ବର୍ଷାରେ ସତର୍କତା

ଡା. ବାସୁଦେବ ପ୍ରଧାନ

ଖରା ପରେ ଧରାକୁ ଆସେ ବର୍ଷା ଋତୁ। ଆକାଶରେ କଳାମେଘର ଚାନ୍ଦୁଆ ବନ୍ଧାହୁଏ। କେବେ ଘଡ଼ଘଡ଼ି କେବେ ଚଡ଼ଚଡ଼ି। ଆକାଶରେ ଇନ୍ଦ୍ରଧନୁ ଶୋଭାପାଏ। ବନ୍ଧାହୁଏ ଟଗର-ତରାଟ-କଦମ୍ବ-ଫୁଲର ତୋରଣ। ଘାସଗାଲିଚାରେ ଥିରି ଥିରି ଚାଲେ ସାଧବବୋହୂ। ଗଛଡାଳରେ ଝିଙ୍କାରିଟି ଗାଏ ବର୍ଷା ଆଗମନୀ। ଆଦ୍ୟ ଆଷାଢ଼ର ପହିଲି ବର୍ଷାରେ ମାଟିରୁ ବାଷ୍ପ ବାହାରେ। ମାଟିର ମହକରେ ମହକିଯାଏ ଚଉଦିଗ। ଜୀବଜଗତ ବିମୋହିତ ହୁଏ। ସତେ କି ଆତ୍ମାରେ ପ୍ରାଣସଞ୍ଚାର ହୁଏ। ପୁଲକିତ ହୁଏ ମନ-ପ୍ରାଣ-ହୃଦୟ। ବର୍ଷାକୁ ଉପଭୋଗ କରିବାକୁ ଇଚ୍ଛାହୁଏ। କିଏ ବର୍ଷାରେ ଭିଜେ, କିଏ ବର୍ଷାରେ କବିତା ଲେଖେ। ଆଉ ପିଲାଏ କାଗଜଡଙ୍ଗା କରି ପାଣିସୁଅରେ ଭସାଇ ଦିଅନ୍ତି। ବର୍ଷା ନ ଥିଲେ ଜୀବଜଗତ ତିଷ୍ଠି ରହିବା ଅସମ୍ଭବ। ବର୍ଷା ସବୁବେଳେ ମଙ୍ଗଳକାରୀ। ବର୍ଷା ଯୋଗୁ ଟାଙ୍ଗରା ଭୂଇଁରେ ଘାସ କଅଁଳେ। ନଈନାଳ, ପୋଖରୀ, ନଦନଦୀ ଜଳରେ ପରିପୂର୍ଣ୍ଣ ହୁଏ। ଚାଷୀ ଚାଷବାସ ପାଇଁ ଆଗଭର ହୁଏ। ବର୍ଷାକୁ ଖାତିର ନ କରି ଚାଷକାମରେ ଲାଗିଯାଏ। ମୁଣ୍ଡଝାଳ ତୁଣ୍ଡରେ ମାରି ଫସଲ ଆଦାୟ କରେ। ନିଜେ ଖାଏ ଅନ୍ୟକୁ ଖୁଆଏ। ତେବେ ବର୍ଷାଋତୁ ମଙ୍ଗଳମୟ ହେଲେ ମଧ୍ୟ ବେଳେବେଳେ ଅସୁବିଧାରେ ପକାଏ। କମ୍‌ ବର୍ଷା, ଅତି ବର୍ଷା ବା ଅନିୟମିତ ବର୍ଷା ଯୋଗୁ ଫସଲହାନି ହୁଏ। ଏସବୁ ଲକ୍ଷଣ ସହିତ ଆମେ ପରିଚିତ। ସାଧାରଣତଃ ବର୍ଷା ଚାରିମାସ ହୁଏ। ଆଷାଢ଼ ଓ ଶ୍ରାବଣକୁ ବର୍ଷାଋତୁ କୁହାଗଲେ ମଧ୍ୟ ଭାଦ୍ରବ ଓ ଆଶ୍ୱିନ ମାସ ଯାଏ ବର୍ଷା ଲାଗି ରହେ। ତେଣୁ ବର୍ଷା ଋତୁକୁ ‘ଚତୁର୍ମାସ୍ୟା’ କୁହାଯାଏ। ହେଲେ ଆଜିକାଲି ଚାରିମାସ ବର୍ଷା ହେଉ ନାହିଁ କି ‘ଧାରା ଶିରାବଣ’ ଆଉ ନାହିଁ। ଅବେଳରେ ମଧ୍ୟ ଝଡ଼ତୋଫାନ ହୋଇ ବହୁ ଧନଜୀବନ ନଷ୍ଟ ହେଉଛି। ହେଲେ ବର୍ଷା ଋତୁରେ ବର୍ଷା କମିଯାଉଛି। ଏହି ଋତୁଟି ଚାଷବାସର ଜନ୍ମଦାତା। ତେଣୁ ସମସ୍ତଙ୍କର ପ୍ରିୟ। ତେବେ ଏହି ଋତୁରେ କେତେକ ସମସ୍ୟା ଦେଖାଯାଏ। ଯେଉଁମାନେ ଝାଟିମାଟି ବା କଚାଘରେ ରୁହନ୍ତି ସେମାନଙ୍କର ଘର ଭାଙ୍ଗିଯାଏ। ଖାଲଖମା ବା ଗାତରେ ପାଣି ପଶିବା ଫଳରେ ବିଷଧର ସାପ, ବିଛା ଘରେ ପ୍ରବେଶ କରନ୍ତି। ସର୍ପଦଂଶନରେ ବର୍ଷାଋତୁରେ ବହୁତ ଲୋକ ମୃତ୍ୟୁମୁଖରେ ପଡ଼ନ୍ତି। ସେହିପରି ବଜ୍ରପାତରେ ଜୀବନହାନି ହୁଏ। ତେଣୁ ଏସବୁ ପ୍ରତି ଆମକୁ ସତର୍କ ରହିବାକୁ ପଡ଼ିବ। ବର୍ଷା ପୂର୍ବରୁ ଘର ଛପର କରାଇଦେବା ଆବଶ୍ୟକ। ଘର ଚାରିପାଖ ସଫାସୁତୁରା ରଖିବା ଦରକାର। ଏହି ଋତୁରେ ଜଳବାହିତ ରୋଗ ଅଧିକ ହୁଏ। ଅର୍ଥାତ୍‌ ଦୂଷିତ ପାଣି ପିଇବା ଦ୍ୱାରା ତରଳଝାଡ଼ା ହୁଏ। ମଶା କାମୁଡ଼ିବା ଫଳରେ ମ୍ୟାଲେରିଆ, ଡେଙ୍ଗୁ ବ୍ୟାପିଥାଏ। ତେଣୁ ମଶାରି ପକାଇ ଶୋଇବାକୁ ଅଭ୍ୟାସରେ ପରିଣତ କରିବା ଦରକାର।
ଏ ଋତୁରେ ସାଧାରଣତଃ ହଜମ ଶକ୍ତି କମ୍‌ ଥାଏ। ତେଣୁ ଗରମ ଖାଦ୍ୟ ଖାଇବା ଆବଶ୍ୟକ। ପୁରୁଣାଚାଉଳ ଭାତ, ଗହମଜାତୀୟ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ଭଲ। ଆୟୁର୍ବେଦବର୍ଣ୍ଣିତ ବର୍ଷାଋତୁଚର୍ଯ୍ୟା ମାନି ଚଳିବା ଆବଶ୍ୟକ। ଦିନରେ ଶୋଇବା ଅନୁଚିତ। ଘିଅ, ମହୁ, ଗୁଡ଼କୁ ତ୍ରିମିଷ୍ଟ କୁହାଯାଏ। ବର୍ଷା ଋତୁରେ ଏହି ତିନିଟି ଦ୍ରବ୍ୟ ଖାଇବା ଆବଶ୍ୟକ। ଉଷୁମ ପାଣିରେ ଅଳ୍ପ ମହୁ ମିଶାଇ ପିଇବା ଉଚିତ। ବର୍ଷାରେ ନ ଭିଜିଲେ ଭଲ। ଯଦି ବର୍ଷାରେ ଭିଜନ୍ତି ତେବେ ତୁରନ୍ତ ଓଦାବସ୍ତ୍ର ବଦଳାଇ ଶୁଷ୍କବସ୍ତ୍ର ପରିଧାନ କରିବା ଆବଶ୍ୟକ। ପିପ୍ପଳି, ତୁଳସୀ ଓ ବାସଙ୍ଗକୁ ନିୟମିତ ବ୍ୟବହାର କରିବା ଉଚିତ। ସେହିପରି ଲବଙ୍ଗଚୂର୍ଣ୍ଣ ଓ ମହୁ ଦିନକୁ ଦୁଇ ଥର ଖାଇବା ଭଲ। ନାକ ବନ୍ଦ ରହୁଥିଲେ ପୋଦିନା ପତ୍ର ଓ ଯୁଆଣି ବାମ୍ଫ ନେଲେ ବନ୍ଦ ନାକ ଖୋଲେ ଏବଂ ଥଣ୍ଡାଜନିତ ମୁଣ୍ଡବ୍ୟଥା କମେ।
ଏବେ ସମଗ୍ର ବିଶ୍ୱରେ ମହାମାରୀ କରୋନା ଆତଙ୍କ ସୃଷ୍ଟି କରିଚାଲିଛି। ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଯାଏ ପ୍ରତିଷେଧକ ବାହାରି ନାହିଁ। କରୋନା ଯୋଗୁ ଜୀବନଶୈଳୀ ବଦଳିଯାଇଛି। ଅଜଣା ଭୟ ମନରେ ବସା ବାନ୍ଧିଛି। ଦିନକୁ ଦିନ ଆର୍ଥିକ ସମସ୍ୟା ବଢ଼ିବାରେ ଲାଗିଛି। ଲୋକମାନେ ନିଜ ନିଜର ବୃତ୍ତି ହରେଇଲେଣି। ଆଗକୁ କ’ଣ ହେବ ଆଜିଠୁ କହିବା କଷ୍ଟକର। ତେଣୁ ଶୃଙ୍ଖଳିତ ଜୀବନଶୈଳୀ ଆପଣେଇବାକୁ ପଡ଼ିବ। କରୋନା ଆମର ଶତ୍ରୁ ହୋଇ ଧନଜୀବନ ନଷ୍ଟ କଲେ ମଧ୍ୟ କେତେକ ଶିକ୍ଷା ଦେଇଛି। ତାକୁ କାମରେ ଲଗାଇବା ଆବଶ୍ୟକ। ସେଗୁଡ଼ିକ ହେଲା- ମିତବ୍ୟୟିତା ଅର୍ଥାତ୍‌ ଅଳ୍ପ ଖର୍ଚ୍ଚରେ ଚଳିବା। ବିନା କାରଣରେ ବାହାରେ ନ ବୁଲିବା। ଘରତିଆରି ଖାଦ୍ୟ ଖାଇବା। ମୁହଁରେ ମାସ୍କ ଲଗାଇବା। ସାମାଜିକ ଦୂରତା ଅବଲମ୍ବନ କରିବା। ସଫାସୁତୁରା ରହିବା, ବାରମ୍ବାର ସାବୁନରେ ହାତ ଧୋଇବା, ପାନଗୁଟ୍‌ଖା ନ ଖାଇବା, ଏଣେତେଣେ ଛେପ ନ ପକାଇବା ଇତ୍ୟାଦି। ଏସବୁ ନ କରିବା ଦ୍ୱାରା ଆମେ କେବଳ କରୋନା ନୁହେଁ, ଅନେକ ରୋଗକୁ ନିଜ ଘରକୁ ଆମନ୍ତ୍ରଣ କରିଥାଉ। ଘରପିନ୍ଧା ଲୁଗା ଅଲଗା ଏବଂ ବାହାର ଲୁଗା ଅଲଗା ରଖିବା ଆବଶ୍ୟକ।
ପ୍ରସଙ୍ଗର ଶେଷ ଭାଗରେ ଆୟୁଷବାର୍ତ୍ତାକୁ ଗ୍ରହଣ କଲେ ଆମେ ନୀରୋଗ ରହିପାରିବା ଏବଂ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିପାରିବା। ସେଗୁଡ଼ିକ ହେଲା- ଶୀଘ୍ର ଶୋଇବା, ଶୀଘ୍ର ଶଯ୍ୟାତ୍ୟାଗ କରିବା। ପ୍ରାତଃକାଳରେ ଶୁଦ୍ଧ ଶୌଚ ହେଲା ପରେ ଅଧଘଣ୍ଟାଏ ଯୋଗ-ପ୍ରାଣାୟାମ କରିବା। ନିୟମିତ ଏକ ଚାମଚ ଅର୍ଥାତ୍‌ ୧୦ ଗ୍ରାମ୍‌ ଚ୍ୟବନପ୍ରାସ ଖାଇବା। ପାଞ୍ଚବର୍ଷରୁ ଦଶବର୍ଷ ଯାଏ ଅଧଚାମଚ ଅର୍ଥାତ୍‌ ୫ ଗ୍ରାମ୍‌ ଚ୍ୟବନପ୍ରାସ ଖାଇବା। ଉଷୁମ କ୍ଷୀର କିମ୍ବା ଉଷୁମ ପାଣିରେ ଅଧଚାମଚ ଲେଖାଏ ହଳଦୀ ମିଶାଇ ପିଇବା ଆବଶ୍ୟକ। ଦିନକୁ ୨ ଥର ହର୍ବାଲ ଚା ପିଇଲେ ଭଲ। ଶୁଣ୍ଠି, ପିପ୍ପଳି, ଡାଲଚିନି, ଗୋଲମରିଚ, ତୁଳସୀକୁ କାଡ଼ା କରି ପିଇବା ଆବଶ୍ୟକ। ସନ୍ତୁଳିତ ଖାଦ୍ୟ, ଗରମ ଖାଦ୍ୟ ଓ ପାନୀୟ ବର୍ଷାଋତୁ ପାଇଁ ଭଲ।
ସାଧାରଣତଃ ବର୍ଷାଋତୁରେ ଅଧିକ ମାତ୍ରାରେ ଥଣ୍ଡା, କାଶ, ଜ୍ୱର ଦେଖାଯାଏ। ସବୁ ଥଣ୍ଡା-କାଶ-ଜ୍ୱର କରୋନା ନୁହେଁ। ତେଣୁ ଭୟଭୀତ ହେବା ଅନୁଚିତ। ତେବେ ସରକାରଙ୍କ ତରଫରୁ ପ୍ରଦତ୍ତ ସ୍ବାସ୍ଥ୍ୟବାର୍ତ୍ତା ମାନି ଚଳିବା ଦରକାର। ଘରୋଇ ଉପଚାରରେ ଡାକ୍ତରଙ୍କ ପରାମର୍ଶରେ ତୁଳସୀ ଓ ବାସଙ୍ଗପତ୍ର ରସକୁ ମହୁ ସହ ମିଶାଇ ପିଇବା। ସେହିପରି ଲକ୍ଷ୍ମୀବିଳାସ କଫକେତୁ, ତ୍ରିକଟୁ ଚୂର୍ଣ୍ଣ, ତାଳସ୍ୟାଦି ଚୂର୍ଣ୍ଣ, ବ୍ୟାଘ୍ରୀ ହରିତକୀ ପ୍ରଭୃତି ବ୍ୟବହାର କରାଯାଇ ପାରିବ। ଆମ ରାଜ୍ୟରେ ୩ଟି ଆୟୁର୍ବେଦ କଲେଜ ଓ ୬୨୦ଟି ଆୟୁର୍ବେଦ ଡିସ୍‌ପେନ୍‌ସାରି ରହିଛି। ପ୍ରାଥମିକ ତଥା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆୟୁଷ ଡାକ୍ତର କାର୍ଯ୍ୟରତ ଅଛନ୍ତି। ସେମାନଙ୍କଠାରୁ ବର୍ଷାଦିନିଆ ଥଣ୍ଡା-କାଶ-ଜ୍ୱର ପାଇଁ ପରାମର୍ଶ ନେଇପାରିବେ। ଏବେ ସମସ୍ତ ସରକାରୀ ଆୟୁର୍ବେଦ ଚିକିତ୍ସାଳୟରେ ଔଷଧ ଉପଲବ୍ଧ ଅଛି। ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ବ୍ୟବହାର କରାଯାଇପାରିବ।
ଆମେ ବର୍ଷା ଋତୁକୁ ସ୍ବାଗତ କରିବା। ବର୍ଷା ଦିନଚର୍ଯ୍ୟା ମାନି ଚଳିବା। ଯେଉଁଠି ଖାଲି ଜାଗାଟିଏ ଅଛି ସେଠାରେ ତୁଳସୀ, ବାସଙ୍ଗ, ଅରଖ, ଦୁଦୁରା, ବେଲ, ଅଶୋକ, ହରିଡ଼ା, ବାହାଡ଼ା, ଅଁଳା ଗଛ ଲଗାଇବା। ତାଳ, ଖଜୁରି, କଇଥ ଗଛ ଲଗାଇବା। ଆମେ ଜାଣିବା ଜରୁରୀ ତାଳଗଛ ଥିଲେ ବଜ୍ରପାତଜନିତ ଜୀବନହାନି କମ୍‌ ହୁଏ। ସମୟ ଆସିଚି ଆମର ପୁରୁଣା ଚଳଣିକୁ ଫେରିବାକୁ ପଡ଼ିବ। ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିଲେ କରୋନା ଓ ତା’ପରି ସବୁ ରୋଗକୁ ପ୍ରତିହତ କରିପାରିବା।
ଭୁବନେଶ୍ୱର, ମୋ: ୯୪୩୭୩୦୫୦୪୫


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri