ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। ଏଭଳିସ୍ଥିତିରେ ମଙ୍ଗଳବାର ପାଇକମାଳର କେତେଜଣ ସଚେତନ ଯୁବକ ସକାଳ ୮ଟାରେ ଡାକ୍ତରଖାନାକୁ ଆସିଥିଲେ। ହେଲେ ଡିୟୁଟିରେ ଥିବା ଡାକ୍ତର ଜଣକ ହସ୍ପିଟାଲକୁ ବିଳମ୍ବରେ ଆସିଥିଲେ।
ଏନେଇ ଯୁବକମାନେ ଡାକ୍ତରଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ଡାକ୍ତର ଅଙ୍କିତ ସାଗର ବିରକ୍ତି ପ୍ରକାଶ କରିଥିଲେ। ଡାକ୍ତରଙ୍କ ଏଭଳି ଆଚରଣକୁ ଦେଖି ଯୁବକମାନେ ହସ୍ପିଟାଲରେ ଧାରଣରେ ବସି ଆନ୍ଦୋଳନ କରିଥିଲେ। ଖବର ପାଇ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଚେୟାରମେନ ଭାବନା ସିଂ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକୁ ସମର୍ଥନ ଜଣାଇ ସେ ମଧ୍ୟ ଧାରଣାରେ ବସିଥିଲେ।
ଏପରିକି ବିଧାୟିକା ପଦ୍ମପୁର ଏସ୍ଡିଏମ୍ଓ ଆଶୁତୋଷ ହୋତାଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଖବର ପାଇ ଏସ୍ଡିଏମ୍ଓ ହୋତା ପାଇକମାଳ ହସ୍ପିଟାଲରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ସେ ହସ୍ପିଟାଲରେ ନିୟୋଜିତ ଥିବା ଡାକ୍ତରଙ୍କୁ ସମୟ ଅନୁସାରେ ହସ୍ପିଟାଲ ଆସି କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରବର୍ତ୍ତି ସମୟରେ ମଧ୍ୟାହ୍ନ ସାଢେ ୧୨ଟାରେ ଅନଶନ ପ୍ରତ୍ୟାହୃତ ହୋଇଥିଲା।

