
ନୂଆପଡ଼ା,୩ା୭ (ମକାରୁ ବେମାଲ): କେନ୍ଦ୍ର ତଥା ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଏଥିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ଏବେ ବି ଅନେକ ସ୍କୁଲ ଅଛି ଯେଉଁଠି ଆବଶ୍ୟକ ଶ୍ରେଣୀକୋଠରି ନାହିଁ। ଫଳରେ ଗୋଟିଏ କୋଠରିରେ ୨ରୁ ୩ ଶ୍ରେଣୀର ପିଲା ବସି ପାଠ ପଢୁଛନ୍ତି। ଏଭଳି ଦୃଶ୍ୟ ନୂଆପଡା ସଦର ବ୍ଲକ ଚୂଳାଭାଟ ପଞ୍ଚାୟତ ଗଙ୍ଗାଦିଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଏହି ସ୍କୁଲରେ ୮ ଶ୍ରେଣୀ ପାଇଁ ୩ କୋଠରି ରହିଛି। ଶତାଧିକ ଛାତ୍ରୀଛାତ୍ରଙ୍କୁ ୪ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି।
୧୯୭୯ ମସିହାରେ ସ୍ଥାପିତ ବିଦ୍ୟାଳୟକୁ ୪୬ ବର୍ଷ ହୋଇଯାଇଥିଲେ ମଧ୍ୟ ଭଙ୍ଗାଦଦରା ଖପର ଘରେ ପାଠପଢା ଚାଲିଛି। ୩ କୋଠରି ମଧ୍ୟରୁ ଗୋଟିକରେ ପ୍ରଥମ ଓ ଦ୍ୱିତୀୟ, ଅନ୍ୟଟିରେ ୩ୟ, ୪ର୍ଥ ଓ ୫ମ ଏବଂ ଆଉ ଏକ ଗୃହରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ର ବସି ପାଠ ପଢୁଛନ୍ତି। ଗୋଟିଏ କୋଠରୀରେ ୩ ଶ୍ରେଣୀର ପିଲା ବସୁଥିବାରୁ ପାଠ ପଢା କେମିତି ହେଉଥିବ ସହଜେ ଅନୁମେୟ। ବହୁ ପୁରୁଣା କୋଠା ହୋଇଥିବାରୁ ନୂତନ ଭାବେ ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ଶିକ୍ଷା ବିଭାଗ ଓ ବିଡିଓଙ୍କୁ ଲିଖିତ ଭାବରେ ଜଣାଇଲା ପରେ ଗୋଟିଏ ଅତିରିକ୍ତ ଶ୍ରେଣୀ କୋଠରି ନିର୍ମାଣ ହୋଇଛି। ସେହି ଗୋଟିଏ କୋଠରିରେ ୩ ଶ୍ରେଣୀର ଛାତ୍ରୀଛାତ୍ର ବସି ପଢୁଛନ୍ତି। ଅନ୍ୟ ୫ ଶ୍ରେଣୀର ଛାତ୍ରୀଛାତ୍ର ସେହି ଭଙ୍ଗା ଦଦରା ଘରେ ବସୁଛନ୍ତି। ବହୁ ପୁରୁଣା କୋଠା ହୋଇଥିବାରୁ କୌଣସି ସମୟରେ ଅଘଟଣ ଘଟିବା ଆଶଙ୍କା ରହିଛି ବୋଲି ଗ୍ରାମବସୀ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ନୂଆପଡା ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ଗିତାରାଣୀ ଯୋଶୀଙ୍କୁ ପଚାରିବାରୁ ସେହି ବିଦ୍ୟାଳୟ ବିଷୟରେ ଆମ ପାଖରେ ଖବର ରହିଛି। ପରିଦର୍ଶନ କରି ବ୍ଲକକୁ ପ୍ରସ୍ତାବ ଦେଇଛୁ ଓ ବହୁତ ଶୀଘ୍ର କାର୍ଯ୍ୟ ହେବା ନେଇ ଆଶା କରୁଛୁ ବୋଲି କହିଥିଲେ।