିଜେ ବଜାଇ ଅଶ୍ଳୀଳ ଏବଂ ଅସଭ୍ୟ ଗୀତ କିମ୍ବା ସିନେମା ଗୀତ ବଜାଇ କେହି ନାଚନ୍ତି କି? କୌଣସି ଖ୍ରୀଷ୍ଟିଆନ୍‌ ଗୁଡ୍‌ ଫ୍ରାଇଡେ କିମ୍ବା ବଡ଼ ଦିନରେ ମଦ ନିଶାରେ ଚୂର ହୋଇ ଯିଶୁଙ୍କ ସାମ୍ନାରେ ଅଶ୍ଳୀଳ ନୃତ୍ୟ କରନ୍ତି କି? ବିଭିନ୍ନ ମହତ ଦିନମାନଙ୍କରେ ଚର୍ଚ୍ଚ, ଗୁରୁଦ୍ୱାର ବା ମସ୍‌ଜିଦରେ ଲାଉଡ୍‌ ସ୍ପିକର ମାଧ୍ୟମରେ ଶସ୍ତା ଗୀତ ବାଜୁଥିବାର କେହି ଶୁଣିଛ କି?

ଯଦି ନୁହେଁ, ତେବେ ଆମେ କାହିଁକି ସନାତନ ବା ହିନ୍ଦୁଧର୍ମ ପରି ମହାନ୍‌ ସମ୍ପ୍ରଦାୟ ମୁହଁରେ ଗୋବର ବୋଳି ନିଜ ଧର୍ମର ଐତିହ୍ୟକୁ ନଷ୍ଟ କରିବାକୁ ଆଗଭର ହେଉଛେ? ଅଜୟ ବାବୁ୍‌ଙ୍କ ପରି ମାତାପିତାମାନେ କାହିଁକି ସେମାନଙ୍କ ପୁଅମାନଙ୍କୁ ଶିକ୍ଷା ଦେଉନାହାନ୍ତି ଯେ ବାବୁରେ! ଦେବତାଙ୍କ ସାମ୍ନାରେ ଏପରି ଶସ୍ତା ଗୀତରେ ପିଚାହଲା ନୃତ୍ୟ କରାଯାଏ ନାହିଁ ବୋଲି! ଅନ୍ୟର ଛାତିକୁ ଥରାଇ ହୃଦୟକୁ ଖିନ୍‌ଭିନ୍‌ କରି ମୃତ୍ୟୁ ମୁହଁକୁ ଠେଲି ଦେଉଥିବାର ସାମର୍ଥ୍ୟ ରଖୁଥିବା ଡି ଜେ ବିନା କ’ଣ ଭସାଣି ହୋଇପାରିବ ନାହିଁ? ମେଢ଼ ସାମ୍ନାରେ ପାଲା, ପ୍ରବଚନ ବା ହରି କଥାର ଆୟୋଜନ କଲେ ମା’ କ’ଣ ଆସ୍ଥାନ ଛାଡ଼ି ଚାଲିଯିବେ? ହଜାର ହଜାର ଟଙ୍କା ଖର୍ଚ୍ଚ କରି କାନଫଟା ଶବ୍ଦ କରୁଥିବା ଡିଜେ ବଦଳରେ ଝାଞ୍ଜ, ମୃଦଙ୍ଗ, ଖୋଳ ଆଦି ପାରମ୍ପରିକ ବାଦ୍ୟ ବଜାଇ ହରିବୋଲ, ହୁଳହୁଳି ପକାଇ ମା’ଙ୍କୁ ଭକ୍ତିପୂତ ବିଦାୟ ସମ୍ବର୍ଦ୍ଧନା ଦେଲେ କ’ଣ ମହାଭାରତ ଅଶୁଦ୍ଧ ହୋଇଯିବ! ପୂଜା ତିନି ଦିନଯାକ ସିନେମା ବା ଆଲବମ୍‌ ଗୀତ ବଦଳରେ ଭଜନ, ଜଣାଣ, ବିଷ୍ଣୁ ସହସ୍ର ନାମ ବାଜିଲେ କର୍ଣ୍ଣ କ’ଣ ଅପବିତ୍ର ହୋଇଯିବ? ଭସାଣିରେ ମଦର ବ୍ୟବହାର କ’ଣ ନିତାନ୍ତ ଜରୁରୀ! ପୂଜା ତିନିଦିନଯାକ ଅରୁଆ ବା ଉପବାସରେ ରହି ପୂଜା କରିବା ଏବଂ ଭସାଣି ଦିନ ଢୋଲେ ମଦ ପିଇ ନାଚିବା- ଏହା କୋଉ ଭକ୍ତିରେ ଗଣା କେଜାଣି!

ମାନସିକ ଶାନ୍ତି ଓ ସହାବସ୍ଥାନ ନିମନ୍ତେ ମଣିଷ ଦେବ ବା ଦେବୀ ପୂଜା କରିବ, କିନ୍ତୁ ତା’ ପୂର୍ବରୁ ସ୍ଥାନୀୟ ପୋଲିସ ପ୍ରସ୍ତୁତି ବୈଠକ କରି ସେମାନଙ୍କୁ ଜ୍ଞାନ ଦେବ- ଡିଜେ ବଜାଇବନି, ଭସାଣିରେ ମଦ ପିଇବ ନାହିଁ, ମେଲୋଡ଼ିରେ ଅଶ୍ଳୀଳ ନୃତ୍ୟ ଏବଂ ଗୀତ ନ ବୋଲିବl ସହ ସ୍ବଳ୍ପ ଡ୍ରେସ୍‌ ପିନ୍ଧିବନି ଇତ୍ୟାଦି ଇତ୍ୟାଦି l ଏଥିରୁ ହେଜିବା ହେଉ ଯେ ନିଜକୁ ଶ୍ରେଷ୍ଠ ଏବଂ ମହାଜ୍ଞାନୀ ବୋଲାଉଥିବା ଏ ମଣିଷ ଦିଅଁ ଆରାଧନାକୁ କେତେ ନୀଚ ସ୍ତରକୁ ନେଇଗଲାଣି।

ହିନ୍ଦୁ ବା ସନାତନ ଧର୍ମର ପୂଜା ପାର୍ବଣ ବା ଆଧ୍ୟାତ୍ମିକ ରୀତିନୀତିରେ ଏଇ କିଛି ବର୍ଷ ହେଲା ଅପସଂସ୍କୃତିର ବୁନ୍ଦାବୁନ୍ଦା ମିଠା ବିଷ ମିଶି ଏହାକୁ ଅପବିତ୍ର ଏବଂ ଅନ୍ୟ ଆଖିରେ ଏକ କୁତ୍ସିତ ଏବଂ କଦାକାର ରୂପର ଝଲକ ଦେଖାଇ ସାରିଲାଣି l ନଚେତ୍‌ ବୃହତ୍‌ ଏବଂ ବିଶାଳ ସଂଖ୍ୟାରେ ବସବାସ କରୁଥିବା ସନାତନୀମାନଙ୍କୁ ସାମାନ୍ୟ ଜଣେ ରାଜନେତାଟିଏ ସନାତନ ଧର୍ମକୁ ଡେଙ୍ଗୁ ବା କରୋନା ସହ ସମତୁଲ କରିବା ପାଇଁ ସାହସ କୁଳାଇ ପାରୁ ନ ଥା’ନ୍ତା ବା ବିଭିନ୍ନ ସମୟରେ ଆମ ଦେବଦେବୀ ଅନ୍ୟ ଧର୍ମlବଲମ୍ବୀଙ୍କ ଦ୍ୱାରା ଆକ୍ଷେପର ଶିକାର ହେଉ ନ ଥା’ନ୍ତେ। ଏଥିପାଇଁ ରାଜନେତା ବା ଅନ୍ୟ ବର୍ଗର ଲୋକମାନେ ଯେତିକି ଦାୟୀ ନୁହନ୍ତି, ତା’ଠାରୁ ଢେର ଅଧିକ ଦାୟୀ ହେଉଛନ୍ତି ଆମ ଭିତରେ ଥିବା କିଛି ଅଶିକ୍ଷିତ, କୁସଂସ୍କାରୀ ଏବଂ ଦୂରଦର୍ଶୀହୀନ ଉଦ୍‌ଭା୍ରନ୍ତ ଗୋଷ୍ଠୀ। ଏମାନଙ୍କର ଏ ବିଚାରହୀନ ଆତ୍ମଘାତୀ କାର୍ଯ୍ୟକୁ ବିରୋଧ କଲେ କେବଳ ଯେ ଅସମ୍ମାନଜନକ ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିବ ତା’ ନୁହେଁ, କେତେକ କ୍ଷେତ୍ରରେ ପିଠିରେ ଉତ୍ତମ ମଧ୍ୟମ ବସିବାର ବି ପରିସ୍ଥିତି ଉପୁଜିପାରେ।

ଯେତେ ଯାହା ପରିସ୍ଥିତି ଉପୁଜୁଛି ପଛେ ଉପୁଜୁ, କିନ୍ତୁ ସମାଜର ବୁଦ୍ଧିଜୀବୀମାନେ ଆଉ ଏଣିକି ଚୁପ୍‌ ହୋଇ ବସି ରହିବାଟା ଉଚିତ ମନେହୁଏନା। ଏବେ ପରିସ୍ଥିତି ଏମିତି ହେଲାଣି ଯେ ଅଷ୍ଟ ପ୍ରହରୀ କୀର୍ତ୍ତନ କରୁଥିବା କୀର୍ତ୍ତନୀୟାମାନେ ବି ସୋମରସ ଖୋଜିଲେଣି l ଏଭଳି ପରିସ୍ଥିତିରେ ଶିକ୍ଷିତ ଆଉ ସଚେତନଶୀଳ ପିତାମାତା ଏବଂ ବୁଦ୍ଧିଜୀବୀମାନେ ଆଗକୁ ଆସି ମୁହଁ ଖୋଲିବା ଉଚିତ ମନେହୁଏ l ନଚେତ୍‌ ଯେଉଁମାନେ ଆଜି ସନାତନ ଧର୍ମକୁ କେବଳ ଆକ୍ଷେପ କରିବାରେ ନିଜକୁ ସୀମିତ ରଖିଛନ୍ତି, ଆଗାମୀ ଦିନରେ ସେମାନେ ପ୍ରତ୍ୟେକ ସନାତନୀଙ୍କୁ ଦେଖିଲେ ଛେପ ପକାଇବାକୁ ବି ପଶ୍ଚାତ୍‌ପଦ ହେବେନି l

– ପ୍ରିନ୍ସିପାଲ, ଆପେକ୍ସ ଆଇ.ଟି.ଆଇ.,
ପତ୍ରକଣା, କସର୍ଦା, କଟକ
ମୋ: ୯୪୩୭୨୯୨୬୯୯


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?