ନୂଆଦିଲ୍ଲୀରେ ଗତ ମାସ ୧୨ ଓ ୧୩ ତାରିଖରେ ଅନୁଷ୍ଠିତ ହୋଇଯାଇଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ। ତାଙ୍କ ଆଗମନରେ ଭାରତୀୟ ଶୀର୍ଷ ନେତା ଆନନ୍ଦିତ ହୋଇଥିଲେ। ଏଥିସହିତ ଗୋଟେ ଧାରଣା ସୃଷ୍ଟି ହୋଇଥିଲା ଯେ, ୨୦୨୦ରେ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର ଗଲଓ୍ବାନ୍ଠାରେ ଚାଇନା ଓ ଭାରତୀୟ ଯବାନ ମୁହଁାମୁହିଁ ହେବା ସ୍ଥିତିରେ ଶିଥିଳତା ଆସିଥିବାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇବ। ଗଣମାଧ୍ୟମ ମଧ୍ୟ ଦେଶବାସୀଙ୍କୁ ବାରମ୍ବାର କହିଲା ଯେ, ଭାରତୀୟ ନେତୃତ୍ୱର ସଫଳ କୂଟନୀତି ଯୋଗୁ ଚାଇନା ଏବେ ଏକ ବନ୍ଧୁ ଦେଶ ପାଲଟିଗଲାଣି। ହେଲେ ଜିନ୍ପିଙ୍ଗ୍ ଭାରତରୁ ଫେରିବାର ମାସକ ପରେ ଅକ୍ଟୋବର ୧୩ରେ ଖବର ମିଳିଛି ଯେ, ଭାରତର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ୨ ଅକ୍ଟୋବରରେ ଲଦାଖର ୨୮ଟି ସ୍ଥାନର ନାମ ପରିବର୍ତ୍ତନ କରି ସର୍ଭେ ଅଫ୍ ଇଣ୍ଡିଆର ସରକାରୀ ମାନଚିତ୍ରରେ ସେସବୁକୁ ସ୍ଥାନ ଦେଇଥିବାରୁ ଚାଇନା ତାହାକୁ ବିରୋଧ କରିଛି। ତା’ର ବହିର୍ବ୍ୟାପାର ମନ୍ତ୍ରଣାଳୟ ଭାରତର ପଦକ୍ଷେପକୁ ବେଆଇନ ଓ ଅବୈଧ କହିବା ସହ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳକୁ ଚାଇନା କେବେ ବି ସ୍ବୀକୃତି ଦେଇ ନ ଥିବା ପ୍ରକାଶ କରିଛି। ଉଲ୍ଲେଖଯୋଗ୍ୟ ଯେ, ଭାରତ ଦ୍ୱାରା ନିୟନ୍ତ୍ରିତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ସଂଲଗ୍ନ ଅଞ୍ଚଳ ଉପରେ ଚାଇନା ନିଜର ଦାବି ଜାହିର କରିବା ପାଇଁ ଅରୁଣାଚଳ ପ୍ରଦେଶର ଅନେକ ଅଞ୍ଚଳର ନାମ ପରିବର୍ତ୍ତନ କରିବା ସହ ସେଗୁଡ଼ିକ ତା’ର ବୋଲି କହିଆସୁଛି। ଚାଇନାର ଏଭଳି ପଦକ୍ଷେପକୁ ଦୃଢ଼ ଜବାବ ଦେବାକୁ ଯାଇ ଭାରତ ଗତ ଅଗଷ୍ଟରେ ଅରୁଣାଚଳ ପ୍ରଦେଶର ୨୭ଟି ସ୍ଥାନ ଓ ଏବେ ଲଦାଖର ୨୮ ସ୍ଥାନର ନାମ ବଦଳାଇଛି। ଏଠାରେ ମନେପକାଇ ଦିଆଯାଇପାରେ, ଅରୁଣାଚଳ ପ୍ରଦେଶକୁ ଚାଇନା ‘ଦକ୍ଷିଣ ତିବ୍ବତ’ ବୋଲି ଆଖ୍ୟା ଦେଇ ଅରୁଣାଚଳ ପ୍ରଦେଶ ବାସିନ୍ଦାଙ୍କୁ ‘ଷ୍ଟେପ୍ଲ୍ଡ ଭିଜା’ ଜାରି କରିଥିଲା। ଏପରି କି ଅରୁଣାଚଳ ପ୍ରଦେଶର ଅନେକ ଅଞ୍ଚଳ ମଧ୍ୟ ମାଡ଼ି ବସି ଚାଇନା ନିଜର ବୋଲି କହୁଛି।
