ବାଉଁଶ ନୀତି

ବାଉଁଶରୁ ଅଧିକ ଲାଭ ପାଇବା ଲାଗି ନୀତି ଆୟୋଗ ଏକ ବ୍ୟାପକ ଯୋଜନା ଉପରେ କାମ କରୁଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ, ବାଉଁଶ ଚାଷ ଓ ଏହାର ବ୍ୟବହାରକୁ ବ୍ୟାପକ କରିବା ଲାଗି ନକ୍ସା ପ୍ରସ୍ତୁତ କରିବାକୁ ଆୟୋଗ ଦ୍ୱାରା ଅନେକ ବୈଠକ କରାଯାଇଛି। ଉପତ୍ାଦନ ବୃଦ୍ଧିକରି ବିଭିନ୍ନ କ୍ଷେତ୍ରରେ ବାଉଁଶର ବ୍ୟବହାରକୁ ବଢ଼ାଇବା ପାଇଁ ସମ୍ଭାବ୍ୟ ରଣନୀତିରେ ଏହାର ଚାଷ, ଉପତ୍ାଦନ, ପ୍ରକ୍ରିୟାକରଣ, ମାନକୀକରଣ ଓ ବ୍ୟବହାରକୁ ସାମିଲ କରିଥିବା ଜଣାପଡ଼ିଛି। ତେବେ ପ୍ରକୃତ କଥା ହେଉଛି, ଜୀବାଶ୍ମ ଇନ୍ଧନ ଉପରେ ଅଧିକ ନିର୍ଭରଶୀଳ ନ ହେବା ଲାଗି ସରକାର ବାଉଁଶରୁ ଜୈବ ଇନ୍ଧନ ଉପତ୍ାଦନ ପ୍ରତି ଆଗ୍ରହୀ ଥିବାରୁ ନୀତି ଆୟୋଗର ତପତ୍ରତା ପ୍ରକାଶ ପାଇଛି। ଏହି କାର୍ଯ୍ୟରେ ମାଲେସିଆ ପୃଥିବୀର ଅଗ୍ରଣୀ ଦେଶ ଭାବେ ପରିଚିତ। ଏଥିପାଇଁ ମାଲେସିଆ ବିଭିନ୍ନ ପ୍ରଜାତିର ବାଉଁଶ ଉପରେ ଅନେକ ଗବେଷଣାକରି ସଫଳ ହୋଇଛି। ନୀତି ଆୟୋଗର ଏହି ଯୋଜନା ଶୁଣିବାକୁ ଭଲ ଲାଗୁଛି, କିନ୍ତୁ ଭାରତରେ ଏ ଦିଗରେ ଏ ପର୍ଯ୍ୟନ୍ତ ଗବେଷଣା କରିବା ଲାଗି ସରକାର କିମ୍ବା କୌଣସି ବୃହତ୍‌ ଘରୋଇ କମ୍ପାନୀ ଅର୍ଥ ଖର୍ଚ୍ଚ କରିନାହାନ୍ତି ବୋଲି ଜଣାପଡ଼ିଛି। ସବୁବେଳେ ଅନ୍ୟ ଦେଶରେ କରାଯାଉଥିବା ପାଇଲଟ ପ୍ରୋଜେକ୍ଟକୁ ନିଜର ବୋଲି କହି ଉତ୍ତାରିବା ବା କପିକରିବା ଫଳରେ ସେଗୁଡ଼ିକର ଉନ୍ନତି ବା ଅପ୍‌ଗ୍ରେଡେଶନ ଭାରତରେ କରାଯାଉ ନ ଥିବାରୁ ଅନେକ ବାଧା ସୃଷ୍ଟି ହେଉଛି। ଉଲ୍ଲେଖନୀୟ ଯେ, ବାଉଁଶକୁ ଘାସ ଜାତୀୟ ଉଦ୍ଭିିଦ ପ୍ରଜାତିରେ ଅନ୍ତର୍ଭୁକ୍ତ କରାଯାଇଛି। ପୂର୍ବରୁ ୧୯୨୭ ଜଙ୍ଗଲ ଆଇନ ଅନୁଯାୟୀ ଏହାକୁ ଏକ ଗଛ ଭାବେ ଶ୍ରେଣୀଭୁକ୍ତ କରାଯାଇଥିଲା। କିନ୍ତୁ ୨୦୧୭ରେ ମୋଦି ସରକାର ଅମଳରେ ଜଙ୍ଗଲ ଆଇନରେ ସଂଶୋଧନ କରାଯାଇ ବାଉଁଶକୁ ଘାସ ଭାବେ ସ୍ଥାନିତ କରାଯାଇଛି। ଏହାକୁ କାଟିବା ଏବଂ ପରିବହନ କ୍ଷେତ୍ରରେ ଥିବା ବାଧା ହଟାଇବା ଲାଗି ଏଭଳି କରାଯାଇଥିଲା। ଲକ୍ଷ୍ୟ ଥିଲା ବାଉଁଶ ଚାଷ ବ୍ୟାପକ ହେବ ଓ ଲୋକମାନେ ଏହାର ଆର୍ଥିକ ଦିଗ ପ୍ରତି ଅଧିକ ଆକର୍ଷିତ ହେବେ। କିନ୍ତୁ ତାହା ଆଶାନୁରୂପ ହୋଇ ନ ଥିବା ପାରିପାର୍ଶ୍ୱିକ ପରିସ୍ଥିତିରୁ ଜଣାପଡୁଛି। ୨୦୧୮-୧୯ରେ ଜାତୀୟ ବାଉଁଶ ମିଶନର ପୁନର୍ଗଠନ ହେବା ପରେ ଉପତ୍ାଦକ ଓ ବାଉଁଶ ଶିଳ୍ପ ସହ ଜଡ଼ିତ ଅଂଶୀଦାରଙ୍କୁ ଆବଶ୍ୟକ ପ୍ରୋତ୍ସାହନ ମିଳୁ ନ ଥିବାରୁ ଏହାର ଉପତ୍ାଦନରେ ଆଖିଦୃଶିଆ ଅଗ୍ରଗତି ହୋଇପାରିନାହିଁ ବୋଲି ରିପୋର୍ଟରୁ ଜଣାପଡ଼ିଛି।
ବାଉଁଶ ସମ୍ପଦରେ ସମୃଦ୍ଧ ଭାରତରେ ୧୪୮ ପ୍ରଜାତିର ବାଉଁଶ ଅଛି। ମୁଖ୍ୟତଃ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ଜଙ୍ଗଲ ଓ ପଶ୍ଚିମଘାଟ ପର୍ବତମାଳା ଅଞ୍ଚଳରେ ଏହା ଅଧିକ ଦେଖାଦିଏ। ଏହା ବ୍ୟତୀତ ବିଭିନ୍ନ ରାଜ୍ୟର ଗାଁଗହଳିର ଘରୋଇ ଜମି କିମ୍ବା ସର୍ବସାଧାରଣ ଜମିରେ ମଧ୍ୟ ବାଉଁଶ ଚାଷ କରାଯାଏ। ବାଉଁଶ ଉପତ୍ାଦନ କ୍ଷେତ୍ରରେ ଚାଇନା ପରେ ଭାରତର ସ୍ଥାନ ଦ୍ୱିତୀୟ। ଏହି ୨ ଦେଶ ଓ ମ୍ୟାନ୍‌ମାରରେ ବିଶ୍ୱର ମୋଟ ବାଉଁଶ ଜମିର ୮୦% ରହିଛି। ଚାଇନା ବାଉଁଶ ଶିଳ୍ପ ଓ ଏହାର ଯୋଗାଣରେ ବିଶ୍ୱରେ ଆଧିତ୍ପତ୍ୟ ବିସ୍ତାର କରିଥିବାବେଳେ ଦ୍ୱିତୀୟ ଉପତ୍ାଦନକାରୀ ଦେଶ ଭାବେ ଭାରତ ଏଥିରେ ଆଖିଦୃଶିଆ ଅଗ୍ରଗତି କରିପାରିନାହିଁ। ଅପରପକ୍ଷରେ ବାଉଁଶ ଜଙ୍ଗଲର ପରିସୀମା କମିବାରେ ଲାଗିଛି। ଆମ ରାଜ୍ୟରେ ଦଶପଲ୍ଲା ବାଉଁଶ ଜଙ୍ଗଲ ଏହାର ଏକ ଉଦାହରଣ। କେବଳ ଯୋଜନା ଦ୍ୱାରା ସବୁକିଛି ସଫଳ ହେବ ବୋଲି ଆଶା କରିବା ବୃଥା। କାରଣ ଉତ୍ତର ପୂର୍ବ ରାଜ୍ୟ ଓ ପଶ୍ଚିମଘାଟ ପର୍ବତମାଳା ଅଞ୍ଚଳର ଲୋକମାନଙ୍କୁ ବାଦ୍‌ ଦେଲେ ଘରୋଇ ଭାବେ ବାଉଁଶ ଚାଷ ଓ ଏହାର ବ୍ୟବହାର କମୁଛି। ଅତୀତକୁ ଦେଖିଲେ ଗାଁ ଗହଳିରେ ସବୁଠି ବାଉଁଶର ବହୁଳ ବ୍ୟବହାର ଦେଖିବାକୁ ମିଳୁଥିଲା। ଘରର ଅନେକ ବ୍ୟବହାର୍ଯ୍ୟ ଉପକରଣଠାରୁ ଆରମ୍ଭକରି ଚାଷ, ଘର ନିର୍ମାଣ ଆଦି କ୍ଷେତ୍ରରେ ଏହା ବ୍ୟବହାର ହେଉଥିଲା। ଘରବାଡ଼ିରେ ବାଉଁଶ ବୁଦାଟିଏ ବି ଥିଲା। ଏବେ ତାହା ଦେଖିବାକୁ ମିଳୁନାହିଁ। ସରକାରୀ ଭାବେ ଜଙ୍ଗଲ ଜମିରେ ଯେତିକି କରାଯାଉଛି ତାହା ହିଁ ବାଉଁଶ ଚାଷର ପରିସୀମା। ସମଗ୍ର ଭାରତରେ ଏହି ଚାଷ ଲାଗି ଅନୁକୂଳ ପରିବେଶ ଥିବାବେଳେ ଏହାକୁ ସମ୍ପ୍ରସାରିତ କରିବାରେ ସରକାରୀ ଉଦ୍ୟମ ବ୍ୟତୀତ ଘରୋଇ ଭାଗୀଦାରି ଆବଶ୍ୟକ। ଅନ୍ୟପକ୍ଷରେ ଭାରତରେ ବିଶ୍ୱର ସବୁଠୁ ନିପୁଣ ବାଉଁଶ କାରିଗର ସମ୍ପ୍ରଦାୟ ଅଛନ୍ତି, ହେଲେ ସେମାନେ ପ୍ରାୟତଃ ଆର୍ଥିକ ଅନଗ୍ରସର ବର୍ଗର । ଏଭଳି ପ୍ରଚ୍ଛଦପଟରେ ନୀତି ଆୟୋଗ ଦେଶର ବାସ୍ତବତାଠାରୁ ଯଥେଷ୍ଟ ଦୂରରେ ଯାଇ ବିଭିନ୍ନ ନୀତି ସୃଷ୍ଟି କରିବା ପାଇଁ ଚେଷ୍ଟିତ ଭଳି ମନେହୁଏ। ବାଉଁଶରୁ ଇନ୍ଧନ ସୃଷ୍ଟି କରିବା କେବଳ ଆକର୍ଷଣୀୟ ଶୁଣାଯାଉନାହିଁ, ସେଥିରୁ ଅର୍ଥନୈତିକ ଉନ୍ନତି ମଧ୍ୟ କରାଯାଇପାରିବ ଯେଉଁଥିରେ ବାଉଁଶ ଚାଷକୁ ପ୍ରଥମେ ପ୍ରୋତ୍ସାହନ ଦେବା ଆବଶ୍ୟକ। ତାହା ନ ହେବା ପର୍ଯ୍ୟନ୍ତ ସବୁ ନୀତି ଅବାସ୍ତବ ବୋଲି କହିହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?