ସତ୍ୟାନାଶ ଶିଶୁ ଓ ଶିକ୍ଷା ବ୍ୟବସ୍ଥା

ଡ. ପବିତ୍ର ସୁବୁଦ୍ଧି

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ଏ ଘଟଣା। ଗୋଟିଏ ବେସରକାରୀ ବିଦ୍ୟାଳୟର ଶିକ୍ଷକମାନେ ନୂତନ ଶିକ୍ଷାବର୍ଷ ଆରମ୍ଭର ପ୍ରଥମଦିନ ତାଙ୍କର ପ୍ରଧାନଶିକ୍ଷକଙ୍କଠାରୁ ଚିଠିଟିଏ ପାଇଲେ। ଯେଉଁଥିଲେ ଲେଖାଥିଲା- “ହେ ଆଦରଣୀୟ ଶିକ୍ଷକ, ମୁଁ ଦ୍ୱିତୀୟ ବିଶ୍ୱଯୁଦ୍ଧର ବିଧ୍ୱଂସୀ ବିପର୍ଯ୍ୟୟରୁ ବଞ୍ଚତ୍କି ଆସିଛି। ମୋ ଆଖି ସେ ସବୁ ଦେଖିଚି, ଯାହା କୌଣସି ବି ମଣିଷ ଦେଖିବା କଥା ନୁହେଁ। ମୋର ଏ କରୁଣ ଆଖି ଦେଖିଛି- ହଜାର ହଜାର ମଣିଷଙ୍କ ମୃତ୍ୟୁ ପାଇଁ ପାଠୁଆ ଇଂଜିନିୟରଙ୍କ ଦ୍ୱାରା ନିର୍ମିତ ବାଷ୍ପ କୋଠରି। ସୁଦକ୍ଷ ଡାକ୍ତରମାନଙ୍କ ଦ୍ୱାରା ନିରୀହ ଶିଶୁଙ୍କୁ ବିଷପାନ କରାଇବାର ଅବିଶ୍ୱସନୀୟ ଦୃଶ୍ୟ। ପ୍ରଶିକ୍ଷିତ ନର୍ସଙ୍କ ଦ୍ୱାରା ଅସଂଖ୍ୟ ଶିଶୁଙ୍କ ହତ୍ୟା। ଉଚ୍ଚ ବିଦ୍ୟାଳୟ ଓ କଲେଜ ପଢ଼ୁଆ ଛାତ୍ରଙ୍କ ଗୁଳିରେ ନିହତ ଓ ଦଗ୍ଧ ମହିଳାଙ୍କ କୁଢ଼ କୁଢ଼ ଶବ।”
“ଏଣୁ ମୁଁ, ଆମେ ପ୍ରଦାନ କରୁଥିବା ‘ଶିକ୍ଷା’ ଉପରେ ସନ୍ଦିହାନ। ଏହା ମୋର ଅନୁରୋଧ। ଆପଣମାନେ ଛାତ୍ରମାନଙ୍କୁ ମଣିଷ ହେବାରେ ସାହାଯ୍ୟ କରନ୍ତୁ। ଆପଣଙ୍କର ପ୍ରଚେଷ୍ଟା କେବେହେଲେ କୌଣସି ନର-ରାକ୍ଷସ, କୁଶଳୀ ମାନସିକ ରୋଗୀ, କି ଶିକ୍ଷିତ ନିରକ୍ଷରଟିଏ ସୃଷ୍ଟି ନ କରୁ। ଲେଖା-ପଢ଼ା ଓ ଗଣିତ ଜ୍ଞାନ କେବଳ ସେତେବେଳେ ମହତ୍ତ୍ୱପୂର୍ଣ୍ଣ ହେବ, ଯେତେବେଳେ ଏସବୁ ଆମ ପିଲାଙ୍କୁ ଅଧିକ ମାନବୀୟ କରିବାରେ ନିୟୋଜିତ ହେବ।” ଇତି ଆପଣଙ୍କର ପ୍ରଧାନଶିକ୍ଷକ।
ପାଠକେ! ଦ୍ୱିତୀୟ ବିଶ୍ୱଯୁଦ୍ଧର ୭୫ ବର୍ଷ ପରେ ବି ଏ ଐତିହାସିକ ଚିଠିର ପ୍ରାସଙ୍ଗିକତା ରହିଛି ବୋଲି ଆମର ମନେହୁଏ। ଶିକ୍ଷା ହେଉଛି ମାନବୀୟ ବିକାଶର ନୂଆ ମନ୍ତ୍ର। ନୂଆ ଈଶ୍ୱର, ଏକଥା ଅନସ୍ବୀକାର୍ଯ୍ୟ ଯେ, ଆମର ଆଧୁନିକ ଶିକ୍ଷା ବର୍ଷ ବର୍ଷ ଧରି କେବଳ ଡାକ୍ତର, ଇଂଜିନିୟର, ଅଧ୍ୟାପକ, ପ୍ରଶାସକ ଓ ବୈଜ୍ଞାନିକ ଇତ୍ୟାଦି ସୃଷ୍ଟି କରି ଚାଲିଛି। ଆମକୁ ବୈଷୟିକ ଜ୍ଞାନରେ ଭରପୂର କରିଦେଇଛି। କିନ୍ତୁ ଉଚ୍ଚାଙ୍ଗ ଆଦର୍ଶର ଠିକଣା ଦେଇପାରିନି। ଭଲମଣିଷଟିଏ ଗଢ଼ିବାର ଭିତ୍ତିଭୂମି ପ୍ରତିଷ୍ଠା କରିପାରିନି। ନା ଆମ ପ୍ରଚଳିତ ଶିକ୍ଷା ପଦ୍ଧତିରେ ଅଛି ଭାରତୀୟ ପ୍ରାଚୀନ ଶିକ୍ଷାଧାରାର ଐତିହ୍ୟ ନା ଅଛି ଆଧୁନିକ ବ୍ରିଟିଶ ଶିକ୍ଷାଧାରାର ନିପୁଣତା। ଦିନେ ଶିକ୍ଷାର ମୂଳ ଉଦ୍ଦେଶ୍ୟ ଥିଲା-ଆତ୍ମିକ ଉତ୍ତରଣ, ତ୍ୟାଗ, ସେବା ଓ ଚରିତ୍ର ଗଠନ। ଆଜି କିନ୍ତୁ ଶିକ୍ଷାର ସମସ୍ତ ସ୍ତରରେ ଖାଲି ଅର୍ଥ ଉପାର୍ଜନ। ଶିକ୍ଷା କହିଲେ ଆଜି ଆମେ ଯେଉଁ ବ୍ୟୁତ୍ପତ୍ତିକୁ ବୁଝୁ, ସେ ଅର୍ଥରେ ତ ସାକ୍ଷରଙ୍କ ସଂଖ୍ୟାରେ ଯଥେଷ୍ଟ ଅଭିବୃଦ୍ଧି ଘଟିଛି, ମାତ୍ର ପ୍ରକୃତ ଶିକ୍ଷିତଙ୍କ ସଂଖ୍ୟା ବଢ଼ିଛି କି? ଆମ ଶିକ୍ଷା, ଶିକ୍ଷିତଙ୍କ ନାମରେ ଯାହା ଉତ୍ପାଦନ କରୁଚି, ତାହା ପ୍ରାୟତଃ ଏକ ବୈଚିତ୍ରହୀନ ଯାନ୍ତ୍ରିକ ପ୍ରାଣୀ। ଯେଉଁ ପ୍ରାଣୀର ମୁଖ୍ୟ ଲକ୍ଷ୍ୟ ହେଲା-ଯେନତେନ ପ୍ରକାରେଣ ଅଜସ୍ର ଅର୍ଥ ଉପାର୍ଜନ। ସେଇଥିପାଇଁ ଦିନେ ଦେଶର ଗର୍ବ ଓ ଗୌରବ ବୋଲାଉଥିବା ଆଇଏଏସ୍‌ ଅଫିସର ଆଜି ଦୁର୍ନୀତି ଜାଲରେ ପଡି ଜେଲରେ। ସେବା କରିବାକୁ ଶପଥ ନେଇଥିବା ଡାକ୍ତର ଅସହାୟ ରୋଗୀର କିଡ୍‌ନୀ ଚୋରି କରି ହାଜତରେ। ଆଦର୍ଶର ପାଠ ପଢ଼ଉଥିବା ଶିକ୍ଷକ/ଅଧ୍ୟାପକ ଯୌନ ନିର୍ଯାତନା ଅଭିଯୋଗରେ କୋର୍ଟର କାଠଗଡ଼ାରେ, ଦେଶ ଗଢ଼ୁଥିବା ଇଂଜିନିୟର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭିଯୁକ୍ତ ଓ ଦେଶର ଗୋପନୀୟ ତଥ୍ୟ ବିକ୍ରି କରୁଥିବା ବୈଜ୍ଞାନିକ ଆଜି ବେଇମାନୀ ପାଇଁ ବରଖାସ୍ତ। ଏଭଳି ଅନେକ କଳଙ୍କିତ ଘଟଣାରେ ପରିପୂର୍ଣ୍ଣ ଆମର ନିତିଦିନିଆ ଜୀବନ। ଏହା ସତ୍ତ୍ୱେ ଏ କଥା ସତ ଯେ, ସବୁ ମଣିଷ ଏହି ଛାଞ୍ଚର