୨୦୨୦ରେ ଲଦାଖର ଗଲଓ୍ବାନରେ ଚାଇନା ଓ ଭାରତୀୟ ଯବାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷର ପ୍ରଭାବ ଏଭଳି ରହିଥିଲା ଯେ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ନିମ୍ନ ସ୍ତରକୁ ଚାଲିଆସିଥିଲା। ନିକଟରେ ସେହି ତିକ୍ତ ସମ୍ପର୍କରେ ସୁଧାର ହୋଇଆସୁଥିବା ବେଳେ ଭାରତର ପଦକ୍ଷେପକୁ ନେଇ ଚାଇନା ପ୍ରତିକ୍ରିୟାଶୀଳ ହୋଇଛି। ଏଥିରୁ ବୁଝିବାକୁ ହେବ ଯେ, ଚାଇନା କଦାପି ଭାରତ ସହ ସୁସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରୁନାହିଁ। ଭାରତ ସରକାର ନିଜ ତରଫରୁ ଗୋଡ଼ାଣିଆ ହୋଇ ଚାଲୁଥିବା ବେଳେ ଭାରତୀୟ ଗଣମାଧ୍ୟମ ଦେଶବାସୀଙ୍କୁ ଭ୍ରମିତ କରୁଛି। ଜଣାପଡ଼ିଛି ଯେ, ଲଦାଖ ଅଞ୍ଚଳରେ ଭାରତ ଯେଉଁ ନାମ ପରିବର୍ତ୍ତନ କରିଛି ସେଥିମଧ୍ୟରେ ୧୦ଟି ଶୃଙ୍ଗ, ୨ଟି ଗିରିପଥ, ୩ଟି ପାହାଡ଼, ୭ଟି ଭୂଭାଗ, ୨ଟି ହିମବାହ, ୨ଟି ଜଳାଶୟ, ଏକ ଉପତ୍ୟକା ଓ ଏକ ନଦୀ ରହିଛି। ହେଲେ ଦେଶବାସୀଙ୍କୁ ଏସବୁର ନାମ ପରିବର୍ତ୍ତନ କରାଯାଇ କ’ଣ ରଖାଯାଇଛି ସେ ସମ୍ପର୍କରେ କୌଣସି ତଥ୍ୟ ସାଧାରଣରେ ପ୍ରକାଶ କରାଯାଇନାହିଁ। କିନ୍ତୁ ଭାରତର ଉଦ୍ୟମକୁ ଚାଇନା ବୁଝିପାରି ଖଣ୍ଡନ କରିସାରିଲାଣି।
ଭାରତ ଓ ଚାଇନା ମଧ୍ୟରେ ସୀମାକୁ ନେଇ ବହୁବାର ବୈଠକ ହୋଇଥିଲେ ମଧ୍ୟ ତା’ର ସୁଫଳ ମିଳୁନାହିଁ। ଏହାର ମୁଖ୍ୟ କାରଣ ହେଲା ଭାରତ କୂଟନୈତିକ ସ୍ତରରେ ନିଜର ପ୍ରାଧାନ୍ୟ ଜାହିର କରିବାରେ ଅସଫଳ ହେଉଛି। ଉଦାହରଣ ସ୍ବରୂପ, ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପରେ ଚାଇନା ରାଷ୍ଟ୍ରପତି ଜିନ୍ପିଙ୍ଗ୍ ଆମେରିକା ଯାଇ ସେଠାକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସହ ଆଲୋଚନା କରି ଫେରିଥିଲେ। ସବୁ ଭାବୁଥିଲେ ଜିନ୍ପିଙ୍ଗଙ୍କ ଭାରତ ଗସ୍ତ ଚାଇନା ଓ ଆମେରିକା ମଧ୍ୟରେ ତିକ୍ତତା ସୃଷ୍ଟି କରିବ। ଦେଖିଲା ବେଳକୁ ଜିନ୍ପିଙ୍ଗ୍ ଓ ଟ୍ରମ୍ପ୍ ବହୁବିଧ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଏହା ଜଣାଶୁଣା ଯେ, ଟ୍ରମ୍ପ୍ଙ୍କ ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେ ବ୍ୟାକୁଳତା ଦେଖାଇଲେ ମଧ୍ୟ ତାଙ୍କର ପାକିସ୍ତାନ ଓ ଚାଇନା ପ୍ରୀତି ଫୁଟି ବାହାରୁଛି। ଏଭଳି ସୂକ୍ଷ୍ମ ପାର୍ଥକ୍ୟକୁ ଭାରତର ଶୀର୍ଷ ନେତା ବୁଝିପାରୁ ନ ଥିବାରୁ ଚାଇନା ହେଉ ବା ଅନ୍ୟ ଯେକୌଣସି ରାଷ୍ଟ୍ର ମୁଖ୍ୟ ଆସିଲେ ଭାବବିହ୍ବଳ ସ୍ଥିତି ଉପୁଜୁଛି। ଦେଖିବାକୁ ଗଲେ ବହିର୍ବ୍ୟାପାର ସମ୍ପର୍କରେ ବ୍ୟକ୍ତିଗତ ସମ୍ପର୍କ ବା ଆବେଗର କୌଣସି ସ୍ଥାନ ନାହିଁ। ଯଦି ଗୋଟେ ରାଷ୍ଟ୍ର ସାମାଜିକ, ଆର୍ଥିକ, ବୈଜ୍ଞାନିକ, ସାମରିକ ଦୃଷ୍ଟିରୁ ଶକ୍ତିଶାଳୀ ହୋଇପାରନ୍ତା, ତାହା ହେଲେ ଅନ୍ୟ ଦେଶଗୁଡ଼ିକ ସମ୍ମାନ ଦେବାକୁ ଆଗେଇ ଆସନ୍ତେ। ସେଥିପାଇଁ ଭାରତୀୟ ନେତୃତ୍ୱକୁ ଆଭ୍ୟନ୍ତରୀଣ ଭୋଟ ପରିଚାଳନା ଚିନ୍ତା ଛାଡ଼ି ଅନ୍ତର୍ଜାତୀୟ ଆଭିମୁଖ୍ୟ କିଭଳି ସ୍ପଷ୍ଟ ହୋଇପାରିବ ସେହି ଦିଗରେ ପଦକ୍ଷେପ ନେବା ଦରକାର। ବିଭିନ୍ନ ଦେଶରେ ଥିବା ଭାରତୀୟ ସମୁଦାୟଙ୍କୁ ଏକତ୍ରିତ କରି ବାହାବା ଶୁଣିବା ଅପେକ୍ଷା ସମ୍ପୃକ୍ତ ଦେଶ ଭାରତକୁ କେଉଁଭଳି ଓ କେତେ ମାତ୍ରାରେ ଗୁରୁତ୍ୱ ଦେଉଛି ତାହାର ସମୀକ୍ଷା କରାଯିବା ଦରକାର। ସେଭଳି ବିଧିବଦ୍ଧ ଅନୁଧ୍ୟାନ କରାଯାଉ ନ ଥିବାରୁ ଲୋକ ଯୋଗାଡ଼ କରି ଶକ୍ତି ପ୍ରଦର୍ଶନ କରିବାକୁ ପଡ଼ୁଛି। ଆଜିର ସ୍ଥିତିରେ ଚାଇନାକୁ ରୋକ୍ଠୋକ୍ ଜବାବ ଦେବାକୁ ହେଲେ ନିଜ ଅଞ୍ଚଳର ନାମ ପରିବର୍ତ୍ତନ ଭଳି ଛୋଟିଆ ପଦକ୍ଷେପ ନେବା ଅପେକ୍ଷା ବହିର୍ବ୍ୟାପାର ନୀତିରେ ଦୃଢ଼ ଆଭିମୁଖ୍ୟ ଆଣିବା ଦରକାର। ଏଥିସହିତ ଅନ୍ତର୍ଜାତୀୟ ଉପସ୍ଥିତିକୁ ଜାହିର କରି ଦେଶ ଭିତରେ ବାସ୍ତବ ଗଣତନ୍ତ୍ର ଆଣିପାରିଲେ ଚାଇନାର ଆଭିମୁଖ୍ୟ ଭାରତ ପାଇଁ ବଦଳିପାରନ୍ତା।
Dharitri – Odisha’s No.1 Odia Daily

