ନୂଆଦିଲ୍ଲୀ,୧୦ା୯: ଗତ ୫ଟି ରାଜ୍ୟ ବିଧାନସଭା ନିର୍ବାଚନ ବେଳେ ଭାଜପାର କେନ୍ଦ୍ରୀୟ ମୁଖ୍ୟାଳୟ ପାଖାପାଖି ୧,୪୭୩ କୋଟି ଟଙ୍କା ଚାନ୍ଦା ପାଇଛି, ଯାହାକି କଂଗ୍ରେସର କେନ୍ଦ୍ରୀୟ ଏବଂ ରାଜ୍ୟ ଶାଖା ଉକ୍ତ ସମୟରେ ପାଇଥିବା ମୋଟ ଚାନ୍ଦା ୨୦୭ କୋଟି ଟଙ୍କାର ୭ ଗୁଣରୁ ଅଧିକ। ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ବ୍ୟୟ ବିବରଣୀରୁ ଏହା ଜଣାପଡ଼ିଛି।
ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ପଣ୍ଡିଚେରୀ ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ୨୦୭.୧୭ କୋଟି ଟଙ୍କା ଚାନ୍ଦା ପାଇଥିବାବେଳେ ମାର୍ଚ୍ଚ ୧୫ରୁ ମେ’ ୬ ନିର୍ବାଚନ ସମୟରେ ମୋଟ ୨୪୮.୫୫ କୋଟି ଟଙ୍କା ବ୍ୟୟ କରିଥିବା ରିପୋର୍ଟରେ ଦର୍ଶାଇଥିଲା। ଅନ୍ୟପକ୍ଷରେ ଉକ୍ତ ସମୟ ମଧ୍ୟରେ ଭାଜପାର କେବଳ କେନ୍ଦ୍ରୀୟ ମୁଖ୍ୟାଳୟ ୧,୪୭୨.୮ କୋଟି ଟଙ୍କା ଚାନ୍ଦା ପାଇଛି। ଦଳ କେରଳ ଏବଂ ପଶ୍ଚିମବଙ୍ଗରେ କରିଥିବା ନିର୍ବାଚନ ଖର୍ଚ୍ଚ ସମ୍ପର୍କରେ ଏପର୍ଯ୍ୟନ୍ତ ରିପୋର୍ଟ ଦେଇନାହିଁ। ତେଣୁ ଭାଜପା ପାଇଥିବା ମୋଟ ଚାନ୍ଦା ପରିମାଣ ଏହାଠାରୁ ଅଧିକ ହୋଇପାରେ। ଗତ ମାର୍ଚ୍ଚ ୧୫ରେ ଭାଜପା କେନ୍ଦ୍ରୀୟ ମୁଖ୍ୟାଳୟରେ ଥିବା ମୋଟ ପାଣ୍ଠି ପରିମାଣ ୬,୭୨୨.୬ କୋଟି ହୋଇଥିବାବେଳେ ମେ’ ୬ରେ ଏହା ୭,୬୨୭.୨ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଅର୍ଥାତ୍ ନିର୍ବାଚନ ସମୟ ମଧ୍ୟରେ ଦଳର ପାଣ୍ଠି ୯୦୪.୬ କୋଟି ଟଙ୍କା ବଢ଼ିଥିଲା। ଅନ୍ୟପକ୍ଷରେ ଉକ୍ତ ସମୟରେ କଂଗ୍ରେସର ପାଣ୍ଠି ପରିମାଣ ହ୍ରାସ ପାଇଥିଲା। ଦଳର ମୁଖ୍ୟାଳୟ ଓ ୫ ରାଜ୍ୟ ଶାଖାରେ ନିର୍ବାଚନ ଆରମ୍ଭ ସମୟରେ ନଗଦ ୨୨.୯ କୋଟି ଏବଂ ବ୍ୟାଙ୍କ ଆକାଉଣ୍ଟରେ ୧୪୬.୧ କୋଟି, ଏପରି ମୋଟ ୧୬୯.୦୬ କୋଟି ଟଙ୍କା ଥିଲା। ତେବେ ନିର୍ବାଚନ ଶେଷରେ ତାହା ୬୫.୮୬ କୋଟି ହ୍ରାସ ପାଇ ୧୦୩.୨ କୋଟି ଟଙ୍କାରେ ପହଞ୍ଚତ୍ଥିଲା।
