ବର୍ଷାରେ ସତର୍କତା

ଡା. ବାସୁଦେବ ପ୍ରଧାନ

ଖରା ପରେ ଧରାକୁ ଆସେ ବର୍ଷା ଋତୁ। ଆକାଶରେ କଳାମେଘର ଚାନ୍ଦୁଆ ବନ୍ଧାହୁଏ। କେବେ ଘଡ଼ଘଡ଼ି କେବେ ଚଡ଼ଚଡ଼ି। ଆକାଶରେ ଇନ୍ଦ୍ରଧନୁ ଶୋଭାପାଏ। ବନ୍ଧାହୁଏ ଟଗର-ତରାଟ-କଦମ୍ବ-ଫୁଲର ତୋରଣ। ଘାସଗାଲିଚାରେ ଥିରି ଥିରି ଚାଲେ ସାଧବବୋହୂ। ଗଛଡାଳରେ ଝିଙ୍କାରିଟି ଗାଏ ବର୍ଷା ଆଗମନୀ। ଆଦ୍ୟ ଆଷାଢ଼ର ପହିଲି ବର୍ଷାରେ ମାଟିରୁ ବାଷ୍ପ ବାହାରେ। ମାଟିର ମହକରେ ମହକିଯାଏ ଚଉଦିଗ। ଜୀବଜଗତ ବିମୋହିତ ହୁଏ। ସତେ କି ଆତ୍ମାରେ ପ୍ରାଣସଞ୍ଚାର ହୁଏ। ପୁଲକିତ ହୁଏ ମନ-ପ୍ରାଣ-ହୃଦୟ। ବର୍ଷାକୁ ଉପଭୋଗ କରିବାକୁ ଇଚ୍ଛାହୁଏ। କିଏ ବର୍ଷାରେ ଭିଜେ, କିଏ ବର୍ଷାରେ କବିତା ଲେଖେ। ଆଉ ପିଲାଏ କାଗଜଡଙ୍ଗା କରି ପାଣିସୁଅରେ ଭସାଇ ଦିଅନ୍ତି। ବର୍ଷା ନ ଥିଲେ ଜୀବଜଗତ ତିଷ୍ଠି ରହିବା ଅସମ୍ଭବ। ବର୍ଷା ସବୁବେଳେ ମଙ୍ଗଳକାରୀ। ବର୍ଷା ଯୋଗୁ ଟାଙ୍ଗରା ଭୂଇଁରେ ଘାସ କଅଁଳେ। ନଈନାଳ, ପୋଖରୀ, ନଦନଦୀ ଜଳରେ ପରିପୂର୍ଣ୍ଣ ହୁଏ। ଚାଷୀ ଚାଷବାସ ପାଇଁ ଆଗଭର ହୁଏ। ବର୍ଷାକୁ ଖାତିର ନ କରି ଚାଷକାମରେ ଲାଗିଯାଏ। ମୁଣ୍ଡଝାଳ ତୁଣ୍ଡରେ ମାରି ଫସଲ ଆଦାୟ କରେ। ନିଜେ ଖାଏ ଅନ୍ୟକୁ ଖୁଆଏ। ତେବେ ବର୍ଷାଋତୁ ମଙ୍ଗଳମୟ ହେଲେ ମଧ୍ୟ ବେଳେବେଳେ ଅସୁବିଧାରେ ପକାଏ। କମ୍‌ ବର୍ଷା, ଅତି ବର୍ଷା ବା ଅନିୟମିତ ବର୍ଷା ଯୋଗୁ ଫସଲହାନି ହୁଏ। ଏସବୁ ଲକ୍ଷଣ ସହିତ ଆମେ ପରିଚିତ। ସାଧାରଣତଃ ବର୍ଷା ଚାରିମାସ ହୁଏ। ଆଷାଢ଼ ଓ ଶ୍ରାବଣକୁ ବର୍ଷାଋତୁ କୁହାଗଲେ ମଧ୍ୟ ଭାଦ୍ରବ ଓ ଆଶ୍ୱିନ ମାସ ଯାଏ ବର୍ଷା ଲାଗି ରହେ। ତେଣୁ ବର୍ଷା ଋତୁକୁ ‘ଚତୁର୍ମାସ୍ୟା’ କୁହାଯାଏ। ହେଲେ ଆଜିକାଲି ଚାରିମାସ ବର୍ଷା ହେଉ ନାହିଁ କି ‘ଧାରା ଶିରାବଣ’ ଆଉ ନାହିଁ। ଅବେଳରେ ମଧ୍ୟ ଝଡ଼ତୋଫାନ ହୋଇ ବହୁ ଧନଜୀବନ ନଷ୍ଟ ହେଉଛି। ହେଲେ ବର୍ଷା ଋତୁରେ ବର୍ଷା କମିଯାଉଛି। ଏହି ଋତୁଟି ଚାଷବାସର ଜନ୍ମଦାତା। ତେଣୁ ସମସ୍ତଙ୍କର ପ୍ରିୟ। ତେବେ ଏହି ଋତୁରେ କେତେକ ସମସ୍ୟା ଦେଖାଯାଏ। ଯେଉଁମାନେ ଝାଟିମାଟି ବା କଚାଘରେ ରୁହନ୍ତି ସେମାନଙ୍କର ଘର ଭାଙ୍ଗିଯାଏ। ଖାଲଖମା ବା ଗାତରେ ପାଣି ପଶିବା ଫଳରେ ବିଷଧର ସାପ, ବିଛା ଘରେ ପ୍ରବେଶ କରନ୍ତି। ସର୍ପଦଂଶନରେ ବର୍ଷାଋତୁରେ ବହୁତ ଲୋକ ମୃତ୍ୟୁମୁଖରେ ପଡ଼ନ୍ତି। ସେହିପରି ବଜ୍ରପାତରେ ଜୀବନହାନି ହୁଏ। ତେଣୁ ଏସବୁ ପ୍ରତି ଆମକୁ ସତର୍କ ରହିବାକୁ ପଡ଼ିବ। ବର୍ଷା ପୂର୍ବରୁ ଘର ଛପର କରାଇଦେବା ଆବଶ୍ୟକ। ଘର ଚାରିପାଖ ସଫାସୁତୁରା ରଖିବା ଦରକାର। ଏହି ଋତୁରେ ଜଳବାହିତ ରୋଗ ଅଧିକ ହୁଏ। ଅର୍ଥାତ୍‌ ଦୂଷିତ ପାଣି ପିଇବା ଦ୍ୱାରା ତରଳଝାଡ଼ା ହୁଏ। ମଶା କାମୁଡ଼ିବା ଫଳରେ ମ୍ୟାଲେରିଆ, ଡେଙ୍ଗୁ ବ୍ୟାପିଥାଏ। ତେଣୁ ମଶାରି ପକାଇ ଶୋଇବାକୁ ଅଭ୍ୟାସରେ ପରିଣତ କରିବା ଦରକାର।
ଏ ଋତୁରେ ସାଧାରଣତଃ ହଜମ ଶକ୍ତି କମ୍‌ ଥାଏ। ତେଣୁ ଗରମ ଖାଦ୍ୟ ଖାଇବା ଆବଶ୍ୟକ। ପୁରୁଣାଚାଉଳ ଭାତ, ଗହମଜାତୀୟ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ଭଲ। ଆୟୁର୍ବେଦବର୍ଣ୍ଣିତ ବର୍ଷାଋତୁଚର୍ଯ୍ୟା ମାନି ଚଳିବା ଆବଶ୍ୟକ। ଦିନରେ ଶୋଇବା ଅନୁଚିତ। ଘିଅ, ମହୁ, ଗୁଡ଼କୁ ତ୍ରିମିଷ୍ଟ କୁହାଯାଏ। ବର୍ଷା ଋତୁରେ ଏହି ତିନିଟି ଦ୍ରବ୍ୟ ଖାଇବା ଆବଶ୍ୟକ। ଉଷୁମ ପାଣିରେ ଅଳ୍ପ ମହୁ ମିଶାଇ ପିଇବା ଉଚିତ। ବର୍ଷାରେ ନ ଭିଜିଲେ ଭଲ। ଯଦି ବର୍ଷାରେ ଭିଜନ୍ତି ତେବେ ତୁରନ୍ତ ଓଦାବସ୍ତ୍ର ବଦଳାଇ ଶୁଷ୍କବସ୍ତ୍ର ପରିଧାନ କରିବା ଆବଶ୍ୟକ। ପିପ୍ପଳି, ତୁଳସୀ ଓ ବାସଙ୍ଗକୁ ନିୟମିତ ବ୍ୟବହାର କରିବା ଉଚିତ। ସେହିପରି ଲବଙ୍ଗଚୂର୍ଣ୍ଣ ଓ ମହୁ ଦିନକୁ ଦୁଇ ଥର ଖାଇବା ଭଲ। ନାକ ବନ୍ଦ ରହୁଥିଲେ ପୋଦିନା ପତ୍ର ଓ ଯୁଆଣି ବାମ୍ଫ ନେଲେ ବନ୍ଦ ନାକ ଖୋଲେ ଏବଂ ଥଣ୍ଡାଜନିତ ମୁଣ୍ଡବ୍ୟଥା କମେ।
ଏବେ ସମଗ୍ର ବିଶ୍ୱରେ ମହାମାରୀ କରୋନା ଆତଙ୍କ ସୃଷ୍ଟି କରିଚାଲିଛି। ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଯାଏ ପ୍ରତିଷେଧକ ବାହାରି ନାହିଁ। କରୋନା ଯୋଗୁ ଜୀବନଶୈଳୀ ବଦଳିଯାଇଛି। ଅଜଣା ଭୟ ମନରେ ବସା ବାନ୍ଧିଛି। ଦିନକୁ ଦିନ ଆର୍ଥିକ ସମସ୍ୟା ବଢ଼ିବାରେ ଲାଗିଛି। ଲୋକମାନେ ନିଜ ନିଜର ବୃତ୍ତି ହରେଇଲେଣି। ଆଗକୁ କ’ଣ ହେବ ଆଜିଠୁ କହିବା କଷ୍ଟକର। ତେଣୁ ଶୃଙ୍ଖଳିତ ଜୀବନଶୈଳୀ ଆପଣେଇବାକୁ ପଡ଼ିବ। କରୋନା ଆମର ଶତ୍ରୁ ହୋଇ ଧନଜୀବନ ନଷ୍ଟ କଲେ ମଧ୍ୟ କେତେକ ଶିକ୍ଷା ଦେଇଛି। ତାକୁ କାମରେ ଲଗାଇବା ଆବଶ୍ୟକ। ସେଗୁଡ଼ିକ ହେଲା- ମିତବ୍ୟୟିତା ଅର୍ଥାତ୍‌ ଅଳ୍ପ ଖର୍ଚ୍ଚରେ ଚଳିବା। ବିନା କାରଣରେ ବାହାରେ ନ ବୁଲିବା। ଘରତିଆରି ଖାଦ୍ୟ ଖାଇବା। ମୁହଁରେ ମାସ୍କ ଲଗାଇବା। ସାମାଜିକ ଦୂରତା ଅବଲମ୍ବନ କରିବା। ସଫାସୁତୁରା ରହିବା, ବାରମ୍ବାର ସାବୁନରେ ହାତ ଧୋଇବା, ପାନଗୁଟ୍‌ଖା ନ ଖାଇବା, ଏଣେତେଣେ ଛେପ ନ ପକାଇବା ଇତ୍ୟାଦି। ଏସବୁ ନ କରିବା ଦ୍ୱାରା ଆମେ କେବଳ କରୋନା ନୁହେଁ, ଅନେକ ରୋଗକୁ ନିଜ ଘରକୁ ଆମନ୍ତ୍ରଣ କରିଥାଉ। ଘରପିନ୍ଧା ଲୁଗା ଅଲଗା ଏବଂ ବାହାର ଲୁଗା ଅଲଗା ରଖିବା ଆବଶ୍ୟକ।
ପ୍ରସଙ୍ଗର ଶେଷ ଭାଗରେ ଆୟୁଷବାର୍ତ୍ତାକୁ ଗ୍ରହଣ କଲେ ଆମେ ନୀରୋଗ ରହିପାରିବା ଏବଂ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିପାରିବା। ସେଗୁଡ଼ିକ ହେଲା- ଶୀଘ୍ର ଶୋଇବା, ଶୀଘ୍ର ଶଯ୍ୟାତ୍ୟାଗ କରିବା। ପ୍ରାତଃକାଳରେ ଶୁଦ୍ଧ ଶୌଚ ହେଲା ପରେ ଅଧଘଣ୍ଟାଏ ଯୋଗ-ପ୍ରାଣାୟାମ କରିବା। ନିୟମିତ ଏକ ଚାମଚ ଅର୍ଥାତ୍‌ ୧୦ ଗ୍ରାମ୍‌ ଚ୍ୟବନପ୍ରାସ ଖାଇବା। ପାଞ୍ଚବର୍ଷରୁ ଦଶବର୍ଷ ଯାଏ ଅଧଚାମଚ ଅର୍ଥାତ୍‌ ୫ ଗ୍ରାମ୍‌ ଚ୍ୟବନପ୍ରାସ ଖାଇବା। ଉଷୁମ କ୍ଷୀର କିମ୍ବା ଉଷୁମ ପାଣିରେ ଅଧଚାମଚ ଲେଖାଏ ହଳଦୀ ମିଶାଇ ପିଇବା ଆବଶ୍ୟକ। ଦିନକୁ ୨ ଥର ହର୍ବାଲ ଚା ପିଇଲେ ଭଲ। ଶୁଣ୍ଠି, ପିପ୍ପଳି, ଡାଲଚିନି, ଗୋଲମରିଚ, ତୁଳସୀକୁ କାଡ଼ା କରି ପିଇବା ଆବଶ୍ୟକ। ସନ୍ତୁଳିତ ଖାଦ୍ୟ, ଗରମ ଖାଦ୍ୟ ଓ ପାନୀୟ ବର୍ଷାଋତୁ ପାଇଁ ଭଲ।
ସାଧାରଣତଃ ବର୍ଷାଋତୁରେ ଅଧିକ ମାତ୍ରାରେ ଥଣ୍ଡା, କାଶ, ଜ୍ୱର ଦେଖାଯାଏ। ସବୁ ଥଣ୍ଡା-କାଶ-ଜ୍ୱର କରୋନା ନୁହେଁ। ତେଣୁ ଭୟଭୀତ ହେବା ଅନୁଚିତ। ତେବେ ସରକାରଙ୍କ ତରଫରୁ ପ୍ରଦତ୍ତ ସ୍ବାସ୍ଥ୍ୟବାର୍ତ୍ତା ମାନି ଚଳିବା ଦରକାର। ଘରୋଇ ଉପଚାରରେ ଡାକ୍ତରଙ୍କ ପରାମର୍ଶରେ ତୁଳସୀ ଓ ବାସଙ୍ଗପତ୍ର ରସକୁ ମହୁ ସହ ମିଶାଇ ପିଇବା। ସେହିପରି ଲକ୍ଷ୍ମୀବିଳାସ କଫକେତୁ, ତ୍ରିକଟୁ ଚୂର୍ଣ୍ଣ, ତାଳସ୍ୟାଦି ଚୂର୍ଣ୍ଣ, ବ୍ୟାଘ୍ରୀ ହରିତକୀ ପ୍ରଭୃତି ବ୍ୟବହାର କରାଯାଇ ପାରିବ। ଆମ ରାଜ୍ୟରେ ୩ଟି ଆୟୁର୍ବେଦ କଲେଜ ଓ ୬୨୦ଟି ଆୟୁର୍ବେଦ ଡିସ୍‌ପେନ୍‌ସାରି ରହିଛି। ପ୍ରାଥମିକ ତଥା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆୟୁଷ ଡାକ୍ତର କାର୍ଯ୍ୟରତ ଅଛନ୍ତି। ସେମାନଙ୍କଠାରୁ ବର୍ଷାଦିନିଆ ଥଣ୍ଡା-କାଶ-ଜ୍ୱର ପାଇଁ ପରାମର୍ଶ ନେଇପାରିବେ। ଏବେ ସମସ୍ତ ସରକାରୀ ଆୟୁର୍ବେଦ ଚିକିତ୍ସାଳୟରେ ଔଷଧ ଉପଲବ୍ଧ ଅଛି। ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ବ୍ୟବହାର କରାଯାଇପାରିବ।
ଆମେ ବର୍ଷା ଋତୁକୁ ସ୍ବାଗତ କରିବା। ବର୍ଷା ଦିନଚର୍ଯ୍ୟା ମାନି ଚଳିବା। ଯେଉଁଠି ଖାଲି ଜାଗାଟିଏ ଅଛି ସେଠାରେ ତୁଳସୀ, ବାସଙ୍ଗ, ଅରଖ, ଦୁଦୁରା, ବେଲ, ଅଶୋକ, ହରିଡ଼ା, ବାହାଡ଼ା, ଅଁଳା ଗଛ ଲଗାଇବା। ତାଳ, ଖଜୁରି, କଇଥ ଗଛ ଲଗାଇବା। ଆମେ ଜାଣିବା ଜରୁରୀ ତାଳଗଛ ଥିଲେ ବଜ୍ରପାତଜନିତ ଜୀବନହାନି କମ୍‌ ହୁଏ। ସମୟ ଆସିଚି ଆମର ପୁରୁଣା ଚଳଣିକୁ ଫେରିବାକୁ ପଡ଼ିବ। ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିଲେ କରୋନା ଓ ତା’ପରି ସବୁ ରୋଗକୁ ପ୍ରତିହତ କରିପାରିବା।
ଭୁବନେଶ୍ୱର, ମୋ: ୯୪୩୭୩୦୫୦୪୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?