ବ୍ୟାଙ୍କ ଋଣ ଫେରସ୍ତ ମିଳିବ ତ

କିଶୋର ଜେନା

ବ୍ୟାଙ୍କରୁ ନେଇଥିବା ୨୨ ହଜାର କୋଟି ଟଙ୍କାର ଋଣ ପରିଶୋଧ କଲେ ନାହିଁ ବିଗ୍‌ବଜାର, ବ୍ୟାଣ୍ଡ ଫ୍ୟାକ୍ଟ୍ରି, ପାଣ୍ଟାଲୁନ୍‌ର ମାଲିକ କିଶୋର ଭିୟାନୀ। ବ୍ୟାଙ୍କର ୧୨ ହଜାର କୋଟି ଟଙ୍କାର ଋଣ ଥିଲା, ତାହା ପରିଶୋଧ କରି ନ ପାରି ଭିଡିଓକନ ମାଲିକ ବେଣୁଗୋପାଳ ଧୂତ ଜେଲକୁ ଗଲେ। ବ୍ୟାଙ୍କର ଟଙ୍କା ପରିଶୋଧ କରି ନ ପାରି ନିଜକୁ କାର୍ଯ୍ୟତଃ ଦେବାଳିଆ ଘୋଷଣା କରିଥିଲେ ଫ୍ରାନ୍ସରୁ ଆସିଥିବା ଯୁଦ୍ଧବିମାନ ରାଫେଲ ଡିଲ୍‌ର ଅନ୍ୟତମ ଅଂଶୀଦାର ଅନିଲ ଅମ୍ବାନୀ। ବଡ଼ଭାଇ ମୁକେଶ ଯଦି ଶେଷ ମୁହୂର୍ତ୍ତରେ କେଇ ହଜାର କୋଟି ଟଙ୍କା ଅଦାଲତ ମାଧ୍ୟମରେ ଜମା କରି ନ ଥାନ୍ତେ, ତା’ ହେଲେ ଆଜି ଅନିଲ ଅମ୍ବାନୀ ଜେଲରେ ରହିଥାଆନ୍ତେ। ବ୍ୟାଙ୍କର କେଇ ହଜାର କୋଟି ଟଙ୍କା ପରିଶୋଧ କରି ନ ପାରି ରୋଟମାକ୍‌ ପେନ୍‌ର ମାଲିକ ନିଜକୁ ଦେବାଳିଆ ଘୋଷଣା କରିଛନ୍ତି। ବିଜୟ ମାଲ୍ୟା, ମେହୁଲ ଚୋକ୍ସି, ନୀରବ ମୋଦି ତ ହଜାର ହଜାର କୋଟି ଟଙ୍କା ଠକି ଦେଶ ଛାଡ଼ି ପଳାଇ ବେଶ୍‌ ଅୟସରେ ବିଦେଶରେ ଦିନ କାଟୁଛନ୍ତି। ଆଉ କେନ୍ଦ୍ରର ମୋଦି ସରକାର ସେମାନଙ୍କୁ ଦେଶକୁ ଫେରାଇ ଆଣି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଏ ପର୍ଯ୍ୟନ୍ତ ସକ୍ଷମ ହୋଇପାରି ନାହାନ୍ତି। ଏହି ଋଣ ଟଙ୍କା ଉଦ୍ଧାର ହେବା ଏବେ ସନ୍ଦେହରେ। ଏଗୁଡ଼ିକ ନମୁନା ମାତ୍ର। ଏହି ପ୍ରତ୍ୟେକ କର୍ପୋରେଟ୍‌ ଶିଳ୍ପପତିଙ୍କୁ ସାରା ଦେଶ ଚିହ୍ନିଛି। ଗଣମାଧ୍ୟମରେ ସେମାନଙ୍କ ସମ୍ପର୍କରେ ବ୍ୟାପକ ପ୍ରଚାର ହୋଇଛି। ଏମାନେ ପ୍ରତ୍ୟେକଙ୍କର ସିଧାସଳଖ ଯେ କୌଣସି ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚତ୍ବାର କ୍ଷମତା ରହିଛି। କିନ୍ତୁ ଏମାନେ ଆମର ଟଙ୍କା, ଯାହା ଆମେ ନିଶ୍ଚିନ୍ତରେ ବ୍ୟାଙ୍କରେ ଜମା ରଖୁ, ସେହି ଟଙ୍କାର ବଡ଼ ଅଂଶକୁ ବ୍ୟବସାୟ କରିବେ ବୋଲି ଋଣ ଆକାରରେ ବ୍ୟାଙ୍କରୁ ନେଇ ଶୁଝୁ ନାହାନ୍ତି। ବ୍ୟାଙ୍କ ମଧ୍ୟ କିଛି କରିପାରୁ ନାହିଁ। ଅନାଦାୟ ଅଣ ଉପତ୍ାଦକ ସମ୍ପତ୍ତି ବା ନନ୍‌ ପରଫର୍ମିଂ ଆସେଟ୍‌ (ଏନ୍‌ପିଏ) ଦେଖାଇବା ଛଡ଼ା ଆଉ କିଛି କରୁ ନାହିଁ। ମୋଦିଙ୍କ ଶାସନ ଅମଳରେ ଗତ ୪ ବର୍ଷରେ ବ୍ୟାଙ୍କର ଜମାଫର୍ଦ୍ଦ ବା ବାଲାନ୍ସ ସିଟ୍‌କୁ ସଫା ରଖିବା ନାମରେ ସେହି କରଜ ୧୦ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଛାଡ଼ ଦେବାର ବ୍ୟବସ୍ଥା ହୋଇଛି।