ବର୍ତ୍ତମାନ ସୁଦ୍ଧା ମିଳିଥିବା ଭାଜପାର ବ୍ୟୟ ବିବରଣୀ ଅନୁଯାୟୀ, ଏହା ଆସାମ, ତାମିଲନାଡୁ ଓ ପଣ୍ଡିଚେରୀରେ ୧୫୯.୭ କୋଟି ଟଙ୍କା ବ୍ୟୟ କରିଛି। ସେଥିରୁ ୧୩୦. ୪ କୋଟି ଦଳୀୟ ପ୍ରଚାର ପାଇଁ ଏବଂ ଅବଶିଷ୍ଟ ଅର୍ଥ ପ୍ରାର୍ଥୀମାନଙ୍କ ପାଖକୁ ଓ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ଦିଆଯାଇଥିଲା। ଆସାମରେ ଭାଜପା ସର୍ବାଧିକ ୯୬.୨୭ କୋଟି ଟଙ୍କା ବ୍ୟୟ କରିଥିଲା। ସେଥିରୁ ଦଳର ପ୍ରଚାର ପାଇଁ ୭୬.୭୩ କୋଟି ଏବଂ ପ୍ରାର୍ଥୀମାନଙ୍କୁ ୧୯.୫୪ କୋଟି ଟଙ୍କା ଦିଆଯାଇଥିଲା। ପ୍ରଚାର ଖର୍ଚ୍ଚରୁ ବିଜ୍ଞାପନ, ତାରକା ପ୍ରଚାରକମାନଙ୍କ ଗସ୍ତ ବାବଦରେ ଯଥାକ୍ରମେ ୩୭ କୋଟି ଓ ୨୭.୩ କୋଟି ବ୍ୟୟ ହୋଇଥିଲା। ସେହିପରି ତାମିଲନାଡୁରେ ଭାଜପା ୫୧.୫୬ କୋଟି ବ୍ୟୟ କରିଥିଲା। ସେଥିରୁ ସାଧାରଣ ପ୍ରଚାର
ବାବଦରେ ୪୪.୫୧ କୋଟି ବ୍ୟୟ ହୋଇଥିବାବେଳେ ଦଳୀୟ ପ୍ରାର୍ଥୀମାନଙ୍କୁ ୭.୦୫ କୋଟି ଟଙ୍କା ଦିଆଯାଇଥିଲା। ପ୍ରଚାର ଖର୍ଚ୍ଚରୁ ଗଣମାଧ୍ୟମ ବିଜ୍ଞାପନ ବାବଦରେ ୨୩.୯୬ କୋଟି, ଷ୍ଟାର ପ୍ରଚାରକଙ୍କ ଗସ୍ତ ଖର୍ଚ୍ଚ ୧୦.୦୪ କୋଟି ଏବଂ ପ୍ରଚାର ସାମଗ୍ରୀ ବାବଦରେ ୫.୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ସେହିପରି ପଣ୍ଡିଚେରୀରେ ଭାଜପା ୧୧.୯୦ କୋଟି ଖର୍ଚ୍ଚ କରିଥିଲା। ସେଥିରୁ ପ୍ରଚାର ପାଇଁ ୯.୧୯ କୋଟି ବ୍ୟୟ ହୋଇଥିବାବେଳେ ପ୍ରାର୍ଥୀମାନଙ୍କୁ ୨.୭୧ କୋଟି ଟଙ୍କା ଦିଆଯାଇଥିଲା।
କଂଗ୍ରେସ ୫ ରାଜ୍ୟରେ ସାଧାରଣ ଦଳୀୟ ପ୍ରଚାରରେ ୧୪୩ କୋଟି ଖର୍ଚ୍ଚ କରିଥିବାବେଳେ ପ୍ରାର୍ଥୀମାନଙ୍କୁ ୧୦୫.୫୫ କୋଟି ଟଙ୍କା ଦେଇଥିଲା। ଏଭଳି କଂଗ୍ରେସ ମୋଟ ୨୪୮.୫୫ କୋଟି ଟଙ୍କା ନିର୍ବାଚନରେ ବ୍ୟୟ କରିଥିଲା। କଂଗ୍ରେସ ମୁଖ୍ୟାଳୟ ୫ ରାଜ୍ୟରେ ସାଧାରଣ ପ୍ରଚାର ପାଇଁ ୪୦.୫୨ କୋଟି ଖର୍ଚ୍ଚ କରିଥିବାବେଳେ ଏହାର ରାଜ୍ୟ ଓ ସ୍ଥାନୀୟ ଶାଖାଗୁଡ଼ିକ ମୋଟ ୧୦୨.୪୯ କୋଟି ଟଙ୍କା ବ୍ୟୟ କରିଥିଲେ। କେରଳରେ କଂଗ୍ରେସ ସର୍ବାଧିକ ୫୯.୨୮ କୋଟି ଏବଂ ଆସାମରେ ୨୨.୬୨ କୋଟି ଟଙ୍କା ବ୍ୟୟ କରିଥିଲା।