ଅନ୍ତର୍ଭୁକ୍ତ ନୁହନ୍ତି। ବାହାରକୁ ଏହି ଯାନ୍ତ୍ରିକ ଦୌଡ଼ର ଅନ୍ତର୍ଭୁକ୍ତ ହେଲେ ମଧ୍ୟ ଅନେକଙ୍କର ଏକ ଆନ୍ତର୍ଜୀବନ ରହିଛି। ଅନେକେ ଏ ଗଡ୍ଡାଳିକା ପ୍ରବାହର ଏକ ବିପରୀତ ଧାର ନିଜ ନିଜ ଅନୁଭୂତିରେ ଏବଂ ଜୀବନ ଦର୍ଶନରେ ଅନୁସରଣ କରନ୍ତି। ସାମୂହିକ ସାମାଜିକ ଜୀବନ ସହ ସାଲିସ୍‌ କରିବା ସତ୍ତ୍ୱେ ନିଜ ନିଜର ସ୍ବାତନ୍ତ୍ର୍ୟ, ଅଘୋଷିତ ବିନୟବୋଧ ଓ ସ୍ବାଭିମାନ ବଜାୟ ରଖନ୍ତି। କିନ୍ତୁ ସେମାନେ ଏହା କରନ୍ତି, ପ୍ରାପ୍ତ ଶିକ୍ଷାର ଆଶୀର୍ବାଦରୁ ନୁହେଁ, ଚେତନାର ସୂକ୍ଷ୍ମ ପର୍ଯ୍ୟାୟର ପ୍ରଭାବରେ।
ବୈଜ୍ଞାନିକ ବକ୍‌ମିନ୍‌ଷ୍ଟର ଫୁଲ୍ଲର କହନ୍ତି-ପ୍ରତ୍ୟେକ ଶିଶୁ ମାତୃଗର୍ଭରୁ ଭୂମିଷ୍ଠ ହେବା ସମୟରେ ଥାଆନ୍ତି ‘ଦିଅଁ’। କିନ୍ତୁ ଆମେ ମାଆବାପା, ଶିକ୍ଷକଶିକ୍ଷିକା ତଥା ସମାଜର ବୟସ୍କ ବ୍ୟକ୍ତିମାନେ ମିଶି ତାଙ୍କୁ ମାଙ୍କଡ଼ ପ୍ରକାରେ ଗଢ଼ିଦେଉ। ଆମ ଉଚ୍ଚାକାଂକ୍ଷାକୁ ଚରିତାର୍ଥ କରିବା ପାଇଁ ଆମେ ଆମର ଅନେକ ସ୍ବପ୍ନକୁ ସୁକୁମାର ଶିଶୁଙ୍କ ଉପରେ ଲଦିଦେଉ। ଆମର ମନେରଖିବା ଉଚିତ୍‌ ଯେ, ପ୍ରତ୍ୟେକ ଶିଶୁ ଭିତରେ ଏକ ସ୍ବତନ୍ତ୍ର ପ୍ରତିଭା ଲୁଚି ରହିଛି ଏବଂ ସେହି ପ୍ରତିଭା ଦ୍ୱାରା ବୁଦ୍ଧ, ବିବେକାନନ୍ଦ ଓ ଗାନ୍ଧୀ ଗଢ଼ାଯାଇପାରେ। କେବଳ ସେ ସୁପ୍ତ ପ୍ରତିଭାକୁ ଆମକୁ ଜାଗ୍ରତ କରିବାକୁ ହେବ। ଆମ ପିଲା କ’ଣ କରିବାକୁ ଇଚ୍ଛା କରେ, କ’ଣ ଚିନ୍ତା କରେ, କ’ଣ ପଢ଼େ, କ’ଣ ଗଢ଼େ, ଚିତ୍ରରେ କିପରି ରଙ୍ଗ ସଂଯୋଜନ କରେ, ସଂଗୀତର ସ୍ବରରୁ କିପରି ନିଜ ଜୀବନର ଏକ ଲୟ ସୃଷ୍ଟି କରେ, ଏ ସବୁ ଶୁଣିବା ପାଇଁ କି ବୁଝିବା ପାଇଁ ବିଦ୍ୟାଳୟରେ ଶିକ୍ଷକ ଓ ଘରେ ମାଆବାପାଙ୍କର ସମୟ ନାହିଁ, ଆଗ୍ରହ ନାହିଁ କି ନିଷ୍ଠା ବି ନାହିଁ। କେବଳ ଆମ ପାଖରେ ଅଛି ପିଲାଙ୍କୁ ସୁପର କିଡ୍‌ କରିବାର ଆତ୍ମଘାତୀ ନିଶା। ସେଥିପାଇଁ ଆମ ସମାଜରେ ଆଜି ଏ ଭୟଙ୍କର ପରିସ୍ଥିତି, ଘୋର ଦୁର୍ଦ୍ଦିନ। ଏଭଳି ପରିସ୍ଥିତିରେ ଆମ ପିଲାଙ୍କୁ କିପରି ଉଚ୍ଚ ସଂସ୍କାର ଯୁକ୍ତ କରାଯାଇପାରିବ, ତାହା ଚିନ୍ତା କରିବାର ବେଳ ଆସିଛି। ଏ ପ୍ରସଙ୍ଗରେ ଏକଦା ଭାରତର ଅନ୍ୟତମ ଶିଳ୍ପପତି ରତନ ଟାଟା କହିଥିବା ଉକ୍ତିଟିଏ ମନେପଡ଼ୁଛି। Dear Parents, dont educate your children to be rich, Educate them to be Happy, so when they growup, they will know the value of things, not the price. ଶିକ୍ଷାରସ୍ତର ସଦାସର୍ବଦା ସମୟଭିତ୍ତିକ ଓ ଆଦର୍ଶଯୁକ୍ତ ହେବା ଆବଶ୍ୟକ। ତେବେ ଯାଇ ଶିକ୍ଷାର ମୂଳଲକ୍ଷ୍ୟ ପୂରଣ ହୋଇପାରିବ।
ପ୍ରାଥମିକ ସ୍ତରରେ ଆମ ଶିକ୍ଷକମାନେ ଶିକ୍ଷାର୍ଥୀମାନଙ୍କୁ ସଚେତନ କରାଇବା ଆବଶ୍ୟକ ଯେ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ମଧ୍ୟରେ ଏକ ଅନ୍ତର୍ସତ୍ତା ରହିଛି। ନୀରବତା, ଧ୍ୟାନ ଓ ପ୍ରାର୍ଥନା ମାଧ୍ୟମରେ ସେ ସତ୍ତାକୁ ଜାଣିବା ସମ୍ଭବପର। ଥରେ ସେ ସୂକ୍ଷ୍ମସତ୍ତା ସେମାନଙ୍କୁ ପ୍ରଭାବିତ କଲେ, ସେମାନେ ସାମାଜିକ କ୍ଷେତ୍ରରେ ସଫଳତା ଅସଫଳତାରେ ପ୍ରଭାବିତ ହେବେ ନାହିଁ। ବରଂ ସେମାନେ ଅଧିକରୁ ଅଧିକ ଜାଣିବା ପାଇଁ ଉତ୍ସୁକ ହେବେ। ତାଙ୍କ ଭିତରେ ଥିବା ଜିଜ୍ଞାସୁ ନଚିକେତାଟି ଉଜ୍ଜୀବିତ ହେବ। କିନ୍ତୁ ଏହାର ଦାୟିତ୍ୱ କେବଳ ଶିକ୍ଷକଙ୍କ ଉପରେ ଛାଡ଼ିଦେଲେ ଚଳିବ ନାହିଁ। ଶିକ୍ଷାଦାନର ଦାୟିତ୍ୱ ମାତାପିତା ଓ ଆଶୁ ଅଭିଭାବକମାନଙ୍କୁ ମଧ୍ୟ ଗ୍ରହଣ କରିବାକୁ ହେବ। ଆଜି ଆମେ ନିଷ୍ପତ୍ତି ନେବାର ବେଳ ଆସିଛି ଯେ, ଆମେ ଆମ ପିଲାଙ୍କୁ ଶାଶ୍ୱତ ବିଦ୍ୟା ପ୍ରଦାନ କରିବା ନା ସ୍ବାର୍ଥପ୍ରଧାନ ଶିକ୍ଷା ପ୍ରଦାନ କରିବା। ଆମ ପିଲାଏ ଶିକ୍ଷା ନାମରେ କେବଳ କୌଶଳମାନ ଆୟତ୍ତ କରି କୁଶଳୀ କାରିଗର ଭାବେ ଅଧିକ ରୋଜଗାର କରି ପେଟ ପୋଷିବେ ନା ସବୁମତେ ଶିକ୍ଷିତ ହୋଇ ବିଦ୍ୟାନୁରାଗୀ ଭାବେ ଜୀବନର କଳାକୈବଲ୍ୟ ପ୍ରତି ଆକୃଷ୍ଟ ହେବେ। ନିର୍ଣ୍ଣୟ ଆମର। କିନ୍ତୁ ଏ ନିର୍ଣ୍ଣୟ ଉପରେ ନିର୍ଭର କରୁଛି ଆମ ନୂତନ ଶିକ୍ଷାନୀତିର ସଫଳତା ଓ ଭାରତ ବର୍ଷର ଭାଗ୍ୟ ଓ ଭବିଷ୍ୟତ।
ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍‌ କହନ୍ତି- ସୁଖ, ଶାନ୍ତି ଓ ପ୍ରଗତି ପାଇଁ ଶିକ୍ଷା ହେଉଛି ଏକ ମହାମନ୍ତ୍ର ଓ ମହୌଷଧି। ଶିକ୍ଷା ମଣିଷ ଭିତରେ ମନୁଷ୍ୟତ୍ୱର ଜାଗରଣ କରେ। ପ୍ରତ୍ୟେକ ଶିଶୁ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାର ପୂର୍ଣ୍ଣ ବିକାଶ ଓ ଶିକ୍ଷା ମାଧ୍ୟମରେ ଛାତ୍ରୀଛାତ୍ରଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା ହେଉଛି ଶିକ୍ଷାର ବିଶ୍ୱସ୍ତରୀୟ ଲକ୍ଷ୍ୟ। ଆମର ନୂତନ ଜାତୀୟ ଶିକ୍ଷାନୀତି-୨୦୨୦ ଯଦି ଏ ମୌଳିକ ଲକ୍ଷ୍ୟ ପୂରଣ କରିବାରେ ସମର୍ଥ ହୁଏ, ତେବେ ତାହା ହିଁ ହେବ ଆମ ଶିକ୍ଷା ବ୍ୟବସ୍ଥାର ଶ୍ରେଷ୍ଠ ସଫଳତା। ସଫଳତା କଥା ତ ଆଗାମୀ ସମୟ କହିବ। ମାତ୍ର ଏ ଲେଖକର ଗଭୀର ବିଶ୍ୱାସ ଅଛି ଯେ, ଯଦି ଆମେ କାୟମନୋବାକ୍ୟରେ ଏକ ନୂତନ ଶିକ୍ଷାନୀତିକୁ ନବସୃଜନର ଉନ୍ମେଷ ପାଇଁ ନିୟୋଜନ କରୁ, ତେବେ ଆଜି ନ ହେଲେ ବି କାଲି କିଏ ଜଣେ ପ୍ରଜ୍ଞାବାନ ଛାତ୍ର ପରୀକ୍ଷା ଫଳ ପ୍ରକାଶନ ପରେ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ନିଶ୍ଚୟ କହିବେ- ଯନ୍ତ୍ରୀ ନୁହେଁ କି ମନ୍ତ୍ରୀ ନୁହେଁ, ହାକିମ ନୁହେଁ କି ଗୋଲାମ୍‌ ନୁହେଁ, ଭଲ ମଣିଷ ହେବା ମୋ ଜୀବନର ଲକ୍ଷ୍ୟ। ଅବଶ୍ୟ ଏଥିପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧର ବିଭୀଷିକାରୁ ବର୍ତ୍ତିଯାଇଥିବା ପ୍ରଧାନଶିକ୍ଷକଙ୍କୁ ଆଉ ସ୍ବଳ୍ପକାଳ ଅପେକ୍ଷା କରିବାକୁ ହେବ।
ନୀଳମାଧବ କଲେଜ, କଣ୍ଟିଲୋ, ନୟାଗଡ, ମୋ-୯୪୩୭୫୧୭୯୭୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?