ଆପଣ ଯେତେବେଳେ ଘର କରିବା ପାଇଁ ବ୍ୟାଙ୍କରୁ ଋଣ ନିଅନ୍ତି, ସେତେବେଳେ ଜମି ବା ଫ୍ଲାଟ୍‌ଟିକୁ ବନ୍ଧକ ରଖିବାକୁ ପଡ଼େ ବ୍ୟାଙ୍କ ପାଖରେ। ପୂରା ଟଙ୍କା ପରିଶୋଧ ହେଲେ ଯାଇ ସମ୍ପତ୍ତି ଫେରସ୍ତ ମିଳେ। ଗୋଟିଏ କିସ୍ତି ବା ଇଏମ୍‌ଆଇ ବାକି ରହିଗଲେ, ବ୍ୟାଙ୍କ ପକ୍ଷରୁ ତାଗିଦା ଆସେ। ସୁଧ ଉପରେ ତଣ୍ଡ ବା ପେନାଲ୍‌ଟି ଦେବାକୁ ପଡ଼େ। ଠିକ୍‌ ସମାନ ଭାବରେ ଏହି ବ୍ୟବସାୟୀମାନେ ଯେତେବେଳେ ହଜାର ହଜାର କୋଟି ଟଙ୍କା ଧାର ନିଅନ୍ତି, କମ୍ପାନୀର ଶେୟାର ଚଳିତ ବଜାର ମୂଲ୍ୟରେ ବନ୍ଧକ ସ୍ବରୂପ ଏକ ଅତିରିକ୍ତ ପାର୍ଶ୍ୱିକ ପ୍ରତିଭୂତି ବା କୋଲାଟେରାଲ ସିକ୍ୟୁରିଟି ହିସାବରେ ଜମା ରଖିବାକୁ ପଡ଼େ। ଯଦି କମ୍ପାନୀ ଟଙ୍କା ପରିଶୋଧ ନ କରିପାରେ, ତା’ହେଲେ ସେଗୁଡ଼ିକୁ ବ୍ୟାଙ୍କ ବିକ୍ରି କରି ବଜାରରୁ ଟଙ୍କା ଉଠାଇପାରେ। ଏହା ହିଁ ନିୟମ, ଠିକ୍‌ ଯେପରି ଆପଣ ଗୃହ ଋଣର କିସ୍ତି ଖିଲାପ କଲେ ବା ନ ଶୁଝିଲେ ଫ୍ଲାଟ୍‌ ବା ଘର ନିଲାମ କରି ବ୍ୟାଙ୍କ ଟଙ୍କା ଉଠାଇପାରେ।
ଆଦାନୀ ଗୋଷ୍ଠୀ ଜାଲିଆତି କରି ଗୋଟିଏ ଟଙ୍କା ବା ଦଶ ଟଙ୍କାର ଶେୟାରର ମୂଲ୍ୟକୁ ହଜାର ହଜାର ଟଙ୍କାକୁ ବଢ଼ାଇଥିଲା। ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ରିପୋର୍ଟ ପରେ ଆଦାନୀ ଗୋଷ୍ଠୀର ପ୍ରତ୍ୟେକ କମ୍ପାନୀର ଶେୟାର ମୂଲ୍ୟ ଖସିଯାଇଛି ଏବଂ ଆଦାନୀଙ୍କ ସମ୍ପତ୍ତି ୧୯ ଲକ୍ଷ କୋଟି ଟଙ୍କାରୁ ୯ ଲକ୍ଷ କୋଟି ଟଙ୍କାକୁ କମିଯାଇଛି ଗତ ଏକ ମାସ ମଧ୍ୟରେ। ଏଥିରୁ ଆଦାନୀଙ୍କ ଜାଲିଆତି ପରିଷ୍କାର ଭାବେ ପ୍ରକାଶ ପାଇଛି। ଆଗାମୀ ଦିନରେ ତାଙ୍କ କମ୍ପାନୀଗୁଡ଼ିକର ଶେୟାରର ମୂଲ୍ୟ ଆହୁରି କମିଯିବ। ଶେୟାରର ମୂଲ୍ୟ କମିବାରୁ ଭାରତୀୟ ଜୀବନ ବୀମା ନିଗମ ଆଦାନୀଙ୍କ କମ୍ପାନୀରେ ବିନିଯୋଗ କରିଥିବା ମୋଟ ଟଙ୍କାରୁ ଏବେ ସୁଦ୍ଧା ୫୦ ହଜାର କୋଟି ଟଙ୍କାର କ୍ଷତି କରିଛି।
