
ବ୍ରାହ୍ମଣୀଗାଁ, ୧୨/୬ (ମନୋରଞ୍ଜନ ରଣା): ଅନ୍ଧାରରେ ବ୍ରାହ୍ମଣୀଗାଁ ମୁଖ୍ୟ ବଜାର । ଲଗାଯାଉ ନାହିଁ ଷ୍ଟିଟ ଲାଇଟ। ଆଜିକୁ ପ୍ରାୟ ବର୍ଷେ ହେଲେ ରାସ୍ତା ମଝିରେ ଥିବା ବିଦ୍ୟୁତ୍ ଖୁଣ୍ଟଗୁଡ଼ିକୁ ରାସ୍ତା ସମ୍ପ୍ରସାରଣ କରିବାପାଇଁ ଖୁଣ୍ଟ ଘୁଞ୍ଚା ଯାଇଥିଲା। ପରେ ରାସ୍ତା କଡ଼ରେ ନୂତନ ବିଦ୍ୟୁତ୍ ଖୁଣ୍ଟ ଲଗାଯାଇଥିଲା। ହେଲେ ବର୍ତ୍ତମାନ ସୁଦ୍ଧା ଷ୍ଟିଟ ଲାଇଟ୍ ଲଗାଯାଇ ନ ଥିବାରୁ ରାତି ହେଲେ ରାସ୍ତା ଅନ୍ଧାର ହୋଇଯାଉଛି।
ରାତିରେ କୌଣସି ଜରୁରୀ କାମ ପଡ଼ିଲେ ଲୋକେ ଯିବା ଆସିବା ସମୟରେ ଅଘଟଣର ସମ୍ମୁଖୀନ ହେବାର ପରିଲକ୍ଷିତ ହେଉଛି। ବର୍ଷେ ବିତିଯାଇଥିଲେ ସୁଦ୍ଧା ଷ୍ଟିଟ ଲାଇଟ ଲଗାଯାଇ ନ ଥିବା ଏବେ ସାଧାରଣରେ ପ୍ରଶ୍ନ ଉଠୁଛି। ଅନ୍ଧକାର ଯୋଗୁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ଲକ ପ୍ରଶାସନ ତୁରନ୍ତ ବ୍ରାହ୍ମଣୀଗାଁ ମୁଖ୍ୟ ବଜାରର ବିଦ୍ୟୁତ୍ ଖୁଣ୍ଟିରେ ଷ୍ଟିଟ ଲାଇଟ ଲଗାଇବାକୁ ସାଧାରଣରେ ଦାବି ହେଉଛି।