ଖାଦ୍ୟରେ ରାସାୟନିକ ବିଷ

ଡ. ବିଜୟକେତନ ପଟ୍ଟନାୟକ

୨୦୦୭ ମସିହାରେ ମୁଁ ରାଜ୍ୟ ସରକାରଙ୍କ ପରିବେଶ ନିର୍ଦ୍ଦେଶକ ପଦବୀରେ ଅବସ୍ଥାପିତ ଥାଏ ଏବଂ ସେହି ସୂତ୍ରରେ କୋରାପୁଟ ଜିଲାସ୍ଥିତ ସୁନାବେଡ଼ା ବାଳିକା ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ‘ଇକୋ କ୍ଲବ୍‌’ ପରିଦର୍ଶନରେ ଯାଇଥାଏ। ମୋ ଅବଗତି ନିମନ୍ତେ ଇକୋ କ୍ଳବ ସମ୍ପର୍କିତ ଆୟୋଜିତ କାର୍ଯ୍ୟକ୍ରମ ମଧ୍ୟରୁ ଛାତ୍ରୀମାନଙ୍କ ଭିତରେ ବକ୍ତୃତା ପ୍ରତିଯୋଗିତା ଥିଲା ଅନ୍ୟତମ। ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀର ଛାତ୍ରୀ ଯିଏକି ‘ହାଲ୍‌’ ଟାଉନଶିପରେ ନିଜ ପିତାମାତାଙ୍କ ସହ ରୁହନ୍ତି, ବକ୍ତୃତା ଦେବା ଅବସରରେ ଯେଉଁ ଦୁଇଟି ମୂଳବିନ୍ଦୁ ଉତ୍‌ଥାପନ କରିଥିଲେ, ଦୀର୍ଘ ୧୫ ବର୍ଷ ପରେ ତାହା ଏବେ ବି ମୋର ମନେରହିଛି। ବକ୍ତବ୍ୟର ପ୍ରଥମ ବିନ୍ଦୁଟି ଥିଲା- ‘ଆମେ ଘରେ ମା’ମାନଙ୍କୁ କହିଛୁ, ବାପା ବଜାରକୁ ସଉଦା ବା ପରିବାପତ୍ର ଆଣିବାକୁ ଗଲା ବେଳେ ସେମାନେ ଯେପରି ତାଙ୍କ ହାତରେ କନା ବା ଝୋଟରୁ ପ୍ରସ୍ତୁତ ବ୍ୟାଗ୍‌ଟିଏ ଧରାଇଦେବେ। ତା’ହେଲେ ଦୋକାନୀ ସେମାନଙ୍କୁ ପଲିଥିନ ମୁଣାରେ ଜିନିଷ ଦେବ ନାହିଁ ଏବଂ ବ୍ୟବହାର ପରେ ଫିଙ୍ଗିଦେବା କାରଣରୁ ବର୍ଷ ବର୍ଷ ଧରି କ୍ଷୟ ନ ହେଉଥିବା ଯୋଗୁ ରାସ୍ତାଘାଟରେ ପଲିଥିନ ଆବର୍ଜନା ବୃଦ୍ଧି ପାଇବ ନାହିଁ। ତାଙ୍କ ବକ୍ତବ୍ୟର ଦ୍ୱିତୀୟ ବିନ୍ଦୁଟି ଥିଲା- ‘ବାପାଙ୍କୁ ମନା କରିବ, ବଜାରରୁ ଅଦିନିଆ ପରିବାପତ୍ର ଆଣିବେ ନାହିଁ। ପରେ ପରେ ଛାତ୍ରୀ ଜଣକ ନିଜେ ବୁଝାଇ ଦେଲେ ଆଜିକାଲି ବଜାରରେ ସବୁଦିନେ ସବୁ ପ୍ରକାର ପରିବା ମିଳୁଛି। ଖରାଦିନିଆ ପରିବା ପୋଟଳ ଶୀତଦିନେ ମିଳୁଛି। ଶୀତଦିନେ ହେଉଥିବା ଫୁଲକୋବି, ବନ୍ଧାକୋବି ଖରାଦିନେ ମଧ୍ୟ ମିଳୁଛି। ବିଲାତି ବାଇଗଣ ବର୍ଷ ସାରା ମିଳୁଛି। ଅଦିନିଆ ପରିବା ସବୁ ବଜାରକୁ ଆସିବା ପୂର୍ବରୁ ଶୀତଳ ଭଣ୍ଡାରରେ ସାଇତା ହୋଇ ରଖାଯାଇଥାଏ। ସେ ଗୁଡ଼ିକୁ ତାଜା ରଖିବା ପାଇଁ ‘ପ୍ରିଜରଭେଟିଭ’ ବା ସଂରକ୍ଷକ ଏବଂ ପଚନ ପ୍ରତିରୋଧକ ରାସାୟନିକ ଦ୍ରବ୍ୟ ବ୍ୟବହାର କରାଯାଇଥାଏ। ଫଳତଃ ପନିପରିବାରେ ରାସାୟନିକ ଛିଟାର କିୟଦଂଶ ମହଜୁଦ ରହିଥାଏ। ଖାଇବା ସମୟରେ ତାହା ଶରୀରକୁ ପ୍ରବେଶକରି ସ୍ବାସ୍ଥ୍ୟହାନି ଘଟାଏ। ଆମ ଦେଶରେ ବର୍ଦ୍ଧିତ ଜନସଂଖ୍ୟାକୁ ଖାଦ୍ୟ ସୁରକ୍ଷା ଯୋଗାଇ ଦେବା ପାଇଁ ୧୯୬୦ରେ କୃଷି ବିପ୍ଲବ ଆରମ୍ଭ ହୋଇଥିଲା; ଯାହା ‘ସବୁଜ ବିପ୍ଲବ’ ନାମରେ ପରିଚିତ। କୃଷି ବୈଜ୍ଞାନିକ ଏମ୍‌.ଏସ୍‌. ସ୍ବାମୀନାଥନ ଏହାର ପ୍ରବର୍ତ୍ତକ। ଦେଶରେ କୃଷି ଉତ୍ପାଦନ ବଢ଼ାଇବା ପାଇଁ ଅଧିକ ଅମଳକ୍ଷମ ବିହନ ବ୍ୟବହାର, ବ୍ୟାପକ ଜଳସେଚନ, ରାସାୟନିକ ସାର ଓ କୀଟନାଶକର ବହୁଳ ବ୍ୟବହାର କରାଗଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ସବୁଜ ବିପ୍ଲବର ସଫଳ ମଧ୍ୟ ଆମକୁ ମିଳିଲା। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଦେଖାଗଲା ଏହାଦ୍ୱାରା ଲାଭ ଅପେକ୍ଷା ଅଧିକ କ୍ଷତି ହେଉଛି। ଏବେ ସବୁଜ ଯୁଗ ସମାପ୍ତିର ବେଳ ଆସିଛି। ୨୦୨୩ ଆର୍ଥିକ ବର୍ଷ ବଜେଟରେ ପ୍ରସ୍ତାବିତ ପ୍ରାକୃତିକ କୃଷି ଜାତୀୟ ମିଶନର ଆଭିମୁଖ୍ୟ ହେଲା କୃଷିକ୍ଷେତ୍ରରେ କୌଣସି ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ନ କରିବା। ଡିଡିଟି ଓ ଆଲ୍‌ଡ୍ରିନ ଭଳି କୀଟନାଶକର ବ୍ୟବହାର ଅନେକ ଦିନରୁ (୧୯୭୪ପରଠାରୁ) ଆମ ଦେଶରେ ବନ୍ଦ ହୋଇଯାଇଥିଲେ ମଧ୍ୟ ସମ୍ପ୍ରତି ଶସ୍ୟକ୍ଷେତ୍ରରେ ବହୁଳ ବ୍ୟବହୃତ କୀଟନାଶକ ହେଉଛି ବିଏଚ୍‌ସି। କୌଣସି କୀଟନାଶକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ବ୍ୟବହାର କରାଗଲା ପରେ ତାହା ସମ୍ପୂର୍ଣ୍ଣ ରୂପେ କ୍ଷୟ ହୁଏ ନାହିଁ ବା ମନ୍ଥର ଗତିରେ କ୍ଷୟପ୍ରାପ୍ତ ହୁଏ। କୃଷିଜାତ ଦ୍ରବ୍ୟ ଜରିଆରେ ଶାକାହାରୀ ପ୍ରାଣୀ ଏବଂ ଖାଦ୍ୟଶୃଙ୍ଖଳର ଶୀର୍ଷରେ ଥିବା ମନୁଷ୍ୟ ଶରୀରରେ ଏହି ବିଷାକ୍ତ ଅବଶିଷ୍ଟାଂଶର ଜୈବିକ ଅଭିବୃଦ୍ଧି ଘଟିଥାଏ। ମନୁଷ୍ୟର ସ୍ବାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡ଼ିଥାଏ।
ଖାଦ୍ୟଶସ୍ୟ ଓ ପନିପରିବା ଉତ୍ପାଦନ ବୃଦ୍ଧି ପାଇଁ ବ୍ୟବହାର କରାଯାଉଥିବା ଅପ୍ରାକୃତିକ, ସଂଶ୍ଲେଷିତ ତଥା ସିନ୍ଥେଟିକ ସାର, ପୋକ ଦାଉରୁ ରକ୍ଷାକରିବା ପାଇଁ ବ୍ୟବହାର କରାଯାଉଥିବା କୀଟନାଶକ ଏବଂ ପନିପରିବାକୁ ସଂରକ୍ଷଣ କରିବା ନିମନ୍ତେ ଦିଆଯାଉଥିବା ସଂରକ୍ଷକ କେତେକାଂଶରେ ବିଷାକ୍ତ। ଏସବୁ ବିଷମିଶ୍ରିତ ଖାଦ୍ୟଶସ୍ୟ ଓ ପନିପନିବାର ବ୍ୟବହାରକରି ମନୁଷ୍ୟର ଜୀବନ ସମ୍ଭାବନା ମଧ୍ୟ ହ୍ରାସପାଉଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ତରଫରୁ ଦେଶର ବିଭିନ୍ନ ପ୍ରାନ୍ତରୁ ଖାଦ୍ୟଶସ୍ୟ, ଡାଲିଜାତୀୟ ଶସ୍ୟ, ଦୁଗ୍ଧ ଅଣ୍ଡା ଓ ମାଂସ ଆଦିର ନମୁନା ନିଆଯାଇ ବିଶ୍ଳେଷଣ ଏବଂ ଅନୁଶୀଳନ କରାଯାଇଥିଲା। ଦେଖାଗଲା ଶତକଡ଼ା ୫୦ ଭାଗରୁ ଅଧିକ ନମୁନାରେ ରାସାୟନିକ ବିଷର ଅବଶେଷ ରହିଛି ଓ ସେଥିରୁ ଶତକଡ଼ା ୩୦ ଭାଗ ସହଜ ସୀମାଠାରୁ ଅଧିକ। ଭାରତୀୟ କୃଷି, ଗବେଷଣା ପରିଷଦର ପ୍ରଦତ୍ତ ତଥ୍ୟ ମୁତାବକ ଅନେକତ୍ର ତଟକା ପନିପରିବାରେ ମଧ୍ୟ ପ୍ରୟୋଗ ହୋଇଥିବା ବିଷାକ୍ତ କୀଟନାଶକର ରହିଯାଇଥିବା ଅବଶେଷ ମନୁଷ୍ୟର ସହଜ ସୀମାଠାରୁ ୨୦ ଗୁଣ ଅଧିକ। କୋବି, ଟମାଟୋ, ଭେଣ୍ଡି, ବାଇଗଣ କୌଣସିଟି ଏଥିରୁ ମୁକ୍ତ ନୁହେଁ। କୋବି, ବନ୍ଧାକୋବି, ବାଇଗଣ ଆଦି ପରିବାର ଆକୃତି ବୃଦ୍ଧି କରିବା ନିମନ୍ତେ ହାଇବ୍ରିଡ୍‌ ବିହନ ବ୍ୟବହାର କରିବା ସହିତ ‘ଅକ୍ସିଟୋସିନ’ ଇଞ୍ଜେକ୍ସନ ମଧ୍ୟ ଦିଆଯାଉଛି।
ଅକ୍ସିଟୋସିନ ଇଞ୍ଜେକ୍ସନ ମଧ୍ୟ ଅଧିକ କ୍ଷୀର ଦେବା ପାଇଁ ଗାଈକୁ ଦିଆଯାଇଥାଏ। ଅଧିକ ଅଣ୍ଡା ଦେବା ପାଇଁ କୁକୁଡ଼ାକୁ ଦିଆଯାଏ। ତରଭୁଜକୁ ଅଧିକ ମିଠା ଓ ଲାଲ କରିବା ପାଇଁ ଅକ୍ସିଟୋସିନ୍‌ ସାକାରିନ ଇଞ୍ଜେକ୍ସନ ଦିଆଯାଇଥାଏ। ଆମ୍ବ ଓ କଦଳୀକୁ ଶୀଘ୍ର ପାଚିବା ପାଇଁ କାର୍ବାଇଡ୍‌ ଦିଆଯାଏ। ଫଳ ଶୁଖି ନ ଯିବା ପାଇଁ ଏବଂ ଚିକ୍କଣ ତଟକା ଦେଖାଯିବା ନିମନ୍ତେ ଏହା ଉପରେ ‘ଓ୍ବାକ୍ସ’ ବୋଳାଯାଏ। ଆମେରିକାର ଏକ ରିସର୍ଚ୍ଚ ରିପୋର୍ଟରେ ଦର୍ଶାଯାଇଛି, କୃତ୍ରିମ ଏବଂ ଅଣ ଅନୁମୋଦିତ ରଙ୍ଗ, ରାସାୟନିକ ସୁଗନ୍ଧି ଓ କୋକେନ୍‌ ଆଦି ପଦାର୍ଥ ବଜାରରେ ମିଳୁଥିବା ପାନୀୟ, ଫଳରସ, ଚକୋଲେଟ୍‌ ଓ ଆଇସ୍‌କ୍ରିମ୍‌ ଆଦିରେ ଯେଭଳି ମିଶାଯାଉଛି ତାହା ପିଲାମାନଙ୍କର ମାନସିକ ଅସ୍ଥିରତା ଓ ଅତ୍ୟଧିକ ଚଞ୍ଚଳତାର କାରଣ।
ଭାରତୀୟ ମାର୍କେଟରେ ମିଳୁଥିବା ବିଭିନ୍ନ ବ୍ରାଣ୍ଡ୍‌ର କ୍ଷୀର ହିଁ ସବୁଠାରୁ ଅଧିକ ଅପମିଶ୍ରିତ ବୋଲି ଆମର ‘ଫୁଡ୍‌ ସେଫ୍‌ଟି ଓ ଷ୍ଟାଣ୍ଡାର୍ଡ ଅଥରିଟି’ର ୨୦୧୨ରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଅପମିଶ୍ରିତ କ୍ଷୀରରେ ଚକ୍‌ ପାଉଡର, ୟୁରିଆ ଓ କଷ୍ଟିକ୍‌ ସୋଡ଼ା ମିଶିଥାଏ। କ୍ଷୀରକୁ ବହଳିଆ କରିବା ପାଇଁ ଏବଂ ସେଥିରେ ପ୍ରୋଟିନ୍‌ ବା ପୁଷ୍ଟିସାରର ଉପସ୍ଥିତ ଦର୍ଶାଇବା ନିମନ୍ତେ ପାଣି ମିଶ୍ରିତ କ୍ଷୀରରେ ‘ମେଲାମାଇନ’ ନାମକ ଏକ ଯବକ୍ଷାର ଜାତୀୟ ଯୌଗିକ ବ୍ୟବହାର କରାଯାଇଥାଏ। ୨୦୧୮ରେ କିଛି ସମ୍ବାଦପତ୍ରରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ଭାରତରେ ବିକ୍ରି କରାଯାଉଥିବା ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟରୁ ୬୮.୭ ପ୍ରତିଶତ ଅପମିଶ୍ରିତ। କାରଣ ଦେଶରେ ମାତ୍ର ୧୪ କୋଟି ଲିଟର ଦୁଗ୍ଧ ଉତ୍ପାଦନ ହେଉଥିବା ବେଳେ ଖର୍ଚ୍ଚ ହେଉଛି ୬୪ କୋଟି ଲିଟର। ତେଲ ଓ ବନସ୍ପତିରେ ମଧ୍ୟ କୃତ୍ରିମ ରସାୟନିକ ସୁଗନ୍ଧି ଓ ରଙ୍ଗ ମିଶାଇ ଏହାକୁ ଖାଣ୍ଟି ସୋରିଷ ତେଲ ବା ଖାଣ୍ଟି ଗୁଆଘିଅ ବୋଲି ପ୍ରତିପାଦିତ କରାଯାଉଛି।
ଶିଶୁମାନଙ୍କ ପାଇଁ ମିଳୁଥିବା ‘ବେବି ଫୁଡ୍‌’ ବା ପ୍ୟାକେଟରେ ମିଳୁଥିବା ଦୁଗ୍ଧ କିପରି ଅପମିଶ୍ରିତ ନ ହେବ, ସେଥିପାଇଁ ଖାଦ୍ୟ ଅପମିଶ୍ରଣ ପ୍ରତିକାର ନିୟମ, ୧୯୫୫ରେ ଯଥେଷ୍ଟ ପ୍ରାବଧାନ ରହିଛି। ତେବେ ବି ୨୦୧୮ ଏପ୍ରିଲରେ କେରଳର କୋଚିରେ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ପୁଷ୍ଟିସାର ପାଉଡର, ବାସି ଚକୋଲେଟ୍‌ ଜବତ କରାଯାଇଥିଲା। ମହାରାଷ୍ଟ୍ରରେ ମଧ୍ୟ ବୋତଲରେ ସିଲ୍‌କରି ବିକ୍ରି କରାଯାଉଥିବା ଦୁଗ୍ଧରେ ସହନ ସୀମାଠାରୁ ଅଧିକ କୀଟନାଶକ ରାସାୟନିକ ପଦାର୍ଥର ଉପସ୍ଥିତି ଜଣାପଡ଼ିଥିଲା। ଫାଷ୍ଟ ଫୁଡ୍‌ ‘ମାଗି’ରେ ସ୍ବାଦ ଆଣିବା ପାଇଁ ‘ମନୋ ସୋଡିୟମ୍‌ ଗ୍ଲୁଟାମେଟ୍‌’ ବ୍ୟବହାର କରାଯାଇଥାଏ, ଯାହା ସ୍ନାୟୁ ଉତ୍ତେଜକ। ପାଉଁରୁଟି, କେକ୍‌ ପ୍ରଭୃତିରେ ଫଙ୍ଗସ ନ ହେବା ପାଇଁ ‘ସୋଡିୟମ’ ମିଶ୍ରଣ କରାଯାଇଥାଏ। ଯେକୌଣସି ପ୍ରକାର ସୋଡିୟମ ମିଶ୍ରଣ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ। ଏମିତି ଦେଖିବାକୁ ଗଲେ ଆମେ ଆଜିର ଦିନରେ ଯାହା ସବୁ ଖାଉଛେ ଯଥା: ଧାନ, ଗହମ ବା ବିରି, ମୁଗ ପରି ଡାଲି ଜାତୀୟ ଶସ୍ୟ, ପନିପରିବା, ଫଳ, ଦୁଗ୍ଧ, ଛେନା, ଘିଅ, ପାଉଁରୁଟି କେକ୍‌, ସସ୍‌, ଜାମ୍‌, ଆଚାର କିମ୍ବା ମାଗି ବା ଚିପ୍ସ, ସବୁଥିରେ କିଛି ନା କିଛି ରାସାୟନିକ ଅପମିଶ୍ରଣ ରହିଛି। ଖୋଲା ବଜାରରେ ମିଳୁଥିବା ଏହି ରାସାୟନିକ ବିଷ ମିଶ୍ରିତ ଖାଦ୍ୟକୁ ଆମେ ନୀରବରେ ଗଳାଧଃକରଣ କରି ଚାଲିଛେ। ବିଷର ଚକ୍ରବୂ୍ୟହରୁ ମୁକ୍ତି କାହିଁ ?
ପୂର୍ବତନ ପରିବେଶ ନିର୍ଦ୍ଦେଶକ, ଓଡ଼ିଶା
ମୋ:୯୪୩୭୦୦୦୯୦୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରିରୁ ଅବସରନେବା ପରେ ବିଶ୍ରାମ ସମୟକୁ ଅନେକେ ସମାଜ ସେବାରେ ଲଗାଇବାର ଉଦାହରଣ ଦେଖିବାକୁ ମିଳେ, ଯାହାଙ୍କ ମଧ୍ୟରୁ ବେଙ୍ଗାଲୁରୁର କ୍ୟାପ୍‌ଟେନ ସନ୍ତୋଷ କୁମାର ଅନ୍ୟତମ। ସେନା…

ଭିଆଇପି ପରମ୍ପରା

ଭିଆଇପି ପରମ୍ପରା ଅତ୍ୟନ୍ତ ଅଶୋଭନୀୟ ଓ ଅରୁଚିକର ପରିସ୍ଥିତି ସୃଷ୍ଟି କରିଥାଏ। ଭିଆଇପିମାନଙ୍କ ପାଇଁ ଆୟୋଜକଙ୍କ କେବଳ ସମୟ ଓ ସମ୍ବଳର ଅପଚୟ ହୁଏ ତାହା ନୁହେଁ,…

ସ୍ବାଭିମାନର ଅନନ୍ୟ ଆଭା

ମାଟିର ସୁକନ୍ୟା ନନ୍ଦିନୀ ଶତପଥୀ। ନାରୀ ଅସ୍ମିତାର ଏକ ତେଜୋଦୀପ୍ତ ସ୍ବର। ତାଙ୍କ ଦେଶପ୍ରେମ, ନିର୍ଭୀକତା, ସାହସିକତା ଓ ବେସାଲିସପଣକୁ ନେଇ ଗଢ଼ିଉଠିଛି ଅନେକ କଥା, କାହାଣୀ…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

ଏଇ ଭାରତରେ

ଗଙ୍ଗାନଦୀକୁ ସଫା କରିବା ପାଇଁ ୨୦୧୪ରେ କେନ୍ଦ୍ର ସରକାର ନମାମୀ ଗଙ୍ଗେ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଉତ୍ତରପ୍ରଦେଶ ରାମପୁରର ପଟଓ୍ବାଇ ଗାଁର ୨୩…

ଶବ୍ଦ ପଛର ସତ୍ୟ

ଆମେ ସାଧାରଣତଃ ଧରିନେଉ ଯେ ଲୋକେ ଯାହା କହନ୍ତି, ସେହି ଅର୍ଥରେ ହିଁ କହନ୍ତି। କିନ୍ତୁ ବାସ୍ତବ ଜୀବନରେ ଅନେକ ସମୟରେ ଶବ୍ଦ ଓ ଉଦ୍ଦେଶ୍ୟ ମଧ୍ୟରେ…

ନକଲ ପାଇଁ ଅକଲ ଦରକାର

ମଣିଷ ଏକ ସାମାଜିକ ପ୍ରାଣୀ ଏବଂ ଅନୁକରଣ କରିବା ତା’ର ଜନ୍ମଗତ ପ୍ରବୃତ୍ତି। ଶିଶୁଟିଏ ଜନ୍ମ ହେବା ପରେ ନିଜ ପରିବାର ଓ ଆଖପାଖର ଲୋକଙ୍କୁ ଦେଖି…

ନିଷ୍ପ୍ରୟୋଜନ ପ୍ରୟାସ

ଅନେକ ପୁରାତନ ପୁସ୍ତକ, ପୁରାଣ ସାହିତ୍ୟ ତଥା ବହୁ ବରେଣ୍ୟ ସାଧକଙ୍କ କୃତିକୁ ସମ୍ପାଦନା, ଗବେଷଣା, ତ୍ରୁଟି ସଂଶୋଧନ, ଭ୍ରମ ଦୂରୀକରଣ ନାମରେ ନୂତନ ରୂପ ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri