ପାରଳାଖେମୁଣ୍ଡି,୨୧ା୪(ଡି.ଏନ୍.ଏ.): ଗଜପତି ପୋଲିସ ଜଣେ ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରିଛି। ସେ ହେଲେ ଉତ୍ତରପ୍ରଦେଶ ଆଲିଗଡ଼ ଜିଲା ଡୋରିନଗର ଗ୍ରାମର ଯଶୋବନ୍ତ ସିଂ। ଗଜପତି ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଉତ୍ତରପ୍ରଦେଶରୁ ତାଙ୍କୁ ଉଠାଇ ଆଣିଛି। ଗତ ଅକ୍ଟୋବର ୩ରେ ଏକ ଗ୍ରାନାଇଟ ବୋଝେଇ ଟ୍ରକରେ ୨ ହଜାର ୨୦ କି.ଗ୍ରା. ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଅଡବା ପୋଲିସ ତାହାକୁ ଜବତ କରିଥିଲା। ସେ ସମୟରେ ଗାଡ଼ି ଡ୍ରାଇଭର ଏବଂ କ୍ଲିନରଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ହେଲେ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିଲା।
ତଦନ୍ତ ପରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଉତ୍ତରପ୍ରଦେଶ ଯାଇ ଆନ୍ତଃରାଜ୍ୟ ବ୍ୟବସାୟୀ ଯଶୋବନ୍ତଙ୍କୁ ଗିରଫ କରିଥିଲା। ସେ ପୂର୍ବରୁ ଥରେ ଗଞ୍ଜେଇ ଚାଲାଣ ମାମଲାରେ ଗିରଫ ହୋଇଥିଲେ। ବର୍ତ୍ତମାନ ଯଶୋବନ୍ତ ବେଆଇନ ଗଞ୍ଜେଇ କାରବାର କରି କଳାଧନ ଉପାର୍ଜନ କରିଛନ୍ତି, ତାହାର ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ଗଜପତି ଏସ୍ପି ଜୟରାମ ଶତପଥୀ ଗୁରୁବାର ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।