ପ୍ଲାଷ୍ଟିକ୍‌ ଖାଉଛି ଭାଲୁ

ଇ-କମର୍ସ କମ୍ପାନୀ ଆମାଜନ ପକ୍ଷରୁ ପ୍ଲାଷ୍ଟିକ୍‌ ବର୍ଜ୍ୟ ଯେତିକି ସୃଷ୍ଟି କରାଯାଇଛି, ତାହା ପୃଥିବୀକୁ ୮୦୦ ଥର ବୁଲିପାରିବ ବୋଲି ଏନଭାଇରନମେଣ୍ଟ ଗ୍ରୁପ ‘ଓସେନା’ ପକ୍ଷରୁ କୁହାଯାଇଛି। ଏହା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। କେବଳ ଯେ ଆମାଜନ ଏହି ସମୟରେ ଏକାକୀ ୧୮ ପ୍ରତିଶତ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ବ୍ୟବହାର କରିଛି ତାହା ନୁହେଁ, ତତ୍‌ସହିତ ପୃଥିବୀବ୍ୟାପୀ ଛୋଟ ବଡ଼ ସବୁ ବ୍ୟବସାୟ ଆହୁରି ଅଧିକ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ ସାମଗ୍ରୀ ବ୍ୟବହାର କରିଚାଲିଛନ୍ତି। ଏଭଳି ସ୍ଥିତିରେ ହିମାଳୟରେ ଘଟୁଥିବା ପ୍ଲାଷ୍ଟିକ୍‌ ଜନିତ ବର୍ଜ୍ୟକୁ ଦେଖାଯିବା ଦରକାର। ପ୍ଲାଷ୍ଟିକ୍‌ ବର୍ଜ୍ୟ ଜନିତ ପ୍ରଦୂଷଣ ଯୋଗୁ ହିମାଳୟର ଦୁର୍ଲ୍ଲଭ ଓଷଧୀୟ ଗଛ ଓ ବହୁ ଜୀବ ବିଲୁପ୍ତିପ୍ରାୟ। ଏମାନଙ୍କ ମଧ୍ୟରେ କଶ୍ମୀରର ବିରଳ ବୃହତ୍‌ ସ୍ତନ୍ୟପାୟୀ ଧୂସର ଭାଲୁ ଅନ୍ୟତମ। ବାସସ୍ଥାନ ଓ ଖାଦ୍ୟାଭାବ ସହ ପର୍ଯ୍ୟଟନଜନିତ ପ୍ରଦୂଷଣ ଯୋଗୁ ସେମାନଙ୍କ ଜୀବନ ବିପଦରେ। ଆକଳନରୁ ଜଣାପଡ଼ିଛି ଯେ, ହିମାଳୟ ଅଞ୍ଚଳରେ ମୋଟ ୫୦୦ରୁ ୭୫୦ ଧୂସର ଭାଲୁ ରହିଛନ୍ତି। ଇଣ୍ଟର ନ୍ୟାଶନାଲ ୟୁନିୟନ୍‌ ଫର୍‌ କଞ୍ଜରଭେଶନ ଅଫ୍‌ ନେଚର(ଆଇୟୁସିଏନ୍‌) ରେଡ୍‌ ଲିଷ୍ଟରେ ଉକ୍ତ ଧୂସର ଭାଲୁକୁୁ ସବୁଠୁ ବିପଦରେ ଥିବା ପ୍ରାଣୀ ଭାବେ ସ୍ଥାନିତ କରାଯାଇଛି। ନିକଟରେ ଜମ୍ମୁ-କଶ୍ମୀର ବନ୍ୟଜନ୍ତୁ ସୁରକ୍ଷା ବିଭାଗ ଓ ଓ୍ବାଇଲ୍ଡଲାଇଫ୍‌ ଏସ୍‌ଓଏସ୍‌ ନାମକ ବେସରକାରୀ ସଂସ୍ଥା ଦ୍ୱାରା କରାଯାଇଥିବା ସର୍ଭେରୁ ଜଣାପଡ଼ିଛି, ଏମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବାରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ମୁଖ୍ୟ ଭୂମିକା ନେଉଛି। । ଧୂସର ଭାଲୁ ପ୍ଲାଷ୍ଟିକ ବର୍ଜ୍ୟ ଓ ପିଙ୍ଗି ଦିଆଯାଉଥିବା ଖାଦ୍ୟ ଖାଉଛନ୍ତି । ଜଣାପଡ଼ିଛି ଯେ,ଏହି ଭାଲୁ ବର୍ଜ୍ୟଗଦାଗୁଡ଼ିକରୁ ୭୫% ଖାଦ୍ୟ ସଂଗ୍ରହ କରୁଛନ୍ତି। ଗବେଷକମାନେ ସେମାନଙ୍କ ମଳ ପରୀକ୍ଷା କରିବା ପରେ ସେଥିରେ ପ୍ଲାଷ୍ଟିକ୍‌ କ୍ୟାରିବ୍ୟାଗ, ମିଲ୍କ ପାଉଡର ଏବଂ ଚକୋଲେଟ ଖୋଳ ପାଇଛନ୍ତି। ଏପରି କି କିଛି ସାମ୍ପୁଲ୍‌ରେ କାଚ ଅବଶେଷାଂଶ ମିଳିଛି। ରିପୋର୍ଟରେ କୁହାଯାଇଛି ଯେ ଏହି ବର୍ଜ୍ୟ ସହ ବଳକା ବିରିଆନି ଖାଇବା ଦ୍ୱାରା ଭାଲୁ ବିଭିନ୍ନ ରୋଗରେ ପଡ଼ୁଛନ୍ତି ଓ ସେମାନଙ୍କ ଆୟୁଷ କମିଯାଉଛି। ଏପରି କି ଏହାର ପ୍ରଭାବ ମା’ଭାଲୁଠାରୁ ସେମାନଙ୍କ ଛୁଆକୁ ଯାଉଛି। ଉକ୍ତ ଗବେଷଣାରେ ଜଡ଼ିତ ବରିଷ୍ଠ ଜୀବ ବିଜ୍ଞାନୀ ସ୍ବାମୀନାଥନ ଏସ୍‌ କହିଛନ୍ତି ଯେ, ସେମାନେ କଅଁଳିଆ ଗଛପତ୍ର, କୀଟ ଏବଂ ଛୋଟ ମେରୁଦଣ୍ଡୀ ପ୍ରାଣୀଙ୍କୁ ଖାଇବା ବଦଳରେ ବର୍ଜ୍ୟରୁ ଉଚ୍ଚ କ୍ୟାଲୋରିଯୁକ୍ତ ଖାଦ୍ୟ ପ୍ରତି ଅତ୍ୟଧିକ ଆକୃଷ୍ଟ ହୋଇଛନ୍ତି।
ବିଗତ ଦୁଇ ଦଶନ୍ଧି ହେଲା ହିମାଳୟ ଅଞ୍ଚଳରେ ବର୍ଜ୍ୟଜନିତ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହା ମଧ୍ୟରେ ସବୁଠୁ ବେଶି ଭାଗ ହେଉଛି ପ୍ଲାଷ୍ଟିକ୍‌ ବର୍ଜ୍ୟ। ଏକ ଆକଳନରୁ ଜଣାପଡ଼ିଛି ଯେ, ହିମାଳୟ ଅଞ୍ଚଳର ୧୦ଟି ରାଜ୍ୟର ପର୍ଯ୍ୟଟନ ଯୋଗୁ ପ୍ରତିବର୍ଷ ୮ମିଲିୟନ ଟନ୍‌ ବର୍ଜ୍ୟ ସୃଷ୍ଟି ହେଉଛି। ୨୦୧୮ରେ ନୀତି ଆୟୋଗ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ସେହିବର୍ଷରେ ହିମାଳୟ ଅଞ୍ଚଳକୁ ୧୦୦ ମିଲିୟନ ପର୍ଯ୍ୟଟକ ଯାଉଥିଲାବେଳେ ୨୦୨୫ ସୁଦ୍ଧା ଏହି ସଂଖ୍ୟା ୨୪୦ ମିଲିୟନକୁ ଛୁଇଁବ। ସେଥିପାଇଁ ଗ୍ରୀନ୍‌ ସେସ୍‌ ଲାଗୁ କରିବାକୁ ପ୍ରସ୍ତାବ ରଖିଥିଲା। ଭାରତରେ ପ୍ରତିଦିନ ୨୫,୦୦୦ ଟନ୍‌ରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ବାହାରୁଛି। କୁହାଯାଉଛି ୪୦ ପ୍ରତିିଶତ ସଂଗ୍ରହ ହୋଇ ନ ପାରି ପାଣି ଓ ସ୍ଥଳ ଭାଗରେ ପଡ଼ିରହୁଛି। କିନ୍ତୁ ବାସ୍ତବରେ ହୁଏତ ଯଥେଷ୍ଟ ପ୍ରତିଶତ ଅଧିକ ବର୍ଜ୍ୟ ଏହିଭଳି ପଡ଼ିରହୁଛି। ଧୂସର