କଟକ ସଦର,୨୬ା୧୧(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ଅନ୍ତର୍ଗତ ଗତି ରାଉତ ପାଟଣା ସରପଞ୍ଚଙ୍କ ଘର ଉପରକୁ ମଙ୍ଗଳବାର ରାତିରେ ବୋମାମାଡ଼ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଭିତ୍ତିକରି କନ୍ଦରପୁର ଥାନାରେ ୨୫୮/୨୦୨୬ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି।
ଘଟଣାରୁ ପ୍ରକାଶ, ମଙ୍ଗଳବାର ରାତିରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ମହିଳା ସରପଞ୍ଚ ସୋନାଲି ପ୍ରଧାନଙ୍କ ଘର ଉପରକୁ ଲକ୍ଷ୍ୟ କରି ବୋମା ଫିଙ୍ଗିଥିବା କଥା ଏତଲାରେ ଦର୍ଶାଯାଇଛି। ପୂର୍ବ ଶତ୍ରୁତାକୁ ନେଇ ଏହି ଘଟଣା ଘଟିଥିବା କୁହାଯାଉଛି। ଏପରିକି ଦୁର୍ବୃତ୍ତମାନଙ୍କର ଫଟୋ ସିସିଟିଭିରେ ରହିଛି। ବାଣ ଫୁଟାଇବାର ଦିନ ନ ଥିଲେ ସୁଦ୍ଧା ବାଇକରେ ଆସି ବୋମା ଫିଙ୍ଗି ଅନ୍ୟତ୍ର ପଳାଇଥିବା ଘଟଣାର ରହସ୍ୟ ଖୋଲିବା ପାଇଁ ସରପଞ୍ଚ ପ୍ରଧାନ ପୋଲିସକୁ ଅନୁରୋଧ କରିଛନ୍ତି। ନଚେତ୍ ଥାନା ସମ୍ମୁଖରେ ଆତ୍ମାହୁତି ଦେବା ପାଇଁ ପୋଲିସକୁ ସତର୍କ କରାଇ ଦେଇଛନ୍ତି। ଏପରିକି ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ଆସିବାବେଳେ ପୋଲିସ ସୁରକ୍ଷା ଯୋଗାଇ ଦେବା ପାଇଁ ମଧ୍ୟ ସେ ଅନୁରୋଧ କରିଛନ୍ତି।