ଗୌତମ ଆଦାନୀ ତାଙ୍କର ବିଭିନ୍ନ କମ୍ପାନୀ ପାଇଁ ଯେଉଁ ବିପୁଳ ପରିମାଣର ଋଣ ନେଇଛନ୍ତି, ତାହାର ମୋଟ ପରିମାଣ ୨ ଲକ୍ଷ ୨୦ହଜାର କୋଟି ଟଙ୍କା। ଏହା ମଧ୍ୟରୁ ଆମ ଦେଶର ବିଭିନ୍ନ ବ୍ୟାଙ୍କରୁ ଋଣ ନେଇଛନ୍ତି ୬୨ ହଜାର କୋଟି ଟଙ୍କା। ଦେଶର ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଯଥା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରୁ ୨୭ ହଜାର କୋଟି, ବ୍ୟାଙ୍କ ଅଫ୍‌ ବରୋଦାରୁ ୫,୩୮୦ କୋଟି, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ୭ହଜାର କୋଟି ଟଙ୍କା। ଅର୍ଥାତ୍‌ ଏହି ସମସ୍ତ ସରକାରୀ ବ୍ୟାଙ୍କରୁ ୪୦ ହଜାର କୋଟି ଟଙ୍କା ଋଣ ନେଇଛନ୍ତି। ଏହାଛଡ଼ା ଆଇସିଆଇସିଆଇ, ଆକ୍ସିସ୍‌ ବ୍ୟାଙ୍କ, କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ ଏବଂ ଅନ୍ୟ ବ୍ୟାଙ୍କ ମଧ୍ୟ ଋଣ ଦେଇଛନ୍ତି।
କିନ୍ତୁ ସମସ୍ୟା ହେଉଛି ଭିନ୍ନ ଧରଣର। ଯେଉଁ ଆଦାନୀ ଏଣ୍ଟରପ୍ରାଇଜର୍ସର ଶେୟାର ମୂଲ୍ୟ ପ୍ରାୟ ୪ହଜାର ଟଙ୍କା ଦର୍ଶାଇ ବ୍ୟାଙ୍କରୁ ଋଣ ନେଇଛନ୍ତି, ତାହା ଆଜି ୧୪ ଶହ ଟଙ୍କା ହୋଇଯାଇଛି। ଯେଉଁ ଆଦାନୀ ଗ୍ୟାସ୍‌ର ଶେୟାର ମୂଲ୍ୟ ୩ହଜାର ଟଙ୍କା ଦର୍ଶାଇ ଋଣ ନେଇଛନ୍ତି, ତାହାର ମୂଲ୍ୟ ଆଜି ୭୫୦ ଟଙ୍କା। ସମାନ ଅବସ୍ଥା ଅନ୍ୟ ଶେୟାରଗୁଡ଼ିକର ମୂଲ୍ୟ କ୍ଷେତ୍ରରେ। ଅର୍ଥାତ୍‌ ମୂଲ୍ୟ ପ୍ରାୟ ୭୦ ପ୍ରତିଶତ କମିଯାଇଛି। ଅର୍ଥାତ୍‌ ଆଦାନୀଙ୍କ ବିଭିନ୍ନ କମ୍ପାନୀ ଯଦି ଫେଲ୍‌ ହୋଇଯାଆନ୍ତି, ଯାହାର ସମ୍ଭାବନା ପ୍ରାୟ ୮୦ପ୍ରତିଶତ, ତା’ହେଲେ ଶେୟାର ବନ୍ଧକ ରଖିଥିବା ବ୍ୟାଙ୍କଗୁଡ଼ିକ ଶେୟାର ବିକ୍ରି କଲେ ମଧ୍ୟ ଋଣ ଟଙ୍କା ଉଠିବ ନାହିଁ, ଏହା ସ୍ପଷ୍ଟ। ଇତିମଧ୍ୟରେ ବିଦେଶୀ ବିନିଯୋଗକାରୀଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି ଯେ, ଆଦାନୀ ଗୋଷ୍ଠୀ ଶେୟାର ମୂଲ୍ୟରେ ଜାଲିଆତି ଓ ହେରାଫେରି କରିଥିବାରୁ ସେମାନଙ୍କ ଟଙ୍କା ଆଉ ଫେରସ୍ତ ମିଳିବ ନାହିଁ। ଏଣୁ ସେମାନେ ଟଙ୍କା ଫେରସ୍ତ ଚାହୁଁଛନ୍ତି। ଏଥିପାଇଁ ଚାପ ପ୍ରଦାନ କରୁଛନ୍ତି