ଭାଲୁଙ୍କ ପରି ଏହାକୁ ପକ୍ଷୀଠାରୁ ଆରମ୍ଭକରି ଗୋରୁ ଖାଇ ରୋଗରେ ପଡ଼ୁଛନ୍ତି ଓ ଏହାଯୋଗୁ ସେମାନଙ୍କର ମୃତ୍ୟୁ ହେଉଛି। କେବଳ ସ୍ଥଳଭାଗ ନୁହେଁ, ଜଳଭାଗରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ଜଳଜୀବଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ବିଶ୍ୱରେ ସମୁଦ୍ରରେ ମିଶୁଥିବା ସମସ୍ତ ବର୍ଜ୍ୟର ୮୦ ଭାଗ ହେଉଛି ପ୍ଲାଷ୍ଟିକ୍‌। ଜାତିସଂଘ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଅତି କମ୍‌ରେ ୮୦୦ ପ୍ରଜାତିର ଜଳଚର ଜୀବ ପ୍ଲାଷ୍ଟିକ ବର୍ଜ୍ୟ ଦ୍ୱାରା ପ୍ରଭାବିତ ହେଉଛନ୍ତି। ଅଗଷ୍ଟ ୨୦୨୧ରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବ୍ୟବହାର ଉପରେ ଅଣାଯାଇଥିବା ଆଇନକୁ ୨୦୨୨ରେ ଲାଗୁ କରିଥିଲେ। ଏଥିରୁ ବୁଝାପଡ଼ୁଛି ଯେ, ଆଇନ କରିଦେବା ସହଜ, କିନ୍ତୁ ସରକାରଙ୍କର ଆନ୍ତରିକତା ଅଭାବ ଥିବାରୁ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ସାମଗ୍ରୀର କାରଖାନାଗୁଡ଼ିକୁ ବନ୍ଦ କରାଯାଉ ନାହିଁ। ପ୍ଲାଷ୍ଟିକ ବିକଳ୍ପ ବ୍ୟବହାର ପାଇଁ କନା ହେଉ କି କାଗଜ କିମ୍ବା ଝୋଟ ନିର୍ମିତ ଜିନିଷ ପ୍ରସ୍ତୁତ କରିବା ସମୟସାପେକ୍ଷ। ଅନ୍ୟପକ୍ଷରେ ବିକଳ୍ପ ଭାବେ ମାଟିରେ ମିଶିପାରୁଥିବା ବିଘଟନଯୋଗ୍ୟ ପ୍ଲାଷ୍ଟିକ୍‌ ଗ୍ରହଣ କରାଯାଇପାରିବ ନାହିଁ, କାରଣ ଏହାର ବିଘଟନ ପ୍ରକ୍ରିୟାରେ ଅଧିକ ମିଥେନ ଗ୍ୟାସ୍‌ ନିର୍ଗମନ ହୋଇଥାଏ। ଏହାସହ ପ୍ଲାଷ୍ଟିକ୍‌ କ୍ଷେତ୍ରରେ ନିଯୁକ୍ତ ପାଖାପାଖି ୫ ଲକ୍ଷ ଲୋକ ଚାକିରି ହରାଇବା ପରେ ସେମାନଙ୍କ ପାଇଁ ବିକଳ୍ପ ରୋଜଗାର ସୃଷ୍ଟି କରିବା ଦରକାର। ଏଣୁ କେବଳ ସରକାରୀ ଆଇନ ନୁହେଁ, ବରଂ ଲୋକେ ପ୍ଲାଷ୍ଟିକ ବର୍ଜ୍ୟର କ୍ଷତିକାରକ ପ୍ରଭାବକୁ ଅନୁଭବ କରିବା ସହ ସଚେତନ ହୋଇପାରିଲେ ସଙ୍କଟରେ ଥିବା ଧୂସର ଭାଲୁ ଭଳି ବହୁ ପ୍ରଜାତିର ଜୀବଜନ୍ତୁଙ୍କ ଜୀବନ ରକ୍ଷା କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri