ପିଲା ମନ

ଅଞ୍ଜନ ଚାନ୍ଦ

ଏବେ ମୁଁ ସ୍କୁଲକୁ ଯିବାକୁ ଗାଁଭିତରେ ରାସ୍ତାଟିଏ ପାଇଯାଇଛି। ମୋତେ ଆଉ ସବୁଦିନ ଚଳଚଞ୍ଚଳ ରାଜରାସ୍ତାକୁ ଯିବାକୁ ପଡୁନାହିଁ। ଯିବାଆସିବାରେ ପାଞ୍ଚ କିଲୋମିଟର ରାସ୍ତା ଓ ଦଶ ମିନିଟ୍‌ ସମୟ କମ୍‌ ପଡୁଛି। ଗାଁ ରାସ୍ତାରେ କେତେ ଅନ୍ତରଙ୍ଗ ଦୃଶ୍ୟ ସବୁଦିନ ଦେଖୁଛି। ନଈକୂଳରେ ଅଛି ଗୋଟେ ନିଛାଟିଆ ଶ୍ମଶାନ। ବଉଳଭରା ଆମ୍ବତୋଟା। ଚାଳଛପର ଘରଟିଏ କରି ସେଠାରେ ରହିଯିବାକୁ ମନହେଉଛି।
ଆଜି ଆସିବାବେଳେ ଆଉ ଏକ ଚମତ୍କାର ଘଟଣା ଘଟିଲା। ତିନି ଚାରି ବର୍ଷର ଛୋଟ ପିଲାଟିଏ। ଅଣ୍ଟା ତଳକୁ ଲଙ୍ଗଳା। ଉପରେ ଖଣ୍ଡେ ନୀଳ ଜାମା। ମୁଣ୍ଡର ଟୋପି ଆଖିଉପରେ ମାଡ଼ି ବସିଛି। ହଠାତ୍‌ କାନ୍ଦି କାନ୍ଦି ରାସ୍ତା ଉପରକୁ ଧାଇଁଆସିଲା। ମୁଁ ହର୍ନ ବଜାଇଲି। ସେ ଚମକି ଯାଇ ଠିଆହେଲା। ରାସ୍ତା ଧାରକୁ ଯାଇ ପଛକୁ ଫେରି ଚାହିଁଲା। ମୋ ଆଡ଼କୁ ଅନାଇ ହସିଲା ଓ ହାତ ହଲାଇଲା। ମୁଁ ବି ଉତ୍ତର ଦେଲି। ସେ ଖୁସିରେ ତାଳି ମାରି ନାଚିଉଠିଲା। ପିଲାମନ ଏମିତି। କ୍ଷଣକେ ପାସୋରିଯାଏ ଅତୀତକୁ। ସାମାନ୍ୟ ବର୍ତ୍ତମାନକୁ ନେଇ ଆନନ୍ଦରେ ଆତ୍ମହରା ହୋଇଉଠେ।
ପ୍ରସଙ୍ଗରେ କଥାଟିଏ ମନେପଡୁଛି। ଛୋଟ ଏକ ପରିବାର। ବାପା, ମା’ ଓ ସାନ ପିଲାଟିଏ। ଘରେ ପୂଜା ହେଉଛି। ପୂଜକ ମନ୍ତ୍ର ପଢୁଛନ୍ତି। ବାପା ମା’ଙ୍କ ସହିତ ପିଲାଟି ବି ହାତଯୋଡ଼ି ଠାକୁରଙ୍କ ଆଗରେ ବସିଛି। ମା’ ଭାବୁଛନ୍ତି, ଅତୀତରେ ଅନେକ ଦୁଃଖ ଯାଇଛି। ହେ ପ୍ରଭୁ, ଆମକୁ ଆଉ ସେପରି ଦୁଃଖ ଦିଅନାହିଁ। ବାପା ଭାବୁଛନ୍ତି, ଖେତରେ ଚାଷ ହେଇଛି। ହେ ପ୍ରଭୁ, ଏବର୍ଷ ପାଗ ଅନୁକୂଳ ହେଉ। ଭଲଫସଲ ଅମଳ ହେଉ। ସେତେବେଳେ ପିଲାଟି ଭାବୁଛି, ପୂଜା କେତେବେଳେ ସରିବ? ଠାକୁରଙ୍କ ଆଗରେ ଥିବା ଲଡ଼ୁଟିକୁ ମୁଁ ଆଗ ଖାଇବି। ସଂସ୍କୃତରେ ଅଛି – ଗତେ ଶୋକଂ ନ କୁର୍ବୀତ/ଭବିଷ୍ୟମ୍‌ ନୈ ଚିନ୍ତୟେତ, ବର୍ତ୍ତମାନେଷୁ କାଳେଷୁ/ବର୍ତ୍ତୟନ୍ତି ବିଚକ୍ଷଣାଃ। ଅତୀତକୁ ଭାବି ଦୁଃଖ କରନାହିଁ। ଭବିଷ୍ୟତ ବିଷୟରେ ଅଧିକ ଚିନ୍ତା କରନାହିଁ। ବୁଦ୍ଧିମାନ ଲୋକମାନେ ବର୍ତ୍ତମାନ ସମୟକୁ ନେଇ କାର୍ଯ୍ୟ କରିଥାନ୍ତି।
ଆମେ କେତେ ଶିକ୍ଷଣୀୟ ଗପ ପଢ଼ିଛୁ, ଯେଉଁଥିରେ ବର୍ତ୍ତମାନ ସମୟର ବହୁମୂଲ୍ୟତା ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଲିଓ ଟଲଷ୍ଟୟଙ୍କର ତିନୋଟି ପ୍ରଶ୍ନ କିଏ ଭୁଲିପାରିବ? ବର୍ତ୍ତମାନ ସମୟ, ଏ ସମୟର କର୍ମ ଓ ସହକର୍ମୀ ହିଁ ଆମ ପାଇଁ ଶ୍ରେଷ୍ଠ। ସୁନ୍ଦର ଗପ ମାଧ୍ୟମରେ କଥାଟିକୁ ସେ ପ୍ରମାଣ କରିଛନ୍ତି। ଆମେ ତାହା ପଢିଛୁ, ଶୁଣିଛୁ, ଅନ୍ୟକୁ ଶୁଣାଇଛୁ। ଅଥଚ ବ୍ୟବହାର ବେଳକୁ ବର୍ତ୍ତମାନକୁ ଛାଡ଼ି ଅତୀତ ଓ ଭବିଷ୍ୟତର ମାୟାରେ ପଡ଼ିଯାଇଛୁ। ପୂର୍ବ ଶତ୍ରୁତାର ପ୍ରତିଶୋଧ ଏବଂ ଭବିଷ୍ୟତର ନିରାପତ୍ତା ପାଇଁ କେତେ ଜଘନ୍ୟ କାର୍ଯ୍ୟ କରିଚାଲିଛୁ।
ଆମେ ନିଜକୁ ବଡ଼ ଭାବୁଥିବା ଲୋକମାନେ ଅତି ସହଜରେ ପିଲାମାନଙ୍କୁ ମୂର୍ଖ ବୋଲି କହୁ। ଅଥଚ ଆମେ ହିଁ ସର୍ବ ସାଧାରଣ ଜାଗାରେ ସିଗାରେଟ ଟାଣୁ। ପାନଛେପ ପକାଇ ପରିଷ୍କାର ସ୍ଥାନକୁ ବିଚିତ୍ର କରିଦେଉ। କାନରେ ମୋବାଇଲ ଗୁଞ୍ଜି ଗାଡ଼ି ଚଳାଉ। ଟ୍ରାଫିକ ଭିଡ଼ରେ ହର୍ନ ବଜାଇ କାନ ଅତରା ପକାଇ ଦେଉ। ସାଇବର ଚୋରଙ୍କୁ ନିଜ ବ୍ୟାଙ୍କ୍‌ର ଚାବିକାଠି ଧରାଇଦେଉ। ଚିଟ୍‌ଫଣ୍ଡରେ ଟଙ୍କା ରଖୁ। ଅଜଣା ଭବିଷ୍ୟତ ପାଇଁ ବର୍ତ୍ତମାନର ସୁଖକୁ ଜଳାଞ୍ଜଳିଦେଉ।