ଗୌତମ ଆଦାନୀଙ୍କ ଉପରେ। ନୂଆକରି ବିଦେଶରୁ ଟଙ୍କା ଉଠାଇ ପାରୁନାହାନ୍ତି ଆଦାନୀ। ଏକମାତ୍ର ଭରସା ଭାଇ ବିନୋଦ ଆଦାନୀଙ୍କ କଳାଟଙ୍କା ନିର୍ଭର ଅସ୍ତିତ୍ୱହୀନ (ସେଲ୍‌) କମ୍ପାନୀଗୁଡ଼ିକ ଉପରେ। ଯାହା ମରିସସ୍‌, ବ୍ରିଟିଶ ଭର୍ଜିନ ଆଇଲାଣ୍ଡ ବା କାରିବିୟାନ ଦେଶରେ ଚାଲିଛି ବା ଦୁବାଇର ଶେଖ୍‌ମାନଙ୍କ କଳା ଟଙ୍କା।
କିନ୍ତୁ ପ୍ରଶ୍ନ ହେଉଛି ଆମେ ସାଧାରଣ ଜନତା ଗୋଟିଏ ମାସିକ କିସ୍ତି ବା ଇଏମ୍‌ଆଇ ନ ଦେଇ ପାରିଲେ ବ୍ୟାଙ୍କ ପ୍ରାୟ ବେକରେ ଦଉଡ଼ି ଲଗାଇ ଟଙ୍କା ଆଦାୟ କରେ ଆଉ ଆଦାନୀଙ୍କ କ୍ଷେତ୍ରରେ ବ୍ୟାଙ୍କ ଅଫ୍‌ ବରୋଦାର ସିଏମ୍‌ଡି ସଞ୍ଜୀବ ଚଢ଼ାଙ୍କ ପରି କହିବେ, ଆବଶ୍ୟକ ହେଲେ ଆଦାନୀଙ୍କୁ ଆହୁରି ଟଙ୍କା ଧାର ଦେବୁ। ଏହିଭଳି ଦୋମୁହଁା ନୀତି କେତେଦିନ ଧରି ଚାଲିବ! ଏହା ଦେଶ ପାଇଁ ଆଦୌ ମଙ୍ଗଳକର ନୁହେଁ।
ତୁରନ୍ତ ବ୍ୟାଙ୍କଗୁଡ଼ିକ ଯେଉଁଗୁଡ଼ିକ ଆଦାନୀଙ୍କ ଶେୟାର ରଖି ଋଣ ଦେଇଛନ୍ତି, ତାହାର ବଜାର ମୂଲ୍ୟ ଆଜି କେଉଁଠି ପହଞ୍ଚତ୍ଛି। ଦେଖନ୍ତୁ ଆଦାନୀ କ’ଣ ଏବେକାର ବଜାର ମୂଲ୍ୟଠାରୁ ଅଧିକ ଶେୟାର ବ୍ୟାଙ୍କରେ ବନ୍ଧା ଦେଇଛନ୍ତି। ସରକାର, ଅର୍ଥ ମନ୍ତ୍ରଣାଳୟ, ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ ସମ୍ପୃକ୍ତ ବ୍ୟାଙ୍କଗୁଡ଼ିକ ପରିଷ୍କାର କରି ଜଣାଇ ଦେବା ଉଚିତ ଯେ ଆଦାନୀ ଗ୍ରୁପ୍‌ର ଯେଉଁ ଶେୟାର ବନ୍ଧକ ରହିଛି, ତାହାର ମୂଲ୍ୟ ହ୍ରାସ ହେଲେ ମଧ୍ୟ ଋଣ ପରିମାଣରୁ ଅଧିକ ଟଙ୍କା ଋଣ ଶୁଝାଯାଇ ପାରିବ। ଆମର ଛାତିର ଚଉଡ଼ା କମ୍‌। ଆମେ ସାଧାରଣ ଜନତା। ଆମେ ବ୍ୟାଙ୍କ ଉପରେ ଭରସା କରି ଆମର ଅର୍ଜିତ ଜମାକୁ ସଞ୍ଚତ୍ତ ରଖିଛୁ ବ୍ୟାଙ୍କରେ। ସେହି ଟଙ୍କା କେଉଁଠି ଓ କିଭଳି ଭାବେ ଖଟାଯାଉଛି, ତାହା ଜାଣିବାର ଅଧିକାର ଆମର ରହିଛି। କାରଣ ବ୍ୟାଙ୍କ ବୁଡ଼ିଗଲେ ଯେତେ ଟଙ୍କା ନିଜର ଗଚ୍ଛିତ ଥାଉ ପଛେ ମାତ୍ର ୫ଲକ୍ଷ ଟଙ୍କା ଫେରସ୍ତ ମିଳିବ। ଜନଗଣଙ୍କ ଟଙ୍କା ଜନତାର ବିକାଶ ପାଇଁ କର୍ପୋରେଟ୍‌ ଲୁଟ ଲାଗି ନୁହେଁ। ଏଥିପ୍ରତି ସରକାର ଦୃଷ୍ଟି ଦେବା ବିଧେୟ।
ଉତ୍କଳମଣି ମାର୍ଗ, ଅପର୍ଣ୍ଣାନଗର, ଚାଉଳିଆଗଞ୍ଜ, କଟକ
ମୋ-୯୪୩୭୩୮୪୮୬୭


