
ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରବିବାର ଶ୍ରୀଜିଉଙ୍କ ପବିତ୍ର ବାହୁଡାଯାତ୍ରା ସମ୍ପନ୍ନ ହୋଇଛି। ଶନିବାର ଅପରାହ୍ନରେ ଧାଡି ପହଣ୍ଡିରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସମେତ ଚକ୍ରରାଜ ସୁଦର୍ଶନଙ୍କୁ ରଥାରୂଢ କରାଯାଇଥିଲା। ପରେ ରଥ ଉପରେ ଛେରାପହଁରା ନୀତି ହୋଇଥିଲା। ଏହା ପରେ ସା ଆଳତୀ କରାଯାଇଥିଲା। ରବିବାର ପବିତ୍ର ବଡ ଏକାଦଶୀ ତିଥିରେ ସକାଳୁ ଦିନତମାମ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥ ଉପରେ ବିଜେ ଶ୍ରୀଜିଉ ମାନେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ।
ପୂର୍ବାହ୍ନ, ମଧ୍ୟାହ୍ନ ଏବଂ ଅପରାହ୍ନରେ ସମସ୍ତ ନୀତିକାନ୍ତି ଶେଷ ପରେ ୪.୫୦ରେ ରଥ ଟଣା ଆରମ୍ଭ ହୋଇଥିଲା। ଘଣ୍ଟ, କାହାଳୀ, ସଂକୀର୍ତ୍ତନ ସହ ହରିବୋଲ ହୁଳହୁଳି ଧ୍ବନିରେ ବଡଦାଣ୍ଡ ପ୍ରକମ୍ପିତ ହୋଇ ଉଠିଥିଲା।
ବଡଦାଣ୍ଡରେ ଭକ୍ତଙ୍କ ରଥଟଣା ଦୃଶ୍ୟ ସତେ ଯେମିତି ଜନସମୁଦ୍ରରୁ ଲହଡି ଭାଙ୍ଗିବା ଭଳି ଦୃଶ୍ୟ ପ୍ରତୀତ ହୋଇଥିଲା। ରଥ ଗୁଡିଆଗଳି ନିକଟରେ ପହଞ୍ଚିବା ପରେ ରାଜ ପୁରୋହିତ ଦେବୀପ୍ରସାଦ ରଥଙ୍କ ତତ୍ତ୍ୱାବଧାନରେ ଦେବୀ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବିମାନରେ ଆସି ଜଗନ୍ନାଥଙ୍କ ସମ୍ମୁଖରେ ବିଜେ ହୋଇଥିଲେ। ରଥ ଉପରେ ବନ୍ଦାପନା ଓ ଲକ୍ଷ୍ମୀଭେଟ ନୀତି ସମ୍ପନ୍ନ ହେବା ପରେ ପୁଣି ରଥ ଟଣାଯାଇ ୬.୦୫ରେ ସିଂହଦ୍ୱାର ସମ୍ମୁଖରେ ଲାଗିଥିଲା।
ସାରେ ଅନୁଷ୍ଠିତ ରାଜାବେଶ ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ସେହିଭଳି ସାନରଥ ଉପରେ ବିଜେ ଶ୍ରୀ ଦଧିବାମନଙ୍କ ବାହୁଡାଯାତ୍ରା ମଧ୍ୟ ଯଥାରୀତି ସମ୍ପନ୍ନ ହୋଇଥିଲା। ଦିଗପହଣ୍ଡି ପୋଲିସ ଉପସ୍ଥିତ ରହି ଶୃଙ୍ଖଳିତ ଯାତ୍ରା ପରିଚାଳନାରେ ସହଯୋଗ କରିଥିଲା।