ନୂଆଦିଲ୍ଲୀ,୨୪।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ଆଥଲେଟ୍ ସୀମା କୁମାରୀ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ମହିଳା ୧୦,୦୦୦ ମିଟର ରେସ୍ ଇଭେଣ୍ଟରେ ସୀମା ୩୨:୪୧.୫୪ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ନିଜ ନାମରେ କରିଛନ୍ତି। ଏସିଆନ୍ ଗେମ୍ସରେ ଏହା ତାଙ୍କର ପ୍ରଥମ ପଦକ। ଏହା ସହିତ, ସୀମା ମହିଳା ୧୦,୦୦୦ ମିଟର ଇଭେଣ୍ଟରେ ଭାରତର ୧୬ ବର୍ଷର ଲମ୍ବା ପଦକ ପ୍ରତୀକ୍ଷାର ଅନ୍ତ ଘଟାଇଛନ୍ତି। ସୀମାଙ୍କର ଏହି ସଫଳତା କେବଳ ଟ୍ରାକ୍ରେ ତାଙ୍କର ଦ୍ରୁତ ଗତିର ପରିଣାମ ନୁହେଁ, ବରଂ ଏହା ହିମାଚଳ ପ୍ରଦେଶର ପାହାଡ଼ିଆ ରାସ୍ତାରେ ଖାଲି ପାଦରୁ ଆରମ୍ଭ ହୋଇଥିବା ସାହସ, ଗରିବୀ ଓ ସଂଘର୍ଷର ବିଜୟ।
୧୦ ଜାନୁଆରୀ ୨୦୦୧ରେ ଜନ୍ମଗ୍ରହଣ କରିଥିବା ସୀମା ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ଏକ ଛୋଟ ଗାଁରୁ ଆସିଛନ୍ତି। ତାଙ୍କର ପିଲାଦିନ ବହୁତ କଷ୍ଟକର ଥିଲା। ଯେତେବେଳେ ସୀମାଙ୍କୁ ମାତ୍ର ୧୨ ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ମୁଣ୍ଡରୁ ବାପାଙ୍କ ଛାୟା ହଟିଯାଇଥିଲା। ପରିବାର ଉପରେ ହଠାତ୍ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଥିଲା, ଯାହା ଫଳରେ ସେମାନଙ୍କୁ ଚଳିବା ପାଇଁ ଚାଷକାମ ଓ ଗାଈଗୋରୁ ଚରାଇବା ଭଳି କାମ କରିବାକୁ ପଡ଼ିଥିଲା। ଆରମ୍ଭରୁ ସମ୍ବଳର ବହୁତ ଅଭାବ ଥିଲା। ଦୌଡ଼ିବା ପାଇଁ ଜୋତା କିଣିବାକୁ ବି ଟଙ୍କା ନଥିଲା, କିନ୍ତୁ ଦୃଢ଼ ମନୋବଳ ଥିବା ସୀମା ହାର୍ ମାନି ନ ଥିଲେ ଏବଂ ଖାଲି ପାଦରେ କଚ୍ଚା ରାସ୍ତାରେ ଦୌଡ଼ି ଅଭ୍ୟାସ କରିବା ଆରମ୍ଭ କରିଥିଲେ।
ପରିବାରର ଆର୍ଥିକ ସ୍ଥିତି ଖରାପ ଥିବା ସତ୍ତ୍ୱେ ମା’ ଝିଅର ସ୍ୱପ୍ନ ସହ କୌଣସି ବୁଝାମଣା କରିବାକୁ ଦେଇ ନ ଥିଲେ। ଯେତେବେଳେ ସୀମାଙ୍କୁ ଆନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଭାଗ ନେବାର ସୁଯୋଗ ମିଳିଲା, ଯାତ୍ରା ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ମା’ ତାଙ୍କର ସାରା ଜୀବନର ସଞ୍ଚିତ ପୁଞ୍ଜିକୁ ଭାଙ୍ଗି ଦେଇଥିଲେ।
ସୀମା ୨୦୧୭ ମସିହାରେ ଆନ୍ତର୍ଜାତୀୟ ସ୍ତରରେ ତାଙ୍କର ପ୍ରଥମ ପରିଚୟ ସୃଷ୍ଟି କରିଥିଲେ। ୨୦୧୭-୧୮ରେ ବ୍ୟାଙ୍କକ୍ରେ ଆୟୋଜିତ ଏସୀୟ ଅଣ୍ଡର-୧୮ ଚାମ୍ପିୟନସିପ୍ର ୩୦୦୦ ମିଟର ଦୌଡ଼ରେ ୧୦:୦୫.୨୭ ସମୟ ନେଇ ସେ ବ୍ରୋଞ୍ଜ ପଦକ ଜିତିଥିଲେ। ଏହା ପରେ ନାସାଉ କମନୱେଲଥ ୟୁଥ ଗେମ୍ସରେ ନବମ ସ୍ଥାନ, ଗିଫୁ ଏସିଆନ୍ ଜୁନିୟର ଚାମ୍ପିୟନସିପ୍ରେ ପଞ୍ଚମ ସ୍ଥାନ ଏବଂ ବୁଏନୋସ ଆଇରେସ ୟୁଥ ଅଲିମ୍ପିକ୍ସରେ ଭାଗ ନେଇଥିଲେ।
ଅକ୍ଟୋବର ୨୦୨୪ରେ ହଂକଂରେ ଆୟୋଜିତ ଏସିଆନ୍ କ୍ରସ୍ କଣ୍ଟ୍ରି ଚାମ୍ପିୟନସିପ୍ରେ ୩୭:୨୦ ସମୟ ନେଇ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହା ପୂର୍ବରୁ ବେଲଗ୍ରେଡ୍ ୱାର୍ଲ୍ଡ କ୍ରସ୍ କଣ୍ଟ୍ରିରେ ସେ ୩୪ତମ ସ୍ଥାନରେ ଥିଲେ। ପରେ ୨୦୨୫ରେ ଗୁମିରେ ଆୟୋଜିତ ଏସିଆନ୍ ଚାମ୍ପିୟନସିପ୍ର ୧୦,୦୦୦ ମିଟର ଦୌଡ଼ରେ ଷଷ୍ଠ ସ୍ଥାନ ହାସଲ କରିବା ପରେ, ସେହି ସିଜନ୍ରେ ୱାର୍ଲ୍ଡ ୟୁନିଭରସିଟି ଗେମ୍ସର ୫୦୦୦ ମିଟର ଇଭେଣ୍ଟରେ ୧୫:୩୫.୮୬ ସମୟ ନେଇ ରୌପ୍ୟ ପଦକ ଜିତିଥିଲେ। ସେ ୨୦୨୫ ଦିଲ୍ଲୀ ହାଫ୍ ମ୍ୟାରାଥନ୍ରେ ମଧ୍ୟ ଶୀର୍ଷ ଭାରତୀୟ ମହିଳା ଆଥଲେଟ୍ ଥିଲେ। ଏବେ ୨୦୨୬ ଏସିଆନ୍ ଗେମ୍ସ ପୋଡିୟମ୍ରେ ତ୍ରିରଙ୍ଗା ଉଡ଼ାଇ ସୀମା ପ୍ରମାଣିତ କରିଛନ୍ତି ଯେ, ସାହସ ଓ ଦୃଢ଼ ଇଚ୍ଛାଶକ୍ତି ଆଗରେ ଅଭାବ ଅନଟନ କେବେ ବି ପ୍ରତିବନ୍ଧକ ସାଜିପାରିବ ନାହିଁ।