Enter your email to get our daily news in your inbox.

All Right Reserved By Dharitri.Com

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

ଏଭଳି ଭକ୍ତିର କି ଲାଭ

ସୋସିଆଲ ମିଡିଆରେ ଗତ କିଛିଦିନ ତଳେ ଗୋଟେ ଭିଡିଓଟେ ଘୂରି ବୁଲୁଥିଲା। ଉକ୍ତ ଭିଡିଓରେ ଗେରୁଆ ବସ୍ତ୍ର ପରିଧାନ କରିଥିବା କିଛି ବୋଲବମ ଭକ୍ତ ମଦ ବୋତଲ…

ଲାଞ୍ଛନାର ମଞ୍ଚ

ଆନ୍ଥୋନୀ ଫାଉସି ଜଣେ ଇମ୍ୟୁନୋଲୋଜିଷ୍ଟ (ରୋଗପ୍ରତିରୋଧକ ବିଜ୍ଞାନୀ) ଭାବରେ ପ୍ରତିଷ୍ଠା ଲାଭ କରିଛନ୍ତି। କିନ୍ତୁ ଆମେରିକାର ସିନେଟ୍‌ କମିଟି ଅନ୍‌ ହୋମଲ୍ୟାଣ୍ଡ ସିକ୍ୟୁରିଟି ଆଣ୍ଡ୍‌ ଗଭର୍ନମେଣ୍ଟାଲ ଆଫେୟାର୍ସ…

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri