
ସାକ୍ଷୀଗୋପାଳ,୧୨।୬(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପାଖେଇ ଆସୁଛି ରଥଯାତ୍ରା। ପ୍ରତିବର୍ଷ ଭଳି ରଥଯାତ୍ରାରେ ସାଧୁସନ୍ଥଙ୍କ ସମାଗମ ଲାଗିବ। ମାତ୍ର ଏହି ଧର୍ମୀୟ ଭାବନାରେ କଳାଦାଗ ଲଗାଇ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥରେ ଗୁରୁବାର ମଧ୍ୟାହ୍ନରେ ଲାଲ ବସ୍ତ୍ର ପିନ୍ଧି, ଭଷ୍ମ, ସିନ୍ଦୂର, କଜଳ ଲଗାଇ, ସାଧୁ ବେଶରେ ୩ଜଣ ଭଣ୍ଡ ବାବା କାର ଅଟକାଇ ଯାତ୍ରୀଙ୍କଠାରୁ ୩୦ ହଜାର ଟଙ୍କା ଲୁଟି ନେବାରେ ସକ୍ଷମ ହୋଇଛନ୍ତି। ପିପିଲିରୁ ଘରକୁ ଫେରୁଥିବା ସୌମ୍ୟରଞ୍ଜନ ସାହୁ ତାଙ୍କ ବାପା ଲକ୍ଷ୍ମୀଧର ସାହୁ ଓ ସମ୍ପର୍କୀୟ ଭାଇ ଆଶିଷ ସୁବୁଦ୍ଧି କାରରେ ବ୍ରହ୍ମଗିରି ଥାନା ଅନ୍ତର୍ଗତ ଅଗରପୁରକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଛି।
ସାଧୁମାନେ ଦାନ ଆଶାରେ କାର ଅଟକାଉଛନ୍ତି ଭାବି ସେମାନେ ସେଠାରେ କାର ରଖି ସାଧୁମାନଙ୍କୁ ପ୍ରଣାମ କରି ପର୍ସରୁ କାଢି ୨୦ ଟଙ୍କା ଦେଇଥିଲେ। ମାତ୍ର ହିନ୍ଦୀ ଭାଷାରେ ସାଧୁମାନେ ଆମେ ନେବା ପାଇଁ ଆସିନାହୁଁ ବଂର ଦେବାପାଇଁ ଆସିଛୁ ବୋଲି କହି ପାଖରେ ରଖିଥିବା ଏକ ମୁଣିରୁ କିଛି ଭଷ୍ମ, ଫୁଲ ବାହାର କରି ଏହା ପର୍ସ ଭିତରେ ରଖିଲେ ଧନ ବୃଦ୍ଧି ହେବ ବୋଲି କହିଥିଲେ। ଦୁଇଜଣ ସାଧୁ ସୌମ୍ୟରଞ୍ଜନ ଓ ତାଙ୍କ ବାପାଙ୍କ ପର୍ସ ଭିତରେ ହାତ ପୁରାଇ ଟଙ୍କା ଓ ଭଷ୍ମ ଭର୍ତ୍ତି କରିବା ବାହାନାରେ ୩୦ ହଜାର ଟଙ୍କା ଝାମ୍ପି ନେଇଥିଲେ।
ସୌମ୍ୟରଞ୍ଜନ ଓ ତାଙ୍କ ଭାଇ ପାଟି କରି ପିଛା କରିବାରୁ ସେମାନେ ଧମକ ଦେଇଥିଲେ। ଜଣେ ସାଧୁ ଏକ ବାଇକ୍ରେ ବସି ପଳାଇ ଥିବା ବେଳେ ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ସାଧୁ ରଞ୍ଜନଙ୍କୁ ଲୋକେ କାବୁ କରିନେଇଥିଲେ। ହେଲେ ଅନ୍ୟ ଜଣେ ଦୌଡି ପଳାଇଥିବା ଜଣାପଡିଛି।
ଏନେଇ ସୌମ୍ୟରଞ୍ଜନ ତୁରନ୍ତ ୧୦୨କୁ ଫୋନ କରିଥିଲେ। ମୌମ୍ୟରଞ୍ଜନଙ୍କ ଅଭିଯୋଗକୁ ଭିତ୍ତି କରି ସତ୍ୟବାଦୀ ଥାନାରେ ଏକ ମାମଲା(ନଂ୧୮୮/୨୦୨୫) ରୁଜୁ ହୋଇଛି। ପୋଲିସ ଅଭିଯୁକ୍ତ ସାଧୁ ରଞ୍ଜନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଆଇଆଇସି ବିଜୟ କେତନ ବେହେରା କହିଛନ୍ତି।