ନୂଆଦିଲ୍ଲୀ,୧୨।୧୧: ବ୍ୟାଟ୍ରୁ ବର୍ଷିଲା ଛକା ଓ ଚୌକା। ଗୋଟିଏ ଇନିଂସରେ ୨୧ଟି ଛକା ମାରି ନୂଆ ରେକର୍ଡ କରିଛନ୍ତି ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟର ବେଭନ୍ ଜାକବ୍ସ । ଫୋର୍ଡ ଟ୍ରଫିରେ ଅକଲାଣ୍ଡ ଏସେସ୍ ପକ୍ଷରୁ ଖେଳୁଥିବା ଜାକବ୍ସ ଓଟାଗୋ ଭୋଲ୍ଟସ୍ ବିପକ୍ଷରେ ଏହି ଦମଦାର ଇନିଂସ ଖେଳିଛନ୍ତି ।
ଜାକବ୍ସ ମାତ୍ର ୧୩୭ଟି ବଲ୍ରୁ ୭ଟି ଚୌକା ଓ ୨୧ଟି ଛକା ସହାୟତାରେ ଅପରାଜିତ ୨୦୨ ରନ୍ କରିଥିଲେ। ଏହି ପ୍ରଦର୍ଶନ ସହ ସେ ନ୍ୟୁଜିଲାଣ୍ଡ ପକ୍ଷରୁ ଲିଷ୍ଟ-ଏ କ୍ରିକେଟ୍ର ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାର ରେକର୍ଡ ନିଜ ନାଁରେ କରିଛନ୍ତି। ଲିଷ୍ଟ-ଏ କ୍ରିକେଟ୍ର ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାର ବିଶ୍ୱ ରେକର୍ଡ ଅଷ୍ଟ୍ରେଲିଆର ଡିଆର୍କି ଶଟ୍ଙ୍କ ନାଁରେ ରହିଛି। ସେ ଗୋଟିଏ ଇନିଂସରେ ୨୩ଟି ଛକା ମାରିଥିଲେ। ତେବେ ୨୧ଟି ଛକା ମାରିଥିବା ଜାକବ୍ସ ଏହି ବିଶ୍ୱ ରେକର୍ଡଠାରୁ ମାତ୍ର ୩ଟି ଛକା ପଛରେ ରହିଗଲେ।
ଅନ୍ୟପକ୍ଷରେ, ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍ର ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାର ରେକର୍ଡ ଇଂଲଣ୍ଡର ପୂର୍ବତନ ଖେଳାଳି ଇଅନ୍ ମୋର୍ଗାନଙ୍କ ନାଁରେ ରହିଛି। ୨୦୧୯ରେ ଆଫଗାନିସ୍ତାନ ବିପକ୍ଷରେ ସେ ୧୭ଟି ଛକା ମାରିଥିଲେ। ଏହି ତାଲିକାରେ ଭାରତର ରୋହିତ ଶର୍ମା ୧୬ଟି ଛକା ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହି କୀର୍ତ୍ତିମାନ କରିଥିଲେ।
ଜାକବ୍ସଙ୍କ ଅପରାଜିତ ଦ୍ୱିଶତକ ସତ୍ତ୍ୱେ ଅକଲାଣ୍ଡ ଏସେସ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ପ୍ରଥମେ ବ୍ୟାଟିଂ କରି ଅକଲାଣ୍ଡ ଦଳ ୫୦ ଓଭରରେ ୮ ୱିକେଟ୍ ହରାଇ ୩୩୪ ରନ୍ କରିଥିଲା। ଜାକବ୍ସଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ୫୦ ରନ୍ର ସଂଖ୍ୟା ଛୁଇଁ ପାରିନଥିଲେ।