ଅତୀତରେ ଯାହା ଘଟିଯାଇଛି ତାହାକୁ ଆଉ ବଦଳାଇ ହେବ ନାହିଁ। ଭବିଷ୍ୟତ ଲୁଚି ରହିଛି ରହସ୍ୟର ପରଦା ଭିତରେ। କେବଳ ବର୍ତ୍ତମାନ ହିଁ ରହିଛି ଆମ ହାତ ପାଆନ୍ତାରେ । ପିଲାମାନେ ସେଇ ସମୟକୁ ନେଇ ଚଳୁଥିବା ବେଳେ ଆମେ ନିଜକୁ ଚତୁର ଭାବି ଗତ ଆଗତ ଭିତରେ ଧନ୍ଦିହେଉଛୁ।
ପିଲାମାନଙ୍କ ପାଇଁ ଦେଶରେ ଦିବସଟିଏ ପାଳନ ହୁଏ। ଶିଶୁ ଦିବସ। ଆଶ୍ଚର୍ଯ୍ୟ ହେଉଛି ସେ ଦିବସଟିର ଉଦ୍ଦେଶ୍ୟ ପିଲାମାନଙ୍କୁ ପଚାରିଲେ ସେମାନେ କହିପାରିବେନାହିଁ । କାରଣ ସେଦିନରେ ଆମେ ବଡ଼ମାନେ କେବଳ ନେହେରୁଙ୍କ ଜୀବନୀରୁ ଜଣା ଅଜଣା କେଇପଦ ଶୁଣାଇ ସେମାନଙ୍କୁ ମିଠା ବାଣ୍ଟିଦେଇଛୁ। ପିଲାମାନଙ୍କର ମୌଳିକ ଅଧିକାର ବିଷୟରେ ଧାଡ଼ିଏ ବି କହିନାହୁଁ। କାହିଁକି କହିନାହୁଁ? ସତ କ’ଣ ଜାଣିଲେ ଆମେ ତାଙ୍କ ଉପରେ ଯେଉଁ ବଡ଼ପଣିଆ ଜାହିର କରୁଛୁ ତାହା ବୋଧେ କରିପାରିବୁନାହିଁ।
ଏବେ ପିଲାମାନଙ୍କୁ ସଂସାରଟା ଶିକ୍ଷକମୟ ମନେହେଉଛି। ସ୍କୁଲରେ ସ୍କୁଲ ମାଷ୍ଟର, ସ୍କୁଲରୁ ଗଲେ ଟିଉସନ ମାଷ୍ଟର। ଘରେ ବାପା, ମା, କକା, ବଡ଼ଭାଇ, ଭଉଣୀ ସେମାନେ ବି ଯେ ଯାହାର କ୍ଷମତା ଅନୁସାରେ ପାଠ ପଚାରିଲେ। ଘରକୁ ବନ୍ଧୁ ଆସିଲେ ଏବଂ ପିଲାଟି ସ୍ନେହ କି ଉପହାର ପାଇଁ ତାଙ୍କ ପାଖକୁ ଧାଇଁଯିବାବେଳେ ସେ ତାକୁ ପଚାରିଲେ- କି ପାଠ ପୁଚୁ? କହିଲୁ ବାବର କେତେବେଳେ ଭାରତକୁ ଆସିଥିଲେ?
ଆମେ ଆମର ପିଲାମନକୁ କେବେଠାରୁ ହରାଇବସିଛୁ। ଲାଭ କ୍ଷତିର ହିସାବ ଭିତରେ ଜୀବନକୁ ଘାଣ୍ଟି ହେଉଛୁ। ଭାବୁଛୁ ପିଲାମାନେ ବି ସେମିତି ହୁଅନ୍ତୁ। ସମସ୍ତେ ଖାଲି ପାଠ ପଢ଼ନ୍ତୁ। କ୍ଲାସରେ ଫାଷ୍ଟ ହୁଅନ୍ତୁ। ପିଲାଙ୍କ ମନରେ କ’ଣ ଅଛି, ସେ କ’ଣ କରିବାକୁ ଚାହୁଁଛି ସେଥି ପ୍ରତି ଗୁରୁତ୍ୱ ଦେଉନାହୁଁ। ଅନ୍ୟମାନଙ୍କ ଆଗରେ ଆତ୍ମ ବଡ଼ିମା ଦେଖାଇବାକୁ ପିଲା ମନରେ ଲଦି ଦେଉ ତା’ର ଅନିଚ୍ଛାର ବୋଝ। ଏହି ବିଷୟକୁ ନେଇ ଅମୀର ଖାଁଙ୍କର ସିନେମାଟିଏ ଥିଲା – ତାରେ ଜମିନ ପେ l ସିନେମାଟି ବେଶ୍‌ ଆଦୃତ ହେଲା। ସମସ୍ତେ ପ୍ରଶଂସା କଲେ। କିନ୍ତୁ ଘରକୁ ଆସି ପିଲାଙ୍କ ପାଖରେ ପହଞ୍ଚିବା ବେଳକୁ ତାହା ଭୁଲିଗଲେ। ଆଶ୍ଚର୍ଯ୍ୟ ହେଉଛି ଏହି ପ୍ରକ୍ରିୟା ଧାରାବାହିକ ଓ ଅନ୍ତହୀନ ହୋଇଯାଇଛି। ଆଜି ଯିଏ ପିଲା କାଲି ସେ ବୟସ୍କ ହେଉଛି। ପିଲାମନର ଭାବ ଦୂର ହୋଇ ସେ କ୍ରମଶଃ ଲାଭପ୍ରବଣ ହୋଇ ଯାଉଛି। ପିଲାଙ୍କ ମୁଣ୍ଡରେ ନିଜ ଇଚ୍ଛାକୁ ବୋଝକରି ଲଦିଦେଉଛି। ଏବଂ ସେତେବେଳେ ତା’ର ବାପା, ଯିଏ ଏବେ ବୃଦ୍ଧ ଓ ସ୍ଥବିର ତାଙ୍କ ପାଖକୁ ପୁଣି ପିଲାମନ ଫେରିଆସୁଛି। ଅତୀତକୁ ଭାବି ସେ ପଶ୍ଚାତ୍ତାପ କରୁଛନ୍ତି। ନାତି ନାତୁଣୀଙ୍କ ଉପରେ ହେଉଥିବା ମାନସିକ ଅତ୍ୟାଚାରକୁ ଦେଖି କଷ୍ଟ ପାଉଛନ୍ତି। ଅଥଚ ଏବେ ସେ ନିଃସହାୟ। ଯେଉଁ ପୁଅକୁ ସେ ପିଲାଦିନେ ଅଙ୍ଗୁଳିରେ ନଚାଇବାକୁ ଚେଷ୍ଟା କରିଥିଲେ ସେ ପୁଅ ଆଜି ତାଙ୍କଠାରୁ କାହିଁ କେତେ ଦୂରକୁ ଚାଲିଯାଇଛି l ଘରର କେଉଁ ସନ୍ଧିରେ ଏକୁଟିଆ ବସି ଭାବୁଛନ୍ତି, ଏତେ ସୁନ୍ଦର ଜୀବନକୁ କିପରି ଭୁଲ୍‌ରେ ଭୁଲ୍‌ରେ ସେ ବିତାଇଦେଲେ।
ବିକାଶନଗର, ଅଙ୍ଗାରଗଡ଼ିଆ, ବାଲେଶ୍ୱର
ମୋ-୬୩୭୦୬୬୧୧୪୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri